Information

ଆଲୋଚନା - ଆଜି ବି ନିର୍ଭୟା କାନ୍ଦୁଛି - କଳ୍ପନା ଜେନା


ଆଜି ଵି ନିର୍ଭୟା କାନ୍ଦୁଛି...... । କୋଟି କନ୍ୟାର ଆର୍ତ୍ତ ଚିତ୍କାର ପୀଡ଼ନ, ଶୋଷଣ, ଧର୍ଷଣରେ । ଆଜି ଵି ରାତ୍ରିର ତମସାରେ ତା'ର ଆତ୍ମାର କରୁଣ ବେଦନା ଅଗଣିତ ନରନାରୀଙ୍କୁ କର୍ଣ୍ଣଗୋଚର ହୁଏ । ପୁଷ୍ପତୁଲ୍ୟା କୋମଳ, ସରଳ, ନିଷ୍ପାପ, ନିରୀହ, ଅର୍ଦ୍ଧ ପ୍ରସ୍ଫୁଟିତ କଳିକା ସମ ନାବାଳିକାଙ୍କୁ ଯୌନପିପାସୁ ନରରାକ୍ଷସ ମାନେ ଖିଣ୍ ଭିଣ୍ କରି ଉନ୍ମତ୍ତ ପ୍ରାୟ ଶ୍ବାନ ସଦୃଶ ଭକ୍ଷଣ କଲା ପରେ ତା'ର ରକ୍ତ ଜୁଡୁବୁଡୁ ଶରୀରକୁ ନାଳ ନର୍ଦ୍ଦମାରେ ଫୋପାଡ଼ି ଦେଉଥିବା ଏହି ମଣିଷର ମନୁଷ୍ୟତ୍ୱ କେତେ ପାଶବିକତାମୁଖୀ ହୋଇଯାଏ ତାହା ସନ୍ଦିହାନ । 

ଆଗାମୀ କାଲିର  ତପନରେ ନିଜସ୍ୱ ପ୍ରତିଭାକୁ ବିକଶିତ କରିବାର ସୁନେଲି ସ୍ୱସ୍ପ୍ନ ଦେଖୁଥିବା କେତେକ ସଦ୍ୟ କଳିକାମାନେ ପିତାମାତା, ବନ୍ଧୁବର୍ଗଙ୍କ ସ୍ନେହ, ଭଲ  ପାଇବାରୁ ବଞ୍ଚିତ ହୋଇ ଝରାଶେଫାଳୀ ସମ ଅସ୍ତମିତ ତ ଆଉ କେତେକ ନ୍ୟାୟାଳୟର ଫାଇଲ ମଧ୍ୟରେ ନିଜ ନ୍ୟାୟ ପାଇବାରୁ ବଞ୍ଚିତ । ସ୍ବର୍ଗୀୟ ସୁଷମା ବିଭୁଷିତ, ବିଭୁକୃପା ପ୍ରାପ୍ତ, ଅମୃତର ସନ୍ତାନ ଏହି ମାନବ ଆଜି ସାଜିଛି କାମୁକ ନରରାକ୍ଷସ । ଖାସ୍ ତା'ର କ୍ଷଣସ୍ଥାୟୀ କାମନାକୁ ଚରିତାର୍ଥ କରି ତା' ଦେହର କ୍ଷୁଧାକୁ ମେଣ୍ଟାଇବା ପାଇଁ ଦେବଭୂମି ଭାରତବର୍ଷକୁ ଦାନଵ ଭୂମିରେ ପରିଣତ କରିଛି । ଦିବ୍ୟଗୁଣକୁ ଅବଦମିତ କରି ଦାନଵ ଗୁଣକୁ ଆବୋରି ଏବର ସେ ରସାତଳଗାମୀ ତଥା ସମସ୍ତଙ୍କ ଘୃଣାର ପାତ୍ର । 

