ଅନୁଚିନ୍ତନ - ବିଜୟ କେତନ ସାହୁ

ଅନୁଚିନ୍ତନ - ବିଜୟ କେତନ ସାହୁ


ଜୀବନସନ୍ଧ୍ୟାରେ ବସି ମୁଁ ଭାବଇ
ପୁଞ୍ଜିଭୁତ ଦୁଃଖ ଶୋକ ସାଥେ ନେଇ
ସ୍ୱାର୍ଥ ପାଇଁ ଅର୍ଥ ପଛେ ଧାଇଁ ଧାଇଁ
ପରମାର୍ଥକୁ ଯେ ଦେଲି ମୁଁ ଆଡେଇ
ହେ ପ୍ରିୟପରମ ପ୍ରଭୁ ଅଛ କାହିଁ?
ନୟନନୀରେ ମୁଁ ଆକୁଳେ ଡାକଇ  (1)

ସଂସାରର ମାୟା ତୁମେ ଥିଲଦେଇ
ଜାୟା, ପୁତ୍ର, କନ୍ୟା ମୋହରେ ପକାଇ
ମିଛକୁ ମଣିଲି ସତ୍ୟ ଭାବିନେଇ
ହଜିଛି ସମୟ ତୁଚ୍ଛ ସୁଖେ ଧାଇଁ
ଆଜି କିନ୍ତୁ ଅଶ୍ରୁ ଝରେ ତୁମ ପାଇଁ
ତୁମ ବିନା ଆଉ କେ ନିଜର ନାହିଁ  (2)

ମିଥ୍ୟା ମରିଚୀକା ପଛରେ ଗୋଡ଼ାଇ
କି ଅବା ପାଇଲି ଆଜି ମୁଁ ଚିନ୍ତଇ?
ଅନ୍ଧଆଖି ପ୍ରଭୁ ତୁମକୁ ଖୋଜଇ
ଦରଶନ ଦିଅ ହେ ଜଗତସାଇଁ
ପତିତ ଜୀବନୁ ମୋତେ ତୋଳିନେଇ
ତୁମ ପଦ୍ମପାଦେ ଦିଅ ବାରେ ଠାଇଁ (3)

ଜୀବନର ସଞ୍ଜ ଆସେ ନଇଁ ନଇଁ
ତୁମ କଥା ଏବେ ମନେ ମୋ ପଡଇ,       
କରୁଛି ମୀନତି ଶ୍ରୀଚରଣ ଧ୍ୟାୟୀ
କାଳରାତ୍ରୀ ମୋର ଆସେ ଯେ ଘନେଇ
ବେଳ ନାହିଁ ଆଉ, ଆସ ହେ କହ୍ନେଇ
ଶ୍ରୀବାହୁ ବନ୍ଧନେ ନିଅ ଗୋ କୋଳେଇ (4)

ତବ ବଂଶୀସ୍ଵନ କେବେ ଶୁଣିନାହିଁ
ଶେଷ ଇଛା ପ୍ରଭୁ ଜାଗେ ତୁମ ପାଇଁ
ଶ୍ରୀରୂପ ଦର୍ଶନେ ଲାଳାୟିତ ମୁଁହିଁ
ମୋର ମନବନେ ବାରେ ବିଜେହୋଇ
ତୁମ ପ୍ରେମବଂଶୀ ଦିଅ ହେ ବଜାଇ
ମୋକ୍ଷ ପାଇଯିବି ତବ ମୁଖ ଚାହିଁ (5)

0 Comments