Information

କ୍ଷୁଦ୍ରଗଳ୍ପ - ମୋ ବୋଉ ସହ ପିଲାଦିନ - ନାରାୟଣ ଚନ୍ଦ୍ର ସେନାପତି



ସମୟ ସକାଳ ସାଢେ ନଅଟା । ଆଲାରାମ୍ ଘଣ୍ଟାଟା ଗର୍ଜିଉଠି ସୂଚେଇଦେଲା ମୋତେ ଅଫିସ୍ ବାହାରିବାକୁ । ଡାଇନିଂରେ ବସି ଅପେକ୍ଷା କଲି ସ୍ୱପ୍ନାର ସ୍ୱପ୍ରସ୍ତୁତ ସୁଆଦିଆ ଖାଦ୍ୟକୁ । ଡାକିଲି..ଏ ସ୍ୱପ୍ନା ସମୟ ହୋଇଗଲା ଯେ.. ଖାଇବାକୁ ଆଣ । ଗମ୍ଭୀର ଉତ୍ତର ଯାହା ପାଇଲି ତାହା କାନ ଶୁଣିବାକୁ ଚାହୁଁ ନ ଥିଲା । ମୁଁ ପରା ଡେରିରେ ଉଠିଲି...କିଛି ପ୍ରସ୍ତୁତ ହୋଇନି..ହୋଟେଲ୍ ରେ ଖାଇଦେବ । ଆଉ ଟିଫିନ୍ ହୋଇଛି ନେବା ପାଇଁ ? ...ତା ଉତ୍ତରରେ ପାଇଲି.ଅଫିସ୍ ପିଅନ ହାତରେ ମଗେଇ ଖାଇନେବ..ମୁଁ କରିନି । କାନ୍ଥ ଘଣ୍ଟାକୁ ଚାହିଁଲି..ତା ଟିକ୍ ଟିକ୍ ଶବ୍ଦ ଯେମିତି ଆହ୍ୱାନ କରି କହୁଥିଲା ଠିକ୍ ସମୟରେ ଅଫିସ୍ ପହଞ୍ଚିବାକୁ ।

ନିତିଦିନିଆ ପ୍ରିୟ ବାହାନ ହୁଣ୍ଡାଗାଡିଟାକୁ ଧରି ହେଲମେଟ୍ ଲଗାଇ ଚାଲିଲି..ଆଗକୁ । ମନେ ପଡିଲା ପିଲାଦିନ କଥା । ସ୍କୁଲ ପଢିଲା ବେଳେ ସକାଳ ନଅଟା ହେଲେ ମୋ ବୋଉ ମୋତେ ତରବର କରୁଥିଲା..କହୁଥିଲା ଶୀଘ୍ର ଗାଧୋଇ ଖାଅ। ଗାଧୋଇ ଆସିବା ପୂର୍ବରୁ ଆସନ ପକାଇ ଖାଇବା ଜିନିଷ ବାଢି ବସିଥାଏ ମୋତେ ଅନେଇ । ପାଖରେ ବସି ଖୁଆଇ ଦିଏ ବଳେଇ ବଳେଇ । ବ୍ୟାଗ୍ ଧରି ବାହାରିଲା ବେଳେ ସରାଗରେ ତିଆରି କରିଥିବା ତା ସୁଆଦିଆ ଜଳଖିଆ ଦେଇ କହେ..ଖାଇଦେବୁ ଧନ । ଏହା ଭିତରେ ପ୍ରଧାନ ହୋଟେଲ୍ ପାଖରେ ପହଞ୍ଚି ଦେଖିଲି ହାଉସ୍ ଫୁଲ୍, କେତେକ ବି, ଅପେକ୍ଷାରତ ଚେୟାର ପାଖରେ ବଗ ମାଛ ଜଗିଲାପରି । ଭାବିଲି ଅପେକ୍ଷା କଲେ ଅଫିସ୍ ଠିକ୍ ସମୟରେ ପହଞ୍ଚିପାରିବିନି । ମନେ ପଡିଲା ମୋ ବାପାଙ୍କ ପିଲାଦିନର ଉପଦେଶ-ଜଣେ ଅସମୟାନୁବର୍ତ୍ତୀ ଲୋକକୁ କେହି ସମ୍ମାନ ଦିଅନ୍ତି ନାହିଁ । ନୀତି ଆଦର୍ଶର ରାଜରାସ୍ତାରେ ଭାଳିଭାଳି ଚାଲିଲି..ପହଞ୍ଚିଗଲି ଅଫିସ୍ ରେ।ଅଫିସ୍ କାମରେ ନିଷ୍ଠାର ସହ ନିମଜ୍ଜିତ ହେଉହେଉ ଖାଇବା କଥା ପୁରା ଭୂଲିଗଲି । ଏ ଭିତରେ ଭୋକରେ ପେଟ କମ୍ପିଉଠିଲା, ମନେ ପଡିଲା ବୋଉର କଥା । ବାପାରେ ଖୋଲାପେଟ ରଖିବୁ ନାହିଁ..କେତେ ରୋଗ ମାଡିବସିବ...ପୁଣି ବି ତା କଥା ବାହାରର ଦୂଷିତ ଖାଦ୍ୟଠୁ ଯେତେ ଦୂରେଇ ରହିବୁ,ଦେହପାଇଁ ସେତେ ଭଲ । ପିଅନକୁ ଡାକି ପାଉରୁଟି ଓ ବିସ୍କୁଟ ମଗାଇଲି । ମଧ୍ୟାହ୍ନରେ ଖାଇ ପୁଣି କାମରେ ଲାଗିଲି ।

