"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସ୍ଵାଗତ ଭାଷଣ - ୨୦୧୯

ସ୍ଵାଗତ ଭାଷଣ - ୨୦୧୯

ବଣମଲ୍ଲୀର ମହକ - ନିର୍ମାଲ୍ୟ ସ୍ଵାଗତିକା - କବିର ଘର ସାରସ୍ଵତ ସମ୍ମିଳନୀର ସ୍ଵାଗତ ଭାଷଣ ଥିଲା ଏକ ଅଭିନବ ବାର୍ତ୍ତା - ସେ ମୁଦ୍ରିତ ସାହିତ୍ୟ ହେଉ ଅବା ଇ-ସାହିତ୍ୟ - ପରିପ୍ରକାଶ ପଦ୍ଧତ୍ତିରେ ସାହିତ୍ୟକୁ ଭାଗ ନକରି ସମୟୋପଯୋଗୀ ସୁ-ସାହିତ୍ୟ ସୃଷ୍ଟି ଉପରେ ଗୁରତ୍ଵ ଦେବା ଉଚିତ ।
ଜୟ ଜଗନ୍ନାଥ ! ଲାଲମାଟିର ଏହି ପବିତ୍ର ମଞ୍ଚ ଉପରୁ ସର୍ବପ୍ରଥମେ ପ୍ରଣାମ ଜଣାଉଛି ଲକ୍ଷ୍ମୀନାରାୟଣ.. ଏହି ସାହିତ୍ୟ ଆସରରେ ଉପସ୍ଥିତ ସମସ୍ତ ସାରସ୍ଵତ ସଜ୍ଜନ ମଣ୍ଡଳୀଙ୍କୁ ।  ଆଉ ମଧ୍ୟ ପ୍ରଣାମ କରୁଛି, ମଞ୍ଚାସୀନ ଅତିଥି ବୃନ୍ଦ, ତଥା ଆଜିର ଏହି ମହାନ ସମାବେଶକୁ ପରିଚାଳନା କରୁଥିବା ସଭାପତି ମହୋଦୟଙ୍କୁ । ନିଶ୍ଚିତ ଭାବେ ଆମକୁ ଆଜି ଅନୁଭବ ହେଉଛି, ଆଜିର ଏହି ସମାବେଶ ଖୁବ ନିଆରା । ଏହା ସମଗ୍ର ଓଡିଶାର ଜନମାନସରେ ନିଶ୍ଚିତ ଭାବେ ଭରିଦେବ ଭାଇଚାରାର ଏକ ପବିତ୍ର ବାର୍ତ୍ତା । ଆଉ ସାହିତ୍ୟ ଜଗତରେ ସୃଷ୍ଟି କରିବ ଏକ ନିଆରା ଓ ପବିତ୍ର ପରମ୍ପରା । 

ଆଜକୁ ଠିକ ୧୬ ବର୍ଷ ତଳେ, ଏମିତି ଏକ ପବିତ୍ର ମୁହୂର୍ତ୍ତରେ ଗ୍ରାମ୍ୟ ସଂସ୍କୃତିର ଆବରଣ ତଳୁ ଖୋରଧା ଜିଲ୍ଲାର ଲୋକିପୁର ଠାରେ ମୁଣ୍ଡ ଟେକିଥିଲା ନିର୍ମାଲ୍ୟ ସ୍ଵାଗତିକା । ଠିକ ତିନିବର୍ଷ ତଳେ ଖୋରଧା ଜିଲ୍ଲାର କୁଣ୍ଡିଲୋ ଠାରେ କବିର ଘର ଅନୁଷ୍ଠାନ ଏବଂ ଖୋରଧା ଜିଲ୍ଲାର ମରାଳ-ମାଳିନୀ-ନୀଳାମ୍ବୁ ଚିଲିକାର ଉତ୍ତର-ପୂର୍ବ ତଟଦେଶର ଅବସ୍ଥିତ ବିହଙ୍ଗ ଭୂସ୍ଵର୍ଗ ମଙ୍ଗଳାଯୋଡିରେ ଆତ୍ମପ୍ରକାଶ କରିଥିଲା ବଣମଲ୍ଲୀର ମହକ ।

