କ୍ଷୁଦ୍ରଗଳ୍ପ - ସ୍ମୃତିରୁ ଚେନାଏ - ପ୍ରମୋଦ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ସ୍ମୃତିରୁ ଚେନାଏ - ପ୍ରମୋଦ କୁମାର ପଣ୍ଡା


୧୯୮୨ ମସିହା କଥା, ମହାନଦୀର ରେଣୁକା ଘାଇ ଭାଙ୍ଗି ବିରାଟ ବନ୍ୟା ମାଡିଆସିଲା | ଆମ ଆଡର ମୁଖ୍ୟ ଫସଲ ଧାନ ପୁରା ଗଲା | ଯାହା ଢିପା ଢିପିରେ କାଁ ଭାଁ ବନ୍ୟା ଦାଉରୁ ବଞ୍ଚିଥିଲା, ସେଗୁଡା " ଘରପୋଡି ବାସି ଶରଣ " ଭଳିଆ ମରୁଡିରେ ସ୍ୱାହା ହୋଇଗଲା | ସେତେବେଳେ ଶତକଡା ନବେ ଲୋକ ଚାଷରୁ ବଞ୍ଚୁଥିବାରୁ ଦାନା ଗଣ୍ଡାକ ପାଇଁ ଶୂନ୍ୟକୁ ଚାହିଁଲେ | ଯାହାହେଉ ସରକାରଙ୍କର ମାଗଣା ଗହମ ବିହନ ଯୋଗାଣକୁ ଭରଷା କରି ସମସ୍ତେ ପଡିଆ ଜମିରେ ପାଣି ମଡାଇ ପାଗହେଲେ ଚାଷକରି ଗହମ ବୁଣିବା ପାଇଁ ତିଆର ହୋଇଗଲେ | କଥାରେ ଅଛି, " ଚଷା ମୂଷାକୁ ଲାଜ ନାହିଁ " | ନଈକୂଳିଆ ଚାଷି ସମସ୍ତେ ଲାଗିପଡିଲେ |

ଘରଠୁ ପ୍ରାୟ ମାଇଲିଏ ଦୂରରେ ନଈକୂଳେ ଆମର ବି ଜମି ଦି ତିନି ମାଣ ଖଣ୍ଡେ ଥାଏ | ନନା ଗହମ ଚାଷ କରିବାକୁ ଇଚ୍ଛାକଲେ | ସେତେବେଳେ ଡିଜେଲ୍ ଚାଳିତ ପାଣି ପମ୍ପ୍ କଦବା କାହାର ଥାଏ | ଯୋଗକୁ ଆମର କିର୍ଲୋସ୍କର ପାଣି ପମ୍ପଟିଏ ଥାଏ | ଲୋକଙ୍କର ଗୁଡାଏ ଜମିକୁ ଆମ ଗାଁ ରେ ମାତ୍ର ଦୁଇଟି ପମ୍ପ୍ | ତେଣୁ ଚବିଶ ଘଣ୍ଟାରୁ ଦି ଘଣ୍ଟା ବିଶ୍ରାମ ଦେଇ ପମ୍ପ୍ ରେ ପାଣିମଡା କାର୍ଯ୍ୟ ଚାଲିଲା | ସମସ୍ତେ ପାଳିକରି ପମ୍ପ୍ ପାଖରେ ରହନ୍ତି | ନଈ ହୁଡାକୁ ଲାଗି ଆମ ବିଲମୁଣ୍ଡରେ ପମ୍ପ୍ ରହିଥାଏ ଓ ଦୂରକୁ ପହଣି କରି ପାଣି ଛଡାଯାଉଥାଏ | ପାଖରେ ହୁଡା ଉପରେ ପାଲ ଟଣାଯାଇ କୁଡିଆଟିଏ ତିଆରି ହୋଇଥାଏ | ଯାବତୀୟ ଚାଷ ଉପକରଣ ସହ ଡିଜେଲ୍ ଭର୍ତି ଜାର୍କିନ୍ ରହିଥାଏ | 

ମାର୍ଗଶୀର ମାସିଆ ଶୀତୁଆ ସନ୍ଧ୍ୟା | ନନା କହିଲେ, " ତୁ ଟିକେ ପମ୍ପ୍ ପାଖରେ ରହିଥା, ମୁଁ ଅାଉ ବନା ( ଆମ ବିଲ ପାଖ ବିଲ ବାଲା, ମୁଁ ତାଙ୍କୁ ବନା ମାମୁଁ ବୋଲି ଡାକେ ) ଖାଇକରି ଗୋରୁଙ୍କୁ ଖାଇବାକୁ ଦେଇ ସାରି ବେଇଗି ଆସିବୁ ଭାରି | ତାପରେ ସେମାନେ ଘରକୁ ଚାଲିଗଲେ |   

ସଂଜ ଗଡି ରାତିହେଲା | ଆକାଶରେ ଅଧାଳିଆ ମଇଳା ଜହ୍ନ ଅନ୍ଧାରକୁ ସମ୍ପୂର୍ଣ ଦୂରେଇବାକୁ ଅଯଥା ପ୍ରୟାସ କରୁଥିଲା | ମୁଁ ସେ ଦିଗନ୍ତ ପ୍ରସାରୀ ବିଶାଳ ଗହୀରର ଏକମାତ୍ର ଅଧୀଶ୍ୱର ଥିଲି | ମଝିରେ ମଝିରେ ନୀରବତାକୁ ଭଙ୍ଗକରି ଦୂରରୁ କେବଳ ଶୃଗାଳର ଚିତ୍କାର ହିଁ ଶୁଭୁଥିଲା |

