OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମୋ ଗାଆଁ - ମିଶ୍ର ହୃଷିକେଶ

ମୋ ଗାଆଁ - ମିଶ୍ର ହୃଷିକେଶ


ସରଗକୁ ସିଡ଼ି ନାହିଁ ବୋଲି ଯିଏ
କହିଦେଇ ଗଲେ ଚାଲି,
ଇଛା ହୁଏ ଥରେ ତାଙ୍କୁ କହିବାକୁ
ଆସ ଆମ ଗାଁଆ ବୁଲି।।   ୧

ଇନ୍ଦିର ଦେବତା ସରଗେ ଯତନେ
ଯାହା ସବୁ ଦେଲା ଖଞ୍ଜି,
ସେସବୁ ଦରବ ମୋ ଗାଁଆ ରେ ମିଳେ
ଅଛି ତାର ସବୁ  ମଞ୍ଜି।।    ୨

ଦେବତା ସକଳ ହୁଅନ୍ତି ବିକଳ
ମଣିଷ ଜନମ ପାଇଁ,
ମୋ ଗାଆଁ ମନ୍ଦିରେ ଆଳତି ବେଳରେ
ସତେ କି ଆସନ୍ତି ଧାଇଁ।।   ୩

ପୂରୁବ ଆକାଶେ ସୁରୁଜ ଉଇଁଲେ
ଦାଣ୍ଡରେ ମୁରୁଜ ହସେ,
ଗୋବର ଧୌତ ଚାଳ ଛପର ମୋ
ଆହା କି ସୁନ୍ଦର ଦିଶେ।।  ୪

ଗାଆଁ ଭୁଆସୁଣି ସଜ ହୋଇ ପୁଣି
ଆସୁଥାଏ ଯେବେ ଚାଲି,
କି ରମ୍ଭା ଉର୍ବଶୀ ସ୍ୱର୍ଗର ରୂପସୀ
ଲାଗେ ସବୁ ତୁଛ ଖାଲି।।  ୫

ଗଛ ଛାଇ ତଳେ ଦ୍ବୀପହର ବେଳେ
ପଶା ପାଲି ଖେଳ ବେଳେ,
ଭୁଲି ଯାଏ ମୁହିଁ ଦୁଃଖ ଜୀବନର
ଗାଆଁ ବୃଦ୍ଧଙ୍କର ମେଳେ।।  ୬

ମନେ ପଡେ ଯେବେ ଗାଆଁ ଚାଟଶାଳୀ
ଲୋତକ ପଡଇ ଝରି,
ଅବଧାନଙ୍କର ପଣିକିଆ ଘୋଷା
କିଏ ହେବ ତାଙ୍କ ସରି।।  ୭

ଗୋଧୂଳି ବେଳରେ ମୋ ଗାଆଁ ମନ୍ଦିରେ
ସନ୍ଧ୍ୟା ଦୀପ ଯେବେ ଚଢ଼େ,
ମୋ ଗାଁଆ ଘରଣୀ ସଜବାଜ ହୋଇ
ଭାଗବତ ବସି ପଢେ।।   ୮

ଭୂଗୋଳ ପୋଥିର ପୃଷ୍ଠା କୁ ମଣ୍ଡନ
ନ କରି ପାରେ ମୋ ଗାଁଆ,
ତଥାପି ମୋ ଗାଆଁ ସରଗଠୁ ବଡ଼
ରଖିବି ତାହାର ନାଆଁ।।  ୯

ଭାଷେ ହୃଷିକେଶ ହୋଇ ତାର ଦାସ
ତା ପୟରେ ରଖି ଲୟ,
ଏ  ସାରା ଦୁନିଆ ମନେ ରଖିଥିବ
ମୋ ଗାଆଁ ର ହେବ ଜୟ।। ୧୦.

ମିଶ୍ର ହୃଷିକେଶ, ଖଲ୍ଲିକୋଟ, ଗଂଜାମ, ଓଡିଶା

0 Comments