କ୍ଷୁଦ୍ରଗଳ୍ପ - ପୁନଶ୍ଚ ସର୍ପମେଧ - ପ୍ରମୋଦ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ପୁନଶ୍ଚ ସର୍ପମେଧ - ପ୍ରମୋଦ କୁମାର ପଣ୍ଡା


ମହାପୁରାଣ ଭାଗବତରୁ ହେଉ କିମ୍ବା ମହାଭାରତରୁ ହେଉ ଆମ୍ଭେ ପରୀକ୍ଷିତ ନନ୍ଦନ ଜନ୍ମେଜୟଙ୍କର ସର୍ପମେଧ ଯଜ୍ଞ ବିଷୟରେ ସମ୍ୟକ ସୂଚନା ପାଇଛେ | ସେ ତ ଥିଲା ପୁରାଣ ଯୁଗର କଥା | ମନ୍ତ୍ର ତନ୍ତ୍ର ଦ୍ୱାରା ସେତେବେଳେ ଅସାଧ୍ୟ ସାଧନ ହେଉଥିଲା | କିନ୍ତୁ ଏ ଘୋର କଳିକାଳରେ ଆମ୍ଭଙ୍କୁ ସର୍ପମେଧ ଯଜ୍ଞ କଥା ଶୁଣି ବଡ ଆଚମ୍ବିତ ଲାଗୁଛି | କଥାଟାକୁ ଟିକେ ବୁଝାଇ ନକହିଲେ କିଏ ବା ବୁଝିବ ଭଲା | କଥାଟି ଏହିପରି........... 
        
ଏକଦା ଦେବର୍ଷି ନାରଦ ମର୍ତ୍ତ୍ୟ ଭ୍ରମଣରେ ବାହାରି ପଡିଲେ ନିଜର ମନଯାନରେ ବସି | ମନଖୁସିରେ ବୀଣା ବାଦନକରି ନାରାୟଣ ନାରାୟଣ ଉଚ୍ଚାରଣକରି କତିପୟ ଜନପଦ ଉପର ଦେଇ ଉଡି ଯାଉ ଯାଉ ନିମ୍ନଦେଶରେ ଏକ ପ୍ରାଚୀନ ଶୈବ ମନ୍ଦିର ଦେଖି ନିଜର ମନଯାନକୁ ଲଗାମ୍ ଦେଇ ତଳକୁ ଖସିଲେ | ଇଚ୍ଛା, ଟିକେ ମହାଦେବଙ୍କୁ ଦର୍ଶନକରି ଚାଲିଯିବେ | ଦେବ ଦେବ ମହାଦେବଙ୍କ ପବିତ୍ର ନାମ ଉଚ୍ଚାରଣ ପୂର୍ବକ ନାରଦ ଯେତେବେଳେ ମନ୍ଦିରର ଦ୍ୱାରଦେଶରେ ଉପସ୍ଥିତ ହେଲେ ଉତ୍କଟ ଦୁର୍ଗନ୍ଧରେ ତାଙ୍କର ନାସିକା କୁଞ୍ଚିତ ହୋଇଗଲା | ସେ ପୁତିମୟ ଦୁର୍ଗନ୍ଧ ଏତେ ତୀବ୍ର ଥିଲା ଯେ ତାଙ୍କ ଗଳାରେ ପଡିଥିବା ପାରିଜାତ ଫୁଲର ସୁଗନ୍ଧ ମଧ୍ୟ ଫିକା ପଡିଗଲା | 
        
ଅଗତ୍ୟା ସେ ବାଧ୍ୟହୋଇ ସ୍ୱୀୟ ନାସାପୁଟକୁ ବାମ ହସ୍ତର ଅଙ୍ଗୁଳି ଦ୍ୱାରା ଚାପିଧରି ମହାଦେବଙ୍କର ପାବନସ୍ଥଳୀରେ ଏଭଳି ଦୁର୍ଗନ୍ଧର କାରଣ ଜାଣିବାକୁ ଉତ୍ସୁକ ହୋଇପଡିଲେ | କିଛି ସମୟର ଅନୁସନ୍ଧାନରୁ ଦୁର୍ଗନ୍ଧର କାରଣ ତାଙ୍କର ବୋଧଗମ୍ୟ ହେଲା | ଦୁର୍ଗନ୍ଧର ଉତ୍ପତିସ୍ଥଳ ଥିଲା ମନ୍ଦିର ପ୍ରାଚୀରକୁ ଲାଗିରହିଥିବା ଏକ କୁକୁଡା ଫାର୍ମରୁ ନିଷ୍କାସିତ କୁକୁଡା ମଳର ବିଶାଳ ସ୍ତୁପ | ଖାଲି ସେତିକି ନୁହଁ ପରନ୍ତୁ ସେଥିରୁ ନିର୍ଗତ ଖର୍ବ ଖର୍ବ କଳା କଳା ପୋକ ପ୍ରାଚୀର ଡେଇଁ ବେଢା ସାରା ବ୍ୟାପି ଯାଇଥିଲେ | କେବଳ ସେତିକିରେ କଥା ଅଟକି ନଥିଲା | ସେ ଅସନା ପୋକ ଗୁଡା ସାଲୁବାଲୁ ହୋଇ ମନ୍ଦିର ଭିତରେ ପ୍ରବେଶକରି ସ୍ୱୟଂ ପଶୁପତିଙ୍କର ସର୍ବାଙ୍ଗରେ ଭସ୍ମ ଲେପନ ଭଳି ଲେସି ହୋଇଯାଇ ଶିବ ଲିଙ୍ଗକୁ ଆଚ୍ଛାଦନ କରିଦେଇଥିଲେ | ଏ ଘଟଣା ଅବଲୋକନକରି ଅତ୍ୟନ୍ତ କ୍ଷୋଭର ସହିତ ଦେବର୍ଷି ନାରଦ କୈଳାସ ପ୍ରସ୍ଥାନକଲେ | ତାଙ୍କୁ ଏହାର ପ୍ରତିକାର କରିବାକୁ ହେବ |  ଛାର ମାନବର କେଡେ ବହପ | ବେପାର କରିବ ବୋଲି ସ୍ୱୟଂ ମହାଦେବଙ୍କୁ ମଧ୍ୟ ବାଦ୍ ଦେଲାନାହିଁ | କି ସାହାସ ସତେ ପାପିଷ୍ଠର ! କଥା କଣ କି, ଆମ୍ଭେ ଜାଣିବାରେ ଏହି ମହାନ୍ କାର୍ଯ୍ୟର ସୂତ୍ରଧର ଥିଲେ ମହାନ କୁଜି  ଉଦ୍ୟୋଗପତି ତଥା କୃପଣ ଶିରୋମଣି ଶ୍ରୀଯୁକ୍ତ ଅଇଁଠୁ ସାହୁ ମହୋଦୟ ଯେ କି ପେଟ କଟା ଗୋଷ୍ଠୀର ମଧ୍ୟ ସଭାପତି ଆସନ ଅଳଙ୍କୃତକରି ନିଜକୁ ମହାନ ବୋଲି ଜ୍ଞାନ କରୁଥିଲେ | ଏକ ମହତ ଉଦ୍ଦେଶ୍ୟ ନେଇ ଜନ ସାଧାରଣଙ୍କ ପ୍ରୀତ୍ୟାର୍ଥେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣାର୍ଥେ ସେ ଏଇ ମହାନ ବ୍ୟବସାୟକୁ ଆପଣେଇ ଥିଲେ | ଏହି ମହତ ଉଦ୍ଦେଶ୍ୟର ବଶବର୍ତ୍ତୀହୋଇ ସାହୁ ମହୋଦୟ ବିଭିନ୍ନ ଭୋଜନାଳୟ ଏବଂ ମଦିରାଳୟକୁ ଚଢା ଦରରେ କୁକୁଡା ମାଂସ ଏବଂ କୁକୁଡା ଅଣ୍ଡା ରପ୍ତାନୀକରି ମଦ୍ୟପ ମାନଙ୍କୁ ମାଂସ ଓ ଅଣ୍ଡାରୁ ପ୍ରସ୍ତୁତ ବ୍ୟଞ୍ଜନ ମାଧ୍ୟମରେ  ସେମାନଙ୍କୁ ପାନୀୟର ଉପାଦେୟତାକୁ ତ୍ୱରାନ୍ୱିତ କରିବାରେ ସାହଯ୍ୟକରି ଅତ୍ୟନ୍ତ ଆତ୍ମପ୍ରସାଦ. ଲାଭକରୁଥିଲେ | ନିନ୍ଦୁକ ମାନଙ୍କ ଭାଷାରେ ସେ କୁଆଡେ ଏଥିରୁ ପ୍ରଚୁର ଅର୍ଥ ଉପାର୍ଜନ କଲେ ମଧ୍ୟ କୌଣସି ଭିକାରୀକୁ ବା ଦେବାଳୟକୁ ଟଙ୍କାଟିଏ ମଧ୍ୟ ଦାନ କରୁନଥିଲେ | ଛାଡ, ନିନ୍ଦୁକ ଓ ଅସହିଷ୍ଣୁ ମାନଙ୍କର କାମ ତ ସଜ ମାଛରେ ପୋକ ପକାଇବା | ଆମ୍ଭେ ସେ କଥା ଆଲୋଚନା ନକଲେ ଭଲ |
        
ଶ୍ରୀମାନ ଅଇଁଠୁ ସାହୁ ମହୋଦୟଙ୍କୁ ଏଭଳି ମହତ କାର୍ଯ୍ୟରେ ସାହାଯ୍ୟ କରୁଥାଏ ଭୃତ୍ୟ ଚୁଡାମଣି, ଗାଲୁଆ ମଉଡମଣି, ମାଡୁଆ କୂଳମଣି ଶ୍ରୀଯୁକ୍ତ ମାଧବାନନ୍ଦ ଓରଫ୍ ମାଧିଆ | ଅଇଁଠୁ ସାହୁର ସେ ଯେତିକି ବିଶ୍ୱସ୍ତ ତାଠୁ ଅଧିକ ଚତୁର ଓ ନିଜର କାମ ପାଇଁ ପାଊଣା ଆଦାୟରେ ମଧ୍ୟ ସିଦ୍ଧହସ୍ତ | ଆଜିକାଲି କୃପଣ ଅଇଁଠୁ ସାହୁ ମାଧିଆ ଉପରେ ଭୀଷଣ ଭାବରେ କ୍ଷୁବ୍ଧ | ସୁଧରୁ କାଣି ସୁଧ ଆଦାୟ କରିବାରେ ଧୁରନ୍ଧର ଅଇଁଠୁ ସାହୁ ତାଙ୍କର ବେପାରରେ ପୂର୍ବରୁ ମିଳୁଥିବା ଅତିରିକ୍ତ ଲାଭ ଏବେ ଆଉ ପାଉନଥିବାରୁ ସେ ଏଥିପାଇଁ ମାଧିଆକୁ ଉତ୍ତରଦାୟୀ ମନେକରି ତା ଉପରେ ପ୍ରଚଣ୍ଡ କ୍ଷୁବ୍ଧ | କଥା କଣ କି, କୁକୁଡା ଗୁଡାକ ତ ଦିନକୁ ଦିନ ଚନ୍ଦ୍ରକଳା ପରି ବଢୁଥାନ୍ତି | ଯେଉଁ ଅନୁପାତରେ ବଢୁଥାନ୍ତି ସେହି ଅନୁପାତରେ ଖାଦ୍ୟଗୁଡାକ ଗିଳିପକାଉଥାନ୍ତି | ଆଉ ସେଗୁଡାଙ୍କର ଏହି ଗିଳା ପ୍ରକୃତି ଯୋଗୁ କାମ୍ପି ଅଇଁଠୁ ସାହୁର ଦେହରୁ ରକ୍ତ ଶୁଖିଯାଉଥାଏ |  କିନ୍ତୁ ତା' ର ଦୁଃଖର କାରଣ ଯେ କୁକୁଡା ଗୁଡାକ ଯେଉଁ ପରିମାଣର ଖୋରାକି ନେଉଥାନ୍ତି ସେହି ପରିମାଣର ମଳ ନିଷ୍କାସନ କରୁଥାନ୍ତି | ଯଦ୍ୱାରା କି ସେମାନଙ୍କର ଓଜନ ତଦାନୁସାରେ ହେଉନି ବୋଲି ଅଇଁଠୁ ସାହୁର ମତ | ମଳ ଗୁଡା ମଧ୍ୟ ପାହାଡ ପରି ଜମାହେୋଇ ଅଯଥାରେ ଯାଗା ମାଡିବସୁଛି ସିନା ହେଲେ ପଇସାଟାକର ଲାଭ ନାହିଁ | ଅବଶ୍ୟ ପୂର୍ବରୁ ଏପରି ସମସ୍ୟା ନଥିଲା  କୁକୁଡା ମଳ ଚାଷିମାନଙ୍କୁ ବିକ୍ରୀକରି ଭଲ ଦି ପଇସା କମଉଥିଲା ସେ |
        
ଏବେ କିନ୍ତୁ ମଳ ବେପାର ପୁରା ଶୂନ୍ | କଥା କଣ କି , କୁକୁଡା ମଳର ବହୁଳ ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା କମିଯାଉଛି |  ତାଛଡା ମଳ ଲାଗୁଥିବା ଜମିର ମାଟି ଏତେ ବିଷାକ୍ତ ହୋଇଯାଉଛି ଯେ ସେ ଜମିର ପାଣି ଲାଗିଲେ ହାତ ଗୋଡ ପ୍ରବଳ ଭାବେ କୁଣ୍ଡେଇହୋଇ ଘା ହୋଇ ଯାଉଛି | ତେଣୁ ସେପରି ସ୍ଥଳେ ସେଥିରେ କାମ କରିବାକୁ ମୂଲିଆ ମଙ୍ଗୁନାହାନ୍ତି | ତେଣୁ ଚାଷି ଆଉ କୁକୁଡା ମଳ ପ୍ରୟୋଗକରି ଝାମେଲା ମୁଣ୍ଡେଇବାକୁ ଚାହୁଁନାହାନ୍ତି | ବାସ୍, ସାହୁର ମଳ ବେପାର ବନ୍ଦ |  ମାଧିଆ ଯେ ଚେଷ୍ଟା କରିନି ତା ନୁହେଁ , ମାତ୍ର ଲୋକେ ମାଗଣା ନେବାକୁ ମଧ୍ୟ ଅନିଚ୍ଛୁକ | ଆଉ ସାହୁର ରାଗ ଏଇଥି ପାଇଁ ମାଧିଆ ଉପରେ | ମାଧିଆ ମୁଣ୍ଡ ତ ଗୋଲ୍, ସାହୁ ରାଗି ପାଚି ଲାଲ୍ | କୁକୁଡା ମଳ ଗୁଡା ଶିବ ମନ୍ଦିରକୁ ଲାଗି ଥିବା ଅଇଁଠୁ ସାହୁର କୁକୁଡା ଫାର୍ମରେ ମନ୍ଦିର ପାଚେରିକୁ ଲାଗି ପର୍ବତ ପ୍ରମାଣେ ଗଦାହୋଇ ରହିଥାଏ | କାଳକ୍ରମେ ସେଥିରୁ ଅସଂଖ୍ୟ କଳା କଳା ପୋକ ଗୁଡାକ ସୃଷ୍ଟିହୋଇ ମନ୍ଦିର ପାଚେରି, ବେଢା, ମନ୍ଦିର ଓ ମନ୍ଦିର ଭିତରେ ବିରାଜମାନ ସ୍ୱୟଂ ମହାଦେବଙ୍କ ଲିଙ୍ଗରେ ମଧ୍ୟ ଚଢି ଯାଇଥାନ୍ତି | ଜନବସତି ଠାରୁ ଅନତି ଦୂରରେ ଥିବା ଶୈବ ମନ୍ଦିରଟିର ଅବସ୍ଥା ମଧ୍ୟ ତଦୃପ | ମନ୍ଦିରର ଗାତ୍ରଟି ସମ୍ପୂର୍ଣ୍ଣ ରୂପେ ଜରାଜୀର୍ଣ୍ଣ |ଠାଏ ଠାଏ ପଥର ଫାଟି ଆଁ କଲାଣି | ସେଥିରୁ ବରଗଛ ଉଠି ମୁଣ୍ଡ ଟେକିଲାଣି | ଦିନବେଳଟାରେ ସୁଦ୍ଧା ଲମ୍ବ ଜନ୍ତୁମାନଙ୍କର ଗତାଗତ ହେଉଥାଏ | ଭକ୍ତମାନେ ଦେଖିଲେ ମଧ୍ୟ କହନ୍ତି ଯେ ମହାଦେବଙ୍କର ଅପାର ମହିମା | ତାଙ୍କର ପ୍ରିୟ ସହଚରମାନେ ତ ତାଙ୍କ ପାଖରେ ରହିବେ ହିଁ ରହିବେ | 
        