ସରୁଆ ନଈଟିର ମଝିରେ ପାଣିର ଧାର | ଦୁଇକୂଳରେ କିଛି କିଛି ହୁଡାତଳେ ସମତଳ ଶୁଖିଲା ପସର ଥାଏ | କିଆବୁଦା ଗୁଡିକ ସେଠି ମୁଣ୍ଡଟେକି ନିଜର ସ୍ଥିତି ଜାହିର କରୁଥାନ୍ତି | ମୁଁ ଅନୁମାନକଲି ରାତି ପ୍ରାୟ ଆଠଟା ଖଣ୍ଡେ ହେବ | ନନା ହେରିକା ତଥାପି ଫେରିନଥିଲେ | ମୁଁ ସେ ହୁଡା ଉପରେ ଏପଟ ସେପଟ ହେଉଥାଏ |

ହଠାତ୍ ନଈ ଭିତରୁ ବିଲୁଆ ମାନଙ୍କର ମିଳିତ ଚିତ୍କାର ସହିତ ସଂଘର୍ଷର ଶବ୍ଦ ଶୁଣି ମୁଁ ଚମକିପଡିଲି | ନଈ ଭିତରଟା ଆଂଶିକ ଅନ୍ଧାର ଥିଲା | ମୁଁ ଘଟଣାଟା ଜାଣିବା ପାଇଁ ନଈ ଭିତରକୁ ଟର୍ଚ୍ଚମାରି ଯାହା ଦେଖିଲି ମୋ ଦେହ ଥରିଗଲା ଭୟରେ | ଟର୍ଚ୍ଚର ତୋଫା ଆଲୁଅରେ  ଦେଖିଲି ଗୋଟେ କଳା ମଚ ମଚ ଡେଙ୍ଗା ମଣିଷର ଫୁଙ୍ଗୁଳା ଦେହର ଅଣ୍ଟାଠୁ ଉପରକୁ ଦେଖାଯାଉଛି | ବାକି ଅଂଶ ମାଟିଭିତରେ ପୋତିହୋଇ ରହିଛି | କାଳିଆ ଗୋଡର ଧୋବଲା ପାଦ ତଳିପା ଦୁଇଟା ଟର୍ଚ୍ଚ ଆଲୁଅରେ ସ୍ପଷ୍ଟ ଦେଖାଯାଉଥିଲା | ଚାରି ଛଅଟା ବିଲୁଆ ମୁର୍ଦ୍ଦାରଟାକୁ ଅଧା ମାଟି ଭିତରୁ ଟାଣିଆଣିଛନ୍ତି ଖାଇବେ ବୋଲି | ତେଣୁ ତାଙ୍କ ଭିତରେ ସଂଘର୍ଷ ଲାଗିଛି ନିଜର ଏକଚାଟିଆ ଅଧିକାରର ସାବ୍ୟସ୍ତ ନେଇ | ଟର୍ଚ୍ଚ ଆଲୁଅ ପଡିବାପରେ ସେମାନେ ଟିକେ ପଛକୁ ଘୁଞ୍ଚିଯାଇ ମୋ ଆଡକୁ ଚାହିଁ ରହିଥିଲେ | ଟର୍ଚ୍ଚ ଆଲୁଅରେ ତାଙ୍କର ଆଖି ଗୁଡିକ ଜଳୁଥିଲା |

ମୁଁ ଟିକେ ଭୟପାଇ ପଛକୁ ଦି ତିନି କିଆରି ଘୁଞ୍ଚିଆସିଲି | ମୋ ଛାତିଟା ଧଡ୍ ଧଡ୍ କରୁଥାଏ ହାତୁଡି ବାଡେଇଲା ପରି | କିଛି ସମୟପରେ ଦୂରରୁ ଟର୍ଚ୍ଚ ଆଲୁଅ ଦେଖାଗଲା | ମୁଁ ଜାଣିଲି ଯେ ନନା ହେରିକା ଆସୁଛନ୍ତି | ଯାହାହେଉ ମନଟା ଟିକେ ଦମ୍ଭ ହେଲା | 

ନନା ଏବଂ ବନା ମାମୁଁ ମୋ ପାଖରେ ପହଞ୍ଚିବାପରେ ମୁଁ ତାଙ୍କୁ ସବୁ ଘଟଣା କହିଲି | ନନା କହିଲେ, " ଆରେ ଦେଖିଲ ! ସକାଳେ କବାରି ସାହିର ପୁରିଆଟା ମରିଗଲା | ତାକୁ ତେବେ ଏଇଠି ପୋତିଦେଇଛନ୍ତି | ତୁ ଡରିନୁ ତ "? ମୁଁ କହିଲି "  ନା " | ତାପରେ ମୁଁ ଘରକୁ ଚାଲିଆସିଲି | ବାଟ ସାରା ପୁରିଆର ସେ କଳା ମଚ ମଚ ଲଙ୍ଗଳା ଗୋଡ ଦୁଇଟାର ସଫେଦ ତଳିପା ଦୁଇଟା ମୋ ଆଖି ଆଗରେ ନାଚିଉଠି ମୋ ମନରେ ଆଂଶିକ ଭୟ ସଂଚାର କରୁଥିଲା |

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା 

0 Comments