OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଓଡ଼ିଆ ଜାତିର ପ୍ରାଣ ଦେବତା - ବିଜୟ କେତନ ସାହୁ

ଓଡ଼ିଆ ଜାତିର ପ୍ରାଣ ଦେବତା - ବିଜୟ କେତନ ସାହୁ


ଓଡ଼ିଆର ତୁମେ ଆତ୍ମ-ପରିଚୟ
ଓଡ଼ିଆର ସ୍ୱାଭିମାନ,
ଓଡ଼ିଆ ଜାତିର ହେ ଗର୍ବ-ଗୌରବ
ଓଡ଼ିଆର ଯଶ-ମାନ

ଓଡ଼ିଆର ତୁମେ ପ୍ରାଣନ ସ୍ପନ୍ଦନ
ବିଜୟ-ଚନ୍ଦନଟୀକା
ଓଡ଼ିଆ ମନର ଆଶା ଓ ଭରଷା
ବିଶ୍ୱାସର ଦୀପ୍ତିଶୀଖା

ଓଡ଼ିଆର ଚିନ୍ତା ଚେତନାରେ ତୁମେ
ହସ ଲୁହର ଯେ ସାଥି
ଓଡ଼ିଆର ଜ୍ଞାନ-ଦର୍ଶନରେ ତୁମେ
ନିତ୍ୟ ସୁଧା ପ୍ରେମ-ଭକ୍ତି

ଓଡ଼ିଆ ସାହିତ୍ୟେ ତୁମେ ମୁକ୍ତା-ମଣି
ଶାବ୍ଦିକ ଛନ୍ଦ ବିଳାସ
ଓଡ଼ିଆର ପ୍ରତି ସୃଜନୀରେ ତୁମେ
ଲାଳିତ୍ୟ ମଧୁର ରସ

ଓଡ଼ିଆର ତୁମେ ଶରଣ ରକ୍ଷଣ
ଉତ୍କଳ ରାଜାଧିରାଜ
ଓଡ଼ିଆ ଆତ୍ମାର ହେ ନିର୍ବାଣଦାତା
ମୋକ୍ଷ ତୁମ ପଦରଜ

ଓଡ଼ିଆର ବେଶ ଭୂଷଣରେ ପ୍ରଭୁ
ତୁମ ଶ୍ରୀଅଙ୍ଗ ସଜ୍ଜିତ
ଓଡ଼ିଆ ହାତର ଭୋଜନକୁ ଖାଇ
ନିତ୍ୟ ତୁମେ ଉଲ୍ଲସିତ

ଓଡ଼ିଆ ରାଇଜେ କରିଅଛ ଘର
ଓଡ଼ିଆର ପ୍ରଭୁ ହୋଇ
ଓଡ଼ିଆ ମାଟିକୁ କରିଛ ପବିତ୍ର
ଆହେ ବ୍ରହ୍ମାଣ୍ଡ ଗୋସାଇଁ

ଓଡ଼ିଆର ତୁମେ ଜୀବନ୍ତ ଠାକୁର
ଜାତିର ଜୀବନ-ଗାଥା
ଓଡ଼ିଆ ଅତୀତ ଇତିହାସ ସାକ୍ଷୀ
କହିଯାଏ ତୁମ କଥା

ଓଡ଼ିଆର ଇଷ୍ଟ, ଜୀବନ ଆଧାର
ନାଥ ତୁମେ ନାରାୟଣ
ଓଡ଼ିଆର ମାନ ରଖିବା ପାଇଁ ହେ
କଲ କାଞ୍ଚି ଅଭିଯାନ

ଓଡ଼ିଆ ଜାତିକୁ ଶଙ୍ଖରେ ପୁରାଇ
ରଖ ଚକ୍ର ଆଢ଼ୁଆଳେ
ଓଡ଼ିଆର ପ୍ରାଣ ନିତ୍ୟ ପାଉ ସ୍ଥାନ
ତୁମ ଚରଣ କମଳେ

ଓଡ଼ିଆ ମୁଁ ଜଣେ ଧନ୍ୟ ହୋଇଅଛି
ଓଡ଼ିଶାରେ ହୋଇ ଜାତ
ଓଡ଼ିଆର ପ୍ରିୟତମ ଜଗନ୍ନାଥ
ତୁମ ପାଦେ ପ୍ରଣିପାତ

ଓଡ଼ିଆ ଜାତିର ପ୍ରାଣର ଦେବତା
କରୁଛି ଏହି ପ୍ରାର୍ଥନା
ଓଡ଼ିଆ ମାଟିରେ ନିତ୍ୟ ଉଡୁ଼ଥାଉ
(ତୁମ) ପତିତପାବନ ବାନା

0 Comments