
ଶୁଣିବକି କୁହ ହୃଦୟର କୋହ
ଛାତି ତଳେ ଦୁଃଖ ନଈର ଧାର
ମନତଳ ବ୍ୟଥା ମୋ ମନର କଥା
ଉଜୁଡି ଯାଇଛି ସୁଖ ସଂସାର....
ଭାବନାରେ ଖୋଜେ ଲୁହରେ ମୁଁ ଭିଜେ
କାହାକୁ ଏକଥା କହିବି ଯାଇ
ସୁପ୍ତ ସାଜିଛି ମୋ ସୁନେଲି ସପନ
ଦହନ ହେଇଛି ଆଶାର ଜୁଇ...
ଗଢିଥିଲି ଦିନେ କେତେ ମୁଁ ଯତନେ
ସଜେଇ ସୁନ୍ଦର ଲତା ବନିତା
ଠିକଣା ହଜେଇ ବାଟବଣା ହେଇ
ଶିଶିର ଗୁମାନେ କହୁନି କଥା....
ଜଳୁଛି ଶରୀର ତପନ ପରଶେ
ଚଗଲା ସମୀର କରେ ଇଙ୍ଗିତ
ଜହର ପିଉଛି ପ୍ରତି ପାହୁଣ୍ଡରେ
ଲିଭି ଲିଭି ଯାଏ ଜୀବନ ଦୀପ....
ସପନ ବେଳାରେ ତୁଷାରର ସ୍ପର୍ଶ
ବୈଶାଖୀ ହରସେ ବହେ ଉଜାଣି
କାହାଲାଗି ସତେ କଲ ସରି ଏତେ
ଲହୁଲୁହାଣ ମୋ ଦେହ ହେଲାଣି....
ଉତ୍ତରା ପବନ ତତଲା ତା'ମନ
ନାହିଁ ତା ଦେହରେ ଶୀତଳ ଛୁଆଁ
ଭୁଲି ସେ ଯାଇଛି ଆପଣାର ସାଥୀ
ଲଗେଇ ଦେଇଛି ତା ଦେହେ ନିଆଁ
ନିରୀହ ପାଦପ ପାଲଟିଛି ଶବ
ସବୁଜ ବନାନୀ ଦିଶେ ମଶାଣି
ଆଖିରେ ଲୋତକ ପଡୁନି ପଲକ
ସଙ୍କଟ ବଉଦ ଘନେଇଲାଣି....
ତିଳ ତିଳ ହୋଇ ଜୀଉଁଛି ଜୀବନ
ତଥାପି ତ ମନେ ନାହିଁ ସଂକୋଚ
ଧୂଆଁର ଚାଦର କୁହୁଡ଼ିର ଘର
ମୃତ୍ୟୁର ଘାଟରେ ହେଇଛି ଭେଟ....
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।