Information

କ୍ଷୁଦ୍ରଗଳ୍ପ - ଶେଷ ଗୁରୁବାର - ପରମିତା ମିଶ୍ର


ରାତି କଣେ ନ ପାହୁଣୁ ଆଜି ବୋଉ ମତେ ଉଠେଇ ସାରିଲାଣି । ମାଣବସା ଗୁରୁବାର ଆଜି । କେତେ କାମ ଅଛି । ବୋଉ କାନେ କାନେ କହୁଛି ସବୁ ଦେଖିକି ଶିଖୁ ଥା।ଆର ବରଷ କୁ ତୋ ଘରେ କରିବୁ । ନାକ ସୁଁ ସୁଁ କରି କହୁଥିଲା । ହୁଣ୍ଡି ଟା କିଛି ଜାଣୁନି କେମିତି କରିବ କଣ।ମୋର ଆଖି ମଡେଇ ପଡୁଥାଏ । ମୁଁ ଆର ବର୍ଷ କୁ ଶାଶୁ ଘରେ ଏସବୁ କରିବି ? ନା ରେ ବାବା କହି ମୁଁ ପୁଣି କମ୍ବଳ ଭିତରେ ପଶିଗଲି। ଦେଠେଇ, ବୋଉ କୁ କହିଲେ ତାକୁ ଶୋଇବାକୁ ଦେ ଲୋ। ଆଉ କିଛିଦିନ ଟିକେ ଶାନ୍ତିରେ ଶୋଉ । ବୋଉ, ଖୁଡୀ, ଦେଠେଇ ସବୁ ମିଶି ଜାତି ଜାତିକା ପିଠା ପଣା ବନେଇଲେ। ନାନା ପ୍ରକାର ଧୁପ ଦୀପରେ ଘର ମହମହ ବାସୁଥିଲା । ହୁଳହୁଳି ରେ କମ୍ପୁଥିଲା ଚତୁର୍ଦିଗ।କିଛି ସକାଳ ହେଲା ପରେ ଆମେ ସବୁ ବି ଉଠି ଗଲୁ । ଟିଭି ରୁ ଲକ୍ଷ୍ମୀ ପୁରାଣ ଶୁଭୁଥିଲା । ଝୋଟି ଉପରେ ଗେଣ୍ଡୁ ଫୁଲ ରଖିବା ମୋ କାମ । ଏରୁଣ୍ଡି ବନ୍ଧ ରେ ଝୋଟି ଦେବା ବି ମୋର। ଝୋଟି ପକେଇବା ରେ ମୋର ଭାରି ସରାଗ । ବୁଧବାର ରାତି ଅଧଯାଏଁ ମୁଁ, ମୋ ମିତ ରାନୁ ମିଶି ଝୋଟି ପକେଇଚୁ । 

ଅଁଳା, ହଳଦୀ ଲଗେଇ, ମୁଣ୍ଡ ଧୋଇ, ଗାଧୁଆ ପାଧୁଆ ସାରି ମୁଁ ‌ସବୁ ଝୋଟିରେ ଫୁଲ ରଖି ଆସିଲି । ବାଳ ଭୋଗ ପରେ ଆମେ ସବୁ ଜଳଖିଆ ଖାଇଲୁ । ତା ପରେ ରୋଷେଇ ରେ ଢେର୍ ଜିନିଷ ରନ୍ଧା ହେଲା । କ୍ଷୀର, ସର ପୁଳି, ନାନା ତିଅଣ ସାଂଗରେ କେତେ ପ୍ରକାରର ଭଜା, ଖେଚୁଡି ଭୋଗ ଆଉ ନୁଆ ଚାଉଳ, ଶାଗ, ପଣା ଓ ଛେନା ପୋଡ଼, ସାଙ୍ଗକୁ ରସଗୋଲା ର ପ୍ରସାଦ ଲଗା ଗଲା । ଆମେ ବଡ ଉତ୍ସୁକତା ରେ ଅପେକ୍ଷା କରି ବସିଥିଲୁ ଖରା ବେଳ ଭୋଜନ ପାଇଁ । ଠାକୁରାଣୀଙ୍କୁ ଭୋଗ ଲାଗିଲା ତାପରେ କିଛି ସମୟ  ଠାକୁର ଘର କବାଟ ବନ୍ଦ କରି ଦିଆଗଲା । ତାପରେ ଆମେ ସବୁ ଖାଇବାକୁ ଗଲୁ । ଆମେ ସମସ୍ତେ ଖାଇଲା ବେଳକୁ ଜେଜେ ଆସି ମୋ ମୁଣ୍ଡ ରେ ହାତ ବୁଲାଇ କହିଲେ ଭଲ କି ଖାଇଦେ ଆର ବର୍ଷକୁ କେଜାଣି କୋଉଠି ଥିବୁ । ଏ ଘରେ ତୋର ଶେଷ ମାଣବସା । ମୋ ବୋଉ  "ମୋ ଝିଅ" କହି ଭେଁ କରି କାନ୍ଦି ପକାଇଲା ମୋର ଅଜାଣତରେ ମୋ ଆଖିରୁ ବି ଦୁଇ ଟୋପା ଲୁହ ଝରି ଯାଇଥିଲା । ମୁଁ କିନ୍ତୁ ଏତେ ଭଲ ଖାଇବାକୁ ବ୍ୟର୍ଥ କରିବାକୁ ଚାହୁଁନଥିଲି । 