ପଥ ଥିଲା ଭିନ୍ନ, କିନ୍ତୁ ଲକ୍ଷ୍ୟ ଥିଲା ଅଭିନ୍ନ । ଗଙ୍ଗା-ଯମୁନା-ସରସ୍ଵତୀର ତ୍ରିବେଣୀ ସଂଗମ ଭଳି, ସାହିତ୍ୟର ସ୍ରୋତରେ ଆଜି ଏହି ତ୍ରିଧାରା ସଂଗମ ସ୍ଥଳ ପାଲଟିଯାଇଛି, ଏହି ଲାଲମାଟିର ଖୋରଧା ଉପକଣ୍ଠ । ଭାଇଚାରାର ଅତୁଟ ବନ୍ଧନରେ ବାନ୍ଧିହୋଇ, ବଡଭାଇ ନିର୍ମାଲ୍ୟ ସ୍ଵାଗତିକାର ସ୍ନେହ ଶ୍ରଦ୍ଧା ଆଜି ଲାଲମାଟିର ଏହି ପବିତ୍ରସ୍ଥଳରେ, ନିଜ ଶୋଡ଼ଷବାର୍ଷିକୀ ସମାରୋହରେ ନିଜର କୁନି କୁନି ଦୁଇଭାଇଙ୍କୁ ମଧ୍ୟ ନିଜ ସାଙ୍ଗରେ ଏକାଠି କରିପାରିଛି । ଆଉ ଅଫୁରନ୍ତ ଆନଦ ଉଲ୍ଲାସରେ ବଡଭାଇର ହାତଧରି, ବଡଭାଇର ନୀତି ଆଦର୍ଶକୁ ପାଥେୟ କରି ଚାଲି ଶିଖିବା ଆରମ୍ଭ କରିଛନ୍ତି ବଣମଲ୍ଲୀର ମହକ ଓ କବିର ଘର । 

ସାହିତ୍ୟ ହିଁ ଯୁଗ ଯୁଗ ଧରି ଅନେକ ବିଭିନ୍ନତା ମଧ୍ୟରେ, ଏକତାର ମୂଳମନ୍ତ୍ର ଶିଖାଇ ଆସିଛି । ଯୁଗେ ଯୁଗେ ଜାଗ୍ରତ କରିଛି, ମଣିଷ ମନରେ ସହିଷ୍ଣୁତାର ଭାବ । କିନ୍ତୁ ଅସହିଷ୍ଣୁତା ଓ ବିଚ୍ଛିନ୍ନତା ବ୍ୟାଧିରେ ସାହିତ୍ୟ ଆଜି ଜର୍ଜରିତ । ମନୁଷ୍ୟର ଅନୁଭୂତି ଓ ଅଭିଜ୍ଞତାର ରୂପାୟନ ହେଉଛି ସାହିତ୍ୟ । ତେଣୁ, ଏହାକୁ ସୃଷ୍ଟି କରୁଥିବା ସ୍ରଷ୍ଟାଟିଏ, ପ୍ରଥମେ ଏହି ବ୍ୟାଧିରେ ପୀଡିତ ହେବା ପରେ, ଏହା ସାହିତ୍ୟ ଆଡକୁ ବ୍ୟାପୀ ଯାଇଥାଏ । ଏଠାରେ ଏହି ପ୍ରସଙ୍ଗ ଉତଥାପନ କରିବା, ହୁଏତ କାହାକୁ ଧୃଷ୍ଟତା ବୋଲି ମନେ ହେଉଥାଏ, କିନ୍ତୁ ମତେ ଅନୁଭବ ହେଉଛି, ଏହି ଆଲୋଚନାର ଆବଶ୍ୟକତା ଆଜି ନିଶ୍ଚିତ ଭାବରେ ରହିଛି ।

ବାରି ହୋଇପଡେ, ଅଧୁନା ସାହିତ୍ୟିକ ମାନେ, ବହୁ ଗୋଷ୍ଠୀରେ ବିଭକ୍ତ । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଟିଏ ଗୋଷ୍ଠୀ ଠାରୁ, ନିଜକୁ ସୁରକ୍ଷିତ ଦୂରତାରେ ରଖି, ନିଜକୁ ସର୍ବମାନ୍ୟ ଶ୍ରେଷ୍ଠ ଆସନରେ ବସାଇ, ଅନ୍ୟକୁ ସମାଲୋଚନା କରିବାରେ ବ୍ୟସ୍ତ ଥାଏ । ଏଇ ଯେମିତି, ଗୋଟାଏ ଗୋଷ୍ଠୀ ପତ୍ରପତ୍ରିକା ଓ ପୁସ୍ତକ ବଦଳରେ, ବିଭିନ୍ନ ଦୃଶ୍ୟସ୍ରାବ ଗଣମାଧ୍ୟମ ଓ ମଞ୍ଚରେ ବିଭିନ୍ନ ଅଙ୍ଗଭଙ୍ଗୀ କରି, ମୁଖ ବିକୃତ କରି, ଉଚ୍ଚ ସ୍ଵରରେ, କବିତା କମ ଓ ଗୁଲିଗପ ବେଶୀ ଉଚ୍ଚାରଣ କରି, କିମ୍ବା ପ୍ରଚଳିତ କିଛି ପୁରୁଣା ଲୋକକଥାକୁ ନିଜ ନାମରେ ଯୋଡି, ଏବଂ ପିତୃଦତ୍ତ ନାମକୁ ବିକୃତ ଓ ବିକଳାଙ୍ଗ କରି, ନିଜକୁ ଆତ୍ମଘୋଷିତ ସେଲିବ୍ରେଟିରେ ପରିଣତ କରିଥାନ୍ତି । ସାହିତ୍ୟର ମୁଖ୍ୟସ୍ରୋତରେ ସାମିଲ ହେବାକୁ, ଏମାନଙ୍କ ମଧ୍ୟରୁ ଅଧିକାଂଶ, ସର୍ବଦା ପାଶ୍ଚାତପଦ ହୁଅନ୍ତି । ଅବଶ୍ୟ ସମସ୍ତେ ନୁହଁନ୍ତି । କୌଣସି ସାହିତ୍ୟ ସଭାକୁ ଯଦି ଏମାନଙ୍କୁ ଡକାଯାଏ, ଏମାନେ ବଡ ମୁକୁଟ ଓ ଉଚ୍ଚ ଆସନ ଲୋଡିଥାନ୍ତି । 

ଆଉ ଏକ ଗୋଷ୍ଠୀ କଥା ଯଦି ବିଚାର କରିବା, ତେବେ, ଏମାନେ ନିଜକୁ ଓଡିଆ ସାହିତ୍ୟର ଏକଛତ୍ରବାଦ ଶାସକ ବୋଲି ମଣନ୍ତି । ଏମାନଙ୍କର ମୁଖ୍ୟକାର୍ଯ୍ୟ, ସଂସାରଯାକର ପୁରସ୍କାରକୁ ନିଜ ନାମରେ କରିବା, ଆଉ ନୂତନ ପିଢିର ଲେଖକ ମାନଙ୍କୁ ନ୍ୟୁନ ମନେକରି ସମାଲୋଚନା କରିବା । ସେମାନେ ନୂତନ ପିଢିର ସାହିତ୍ୟିକ ମାନଙ୍କୁ ଫେସବୁକ ସାହିତ୍ୟିକ କହି, ନିରୁସ୍ଚାହିତ କରିଥାନ୍ତି ଅନେକ ସମୟରେ । ପ୍ରଶ୍ନ ଉଠେ, ଏମାନେ ଏପରି କରିବାର କାରଣ କଣ ? ବୋଧହୁଏ, ଅସହିଷ୍ଣୁତା ।