କୋଉ କାଳର ମନ୍ଦିର | ସେବା ପୂଜା ପାଇଁ ଯାହା କିଛି ଖଞ୍ଜା ଥିଲା ସେସବୁ କାଳକ୍ରମେ କିଏ କୁଆଡେ ଖାଇଗଲେଣି ଯେ ତା' ର ପତା ନାହିଁ | ତେଣୁ ସେବା ପୂଜାର କୌଣସି ସୁବନ୍ଦୋବସ୍ତ ନାହିଁ କହିଲେ ଚଳେ | ତେବେ ଭକ୍ତମାନେ କେହି କିଛି ଯାଚଜ୍ଞାକଲେ ମାଳି ସେବକ ଦ୍ୱାରା ଜଳସାଇ କରାଇଥାଏ | କେବେ କେବେ ଅଭିଷେକ ମଧ୍ୟ ହୋଇଥାଏ | ଖୁବ୍ କମ୍ ଭକ୍ତ କେବେ କେମିତି ଆସିଥାନ୍ତି ଦର୍ଶନ ପାଇଁ |  ତେଣୁ ମନ୍ଦିର ସବୁବେଳେ ନିର୍ଜନ | ବେଢା ସାରା ଘାସ ଗୁଳ୍ମରେ ଭର୍ତ୍ତି |ମୋଟାମୋଟି କହିବାକୁ ଗଲେ ଏ ପରିବେଶରେ ଦିନବେଳେ ମଧ୍ୟ ଭୟ ଜାତ ହୁଏ, ଆଉ ଏହାର ସୁଯୋଗ ନେଇ ଅଇଁଠୁ ସାହୁ ତା' ର କୁକୁଡା ଫାର୍ମଟି ଏଇ ମନ୍ଦିର ସଂଲଗ୍ନ ଜମିରେ ଆରମ୍ଭ କରିଦେଇଛି |
        
ଏଥୁଅନ୍ତେ ଦେବର୍ଷି ନାରଦ କୈଳାସରେ ଉପସ୍ଥିତହୋଇ ଯାହା ଦେଖିଲେ ତାଙ୍କର ଉତ୍ସାହ ପୁରା ଥଣ୍ଡା ପଡିଗଲା | ଭାବିଥିଲେ ବହୁଦିନ ପରେ ଖେଳ ଖଣ୍ଡେ ଲଗେଇବେ ବୋଲି, ମାତ୍ର ଯାହାକୁ ନେଇ ଖେଳ ଲଗେଇଥାନ୍ତେ ସେ ସମ୍ପୂର୍ଣ୍ଣ ଧ୍ୟାନମଗ୍ନ | ମହାଦେବଙ୍କ ଧ୍ୟାନ କେବେ ଭାଙ୍ଗିବ ଠିକ୍ ନାହିଁ | ତେଣୁ କଳିପ୍ରିୟ ନାରଦ ଅନୋନ୍ୟପାୟ ହୋଇ ଶିବ ଜାୟା ମା ପାର୍ବତୀଙ୍କୁ ସବିଶେଷ ବିବରଣୀ ପ୍ରଦାନକରି ସ୍ୱର୍ଗକୁ ପ୍ରତ୍ୟାବର୍ତନ କଲେ |  ଏ ସମସ୍ତ ବୃତାନ୍ତ ନାରଦଙ୍କ ଠାରୁ ଶ୍ରବଣକରି ମା ଜଗତ୍ ଜନନୀ ପାର୍ବତୀଙ୍କର ମୁଖମଣ୍ଡଳ କ୍ରୋଧରେ ରକ୍ତବର୍ଣ ଧାରଣକଲା | ପାପୀ ଅଇଁଠୁ ସାହୁକୁ ତାର କୃତକର୍ମର ଫଳ ଦେବାକୁ ସେ ତୁରନ୍ତ ଅଇଁଠୁ ସାହୁର ଗୃହାଭିମୁଖେ ପ୍ରସ୍ଥାନକଲେ | ସେଦିନ ରାତିରେ ଅଇଁଠୁ ସାହୁ ଭୟଙ୍କର ସ୍ୱପ୍ନଦେଖିଲା | ସ୍ୱପ୍ନରେ ମା ପାର୍ବତୀ ନିଜର ମହିଷ ମର୍ଦ୍ଦିନୀ ରୂପରେ ପ୍ରକଟହୋଇ ତାକୁ ସତର୍କ ବାଣୀ ଶୁଣାଇଦେଲେ | ଯଦି ସେ ଆଜିଠୁ ତିନି ଦିନ ଭିତରେ ମନ୍ଦିର ବେଢା ନିକଟରୁ କୁକୁଡା ମଳ ନିଷ୍କାସିତ ନକରେ ଏବଂ ପୋକ ଗୁଡାଙ୍କୁ ହଟାଇ ମନ୍ଦିର ପରିଷ୍କାର ନକରେ ତେବେ ସେ ଏବଂ ତାର ବଂଶକୁ ବାଡି ବିସୁଚିକା ଇତ୍ୟାଦି ମହାମାରୀ ବ୍ୟାଧି ଦ୍ୱାରା ଅଚୀରେ ଧ୍ୱଂସକରିବେ | 
        