ଓଡ଼ିଆ ଗୃହଲକ୍ଷ୍ମୀର ସଂସ୍କୃତି ଆଜି ସାଜିଛି facebook, whatsapp ରେ ସେମାନଙ୍କ ଅର୍ଦ୍ଧ ଲୁକ୍କାୟିତ ନଗ୍ନଚିତ୍ର ସୋସିଆଲ ମିଡିଆରେ ଅଶ୍ଳୀଳ ନଗ୍ନତାର ଚିତ୍ର ଦ୍ୱାରା କବଳିତ ହୋଇ ଆଜିର କିଶୋର କିଶୋରୀଙ୍କୁ ଯେ ବିପଥଗାମୀ କରିଛି ଏହା ଦୃଢ ନିଶ୍ଚିତ । ସମ୍ପର୍କର ପବିତ୍ରତା ଆଜି ଅବିଶ୍ୱାସର ସମାଜର କିଛି ଦଲାଲ ତଥା ନାରୀ ଜାତିର କଳଙ୍କିନୀ ସାଜିଥିବା ମାତୃତୁଲ୍ୟା କୋଠି ମାଲିକାଣୀଙ୍କ ପ୍ରରୋଚନାରେ ବୃତ୍ତି ତଥା ଅର୍ଥ ଲୋଭରେ କେତେ ଯେ କଳିକା ଦୁନିଆକୁ ଦେଖିବା ଆଗରୁ ତାଙ୍କ କୈଶୋରକୁ ପାଦେ ଦଳି ବେଶ୍ୟା  ବନେଇ ଦେଇଛନ୍ତି ତଥାକଥିତ ଭଦ୍ରମୁଖା ପିନ୍ଧା ସଂଭ୍ରାନ୍ତଶ୍ରେଣୀର ବାବୁ, ନେତା, ମନ୍ତ୍ରୀ ଆଉ ଅଫିସରମାନେ । ସଭା ସମିତିର ମାନବିକତାର ଦ୍ୱାହି ଦେଇ ଘର କୋଣରେ ଘରପୋଇଲି ସହ ମଧୁଚନ୍ଦ୍ରିକା ରଚୁଥିବା ଏହି ବାବୁ ମାନେ ହେଲେ..., ରକ୍ଷକର ମୁଖାପିନ୍ଧା ନରଭକ୍ଷୀ ରାକ୍ଷସ ।

ଆଜି ବାପା ପାଖେ ଝିଅ, ଭାଇ ପାଖେ ଭଉଣୀ ଅସୁରକ୍ଷିତ । ଆଜି  ସାଧାରଣ ଜନତାର ନ୍ୟାୟ ବନ୍ଧା ପଡ଼ିଛି ନେତା, ମନ୍ତ୍ରୀ, ରାଜନେତାଙ୍କ ହାତମୁଠାରେ ଏଠି ଜଣେ ଶୋଷଣର ଶିକାର ହେଉଥିବା ଲୋକକୁ ଦେଖିବାକୁ ଭିଡ ଜମେ, ଆଉ ଭିଡ ଜମେ ଏହାକୁ ସୋସିଆଲ ମିଡିଆରେ । ଦୈନନ୍ଦିନ ଘଟି ଚାଲିଥିବା ଅପରାଧ ନିମନ୍ତେ ନୀତି ଓ ନିୟମ ପ୍ରଣୟନ ହେଉଛି ସତ କିନ୍ତୁ ତାହା ଫାଈଲିରେ ବନ୍ଧା ପଡ଼ିଛି । ତେଣୁ ହେ ମୋର ପ୍ରିୟ ଭାଇ ଭଉଣୀ..., ଆସନ୍ତୁ ଆମେ ଏକ ମନ ଏକ ପ୍ରାଣରେ ଆମ ଅନ୍ତଃକରଣକୁ ନିର୍ମଳ କରିବା ସଂଗେ ସଂଗେ ବାହ୍ୟ ସମାଜର ଅଳିଆକୁ ମଧ୍ୟ ଦୂରେଇ ଦେବା ।

କଳ୍ପନା ଜେନା, ଶିକ୍ଷୟତ୍ରୀ
ବେଣୁଦା ନୋଡାଲ ଉପ୍ରା ବିଦ୍ୟାଳୟ, ଭୋଗରାଇ, ବାଲେଶ୍ୱର

Post a Comment