ସାମାଜିକ ଗଣମାଧ୍ୟମରେ, ସାହିତ୍ୟିକ ମାନେ ନିଶ୍ଚିତ ଭାବେ ଅଧିକ ଲୋକପ୍ରିୟ । ଏଣୁ ମହାମହିମ ସାହିତ୍ୟିକ ମାନେ, ସାହିତ୍ୟ ଆଲୋଚନା ସହିତ, ଏମାନଙ୍କୁ ସମାଲୋଚନା କରିବାକୁ ଭୁଲନ୍ତି ନାହିଁ ।  ଏମାନଙ୍କ ମତରେ ଯେଉଁମାନେ ସାମାଜିକ ମଞ୍ଚରେ ଅଧିକ ସକ୍ରିୟ, ସେମାନଙ୍କୁ ସାହିତ୍ୟ ଜଣାନାହିଁ । ମୁଦ୍ରିତ ପତ୍ରପତ୍ରିକା ମାଧ୍ୟମରେ ସେମାନଙ୍କ ସୃଷ୍ଟି ଗୁଡିକ ପ୍ରକାଶ ପାଇବାକୁ ଅଯୋଗ୍ୟ । ଏମିତି ଅନେକ କିଛି । ଆଉ ଏମାନେ ସାଧାରଣତଃ ବୟୋଜ୍ୟୋଷ୍ଠ ଓ ପ୍ରତିଷ୍ଠିତ । ନୂତନପିଢିଙ୍କୁ ଉସ୍ଚାହିତ କରିବା ବଦଳରେ, ଇଣ୍ଟରନେଟ ତଥା ସାମାଜିକ ଗଣମାଧ୍ୟମ ଯଥା – ଫେସବୁକ, ହ୍ଵାଟସଆପ, ଟୁଇଟର ଆଦିରେ, ସେମାନଙ୍କ ପ୍ରତିଷ୍ଠା ଓ ଲୋକପ୍ରିୟତାକୁ ନେଇ ଖୁବ ବିଚଳିତ ହୁଅନ୍ତି । ସେମାନଙ୍କର ଗୋଟେ ବଡ ଅଭିଯୋଗ ହେଲା ଯେ, ନୂତନ ପିଢିର ଲେଖକ ଲେଖିକା ମାନେ, ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଯଦି ଏହା ସତ, ତେବେ ଏହାର କାରଣ ମଧ୍ୟ ସେମାନେ ବୁଝିବା ଆବଶ୍ୟକ ।

ଓଡିଶାର ତଥାକଥିତ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ତଥା ଖବର କାଗଜର ସାହିତ୍ୟ ପୃଷ୍ଠାରେ, ତରୁଣ ଓ ଅପରିଚିତ ସାହିତ୍ୟିକ ମାନଙ୍କ ପାଇଁ ସର୍ବଦା ତିନି ଗାର ପଡିଥାଏ । ଏମାନଙ୍କର କୌଣସି ପୁସ୍ତକକୁ, ତଥାକଥିତ ପ୍ରକାଶକ ମାନେ, ପ୍ରକାଶ କରିବାକୁ ଚାହାନ୍ତି ନାହିଁ । ତେବେ ଏଭଳି ପରିସ୍ଥିତିରେ ସାହିତ୍ୟ ମନସ୍କ ତରୁଣ ଲେଖକଟିଏ, କଣ ବା କରିଥାନ୍ତା ? ବଡ ନାମଧାରୀ ଲେଖକ ମାନଙ୍କ ଲେଖାକୁ,  ମୁଣ୍ଡିଆ ମାରି ମାରି, ତା’ ସୃଜନଶୀଳତାକୁ ହତ୍ୟା କରିବା କଣ ଉଚିତ ହୋଇଥାନ୍ତା ?? ଯେତେବେଳେ ସହଯୋଗ ଭିତ୍ତିକ ସାରସ୍ଵତ “ସଙ୍କଳନ” ର ଯୁଗ ଆରମ୍ଭ ହୁଏ, ଏଇ ଲେଖକ ମାନେ ସୁଯୋଗ ପାଆନ୍ତି, ନିଜ ପ୍ରତିଭାକୁ ବିକାଶ କରିବା ପାଇଁ । କିଛି ମୂଲ୍ୟ ବିନିମୟରେ, ନିଜ ଲେଖା ପ୍ରକାଶିତ ବହିଟିଏ ପାଏ । ଏବଂ ଏଥିରୁ, ସେ ତା’ ନିଜର ସତ୍ତା ଖୋଜିପାଏ, ଆଉ ଆଗକୁ ବଢିବାକୁ ଉତ୍ସ।ହିତ ହୁଏ । ଏହାକୁ ଯେଉଁମାନେ ବିରୋଧ କରୁଥିଲେ, ସେଇମାନେ ଆଜି ଫେସବୁକ ସାହିତ୍ୟର ବିରୋଧୀ । କିନ୍ତୁ ଆଜିର ଲେଖକଟିଏ ଇଣ୍ଟରନେଟ ଦ୍ଵାରା ସାମାଜିକ ଗଣମାଧ୍ୟମରେ ବିନା ପଇସା ଖର୍ଚ୍ଚରେ, ବିନା କାହାକୁ ତୈଳ ମର୍ଦ୍ଦନ କରି, ନିଜ ସାରସ୍ଵତ ପ୍ରତିଭାକୁ, ବିଶ୍ଵବିଦିତ କରିପାରୁଛି । ଏଥିରେ ମହାମହିମ ମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ବରଂ ଯଦି ପାରୁଛନ୍ତି, ସେମାନେ ଏହାକୁ ଅଧିକ ମାର୍ଜିତ କରିବାକୁ ତତ୍ପରତା ପ୍ରକାଶ କରନ୍ତୁ । 

