ମରୀଚିକା - ନାରାୟଣ ଚନ୍ଦ୍ର ସେନାପତି

ମରୀଚିକା - ନାରାୟଣ ଚନ୍ଦ୍ର ସେନାପତି


ମୁଁ ଜାଣେ ତୁ ଏକ ଭୀରୁ କାପୁରୁଷ
ସତ ସାହସ ବିହୀନ କୁହେଳିକାଟିଏ 
ନିରାଶା ଭର୍ତ୍ତି ଥିବା ଆଶାର ବିଷକୁମ୍ଭଟିଏ
ପ୍ରତିହିଂସାର ଉଆସରେ
ନାୟକର ପଗଡିବନ୍ଧା
ସୁନ୍ଦର ଖଳନାୟକଟିଏ ।

ବେଳେବେଳେ ମୁଁ ଭାବେ
ତୁ ଏକ ନିର୍ବୋଧ ଶିଶୁର ଲୁଚକାଳି ଖେଳ
ଚିକ୍  ଚିକ୍  ମୁହଁ ବୋଳା ଚୋରଟିଏ ପରି
ଯାତ୍ରା ପୋଲିସର ଅଭିନୟ କରୁ
ପ୍ରଫୁଲ୍ଲତା ର ଅନୁଷ୍ଠାନ ନିଶାର୍ଦ୍ଧରେ
ମାତ୍ର ପ୍ରଭାତ ସ୍ପର୍ଶରେ ମୌନବ୍ରତ କରିଥିବା
ସୁନ୍ଦର ମହାକାଳ ଫଳଟିଏ।

ପ୍ରତ୍ୟକ୍ଷରେ ତୁ ସାଜିପାରୁ ନିର୍ଦ୍ଦୋଷ
ମାତ୍ର ପରୋକ୍ଷରେ ତୁ ଜୀବହନ୍ତା
ଭାଙ୍ଗିଦେଉ ଅଗୋଚରେ କେତେ ହୃଦୟୀଙ୍କ ବାୟା ବସା
ଗଢ଼ିଦେଉ କେତେ ସ୍ନେହୀଙ୍କ ଶ୍ମଶାନ
ଆନନ୍ଦର ତାଜମହଲଟା ସାଜେ ଚିତ୍କାରର ପିରାମିଡ୍
କେବଳ ପାଉ ଘୃଣାର ଉପହାର
ସାଜି ମିଥ୍ୟାବାଦୀ ପ୍ର୍ରବଞ୍ଚକ
ଧରି ସୈତାନ ନିମକହାରାମର ମାନପତ୍ରଟିଏ ।

ଶୁଣିଥିଲି ଚନ୍ଦ୍ରଦେହେ କଳଙ୍କ ତୋ ଯୋଗୁଁ
ଅଂଶୁଘାତର ମାରଣାସ୍ତ୍ର ଖଞ୍ଜା ତୋପଟିଏ ତୁ
କରୁ କେତେ ଯେ ପାପ,
ସମ୍ପର୍କର ମୂଲ୍ୟ ଜାଣି ନ ଥିବା ଶତ୍ରୁଟିଏ ତୁ
ବିଶ୍ୱାସଘାତକତାର ଇତିହସେ
ପାଉଥିବୁ କେତେ ଯେ ନିନ୍ଦା
ସାରା ଜୀବନ ଅଭିଶପ୍ତ ବୈଧବ୍ୟ ଯନ୍ତ୍ରଣା ପାଇଁ
ଅନ୍ତରରେ ଧରା କୋହର ରୁକ୍ଷ ଧ୍ୱନିଟିଏ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments