ରେ ଜୀବନ - ନାରାୟଣ ଚନ୍ଦ୍ର ସେନାପତି

ରେ ଜୀବନ - ନାରାୟଣ ଚନ୍ଦ୍ର ସେନାପତି


ମାତୃଗର୍ଭେ ଯେବେ ହେଉ ଅଙ୍କୁରୋଦଗମ
ଅସୁମାରୀ ଆଶା ଭରୁ ହୃଦୟରେ
ଯେବେ ବି ହେଉ ଭୂମିଷ୍ଠ ଦିବ୍ୟ ଶରୀରରେ
ଏନ୍ତୁଡିଶାଳର ନିଆଁ ଖିଲିଖିଲି ହସୁଥାଏ
ଚତୁର୍ଦିଗେ ଭରିଦେଇ ଆନନ୍ଦର ଜୁଆର॥
ରେ ଜୀବନ
ସୁନ୍ଦର ତାଜମହଲ ଗଢିବାକୁ ପ୍ରତିକ୍ଷଣେ ଅାଶା
ଭେଟୁ ଯେବେ ଦୁଃଖ ସାଥେ
ସଙ୍ଘର୍ଷ କରୁ ମାତ୍ର କରୁ ସନ୍ଧି
ଛନ୍ଦିହୋଇ କେତେ ଯେ ବୁଢିଆଣୀ ଜାଲରେ
ନିଜକୁ ବୋଧକରୁ ଉପଲବ୍ଧି କରୁ
ଜୀବନ ସୁଖ ଦୁଃଖର ମିଶ୍ରଣ
ହସ ଲୁହର ସଙ୍ଗମ
ନିନ୍ଦା ପ୍ରଶଂସାର ମିଳନ
ବିପଦ ଆପଦର ଆକର୍ଷଣ ବିକର୍ଷଣ
ବିଧିର ବିଧାନକୁ ବୃଥା କରି ପ୍ରତ୍ୟାହାର॥
ରେ ଜୀବନ
ତୁ ମାୟାମୋହ ବନ୍ଧନରେ ବାନ୍ଧୁ ନିଜକୁ ଓ ଅନ୍ୟେ
ଗର୍ବ ଅହଙ୍କାରେ ସଜାଉ ସ୍ୱାର୍ଥପର
ପାଇବାକୁ କ୍ଷମତା ପ୍ରଶଂସା
କେବେ ଜାଳୁ ପ୍ରତିହିଂସା ବହ୍ନି
କେବେ କପଟତାର ଜ୍ୱଳନ୍ତ ସବିତା
ବୁଝିଯାଉ ଯେବେ
ଏ ଜୀବନ ଅଢେଇ ଦିନର ଅବଧି
ବଦଳିଯାଉ ଚଣ୍ଡାଶୋକରୁ ଧର୍ମାଶୋକ
 ଦସ୍ୟୁ ରତ୍ନାକରରୁ  ତପି ବାଲ୍ମିକୀ
କରୁ ତପ ଜପ ସାଧନା
ଅନ୍ତରେ ଜାଗ୍ରତ କରି ଦିବ୍ୟ ଚେତନା
ସଂସାର ମଙ୍ଗଳେ କରୁ ସଂଯୋଜିତ॥
ରେ ଜୀବନ
ବିଫଳତା ଯେବେ ଆସେ ତୋର ସାଥେ
କାନ୍ଦେ ତୋ ପ୍ରାଣ
ତଥାପି କେହି ଉତ୍ସାହିତ କରେ
ରଖିବାକୁ ଆତ୍ମବିଶ୍ୱାସ
ମନ କରି ଦୃଢ ଶକ୍ତ ମାର୍ଜିତ
ସଫଳତାର ଚୁଡା ପହଞ୍ଚୁ ଅଚିରେ ॥
ରେ ଜୀବନ
ଯେତେବେଳେ ଜଳେ ତୋ ଚିତା  ମଶାଣିରେ
ଝରାଇ ଆତ୍ମୀୟଙ୍କ ନୟାନାଶ୍ରୁ
ଲେଖି ଆତ୍ମଜୀବନୀ ଅଭୁଲା ସ୍ମୃତିରେ
ପରଲୋକରେ ତୋ ଆତ୍ମା କହେ
ସରିଗଲା ମୋ ଅଢେଇ ଦିନର ସ୍ପନ୍ଦନ
ରେ ଜୀବନ.....
ଏ ପରା ଥିଲା ଏକ ମିଛ ସପନ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments