Information

ପ୍ରବନ୍ଧ - ବୈଦିକ ସାହିତ୍ୟହିଁ ମାନବଯାତ୍ରାର ଶୁଭ ସଙ୍କେତ - ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ


ବୈଦିକ  ଗ୍ରନ୍ଥଗୁଡିକ  ଭାରତୀୟମାନଙ୍କ  ଧର୍ମୀୟ  ଓ  ସାମାଜିକ  ଜୀବନସହ  ଯେତିକି  ଜଡ଼ିତ  ସେହି  ପରିମାଣରେ   ସେମାନଙ୍କ  ପୁରା  କଥା  ସହ  ପରିଚିତ  ହେବାକୁ  ସେତିକି  ସହାୟକ  ହୋଇଥାଏ  ।  ଯଦିଓ  ବୈଦିକ  ଆର୍ଯ୍ୟ  ଉପଜାତିଗୁଡିକର  ଧର୍ମ  ବିଶ୍ୱାସ  ରୂପ  ପରିଗ୍ରହ  ଓ  ସ୍ଥାୟିତ୍ୱ  ଲାଭ  କରିବାକୁ  ବହୁ  ବର୍ଷ   ବିତିଯାଇଥିଲା  ।  ସେସବୁ  ପ୍ରକ୍ରିୟାର  ବିଭିନ୍ନ  ସ୍ତର  ବୈଦିକ  ସାହିତ୍ୟରେ  ପ୍ରତିଫଳିତ  ହୋଇଆସିଛି,  ଯାହାକେବଳ  ଭାରତୀୟ  ଧର୍ମ  ବିଶ୍ୱାସ,  ସଂସ୍କୃତି,   ସାମାଜିକ  ଜୀବନ  ସମୂହର  ସାମଗ୍ରିକ  ସମାହାର  ଭାବେ  ଗ୍ରହଣ  କରାଯାଇପାରେ  । 

ବୈଦିକ  ଗ୍ରନ୍ଥଗୁଡିକ  ଭାରତର  ସବୁଠାରୁ  ପ୍ରାଚୀନ  ଲିଖିତ  ସାହିତ୍ୟ  ।  ସେସବୁର  ବିଷୟ  ବସ୍ତୁ  ଯେତିକି  ବିଚିତ୍ର  ମନେହୁଏ,  ସେହିଭଳି  ଏକାଧିକ  ଐତିହାସିକ  କାଳ  ପର୍ବରେ  ଲିଖିତ  ପାଠ  ମଧ୍ୟ  ସେସବୁରେ  ଅର୍ନ୍ତଗତ ହୋଇଛି  ।  ଚାରୋଟି  ବେଦ,  ଯାହା  କେବଳ  ଭାରତରେ  ଜାତ  ଧର୍ମ  ବିଶ୍ବାସ  ସମୂହର  ସବୁଠାରୁ  ପ୍ରାଚୀନ  ଏକ  ସମନ୍ୱିତ  ବ୍ୟବସ୍ଥା  ,  ସୁସମଞ୍ଜସ  ପ୍ରଥା,  ଆଚାର,  ପୂଜା  ପର୍ବ  ସହ  ଦାର୍ଶନିକ  ଭାବ  କ୍ରିୟାର  ଏକ  ସମାହାର  ।  ପ୍ରାଚୀନ  ଐତିହ୍ୟ  ସହିତ  ସଂଗତି  ରଖି  ବେଦ  ଗ୍ରନ୍ଥଗୁଡ଼ିକୁ  କେତେକ  ଅଂଶରେ   ଭାଗକରି  ଦର୍ଶାଯାଇଛି  ।  ସେସବୁ  ମଧ୍ୟରେ  ପ୍ରଥମ  ଅଂଶରେ  ଅନ୍ତର୍ଭୁକ୍ତ  ହୋଇଛି  ସ୍ତୋତ୍ର  ବା  ସୂକ୍ତ ,  ଏପରିକି  ସଂହିତା  ସମୂହକୁ  ନେଇ  ।  "ଋଗ  ବେଦ"  (ସୂକ୍ତ  ଗୁଚ୍ଛ),  "ସାମ  ବେଦ"  (ସ୍ତବ  ଗୁଚ୍ଛ),  "ଯଜୁର୍ବେଦ"  (ପ୍ରାର୍ଥନା  ଓ  ଯଜ୍ଞର  ସୂତ୍ରବଦ୍ଧ  ସମଷ୍ଟି)  ଓ  "ଅଥର୍ବେଦ"  (ଐନ୍ଦ୍ରଜାଲିକ  ମନ୍ତ୍ରୋଚାରଣ  ତଥା  ଯାଦୁବିଦ୍ୟା  ଆଦି  ନିୟମାବଳୀର  ସମାହାରରେ  ଗଚ୍ଛିତ )  ମିଳିତ  ଭାବରେ  ଏହାକୁ  ସଂହିତା  ରୂପରେ  ନାମିତ  କରାଯାଇଛି  ।  ସେଭଳି  ଏହାର  ଦ୍ୱିତୀୟ  ଅଂଶଟି  ହେଉଛି  ବ୍ରାହ୍ମଣ  ସଂହିତା  ।  କୁହାଯାଇପାରେ  ଯେ  ସଂହିତା  ସମୂହର   ଆଚାର  ବିଶେଷକରି  ଅନୁଷ୍ଠାନ  ସଂପର୍କିତ  ସ୍ତୋତ୍ର  ଓ  ମନ୍ତ୍ରାଦିର  ବ୍ୟାଖ୍ୟା  ସମୂହକୁ  ନେଇ  ଗଠିତ  ହୋଇଛି  ।  ସେପରି  ତୃତୀୟ  ଅଂଶ  ହେଉଛି  ଆରଣ୍ୟକ  ସମୂହ  ।  ଏହା  କେବଳ    ବନବାସୀ  ତପସ୍ୱୀମାନଙ୍କ  ପାଇଁ ରଚିତ  ହୋଇଥିଲା  ।  ଶେଷ  ଚତୁର୍ଥ  ଅଂଶ  ହେଉଛି  ଉପନିଷଦ ମାନଙ୍କୁୁ  ନେଇ ,  ଯାହା  କେବଳ  ଏକତ୍ର  ଗ୍ରଥିତ  ହୋଇଥିବା  ଧର୍ମ  ଓ  ଦର୍ଶନ  ଶାସ୍ତ୍ର  ଆଧାରିତ  ଆଲୋଚନା  ଗ୍ରନ୍ଥ  ଭାବେ  ପରିଚିତ  ହୋଇଛି  ।

ଆଲୋଚନା  ଦୃଷ୍ଟିରୁ  ସବୁଠାରୁ  ପ୍ରାଚୀନ  ଗ୍ରନ୍ଥ  ଭାବରେ  "ଋଗ୍  ବେଦ"କୁ  ଧରାଯାଏ  ।  ଐତିହାସିକ  ତଥ୍ୟାନୁସାରେ  ଏହା  ଖ୍ରୀଷ୍ଟପୂର୍ବ  ଦ୍ୱିତୀୟ  ସହସ୍ରାଦ୍ଦର  ଶେଷାଂଶରେ  ଓ  ପ୍ରଥମ  ସହସ୍ରାଦ୍ଦର  ପ୍ରାରମ୍ଭରେ  ସଂକଳିତ  ହୋଇଥିବା  ଅନୁମେୟ  ।  ଏହି  ଗ୍ରନ୍ଥରେ    ସୃଷ୍ଟି  ତତ୍ତ୍ୱ  ଓ  ବିବାହ  ସଂପର୍କିତ  ସ୍ତୋତ୍ର  ସମେତ  ବହୁ  ବିଚିତ୍ର  ବିଷୟବସ୍ତୁକୁ  ନେଇ  ରଚିତ,  ଯେଉଁଠିରେ  ଏକ  ହଜାର  ଅଠାଅଶିଟି  ସୂକ୍ତକୁ  ନେଇ  ସଂକଳିତ  ।  ଏହାର  ପରବର୍ତ୍ତୀ  କାଳରେ "ଅଥର୍ବବେଦ"  ରଚିତ ହୋଇଥିଲା  ।   କୁହାଯାଏ  ପୂର୍ବ  ଭାରତର  ବୈଦିକ  ଆର୍ଯ୍ୟ  ଉପଜାତିମାନେ  ଏହାର  ସୂକ୍ତି  ସମୂହକୁ  ରଚନା  କରିଥିଲେ  ।   କେତେକ   ଅତି  ପ୍ରାଚୀନ  ପ୍ରାଚୀନ  ସୂକ୍ତି  ଏଠିରେ  ଅନ୍ତର୍ଭୂକ୍ତ  ହୋଇଛି  ।  "ଅଥର୍ବ  ବେଦ"ର  ଅନେକ  ସୂକ୍ତିରେ  ଅନାର୍ଯ୍ୟ  ଉପଜାତିମାନଙ୍କ  ଭିତରେ  ରହିଥିବା  ଧର୍ମ  ବିଶ୍ୱାସର  ପ୍ରତିଫଳନକୁ  ଅନୁଭବ  କରିହୁଏ  ।

ସଂହିତା ଗୁଡିକରେ  ସଂକଳିତ  ପାଠ୍ୟ  ମଧ୍ୟରୁ  କେତେକ  ଅସମ  ମାନ   ବିଶିଷ୍ଟ  ମନେହୁଏ  ।  ତଥାପି  ଏସବୁ  ପ୍ରାଚୀନ  ରଚନା  ସଂକଳନ  ଗୁଡିକ  ଲୋକ  ମୁଖରେ  ପ୍ରଚଳିତ  ହୋଇ  ଆସିଥିଲା, ଯାହାର  ପ୍ରତିଫଳନ  ଘଟିଛି  ଲୋକ  ସାହିତ୍ୟର  ଦୀର୍ଘ  କାଳର  ଏକ  ଐତିହ୍ୟର  ସାହିତ୍ୟକୃତି  ଭାବରେ  ଗଣ୍ୟ  ହୋଇ  ପାରିଥିବାରୁ  ।  ଏକଥା  ମଧ୍ୟ  ସତ୍ୟ,  ଏହି  ସଂହିତା  ଗୁଡ଼ିକର  ରଚୟିତାମାନଙ୍କୁ  ଋଷି  ବୋଲି  ଧରାଯାଏ  ।   ପ୍ରାଚୀନ   କାଳର  ଚାରଣମାନେ  ଋଷିଗଣଙ୍କ  ରଚିତ  ଶ୍ଳୋକ ଗୁଡିକୁ    ବାରମ୍ବାର  ମୁଖସ୍ଥ  କରିବା  ପରେ  ଗାନ  କରୁଥିଲେ  ।  "ଋକ  ବେଦ"ର  ସବୁଠାରୁ  ପ୍ରାଚୀନ  ସୂକ୍ତି  ଗୁଡିକ  ମଧ୍ୟ    ଛନ୍ଦର  ସୁନିର୍ଦ୍ଦିଷ୍ଟ  ନିୟମାନୁସାରେ  ହୋଇଛି  ।  ପରେ  ପରେ  ଏସବୁ  କାବ୍ୟକବିତା  ରଚନାରେ  ମଧ୍ୟ  ଏହି  ସବୁ  ଛନ୍ଦର  ସୁନିର୍ଦ୍ଦିଷ୍ଟ  ପ୍ରୟୋଗ   କରାଯାଇଛି ।  ତନ୍ମଧ୍ୟରୁ  ଏକ  ଛନ୍ଦୋବଦ୍ଧ  ପଦ  ରଚନାରେ  ଅନୁସ୍କୃତ,  ଯାହା  କେତେକ  ପରବର୍ତ୍ତୀ  ଯୁଗରେ  ଶ୍ଳୋକରେ  ପରିଣତ  ହୋଇଥିଲା  ।  ତେଣୁ  ବିଚାର  ଯୋଗ୍ୟଯେ  ପ୍ରାଚୀନ  ଭାରତୀୟ  କାବ୍ୟ  ସାହିତ୍ୟରେ  ଏକ  ବିଶେଷ  ପଦ  ରଚନାର  ନିୟମାନୁ  ପଦ୍ଧତି  କବିତା ର  ମୁଖ୍ୟ  ବାହଳ/ବାହନ  ହୋଇପାରିଥିଲା  ।

ଋଷିଗଣଙ୍କ   ଅନେକ  ଆବେଗିକ   ଅନୁଭୂତିର  ଗାଥା  ହେଉଛି  ଏସବୁ  ସୂକ୍ତି  ।  ବେଦ  ସମୂହର  ବହୁ  ସୂକ୍ତରେ  ପ୍ରକୃତିର  ଅପରୂପ  ଚିତ୍ରକୁ  ଚିତ୍ରିତ  କରାଯାଇଛି,  ମାନବିକ   ଆବେଗ  ଅନୁଭୂତିର  ଏପରି  କାବ୍ୟମୟ  ବର୍ଣ୍ଣନା  ଭରି  ରହିଛି,  ତତ୍  ସଂଗେ  ସଂଗେ  ସମୃଦ୍ଧ  ଉପମା  ଓ  ଚାପକଳ୍ପ  ଦ୍ଵାର  ପୂର୍ଣ୍ଣ  ହୋଇଛି  ଯେ  ,  ସେହି  ଦୃଷ୍ଟିରୁ  ତାକୁ  ଆଦର୍ଶ  କବିତା  ବୋଲି  ଗ୍ରହଣ  କରାଯାଇ  ପାରେ  ।  ଉଦାହରଣ  ସ୍ଵରୂପ  ଉଷା  ଦେବୀ  ଉଷସଙ୍କ  ଉଦ୍ଦେଶ୍ୟରେ  ରଚିତ  ହୋଇଥିବା  ସ୍ତବ   ବିଶେଷ  ଭାବେ  ଅନୁପ୍ରାଣିତରେ  ପରିପୂର୍ଣ୍ଣ  ହେବାର  ଅନୁଭବ  କରି  ହୁଏ  ।  ସାମଗ୍ରୀକ  ଭାବରେ  ବିଚାରକୁ  ନିଆଗଲେ  ଏସବୁ  ସ୍ତୋତ୍ର  ଗୁଡିକ  ମୁଖ୍ୟତଃ  ଧର୍ମ  ଶାସ୍ତ୍ରର  ଅଙ୍ଗ  ସ୍ୱରୂପ  ।  କିନ୍ତୁ  ବାସ୍ତବ  ଜୀବନ  କ୍ଷେତ୍ରରେ  ଓ  ଲୋକ  ଐତିହ୍ୟରେ  ଏସବୁର  ମୂଳ  ନିହିତ  ଥିବାରୁ  ସେସବୁ  ପ୍ରାୟ  ସାଧାରଣ  ଭାବରେ  ଧର୍ମ  ନିରପେକ୍ଷ  କାବ୍ୟ  ଭାବେ  ଗ୍ରହଣ  କରାଯାଇ  ପାରେ  ।  ଏଭଳି  ଅନେକ  ବୈଦିକ  ରଚନାରେ   ଏହି  ସାଧାରଣ  ଭାବ  ଭେଦ  ବାଦର  ସୁନିର୍ଦ୍ଦିଷ୍ଟ  ପ୍ରକୃତି  ଓ  ବହୁ  ବୈଦିକ  ଧ୍ୟାନ  ଧାରଣାରେ    ମାନବତ୍ୱ-ଆରୋପଣ  ଗୁଣର  ପ୍ରତିଫଳନ  ଘଟିଛି  ।  ଦେବ   ସମୂହରେ  ଦେବତାମାନଙ୍କୁ  ମଣିଷର  ଘନିଷ୍ଠ  ସାଦୃଶ୍ୟ  ରୂପରେ  ତୁଳନା  କରାଯାଇଛି  ଓ  ସେମାନଙ୍କ  ଉଦ୍ଦେଶ୍ୟରେ  ନିବେଦିତ  ସ୍ତୋତ୍ର  ଗୁଡିକରେ  ଏହି  ଚାରଣ  ଋଷିଗଣ  ନିଜ  ନିଜର  ଜାଗତିକ  ଅଭିଜ୍ଞତା  ତଥା  ଆବେଗ  ଅନୁଭୂତିର  ନିରପେକ୍ଷ  ବର୍ଣ୍ଣନା  ଅର୍ଘ୍ୟ  ସ୍ୱରୂପ   ପ୍ରଦାନ  କରିଛନ୍ତି,  ତାହା  କେବଳ  ସେମାନଙ୍କ  ଆନନ୍ଦ   ବେଦନାର  ଅଭିବ୍ୟକ୍ତିର  ସ୍ମୃତି  ।

ବୈଦିକ  ସାହିତ୍ୟ  ଅର୍ଥାତ  'ଋଗ୍  ବେଦ'  ମଧ୍ୟ ,  ନାଟକୀୟ  ଢ଼ଙ୍ଗରେ  ଉପସ୍ଥାପନ  କରାଯାଇଥିବା  ତାର  ବିଭିନ୍ନ  ଲକ୍ଷଣରୁ  ପରିଲକ୍ଷିତ  ହୁଏ  ।  ଫଳତଃ  ପରଵର୍ତ୍ତୀ  ସାହିତ୍ୟରେ  ଏସବୁ  ଲକ୍ଷଣ  ଗୁଡିକ  ପୂର୍ଣ୍ଣ  ମାତ୍ରାରେ  ନାଟକ  ଆକାରରେ  ବିକାଶ  ଲାଭ  କରିଛି  ।  ଏ'ସଂପର୍କରେ  "ଋଗ୍  ବେଦର"  ତଥାକଥିତ  ସ୍ତୋତ୍ରର  କଥୋପକଥନ  ଗୁଡିକ  ଦୃଷ୍ଟିକୁ  ନିଆଯାଇପାରେ  । ମନେହୁଏ, ଏସବୁ  କେବଳ  ମାତ୍ର  ଧର୍ମୀୟ  ମନ୍ତ୍ର  କଦାପି  ନଥିଲା,  ବରଂ  ନାଟକୀୟ  ଭଙ୍ଗୀରେ  ଉପସ୍ଥାପନ  କରିବା  ପାଇଁ  ହୁଏତ  ରଚିତ  ହୋଇ  ଥାଇପାରେ  ।  "ଋଗ୍  ବେଦ"ର କେତେକ  ଉପଖ୍ୟାନକୁ  ନେଇ  ପରବର୍ତ୍ତୀ  ସମୟରେ  ଅନେକ  କବି  ବା  ନାଟ୍ୟକାର  ମାନଙ୍କ  ନାଟକ  ରଚନା  କରିବା  ପାଇଁ  ବିଷୟବସ୍ତୁ  ଯୋଗାଇଛି,  ଅଧିକରୁ  ଅଧିକ  ଆଗ୍ରହନିତ୍ୱ  ଓ  ପ୍ରେରଣା  ଯୋଗାଇ  ଆସିଛି  ।  ଯେଭଳି  ମହାକବି  କାଳିଦାସ  "ବିକ୍ରମୋର୍ବଶୀ'  ଅର୍ଥାତ  ବୀରତ୍ବ  ବଳରେ  ବିଜିତା  ଉର୍ବଶୀ"  ନାଟକକୁ  ଦୃଷ୍ଟିକୁ  ନିଆଯାଇପାରେ  ।  ମହାକବି  କାଳିଦାସ  ସ୍ୱର୍ଗର  ଅପସରା  ଉର୍ବଶୀଙ୍କ  ପ୍ରତି  ରାଜା  ପୁରୁରବାଙ୍କ  ଶାଶ୍ୱତ  ପ୍ରେମ  ଉପଖ୍ୟାନଟିକୁ  ଗ୍ରହଣ  କରିଥିଲେ  ।  ନାଟକୀୟ  ପୁଟ  ଦେଇ  ସେ  ଉପଖ୍ୟାନଟିକୁ  ଅଧିକ  ସରସ  ସୁନ୍ଦର  କରିଛନ୍ତି  ।

ସାମାଜିକ  ଅବା  ମାନବିକ  ଦୃଷ୍ଟିରୁ  ବୈଦିକ  ସାହିତ୍ୟର  ଅନେକେ  ସୂକ୍ତରେ  ସୂକ୍ତରେ  ଶୁଭ  ଓ  ଅଶୁଭ  ମଧ୍ୟରେ,  ଦେବତା  ଓ  ଦାନବ  ଭିତରେ,  ବିଭିନ୍ନ  ଜାତି  ଉପଜାତି  ମଧ୍ୟରେ  ନାନା  ଦ୍ୱନ୍ଦ୍ୱ  ଓ  ଯୁଦ୍ଧ  କାହାଣୀ  ଉଲ୍ଲେଖ  କରାଯାଇଛି  ।  ଦୃଷ୍ଟାନ୍ତ  ସ୍ୱରୂପ  ଦଶ  ନରପତିଙ୍କ  ମଧ୍ୟରେ  ଘଟିଥିବା  ସଂଗ୍ରାମ  ଉପାଖ୍ୟାନ  ମୂଳକ  କାହାଣୀ  ଅଧିକ  ଚିତ୍ତରଞ୍ଜନ  ହୋଇପାରିଛି  ।  ଏଥିରେ  ବର୍ଣ୍ଣନା  ଅଛି,   ପରାକ୍ରାନ୍ତ  ରାଜା  ସୁଦାସ  କିଭଳି  ଇନ୍ଦ୍ରଙ୍କ  ସହାୟତା  ପାଇ  ଉତ୍ତାଳ  ଢେଉକୁ  ଅତିକ୍ରମ  କରି  ପରୁଷନୀ  ନଦୀକୁ  ପାର  ହୋଇ  ସନ୍ନିକଟ  ପରାଜୟରୁ  ରକ୍ଷା  ପାଇଥିଲେ  ।  ଇନ୍ଦ୍ରଙ୍କ  ବିନା  ସହାୟତାରେ  ତାହା  ତାଙ୍କ  ଲାଗି  ସମ୍ଭବ  ହୋଇ  ନଥାନ୍ତା  କି  ସେ  କେବେ  ନିଜର  ବୀରତ୍ବର  ପରାକାଷ୍ଠା  ଦର୍ଶାଇବାରେ   ସଫଳ  ହୋଇ   ପାରିନଥାନ୍ତେ  ।  ପ୍ରକୃତରେ  "ଋଗ୍  ବେଦ"କୁ   ପଣ୍ଡିତମାନେ  ସଠିକ  ଭାବରେ  ମହାକାବ୍ୟଗୁଡିକର  ପ୍ରଧାନ  ବୈଶିଷ୍ଟ୍ୟ  ସୂଚକ  ଏହା  ବୀରଗାଥା  ତଥା  ସେସବୁର   ମୂଳ  ଉତ୍ସ  ଭାବେ    ଦର୍ଶାଇଛନ୍ତି  ।  ବିଶେଷ  କରି  ସାହିତ୍ୟ   ଓ  ଇତିହାସ  ବିଷାରଦଗଣଙ୍କ  ଦୃଷ୍ଟି  କୋଣରୁ  ବିଚାରକୁ  ନେଲେ  ସ୍ପଷ୍ଟ  ହୁଏ,    ସଂହିତା  ସମୂହ  ଠାରୁ   ବ୍ରାହ୍ମଣ  ଗୁଡିକ  କମ୍  ଆଗ୍ରହୋଦ୍ଦୀପକ  ବୋଲି  ମନେ  ହୁଏ   ।  ପୁଣି  ବ୍ରାହ୍ମଣ  ଗୁଡିକରେ  ଧର୍ମୀୟ  ଯଜ୍ଞ  ଆଦିର  ଆଚରିତ  ଅନୁଷ୍ଠାନର  ଗଦ୍ୟମୟ  ବ୍ୟାଖ୍ୟା  ସହ  ମହାପ୍ରଳୟର  କାହାଣୀ  ସଂପର୍କରେ  ଅତି  ଚମତ୍କାର  ଆଲେଖ୍ୟ  ରହିଛି  ।

ସେଭଳି  ବେଦାଙ୍ଗଗୁଡିକ  ବୈଦିକ  ସାହିତ୍ୟର  ଅନ୍ତର୍ଗତ  ହୁଏ  ।  ଏହାକୁ  ବୈଜ୍ଞାନିକ  ଜ୍ଞାନ  ଦର୍ଶନର  ଗନ୍ତାଘର  ଭାବରେ  ଧରାଯାଏ  ।  ଏହି  ବେଦାଙ୍ଗଗୁଡିକୁ  ଛଅଟି  ଶାଖାରେ  ବିଭକ୍ତ କରାଯାଇଛି,  ଶିକ୍ଷା  (ଶଦ୍ଦତତ୍ତ୍ୱ),  ବ୍ୟାକରଣ,  ନିରୁକ୍ତ  (ଶଦ୍ଦର  ପ୍ରକୃତି  ପ୍ରତ୍ୟୟ  ଓ  ମୂଳ  ବ୍ୟୁତ୍ପତ୍ତି  ସଂକ୍ରାନ୍ତୀୟ  ତତ୍ତ୍ୱ),  କଳ୍ପ  (ଧର୍ମୀୟ  ଭଜନ  ପୂଜନ  ପଦ୍ଧତି  ସଂକ୍ରାନ୍ତ  ଶାସ୍ତ୍ର),  ଛାନ୍ଦସ  (ଛନ୍ଦବିଦ୍ୟା)  ଓ  ଜ୍ୟୋତିଷ  (ଜ୍ୟୋର୍ତିବିଦ୍ୟା)  ବୁଝାଏ  ।   ଏସବୁ  ପରବର୍ତ୍ତୀ  ଯୁଗରେ  ଲିଖିତ  ଶାସ୍ତ୍ର  ସମୂହର  ପରିଚୟ  ସୂଚକ  ସ୍ମୃତି  ପରିବର୍ତ୍ତେ  ଶ୍ରୂତି  ନାମରେ  ପରିଚିତ  ହୋଇଛି  ।