ଅପରାହ୍ଣ ଚାରିଟା । ମନରେ ଅନେକ ଉତ୍କଣ୍ଠା ଘରେ ଶୀଘ୍ର ପହଞ୍ଚିବି ଆଉ ସ୍ୱପ୍ନା ଆଗ୍ରହରେ କରିଥିବା ଖାଦ୍ୟ ଖାଇବି । ବାଟରେ ଗାଡି ଚେକିଂ । ପହଞ୍ଚୁ ପହଞ୍ଚୁ ସାଢେ ପାଞ୍ଚ । ସଙ୍ଗେ ସଙ୍ଗେ ସ୍ୱପ୍ନାର ପ୍ରଶ୍ନ ବାଣ ମୋ ପାକସ୍ଥଳି ଓ ହୃତପିଣ୍ଡକୁ କ୍ଷତାକ୍ତ କରିଦେଲା । ତୁମର କ'ଣ ଏବେ ଅଫିସ୍ ଛୁଟି ହେଉଛି । କହିଥିଲି ଡେନିକ୍ସ ଓ ରୁପମ୍ କ୍ରିମ୍ ଆଣିଛ କି ? ଜାଣିଛି ପରା, ଭୋଳାମନ, ଆଣି ନ ଥିବ । ପଚାରିଲି ଆରେ ସ୍ୱପ୍ନା ଖାଇବାକୁ ଆଣ । ଖୁବ୍ ଜୋର୍ ରେ ଭୋକ ଲାଗୁଛି ଯେ । ହୋଟେଲ୍ ରେ ଖାଇଥିବ..ପୁଣି ଏତେ ଭୋକ ହେଉଛି, ସ୍ୱପ୍ନାର ତୀକ୍ଷଣ କଥା ଗୁଡିକ ସତେ ଯେମିତି ବକ୍ଷ ବିଦାରିଦେଲା । ତରକାରୀଟା ହୋଇନାହିଁ.. ଟିକେ ଶୋଇପଡିଥିଲି ତ ? ମନେପଡିଲା ମୋ ପିଲାଦିନ ସ୍କୁଲ୍ ଫେରନ୍ତା ଘଟଣା । ସ୍କୁଲ୍ ଫେରିଲା ବେଳକୁ ମୋ ବୋଉ ଦୁଆର ମୁହଁରେ ଚାହିଁଥାଏ । ଆସିଲା ପରେ ଆସନ ପକାଇ, ଖାଇବା ବାଢି, ତରବର କରେ ଖାଇବାକୁ । କିଛି କଥା କହିବାକୁ ଆରମ୍ଭ କଲେ ସେ କହେ, ଆରେ ଆଗ ଖାଇଦେ ମୋ ଧନ ଖାଇସାରିଲା ପରେ ଯାହା କହିବୁ।ଖାଉ ଖାଉ ତାଳକୁ ଉଠିଗଲେ ମୁଣ୍ଡ ପିଠି ଥାପୁଡେଇ ପାଣି ଗ୍ଲାସରେ ପାଣି ପିଆଇଦେଇ କେତେ ବ୍ୟସ୍ତ ହୋଇଯାଏ । ରାତିରେ ପାଠପଢୁଥିଲା ବେଳେ ଖାଇବାକୁ ଡାକେ । ମୁଁ ଯେବେ କହେ ବୋଉ ଟିକେଯାଉ- ପରେ ଖାଇବି । କହେ ନାଁ ରେ ଖାଇସାରି ପଢ।ଖେଳୁ ଖେଳୁ ପାଣି ପି' ଆସିଲେ ସେ କହେ, ଧନରେ କଦଳୀଟା ଖାଇଦେ.. ଆତଟା ଖାଇଦେ.. ମୋ ସାଥିରେ ଦି ଗୁଣ୍ଡା ଖାଇଦେ । ବୋଉ ଏବେ ପରା ଖାଇଥିଲି, ମୋ ପାଟିରୁ କଥା ଛଡେଇ କହେ  ଆରେ କେତେବେଳୁ ଖାଇଥିଲୁ ଆଉ କ'ଣ ପେଟରେ ଥିବ, ଖାଇଦେ ।