ଖାଇବା ସରିଲା ପରେ ଛାତ ଉପରେ ବୁଲୁଥିଲି ତ ନଜର ପଡିଲା ରାନୁ ମୋ ମିତ ତା'ଘର ଛାତ ଉପରେ ବସିଛି ଏକା ଏକା । ପାଖକୁ ଯାଇ ଦେଖେତ ମୁହଁ ଟା ଶୁଖିଯାଇଛି । ମୁଁ ପଚାରିଲି ମିତ କଣ ହେଇଛି ମୋ ରାଣ, ସତ କହ।ମିତ କହିଲା ଜାଣିଛୁ ଝିଅ ମାନଙ୍କର କାଳେ କିଛି ଗୋତ୍ର ନଥାଏ । ଯୋଉ କୁଳକୁ ବାହା ହୋଇ ଯାଆନ୍ତି ସେଠିକା ହୋଇ ଯାଆନ୍ତି । କିନ୍ତୁ ମୁଁ ଏବେ କୋଉ କୁଳର ନୁହଁ । ତଳେ ସବୁ ଭୋଗ ଖାଉଛନ୍ତି ମତେ ବୋଉ ଉପରେ ବସିବାକୁ କହିଚି । ପରେ ଖାଇବି । ମୋ ମୁଣ୍ଡରେ କିଛି ପଶୁ ନଥିଲା । ସେ ଆଉ କିଛି କହିଲା ବେଳକୁ ପଛ ପଟୁ ଜେଜେମାଆ ରଡି ପକେଇଲେ । ବାଡୁଅ ଝିଅଟା ଦେଖୁନୁ କା ପାଖରେ ବସିଛି ଆସୁଛୁ ନା ଘରକୁ । ମତେ ଆଖି ଦେଖେଇ କହିଲେ ତତେ କେତେ ଥର ମନା କଲିଣି ସେଇଟା ଅଲକ୍ଷଣୀଟା, ଗେରସ୍ତକୁ ଖାଇଛି, ତୁ ବାଡୁଅ ହେବୁ, ତା ପାଖକୁ ଯାଆନି ।  ମୁଁ ଜେଜେମା ଖତେଇ ହେଇ ଆସି ଗଲି । ମୁଁ ଫେରି ତ ଆସିଲି କିନ୍ତୁ ରାନୁ ର କଥା ମୋ ମନ ରେ ଚାଲି ଥିଲା । କାଲି ଠୁ ଏପର୍ଯ୍ୟନ୍ତ ରାନୁ ଘର ର ସବୁ କାମ କଲା । ଝୋଟି ପକା ଠୁ ନେଇକି ଭୋଗ ବନେଇବା ଆଉ ବାଢ଼ିବା ଯାଏଁ । ଆଉ ଭୋଗ ଖାଇଲା ବେଳକୁ ରାନୁ ହିଁ ଖାଇବନି । ଘର ର ଝିଅ କେମିତି ଏତେ ପର ହେଇ ପାରିବ !

ସନ୍ଧ୍ୟା ବେଳକୁ ସନ୍ଧ୍ୟା ଆଳତି ହେଲା ତା ସାଙ୍ଗକୁ ସନ୍ଧ୍ୟା ଭୋଗ ଲଗିଲା । ବୋଉ ମତେ ଲକ୍ଷ୍ମୀ ପୁରାଣ ପଢିବାକୁ କହିଲେ । ମୋ ମନ ଟିକେ ଭାରି ଥିଲା କିନ୍ତୁ ମୁଁ ପଢିଲି । ଜେଜେ ମାଆ, ବୋଉ ଦେଠେଇ, ଖୁଡି ସମସ୍ତେ ମୋ ଆଗରେ ବସିଗଲେ । କଥା ଶୁଣୁ ଶୁଣୁ ମଝିରେ ମଝିରେ ହୁଳହୁଳି ବି ଦେଉଥିଲେ । କଥା ସରିଲା । ଜେଜେମାଆ ଥଟା କରି କହିଲେ ଯୋ ଯାଏଁ ହାଣ୍ଡିଶାଳ ମାଇପ ହାତରେ ଅଛି ଗେରସ୍ତ କାନିରେ ରହିବ ଯାଣିଥା ।" ହୁଣ୍ଡି ଲୋ ଭଲକି ରାନ୍ଧି ଶିଖେ" ବୋଲି ମତେ କହି ଚାଲିଗଲେ । 