ବାସ୍ ! ଆଉ କି ଅଇଁଠୁ ସାହୁ ନିଦରେ ଶୁଏ । ସକାଳ ହେଉ ନହେଉ ସେ ନିଜର ପରମ ବିଶ୍ୱସ୍ତ ଭୃତ୍ୟ ଚୁଡାମଣି ମାଧିଆକୁ ଡାକ ପକାଇଲା ।

ଭୃତ୍ୟ ଶିରୋମଣି ମାଧବାନନ୍ଦ ଓରଫ୍ ମାଧିଆ ସଙ୍ଗେ ସଙ୍ଗେ କର୍ମରେ ଲାଗିପଡିଲା | ଟ୍ରକ୍ ଦ୍ୱାରା କୁକୁଡା ମଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା | ସିଞ୍ଚନ ଯନ୍ତ୍ର ଦ୍ୱାରା କୀଟନାଶକ ପ୍ରୟୋଗକରି ସମସ୍ତ ପୋକଙ୍କୁ ହତ୍ୟାକରି ମନ୍ଦିର ଭିତର ବାହାର  ସଫା ସୁତୁରା କରିସାରି ମାଧିଆ ସ୍ୱସ୍ତିର ନିଶ୍ବାସନେଲା | କହିବା ବାହୁଲ୍ୟ ଯେ ହିସାବ ଏପଟ ସେପଟ କରି ମାଧିଆ ପାଞ୍ଚଠି ପଚିଶ ହିସାବଦେଇ କୃପଣ ଅଇଁଠୁ ସାହୁ ଠାରୁ ଏଭଳି ସଙ୍ଗିନ୍ ମୁହୂର୍ତ୍ତରେ ଭଲ ଦିପଇସା କମେଇଲା | ଏଣେ ସାହୁ ବି ଖୁସ୍ | କିନ୍ତୁ ଏ ସମସ୍ୟାର ସମାଧାନ ଏକ ନୂତନ ସମସ୍ୟାକୁ ଜନ୍ମଦେଲା | କଥାଟି ଏୟା ଯେ ମନ୍ଦିରର ଫାଟମାନଙ୍କରେ ରହୁଥିବା ଲମ୍ବଜନ୍ତୁ ମାନଙ୍କର ଟିଫିନ୍ ମିଲ୍ ଏହି କଳା କଳା ପୋକମାନଙ୍କ ଉପରେ ନିର୍ଭର କରୁଥିଲା | ସମସ୍ତେ ସପରିବାରେ ଏହି ପୋକମାନଙ୍କୁ ଭକ୍ଷଣକରି ମହା ଆନନ୍ଦରେ ନିଜ ବିଳଗୁଡିକରେ ଶୋଇ ଶୋଇ ସମୟ କାଟୁଥିଲେ | ସେମାନଙ୍କର ଖାଦ୍ୟସମସ୍ୟା ଆଉ ନଥିଲା | ପରିଶ୍ରମକରି ଖାଦ୍ୟ ଯୋଗାଡ କରିବାକୁ ତାଙ୍କୁ ଆଉ ବାହାରକୁ ଧାଁ ଧପଡକରି କେବେ କେବେ ଦିଗୋଡିଆଙ୍କ ବିଷଦୃଷ୍ଟିରେ ପଡି ସହୀଦ୍ ହେବାକୁ ପଡୁନଥିଲା | ବେଙ୍ଗ ଆଉ ମୂଷାମାନେ ମଧ୍ୟ ଏମାନଙ୍କ ଭୟରେ ବହୁପୂର୍ବରୁ ଏ ସ୍ଥାନ ପରିତ୍ୟାଗ ପୂର୍ବକ ଅନ୍ୟତ୍ର ପ୍ରସ୍ଥାନ କରିସାରିଥିଲେ | ଅଇଁଠୁ ସାହୁର ଏହି କୁକୁଡା ଫାର୍ମ ଦ୍ୱାରା ସର୍ପକୂଳ ମହା ଆନନ୍ଦରେ ବିନା ପରିଶ୍ରମରେ ମୁହଁପାଖରେ ପ୍ରଚୁର ପରିମାଣରେ ମିଳୁଥିବା ଖାଦ୍ୟ ଖାଇ କେବଳ ନିଜର ବଂଶ ବିସ୍ତାରରେ ଲାଗିପଡିଥିଲେ |
        
ହଠାତ୍ ଏଭଳି ବିପର୍ଯ୍ୟୟ ସେମାନେ ଆଶାକରିନଥିଲେ | ସୁଲଭ ଖାଦ୍ୟର ଏପରି ଉଭାନ୍ ହେବାଟାକୁ ସେମାନେ ସହଜରେ ହଜମ କରିପାରିଲେନି | ଡକାଡକି ହୋଇ ବିରାଟ ସଭାର ଆୟୋଜନ କଲେ | ସର୍ପ ମୁଖିଆ ମଣିଚୂଳ କହିଲା, ମୁଁ ଆପଣ ମାନଙ୍କର ଦୁଃଖ ଓ ଉଦ୍ ବେଗକୁ ବୁଝିପାରୁଛି | ବାସ୍ତବିକ ଏହା ଏକ ଜଟିଳ ସମସ୍ୟା | ଆମ ସମସ୍ତଙ୍କର ପେଟ ପାଟଣାର ପ୍ରଶ୍ନ | ଯିଏ ଆମର ଏଭଳି ଦୁର୍ଦ୍ଦଶା କରିଛି ତାକୁ ଆମେ ଛାଡିବାନି | ନିଶ୍ଚୟ ପ୍ରତିଶୋଧ ନେବା | ଏବଂ ଆଜି ରାତିରେ ହିଁ ଅଇଁଠୁ ସାହୁ ଓ ତା'ର ପରିବାର ତଥା ତା'ର ଭୃତ୍ୟ ମାଧିଆକୁ ଯମାଳୟ ପଠାଇ ସାରିଲାପରେ ହିଁ ଆମେ ଯାଇ ଶାନ୍ତି ପାଇବା | ସମସ୍ତେ ମୁଖିଆଙ୍କ କଥା ଶୁଣି ସାଧୁ ସାଧୁ ବୋଲି ଚିତ୍କାରକଲେ । ସେଦିନ ଅଧରାତିରେ ସର୍ପ ପଟୁଆର ଧରି ନିଃଶବ୍ଦରେ ସର୍ପକୂଳର ମୁଖିଆ ଚାଲିଲା ଅଇଁଠୁ ସାହୁର ଗୃହାଭିମୁଖେ | ଭୟଙ୍କର ବିଷଧର ଲଢୁଆ ବାହିନୀ ରହିଲେ ସମ୍ମୁଖରେ | ନିଜେ ମୁଖିଆ ମଣିଚୁଳ ସର୍ପ ବାହିନୀର ମୋର୍ଚ୍ଚା ସମ୍ଭାଳିଲା |
        
ମନ୍ଦିର ବେଢା ଓ ଅଇଁଠୁ ସାହୁ ଘର ମଝିରେ ପଡେ କୁକୁଡା ଫାର୍ମ | ଯେତେବେଳେ ସେମାନେ କୁକୁଡା ଫାର୍ମର ନିକଟତର ହେଲେ କୁକୁଡା ମାନଙ୍କର ଗନ୍ଧ ବାଜି ସାପ ଗୁଡା କି ସ୍ଥିର ରହିପାରନ୍ତି ? ବହୁତ ଦିନ ପରେ ଚିକେନ୍ ର ସ୍ୱାଦ ତାଙ୍କ ପାଟିରେ ବାଜିବ | କୁକୁଡା ମାନଙ୍କର ଗନ୍ଧ ସେମାନଙ୍କର କ୍ଷୁଧାକୁ ଦୁଇଗୁଣ ବଢାଇଦେଲା | ଆଗ ପଛ ବିଚାର ନକରି ପ୍ରଥମେ ଭେଣ୍ଡିଆ ସାପଗୁଡା ଅମଣିଆ ବଳଦ ଭଳି କୁକୁଡା ଫାର୍ମ ର ଗଳିବାଟ ଦେଖି ଭିତରକୁ ପସିଗଲେ | ତାପରେ ଗୋଠ ମାତିଲେ ଖଣ୍ଡିଆ ହଡା ମାତିଲା ଭଳି ସମସ୍ତେ ଭିତରକୁ ପସିଗଲେ । ତାର ଜାଲି ଭିତରେ ଥିବା ହୃଷ୍ଟପୁଷ୍ଟ କୁକୁଡା ମାନଙ୍କୁ ଦେଖି ସାପ ଗୁଡାକ ଆଉ ସମ୍ଭଳାପଡିଲେନି | ମହା ଆନନ୍ଦରେ ସେମାନେ ଗପ୍ ଗାପ୍ କରି କୁକୁଡା ଗୁଡାଙ୍କୁ ରସଗୋଲା ପରି ଗିଳିଚାଲିଲେ | ହଠାତ୍ ଏଭଳି ବିପର୍ଯ୍ୟୟରେ କୁକୁଡା ଗୁଡାକ କିଛି ବୁଝିପାରିଲେନି । ସେଗୁଡାକ ତ ପରିବା ଜନ୍ତୁ । ତେଣୁ ଏଭଳି ଅତର୍କିତ ଆକ୍ରମଣ ଦେଖି କୋଳାହଳ କରିବାକୁ ଲାଗିଲେ | 
        
ରାତି ଅଧରେ କୁକୁଡା ମାନଙ୍କର ଏଭଳି ବିକଳ ଚିତ୍କାର ଶୁଣି ଅନତି ଦୂରରେ ଘର ଭିତରେ ଶୋଇଥିବା ଅଇଁଠୁ ସାହୁର ନିଦ ଚାଉଁକିନା ଭାଙ୍ଗିଗଲା | ତା ମନରେ ଭାବନା ପସିଗଲା ଯେ ରାତି ଅଧରେ କୁକୁଡା ମାନଙ୍କର ଏଭଳି ବୋବାଳି ପଛରେ କି କାରଣ ଥାଇପାରେ ? ଆଉ ଏହା କାଲୁ ମିଆଁର କାମ ନୁହେଁ ତ ? ରାତି ଅଧରେ ଏଭଳି ଦୁଃସାଧ୍ୟ କାମ କେବଳ କାଲୁ ମିଆଁ ହିଁ କରିପାରେ | ଚୋରି କରିବାରେ ଧୁରନ୍ଧର କାଲୁ ମିଆଁକୁ ଆଜି ପାନେ ଚଖାଇବାକୁ ଚିନ୍ତାକରି ପାଞ୍ଚସେଲିଆ ଟର୍ଚ୍ଚଲାଇଟ୍ ଓ ଚିତେ ଉଚ୍ଚାର ବାଉଁଶ ଠେଙ୍ଗା ଧରି ବାରଣ୍ଡାରେ ମହା ଆନନ୍ଦରେ ଶୋଇ ଘୁଙ୍ଗୁଡି ମାରୁଥିବା ମହା ନିଦ୍ରାଳୁ ଗାଲୁଆଙ୍କ ଗୁରୁ ମାଧିଆକୁ ହଲାଇ ଉଠାଇବାକୁ ଚେଷ୍ଟାକଲା ସାହୁ | ହଠାତ୍ ନିଦ୍ରାଭଙ୍ଗରେ ବିରକ୍ତ ମାଧିଆ ପାଟିରୁ ଅନ୍ ପାର୍ଲାମେଣ୍ଟ ଶବ୍ଦଗୁଡାକ ବାହାରୁ ବାହାରୁ ସମ୍ମୁଖରେ ଯମଦୂତ ପରି ଠେଙ୍ଗା ହସ୍ତରେ ଦଣ୍ଡାୟମାନ ଅଇଁଠୁ ସାହୁକୁ ଦେଖି ଅଧା ବାଟରେ ଅଟକିଗଲେ | ମାଲିକଠୁ ଆଦେଶ ପାଇ ମାଧିଆ ମଧ୍ୟ ଠେଙ୍ଗାଟିଏ ଧରି ହନୁମାନ ଭଳି ବୀରଦର୍ପରେ କୁକୁଡା ଫାର୍ମ ଆଡକୁ ମାଡିଚାଲିଲା | ଦୁଇ ଜଣ ଯାକ ଦୃତ ଅଥଚ ସତର୍କତାର ସହିତ କୁକୁଡା ଫାର୍ମ ନିକଟରେ ପହଞ୍ଚି ଦେଖିଲେ କବାଟରେ ତାଲା ସେମିତି ପଡିଛି  | ଆଶ୍ଚର୍ଯ୍ୟ ଭାବରେ ଯେତେବେଳେ ସାହୁ କୁକୁଡା ଘର ଭିତରକୁ ତାରଜାଲି ବାଟେ ପାଞ୍ଚସେଲିଆ ଟର୍ଚ୍ଚଲାଇଟ୍ ଟା ପକାଇଦେଲା ଭିତରର ଦୃଶ୍ୟ ଦେଖି ଦୁହେଁ ହତବାକ୍ ହୋଇ ରହିଗଲେ | ଦି ଜଣଙ୍କ ତୁଣ୍ଡରୁ ଆଉ ବଚନ ବାହାରିଲାନି | 
       
ରାବଣର ମଧୁବନ ତୋଟାକୁ ହନୁମାନ ଧ୍ୱସ୍ତ ବିଧ୍ୱସ୍ତ କଲା ଭଳି ଅଇଁଠୁ ସାହୁର କୁକୁଡା ଫାର୍ମଟାକୁ ପ୍ରାୟ ପଚାଶ ସରିକି ଲମ୍ବଜନ୍ତୁ ଘାଣ୍ଟି ଦେଇଛନ୍ତି । ଅଇଁଠୁ ସାହୁର ଆଖି ଆଗରେ ଚନ୍ଦ୍ରକଳା ପରି ବୃଦ୍ଧିପାଉଥିବା ତା'ର ବ୍ୟାଙ୍କ୍ ବାଲାନ୍ସଟାରେ ଯେମିତି ବ୍ରେକ୍ ଲାଗିଗଲାପରି ଜଣାଗଲା | ତା'ର ହୃତ୍ ସ୍ପନ୍ଦନ ବନ୍ଦହେଲା ପରି ସେ  ଅନୁଭବକଲା | ମାଧିଆ ବି ଏଭଳି ବିପର୍ଯ୍ୟୟ ଦେଖି ହତବାକ୍ ହୋଇପଡିଲା | ଅଇଁଠୁ ସାହୁ ଏବଂ ମାଧିଆକୁ ଠେଙ୍ଗା ହସ୍ତେ ଯମଦୁତ ପରି ଦଣ୍ଡାୟମାନ ଦେଖି ସାପମାନେ ଭୟପାଇ କୁକୁଡା ଫାର୍ମରୁ ନିର୍ଗତ ହୋଇ ସ୍ୱଗୃହକୁ ପଳାୟନକଲେ | କିନ୍ତୁ ମହା କୃପଣ ଅଇଁଠୁ ସାହୁ ତା'ର ଏତାଦୃଶ କ୍ଷତିରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ସେଇଠାରେ ମାଧିଆକୁ ସାକ୍ଷୀ ରଖି ଏକ ଭୀଷ୍ମ ପ୍ରତିଜ୍ଞା କରିପକାଇଲା ଯେ କାଲି ସନ୍ଧ୍ୟା ସୁଦ୍ଧା ଯଦି ସର୍ପକୂଳକୁ ସମୂହେ ଯମାଳୟକୁ ନପଠାଏ ତେବେ ସେ ଅମୁକ ( ତା ସ୍ୱର୍ଗତ ବାପା ) ର ଔରସରୁ ଜନ୍ମ ନୁହେଁ | ସମସ୍ତ ସର୍ପକୂଳ ଧ୍ୱଂସପାଇଲେ ହିଁ ସେ ଅନ୍ନ ଜଳ ସ୍ପର୍ଶକରିବ |
        