ଏହି ଅସହିଷ୍ଣୁତା କେବଳ ଆଜିର ନୁହେଁ । ବିଗତ ଦିନରେ ଉପନ୍ୟାସ ଜଗତରେ, ଯେତେବେଳେ ମହାମହିମ ଔପନ୍ୟାସିକ ମାନେ, ଲେଖନୀ ଚାଳନା କରୁଥିଲେ, ଆଉ ଯାବତୀୟ ପୁରସ୍କାର ଓ ସାହିତ୍ୟରେ ମାନ୍ୟତାକୁ ସାଉଣ୍ଟି ନେଉଥିଲେ, ସେମାନଙ୍କୁ ଅଖ୍ୟାତ ପଲ୍ଲୀର ଲୋକଟିଏ ଚିହ୍ନୁନଥିଲା । କିନ୍ତୁ ଓଡିଶାର ଗୋଡିମାଟି ଝୁରି ହେଉଥିଲା, ଭାଗିରଥି ଦାସଙ୍କ ଉପନ୍ୟାସକୁ । ତାକୁ ପଢିବାକୁ ଆମେ ପାଗଳ ହେଉଥିଲେ । ଗାଁ ଗାଁ ବୁଲି ବହି ବେପାରୀ ପସରା ଧରି, ତାଙ୍କ ଉପନ୍ୟାସ ବହିକୁ ବିକ୍ରି କରୁଥିଲା । ଓଡିଆ ଝିଅଟିଏ ବାହା ହୋଇ ଶାଶୁ ଘରକୁ ଗଲାବେଳେ, ତା’ ପେଡିରେ, ଭାଗିରଥି ଦାସଙ୍କ ରଚିତ ୧୦/୧୫ ଖଣ୍ଡ ଉପନ୍ୟାସ ବହି ପଡୁଥିଲା । ଲୋକପ୍ରିୟତାକୁ ଆମେ ସହିପାରିନାହୁଁ । ତାଙ୍କ ନାଁ କେବେ ବି କେଉଁଠି ଚର୍ଚ୍ଚା ହୁଏନି । ଗୋଟିଏ ପୁରସ୍କାର ପାଇବାକୁ, ସତେ ଯେମିତି ସେ ଅଯୋଗ୍ୟ । ଏହା ମଧ୍ୟ ଅସହିଷ୍ଣୁତାର ଅନ୍ୟ ଏକ ନମୁନା ।

