କ୍ଷୁଦ୍ରଗଳ୍ପ - ଭିକ୍ଷା - ଘନଶ୍ୟାମ ମହାନ୍ତ

କ୍ଷୁଦ୍ରଗଳ୍ପ - ଭିକ୍ଷା - ଘନଶ୍ୟାମ ମହାନ୍ତ


ରାତିର ବୟସ ବଢିଯାଇଥିଲା ଅନେକ । ଗାଢନିଦରେ ସମସ୍ତେ ଶୋଇପଡିଥିଲେ ସେତେବେଳକୁ । ତଥାପି ରାଜେଶ ଆଖିରେ ନିଦ ନ ଥୂଲା । ମନ ତା'ର ବୁଝୁନଥିଲା ଜମାରୁ । ରଶ୍ମୀପରି ଝିଅ । ଯିଏ ତାକୁ ତା'ର ଜୀବନ ବୋଲି ଭାବୁଥିଲା, ସେ ଯେ ତାକୁ ଭୁଲିଯିବ । ଆଉ କାହାକୁ ବିବାହ କରିବ । ଶତଚେଷ୍ଟାପରେ ଏକଥାକୁ ବିଶ୍ବାସ  କରିପାରୁଥିଲା ସେ ।
       
ରଶ୍ମୀ ଯଦି  ତାକୁ ଭୁଲିଗଲା, ସେ କାହିଁକି ଭୁଲିପାରୁନି ରଶ୍ମୀକୁ ? ସେ  ନିଜେ ବି ବୁଝିପାରୁ ନଥିଲା । ସେ ଆଉ ପାଗଳ ହୋଇଯିବ କି ସତେ ? ତା' ଦେହମୁଣ୍ଡ ଝିମ୍ ଝିମ୍ କରୁଥିଲା ।ତା' ମୁଣ୍ଡରେ  କିଛି ବି ପଶୁନଥିଲା । ତା ମୁହଁର ଦାଢୀ ବଢିଯାଇଥିଲା ଅଯତ୍ନଭାବେ । କେଶ ନୁଖୁରାହୋଇ ଫୁର୍ ଫୁର୍ ଉଡୁଥିଲା । ସାରା ମୁଖମଣ୍ଡଳରେ  ହତାଶା ଛାଇଯାଇ ବିବର୍ଣ ଦିଶୁଥିଲା । ତା'ର ଇଛା ହେଉଥିଲା ଉନ୍ମୁକ୍ତ ପବନରେ ସେ ଦୌଡିବ ଯୁଆଡେ ନାଇଁ ସିଆଡେ । କିମ୍ବା ଖୋଲା ଆକାଶ ତଳେ ଉଡିଯିବ,କେଉଁଠି ନା କେଉଁଠିକି ଯେ  ତା'ର ଈୟତ୍ତା ନ ଥିବ ।
        
ଏମିତି ଝିଅମାନେ କାହିଁକି ଅନ୍ଯର  ହୃଦୟ ଚୋରେଇନେଇ ଲହୁଲୁହାଣ କରିପକାନ୍ତି ଯେ ? ଯେଉଁମାନେ ଯତ୍ନରେ ସାଇତି ପାରନ୍ତିନି ଆଉ ଗୋଟିଏ ହୃଦୟକୁ  ନିଜର ହୃଦୟ ଭିତରେ ? ରଶ୍ମୀପାଖରେ ନିଜ ହୃଦୟକୁ ଛାଡିଦେଇ ସେ ବଂଚିପାରିବ ତ ?
-ନା'
ତା' ଚିତ୍କାରରେ ଚହଲିଗଲା ପବନ ତ ଚମକି ପଡିଲା ନିଜେ ନିଜ ଅଜାଣତରେ । ପୂର୍ବଦିଗରେ ସିନ୍ଦୂରା ଫିଟିଆସୁଥିଲା । ସେ ଉଠିଲା ଓ କିଛି ନଭାବି ଦୌଡିଲା ଏକମୁହାଁହୋଇ । କାହାକୁ କିଛି ନକହି ପଶିଗଲା ରଶ୍ମୀର ଘର ଭିତରକୁ । ଆଣ୍ଠୁଭାଂଗି ବସିପଡିଲା  ରଶ୍ମୀର ପାଦପାଖରେ ।ହାତପାତି ଭିକ୍ଷାମାଗିବା ଭଙ୍ଗୀରେ କହିଲା-"ଦେ ରଶ୍ମୀ ଦେ, ମୋତେ ମୋ ହୃଦୟ ଫେରେଇ ଦେ ।"
   
ରଶ୍ମୀ ସମେତ ତା'ଘରର ଅନ୍ଯମାନେ ହଠାତ୍ କିଛି ବୁଝିନପାରି ତାଜୁବ୍ ହୋଇ ଠିଆହୋଇଥିଲେ କେବଳ ।

ଘନଶ୍ୟାମ ମହାନ୍ତ, କରଦାଙ୍ଗୀ, ତେଲକୋଇ, କେନ୍ଦୁଝର

0 Comments