ସକାଳ ହେଲା | ଏ ସର୍ପମେଧ ଯଜ୍ଞର ଯଜମାନ ହେଲା ଅଇଁଠୁ ସାହୁ ଆଉ ପୁରୋହିତ ହେଲା ମାଧିଆ | ଏକରକମ୍ ଯୁଦ୍ଧ ପାଇଁ ପାଞ୍ଚଜଣିଆ ଟିମ୍ ଗଠନକରି ଏକ ବ୍ଳୁ ପ୍ରିଣ୍ଟ୍ ପ୍ରସ୍ତୁତକରି ମାଧିଆ ନିଜେ ସେନାପତି ସାଜି ମହା ଉଲ୍ଲାସରେ ସର୍ପ ମାରଣ ଅନୁଷ୍ଠାନକୁ ଆଗେଇନେଲା | ପୁରା ଟିମ୍ ଟି ଠେଙ୍ଗା, ଭାଲି, ତେଣ୍ଟା ଇତ୍ୟାଦି ମାରଣାସ୍ତ୍ରରେ ସଜ୍ଜିତ ହୋଇ ସର୍ପ ମାନଙ୍କର ଗଡ ମନ୍ଦିର ବେଢାରେ ପ୍ରବେଶକଲେ | ଆଜି କାଲି ବଜାରରେ ସାପ, ମୂଷା ମାନଙ୍କୁ ତାଙ୍କ ଘରୁ ବେଘର କରିବା ପାଇଁ  ଉତ୍କଟ ଦାନାଦାର ବିଷ ପ୍ରଚୁର ପରିମାଣରେ ମିଳୁଛି | ମହାଜ୍ଞାନୀ ମାଧବାନନ୍ଦ ପ୍ରଥମେ ଦାନାଦାର ବିଷକୁ ଖୋଜି ଖୋଜି ପ୍ରତ୍ୟେକ ପଥର ଫାଙ୍କ, ସନ୍ଧି କନ୍ଧି, ଗାତଗୁଡିକରେ ଭର୍ତିକରି ତହିଁରେ ପାଣି ଢାଳିଦେଲା | ଉତ୍କଟ ଗନ୍ଧରେ ମନ୍ଦିର ପରିବେଶଟା ଫାଟିପଡିଲା | ଗତ ରାତିରେ ପେଟପୁରା ଚିକେନ୍ ଖାଇ ନିଜ ନିଜ ବିଳରେ ସପରିବାରେ ଶୋଇରହି ଘୁଙ୍ଗୁଡି ଛାଡୁଥିବା ଜନ୍ତୁଗୁଡାକ ଏଭଳି ଅସହ୍ୟ ଦୁର୍ଗନ୍ଧରେ ଅତିଷ୍ଠହୋଇ ଜୀବନ ବିକଳରେ ବାହାରକୁ ବାହାରି ପଡନ୍ତେ ପୂର୍ବରୁ ସଜାଗଥିବା ମାଧିଆ ବାହିନୀ ସେମାନଙ୍କୁ ଅବିଳମ୍ବେ ଯମାଳୟକୁ ପଠାଇବାରେ ଲାଗିପଡିଲେ | କଦବା କେମିତି କେହି ଯଦି ଏମାନଙ୍କ  ବ୍ୟୁହ୍ୟ ଭେଦକରି ବାହାରକୁ ପଳାଇ ଯିବାରେ ସମର୍ଥହେଲା ତେବେ ପୂର୍ବରୁ ପ୍ରସ୍ତୁତ ଖୋଦ୍ ସାହୁ ଏବଂ ତା'ର ଗରିଲ୍ଲା ବାହିନୀ (କୁକୁର, ବିଲେଇ, ନେଉଳ) ସେମାଙ୍କୁ ଗୋଡେଇ ଗୋଡେଇ ବଧକରୁଥିଲେ | ଗୋଟେ ବି ସାପ ଜୀବନ ବଞ୍ଚେଇ ଖସି ଯାଇପାରିଲେନି | ଦ୍ୱିପ୍ରହର ସୁଦ୍ଧା ସମସ୍ତ ସର୍ପ ସମୂଳେ ଧ୍ୱଂସ ପାଇସାରିଥିଲେ | ସାହୁର ଏ ଚକ୍ରବ୍ୟୁହ୍ୟରୁ କେହି ବର୍ତ୍ତିପାରିଲେନି | ମଲା ସାପଗୁଡାଙ୍କର ମୃତଦେହ ଗୁଡିକ ପର୍ବତ ପ୍ରମାଣେ ଏକାଠିକରି ତା ଉପରେ କାଠ କୁଟା ପକାଇ ତହିଁରେ କିରାସିନି ଢାଳି ନିଆଁ ଲଗାଇ ଦିଆଗଲା | ସମସ୍ତଙ୍କର ସମୂହ ସତ୍କାରକରି ସାହୁ ଏକ ସ୍ୱସ୍ତିର ନିଶ୍ୱାସ ନେଲା | ଏହାର ସଫଳତାର ଶ୍ରେୟ ନିଜର ଅତି ବିଶ୍ୱାସି ମାଧିଆକୁ ଦେବାରେ ସେ ଟିକେ ବି କାର୍ପଣ୍ୟ କଲାନାହିଁ |

ପ୍ରମୋଦ କୁମାର ପଣ୍ଡା 
ବାଘମାରୀ, ଖୋର୍ଦ୍ଧା

0 Comments