Information

ନୂଆ ବରଷର ନୂଆ କବିତା - ସଦାନନ୍ଦ ସାହୁ


ନୂଆ ବରଷର ପହିଲି କିରଣ
ସମୃଦ୍ଧି ବିଭବି ହେଉ ,
ଅପସରି ଯାଉ ରୋଗଶୋକ ଦୁଃଖ
ଦୁଃଖୀଜନ ହସିଦେଉ  !1!

ବ୍ରହ୍ମାଣ୍ଡ ଠାକୁର ଜଗତ ଈଶ୍ଵର
ଜୟ ଜୟ  ଜଗନ୍ନାଥ ,
କରୁଣାର ଫୁଲ ଝରି ପଡୁ ସତ
ପାଦ ପଦ୍ମେ ପ୍ରଣିପାତ  !2!

ଉଣେଇଶି ଆସୁ  ଅଠରଟା ଯାଉ
ସ୍ଵାଗତ ବିଦାୟ ପର୍ବ ,
ଅଭିନନ୍ଦନରେ  ସର୍ବେ ଉଜାଗରେ
ନିଆରା ସମ୍ପର୍କ ଭାବ !3!

ନୂଆ ବରଷର  ନୂଆଗୀତ ମୋର
 ସ୍ପନ୍ଦନ ଶବଦ ହେଉ ,
ପାଠକ ପାଠିକା ସମ୍ପଦ କଣିକା
ଭାବନାରେ ନାଆଁ ରହୁ !4!

ପ୍ରେମଫୁଲ ବର୍ଷା ସଭିଁଙ୍କ ସଦିଚ୍ଛା
ଅବିରତେ ପଡ଼ୁ ଝରି ,
ଶତାବ୍ଦ୍ଦୀ ବିଜୟ  ଉଣେଇଶ ହସ
ଶୁଭ ଫଳେ ବିଭାବରୀ   !5!

ପ୍ରେମର ପ୍ରେମିକା ସର୍ବଜନାଦୃତା
ଭଲ ପାଉ ମନ ଭରି  ,
ପ୍ରେମ ଫଗୁରଙ୍ଗ ବାସୁ ମହମହ
ହସି ଦେଉ ସୁନା ଗୋରି  !6 !

ଅସୁମାରି ଆଶା  ନହେଉ ନିଆଶା
ସର୍ବ ସୁଖ ହେଉ ପ୍ରାପ୍ତ  ,
ହସର ଜୁଆର  ଖୋଲୁହେ ' ଦୁଆର
ଲୁହ ହୋଇ ଯାଉ ସୁପ୍ତ  !7!

ପାପର ବିଲୟ ହେଉ ଆହେ'ନାଥ
ଏତିକି ବିନତି ଅଳି ,
ଅପସରି ଯାଉ ବ୍ୟଭିଚାରି ସତ
ଲାଗିବନି ଆଉ କଳି  !8!

ଏନବ ବରଷ  ପ୍ରୀତିର ପରଶ
ପ୍ରେମଫୁଲ ମହକିବ ,
ହେ'ପ୍ରଭୁ ଗୋସାଇଁ ଜଗତର ସାଇଁ
ଅଜାଡି ଦିଅ ବିଭବ  !9!

ସଦାନନ୍ଦ ସାହୁ
ଧୁରୁଷିଆ,  ଆଠଗଡ଼, କଟକ

Post a Comment