ଆଜି କିନ୍ତୁ ଯୁଗ ବଦଳିଛି । ସାହିତ୍ୟରେ ଯଦି କୌଣସି ନୂତନ ପଦ୍ଧତ୍ତିର ଆବଶ୍ୟକତା ଅନୁଭୂତ ହେଉଛି, ଏବଂ ସେଇ ପଦ୍ଧତି, ଯଦି ଆଜି ଆମ ଆବଶ୍ୟକତାକୁ ପୂରଣ କରିପାରୁଛି, ତେବେ ପୁରାତନ ନୀତି ଆଦର୍ଶ ଓ ପ୍ରଥା ପରମ୍ପରାକୁ ସମ୍ମାନ ଦେଇ ଆମେ ତାହାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ? ପ୍ରଥମେ ଆମକୁ ହୃଦୟଙ୍ଗମ କରିବାକୁ ହେବ, ପ୍ରଗତିର ଧାରାରେ, ଆମେ ଆଜି ପୁରାତନ ପ୍ରସ୍ତର ଯୁଗରୁ ଆସି ଇଣ୍ଟରନେଟ ଯୁଗରେ ପଦାର୍ପଣ କରିଛେ । ଆମ ଜୀବନଶୈଳୀରେ ଆଜି ଅଦ୍ଭୁତପୂର୍ବ ପରିବର୍ତ୍ତନ । ପୃଥିବୀରୁ ମହାକାଶ ଆଜି ଖୁବ ନିକଟ । ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡ ଆଜି ଆମ ହାତମୁଠାରେ । ସମୟ ଆଜି ବଦଳି ଯାଇଛି । ଆଜି ଆମେ ଆଉ ବ୍ୟବହାର କରୁନେ, ସେ ଶିଳାଲିପି, ପାପୀରସ ଲିପି ଅବା ତାଳପତ୍ର ଲିପି । ଏହା ଯେ ଦିନେ ଆମ ସାହିତ୍ୟକୁ ପରିପ୍ରକାଶ କରିବାର ଏକ ପ୍ରକୃଷ୍ଟ ଓ ସର୍ବଶ୍ରେଷ୍ଠ ମାଧ୍ୟମ ଥିଲା । ସେତେବେଳେ ଆମ ନିକଟରେ ଆଜିର କାଗଜ କି କଲମ ନଥିଲା । କିନ୍ତୁ ସମୟ ଆଜି ବଦଳି ଯାଇଛି । ଆଉ ଏହାତ ଆଲୋଚନାର ଏକ ଭିନ୍ନ ଦିଗ ଆଡକୁ ଆମକୁ ଟାଣି ନେବ । ଏକଥା କହିବାର ଅର୍ଥ ଏହା, ଆଜି ଏକ ଶୀତଳଯୁଦ୍ଧ ସୃଷ୍ଟି ହୋଇଯାଇଛି ସମଗ୍ର ସାହିତ୍ୟ ଜଗତରେ ।