ବୈଦିକ  ସାହିତ୍ୟରୁ  ଯେଉଁ ସବୁ  ତଥ୍ୟ  ମିଳେ,  ତାହା  କେବଳ  ପ୍ରାଚୀନ  ଯୁଗ  ସାହିତ୍ୟର  ବିକାଶ  ଉପରେ  ଧାରଣା  ଦିଏନାହିଁ  ବରଂ  ଏକ  ନିର୍ଦ୍ଦିଷ୍ଟ  ଯୁଗର  ଅର୍ଜିତ  ଜ୍ଞାନ  ବିଜ୍ଞାନ  ସମ୍ବନ୍ଧରେ  ଆଭାସ  ଦିଏ  ।  ବୈଦିକ  ଯୁଗୀୟ  ମଣିଷର  ଧର୍ମୀୟ  ପୂଜା  ପାଠ  ସହ  ଜ୍ୟୋର୍ତିବିଦ୍ୟା  ସଂକ୍ରାନ୍ତରେ  ଜ୍ଞାନ,  ଭାରତୀୟ ମାନେ  ସୂର୍ଯ୍ୟ  ଚନ୍ଦ୍ର  ସହ  ପରିଚିତ,  ଗ୍ରହମାନଙ୍କ  ଅସ୍ତିତ୍ବ  କଥା  ଜାଣିଥିଲେ,  ଗୋଟିଏ  ଗୋଟିଏ  ନକ୍ଷତ୍ର ପୁଞ୍ଜ  ସହିତ  ସେମାନଙ୍କ  ପରିଚୟ  ଥିଲା,  ବର୍ଷ  ପଞ୍ଜିକରଣରେ  ବାର  ମାସ  ଓ  ତିରିଶ  ଦିନ  ଧାର୍ଯ୍ୟ  କରୁଥିଲେ  ଏସବୁ  ବୈଦିକ  ସାହିତ୍ୟରେ  ପ୍ରତିଫଳିତ  ହୋଇଛି ।  ଏପରିକି  ପ୍ରାଚୀନ  କାଳର  ଗଣିତରେ  ଅର୍ଜିତ  ଜ୍ଞାନ  କୌତୁହଳୋଦ୍ଦୀପକ  ଶୁକ୍ଳସୂତ୍ର  ଅର୍ଥାତ  ସୂତାରେ  ମାପିବାର  ନିୟମ  ସମୂହର  ସୂଚନା  ଦିଏ,  ଶୁକ୍ଳ  ଅର୍ଥ  ପ୍ରଥମେ  'ସୂତ୍ର'  ବୁଝାଉଥିଲା  ।  ଜ୍ୟାମିତିକ  ଆକୃତି,  ଅବୟବର  ନିର୍ମାଣ,  ହିସାବ  ପଦ୍ଧତିର  ସୂଚନା  ଦିଏ  ।  କେବଳ  ତାହା  ନୁହେଁ  ବୈଦିକ  ତତ୍କାଳୀନ  ଭାରତୀୟମାନେ  ଚିକିତ୍ସା  ବିଜ୍ଞାନ  କ୍ଷେତ୍ରରେ  ବିରାଟ  ଜ୍ଞାନର  ଅଧିକାରୀ  ହୋଇ  ପାରିଥିଲେ  ।   ମଣିଷର  ନାନା  ରୋଗ  ବ୍ୟାଧିର  ଉପଶମ  ପାଇଁ  ଚେରମୂଳ,  ବିଶେଷ  ମଲମ,  ଜଳ  ଚିକିତ୍ସା  ଆଦି  ପଦ୍ଧତି  ସେମାନଙ୍କୁ  ଜଣାଥିଲା  ।   "ଅଥର୍ବ  ବେଦ"ରେ  ଔଷଧ  ପତ୍ର  ସମ୍ପର୍କରେ  ବିଶଦ  ଧାରଣା  ଦିଆଯାଇଛି  ।  ଏପରିକି   ରୋଗ  ନିରାକରଣ  ନିମନ୍ତେ  ବିଭିନ୍ନ  ତନ୍ତ୍ର  ମନ୍ତ୍ର  ସେଥିରେ  ଲିପିବଦ୍ଧ  ହୋଇଛି  ।  ପୌରାଣିକ  ସଂସ୍କାରାଚ୍ଛନ୍ନ  ଧ୍ୟାନ  ଧାରଣା,  ଯୁକ୍ତି  ସମ୍ମତ  ମନ୍ତବ୍ୟ,  ସିଦ୍ଧାନ୍ତାଦି  ଲିପିବଦ୍ଧ  ହୋଇଥିବା  ଦେଖିବାକୁ  ମିଳିଥାଏ  ।

ବିଶେଷ ଭାବରେ  ବୈଦିକ  ଯୁଗର  ଭାରତୀୟ  ମଣିଷର  ଭୋଗ-ବୈରାଗ୍ୟ  ଭାବ  ପ୍ରକ୍ରିୟାକୁ  ଦେବ-ଦେବୀଙ୍କ  କ୍ରୋଧ  ଓ   ଆରୋଗ୍ୟ  ଲାଭକୁ  ସେମାନେ ଦେବ/ଦେବୀଙ୍କ  ପ୍ରସନ୍ନ   ହେବାର  ଲକ୍ଷଣ  ବୋଲି  ବିଚାର  କରୁଥିଲେ  ।  ବେଦରେ  ସ୍ୱର୍ଗର  ଚିକିତ୍ସକ  ଅଶ୍ୱିନୀ  କୁମାର  ଓ  "ଭିଷଜ୍-ରାଜଦ୍ୱୟ"  ଭାବେ  ପରିଗଣିତ  ବରୁଣ  ତଥା  ସୋମ  ଦେବତାଙ୍କ  ପ୍ରତି  ନିବେଦିତ  କେତେକ  ସ୍ତୋତ୍ରରୁ  ବୁଝାପଡେ  ।  ରୋଗର  ଉପଶମ  ପାଇଁ    ଚିକିତ୍ସା  କ୍ଷେତ୍ରରେ  ବେଳେ ବେଳେ  ଜାଦୁବିଦ୍ୟାର  ଗୁରୁତ୍ୱ  ପୂର୍ଣ୍ଣ  ଭୂମିକା  ନିର୍ଵାହ  କରୁଥିଲେ  ।  ସଂହିତାଗୁଡିକରୁ  ଜଣାପଡେ  ତତ୍କାଳୀନ  ଚିକିତ୍ସକମାନେ  ଚକ୍ଷୁ,  ହୃଦୟ,  ପାକସ୍ଥଳୀ,  ଫୁସଫୁସ  ଓ  ଚର୍ମ  ଆଦିର  ଉତ୍ତମ  ଚିକିତ୍ସା  କରି  ପାରୁଥିଲେ  ।  ବୈଦିକ  ସାହିତ୍ୟରେ  ମାନବ  ଦେହର  ପ୍ରାୟ  ତିନିଶହ  ବିଭିନ୍ନ  ଅଙ୍ଗ  ଓ  ଅଂଶର  ନାମୋଲ୍ଲେଖ  ଥିବା  ଜଣାପଡେ  । ତେଣୁ  ଆଧୁନିକ  ଚିକିତ୍ସା  କ୍ଷେତ୍ରରେ  ବୈଦିକ  ସାହିତ୍ୟର  ଅବଦାନ  ଅତୁଳନୀୟ  ।

ବାସ୍ତବରେ  ବୈଦିକ  ସାହିତ୍ୟହିଁ  ଭାରତୀୟମାନଙ୍କ  ପ୍ରାତ୍ୟହିକ  ଜୀବନ  ଯାତ୍ରାର  ଶୁଭ  ସଙ୍କେତ  ଥିଲା,  ଅଛି  ଓ  ରହିଥିବ  ଏହା  କଦାଶ୍ଚିତ  ଅସ୍ୱୀକାର  କରିହେବ  ନାହିଁ....!!!

ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ

Post a Comment