ସମସ୍ତେ ଗଲା ପରେ ମୋ ବୋଉ ମନ ଦୁଃଖ ରେ ବସିଥାଏ । ମୋ ବୋଉ ର କୋଳ ରେ ମୁଣ୍ଡ ରଖି ସେଇଠି କିଛି କ୍ଷଣ ଗଡି ଗଲି । ବୋଉ ବହୁତ୍ କିଛି ବୁଝାଇ କହୁଥିଲା ଏମିତି କରିବୁନି, କାହାକୁ ଜବାବ୍ ଉତ୍ତର ଦେବୁନି । ମୋ ମନରେ କିଛି ପ୍ରଶ୍ନ ଆସୁଥିଲା, ପଚାରିଲି ବୋଉ ତୁ ଶୁଣିଲୁ ନା ଲକ୍ଷ୍ମୀ ପୁରାଣରେ ବରଦାନ ରେ ସବୁଠି ପୁଅ ହିଁ ମାଗିଛନ୍ତି । ଲକ୍ଷ୍ମୀ ମାତା ନିଜେ ସ୍ତ୍ରୀ ହୋଇ ଶ୍ରିୟା କୁ କନ୍ୟାରତ୍ନ ଭବ କହି ନାହାଁନ୍ତି । କେହି ମାଗି ନାହାନ୍ତି ମୋତେ ସହେ ଲକ୍ଷ୍ମୀ ପରି କନ୍ଯା ଦିଅ । କଥା ମଝିରେ ବୋଉ କହିଲା ହଁ ଯେ ଆମର କିନ୍ତୁ ଝିଅ ଆମକୁ  ଭାରି ପ୍ରିୟ । ଏସବୁ କଥା ମନରେ ପୁରାନି । ମୁଁ ପୁଣି ପଚାରିଲି ପୁରାଣ ରେ ଏମିତି କାହିଁକି ଲେଖା ହେଲା ବୋଉ ଯେ "ବିଭା ହେଲା ଝିଅଙ୍କୁ ବି ସୁଧା ନଦେବଇଁ ।" ବିଭା ହେଲା ପରେ ମୁଁ କଣ ଏତେ ପର ହୋଇଯିବି  ଯେମିତି ତୋର କେବେ କୌଣସିି ଝିଅ ନଥିଲା । ବୋଉ ସକସକ ହୋଇ କହିଲା ତୁ କଣ କହୁଛୁ । କାହିଁକି ଏସବୁ କହୁଛୁ ଲୋ।

ମୁଁ କହିଲି ଆରବର୍ଷକୁ ଯଦି ମୁଁ ଆମ ଘର ଗୁରୁବାର ପ୍ରସାଦ ମାଗିବି ତୁ ମତେ ଆଉ ଦେବୁନି ? 

ବୋଉ ମତେ ଧରି କହିଲା ସେ ଯୁଗ କଣ ଆଉ ଅଛି କି ଲୋ ଝିଅ । ତୁ ମୋ ଝିଅ ଥିଲୁ ଆଉ ସାରା ଜୀବନ ରହିବୁ । ବାହା ହେଲା ପରେ ତୁ ସେ ଘରର ଲକ୍ଷ୍ମୀ ହେବୁ । ଘରର ଲକ୍ଷ୍ମୀ ସାଆନ୍ତାଣୀ  ଶାଶୁ ଘରେ ହିଁ ଶୋଭା ପାଏ । ସେଠି କା ପ୍ରସାଦ ଉପରେ ତୋର ସବୁଠୁ ବଡ ଅଧିକାର ହେବ । ବୁଝିଲୁ ! 

ବାପା ହାତରେ ପରିବା ବ୍ୟାଗ୍ ଟାଏ ଧରି ଆସୁଥିଲେ, ପାଖରେ ବସି କହିଲେ ବାକି ରହିଲା ଲକ୍ଷ୍ମୀପୂଜାର ପ୍ରସାଦ କଥା, ତୁ କେତେ ଦୂରରେ ରହିବୁ ଯେ ! ତୋ ବୋଉ ନଦେଲେ ବି ସମାଜ ର ସବୁ ନିୟମ ଭାଙ୍ଗି ତୋ ବାପା ତତେ ପ୍ରସାଦ ଦେବ । ବାପା ଆଲିଙ୍ଗନ କରୁ କରୁ ମତେ ଧିରେ କି କହିଲେ ରାନୁ ପାଇଁ ଭଲ ପ୍ରସ୍ତାବ ଟେ ଅଛି । ମୁଁ ଆଜି ତା ବାପା ସହ କଥାହେବି । ମତେ ଟିକେ ଆଶ୍ବସ୍ତ ଲାଗିଲା ମିତ ପାଇଁ । ଏତେ ଭଲ ବାପା, ମାଆଙ୍କୁ ପାଇ ଇଁ ମାଆ ଲକ୍ଷ୍ମୀ ଙ୍କ ଆଭିମୁଖ୍ୟ ହାତ ଟେକିଲି । ମୋ ବାପା, ମାଆ ଓ ଭାଇମାନେ ସାରା ଜୀବନ୍ ସୁଖ ରେ ରୁହନ୍ତୁ ବାସ୍ । ଏଇମିତି ମୋ ବାପାଘରେ ମୋ ଜୀବନର ଶେଷ (ବୋଧେ) ମାଣବସା ଗୁରୁବାର ଟି କଟିଗଲା ।

ପରମିତା ମିଶ୍ର, ଆମ୍ବପୁଆ, ବ୍ରହ୍ମପୁର 

Post a Comment