ସାହିତ୍ୟ ହୋଇଯାଇଛି ଦୁଇଭାଗ । ଗୋଟିଏ ହେଉଛି ମୁଦ୍ରିତ ସାହିତ୍ୟ, ଆଉ ଗୋଟିଏ ହୋଉଛି ଇ-ସାହିତ୍ୟ । ତେବେ ଏହି ପରିପ୍ରକାଶ ପଦ୍ଧତ୍ତିକୁ ନେଇ ସାହିତ୍ୟକୁ କାହିଁକି ଆମେ ଭାଗ ଭାଗ କରିବା ? ସାହିତ୍ୟ ସର୍ବଦା କାଳଜୟୀ, ସାହିତ୍ୟ କଦାପି ଭାଗ ଭାଗ ହୋଇପାରେନା । ସେ କାଗଜ କଲମ ଅବା ମୁଦ୍ରିତ ମାଧ୍ୟମ ହେଉ କିମ୍ବା ଡିଜିଟାଲ ଅବା ଇଣ୍ଟରନେଟ ମାଧ୍ୟମ ହେଉ, ସାହିତ୍ୟର ରୂପରେଖରେ କୌଣସି ପରିବର୍ତ୍ତନ ଘଟିନଥାଏ । ମନୁଷ୍ୟର ସୂକ୍ଷ୍ମ ଅନୁଭୂତିର ରସାଳ ରୂପାୟନ ହେଉଛି ସାହିତ୍ୟ । ଜଣେ ସ୍ରଷ୍ଟା ଯାହା ସୃଷ୍ଟି କରିଥାଏ, ତାହା ସେହି ସ୍ରଷ୍ଟାର ଅଭିଜ୍ଞତା, ଅନୁଭୂତି ଓ ଚିନ୍ତାଧାରା ଉପରେ ପର୍ଯ୍ୟବ୍ୟସିତ । ତାହାକୁ ସେ ପଥର ଉପରେ ଲେଖୁ, ତାଳପତ୍ରରେ ଲେଖୁ, ପାପୀରସ କାଳିରେ ଲେଖୁ, କାଗଜ କଲମରେ ଲେଖୁ ଅବା ଇଣ୍ଟରନେଟ ମାଧ୍ୟମରେ ଲେଖୁ । ତାହା ହିଁ ତା’ ସୃଷ୍ଟିଟିକୁ ପରିପ୍ରକାଶ କରିବାର ମାଧ୍ୟମ ଥାଏ ।

ଆଜି ସାହିତ୍ୟ ସୃଷ୍ଟି ନିମନ୍ତେ ମାଧ୍ୟମ ପର୍ଯ୍ୟାପ୍ତ । କିନ୍ତୁ ସୁ-ସାହିତ୍ୟ ସୃଷ୍ଟି ନିମନ୍ତେ ଆମ ସମସ୍ତଙ୍କୁ ଆଜି ସଚେତନ ହେବାର ଜରୁରୀ ସମୟ ଉପନୀତ । ସମୟ ଓ ସମାଜ ଉପଯୋଗୀ ସାହିତ୍ୟ ସୃଷ୍ଟି ଦିଗରେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ । ପ୍ରକାଶନର ମାଧ୍ୟମ, ସେ ମୁଦ୍ରିତ ପତ୍ରିକା ହେଉ, ବା ଇ-ପତ୍ରିକା ହେଉ, ଏହାର ସମ୍ପାଦକ ମାନଙ୍କୁ, ଆଜିର ଏହି ଘଡିସନ୍ଧି ମୁହୂର୍ତ୍ତରେ, ସଜାଗ ହେବାକୁ ପଡିବ । କୌଣସି ମୂଲ୍ୟହୀନ ଲେଖାଗୁଡିକୁ ଆଖିବୁଜି ପ୍ରକାଶ କରିବା ଦ୍ଵାରା, ଗୁଡାଏ ଅଣସାହିତ୍ୟ ସୃଷ୍ଟି ହୋଇଥାଏ । ଯାହାଦ୍ଵାରା ପ୍ରକୃତ ସାହିତ୍ୟର ପଥରୋଧ ହୁଏ । 

ତେଣୁ ଆଜି ସମୟ ଆସିଛି, ବରିଷ୍ଠ କନିଷ୍ଠ ନିର୍ବିଶେଷରେ, ସୁ-ସାହିତ୍ୟ ସୃଷ୍ଟି ଦିଗରେ ଯତ୍ନବାନ ହେବା ସହ, ସମସ୍ତ ମୁଦ୍ରିତ-ପତ୍ରିକା ସଂକଳନ ଓ ଇ-ପତ୍ରିକା ସଂକଳନ ଏକାକାର ହୋଇ ଓଡିଆ ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ସାମିଲ ହେବା । ଆଜିର ଏହି ପବିତ୍ର ସାରସ୍ଵତ ମଞ୍ଚ ଏହାର ଆବଶ୍ୟକତାକୁ ପ୍ରମାଣିତ କରିପାରିଛି । ବନ୍ଦେ ଉତ୍କଳ ଜନନୀ... । ଧନ୍ୟବାଦ ।

0 Comments