ବିଶ୍ଳେଷଣର ଅଭେଦ ଗଣିତଟା ଅସ୍ତବ୍ୟସ୍ତ କରୁଥାଏ ମୋ ମନକୁ । ତୁଳନା କରୁଥାଏ ଜନ୍ମକଲା ମା' ଆଉ ଆଧୁନିକ ପତ୍ନୀର ମଣିଷପଣିଆକୁ । ମନେପଡେ ମୋ ବୁଢୀମାର କଥା..ସନ୍ତାନର ପେଟର ଭୋକ କେବଳ ମା'ପରା ଜାଣିପାରେ ? ଖନାବଚନ ବି କାନରେ କହେ; ମା' ଆଉଁସେ ପେଟ...ସ୍ତ୍ରୀ ଅଣ୍ଡାଳେ ପକେଟ।ଆନୁଗତ୍ୟ..କୃତଜ୍ଞତା...ମଣିଷପଣିଆର ସଂଜ୍ଞା ମୁଁ ଖୋଜୁଥିଲି ମୋ ବିବେକର ଅଭିଧାନରେ।ଏ ସବୁକୁ ମୁଁ  ବ୍ୟାଖ୍ୟା କରୁଥିଲି ମୋ ପିଲାଦିନର ବୋଉର ବାତ୍ସଲ୍ୟ ମମତାର ସ୍ମୃତି ପ୍ରବନ୍ଧରେ । ଏତିକି ଭିତରେ ଅଝଟିଆ ଆଖିରୁ ଅମାନିଆ ଲୁହ ଦି ଟୋପା ଗଡିଆସିଲା । ପୁଣି ଅନୁଭବ କଲି ମୋ ବୋଉର ଅନୁପସ୍ଥିତି।ସେ ଥିଲେ ଆଖି ଲୁହ ତା ପଣତକାନିକୁ ଭେଦି କେବେ କ'ଣ ଧରିତ୍ରୀମାତାକୁ ଓଦା କରିଥାନ୍ତା ??? କହିଲି ଫେରିଆସନ୍ତାକି ମୋ ପିଲାଦିନ..ମୋ ବୋଉର ହାତରନ୍ଧା ଖିଆ, ତା ଭିତରେ ଶୃଙ୍ଖଳା- ସଂସ୍କାର- ନୀତି- ଆଦର୍ଶ ଓ ପ୍ରେରଣା ମୋତେ ପୁନର୍ଜୀବନ ଦିଅନ୍ତା ।

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ
ତେଲକୋଇ, କେନ୍ଦୁଝର, ପିନ୍-୭୫୮୦୧୯

Post a Comment