Information

କ୍ଷୁଦ୍ରଗଳ୍ପ - ଏକା ଏକା ନୀରବରେ - ସିମାଞ୍ଚଳ ରଣା


ଅସମାପ୍ତ ଅପେକ୍ଷାରେ ନିଦ୍ରାହୀନ ରାତି ଗୁଡ଼ିକ ଉପହାସ କରି, ଅଟ୍ଟହାସ୍ୟର ସୂର୍ଯ୍ୟଦୋୟରେ ଫେରିଯାଆନ୍ତି କୁକ୍କୁଟ ରାବରେ ଅଶ୍ରୁ ସମର୍ପିତ । କଡ଼ ଲେଉଟାଇ ଅସଜଡ଼ା କେଇ ପଦ ଉକ୍ତିକୁ କଲମରେ ବାସ୍ତବ ଭାବି ଉଲେଖ କରୁକରୁ,ସକାଳର ମୁଁହଧୁଆ ପାଣି ପାଇଁ ଆବଶ୍ୟକ ପଡେନା ନୋଟାଏ ପାଣି । ଅବଶ୍ୟ ଏ ଅମାନିଆ ଅଶ୍ରୁ ମୁନ୍ଦେ ଜଳର କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଏନି । ଫର୍ଦ୍ଦେ କାଗଜରେ ଅତୀତ ପୃଷ୍ଠାର ଇତିହାସ ରଚୁରଚୁ, ନିଷ୍କପଟ ଏ ବିଶ୍ଵଜିତଙ୍କ ମନ କୁହେ - ନା ସୁଲଗ୍ନା  ମୁଁ ଆଉ ଲେଖି ପାରୁନି ତୁମ ନାମରେ ପ୍ରେମର କବିତା କିମ୍ବା ବିରହର ଅସ୍ପଷ୍ଟ ଗାଥା । ତୁମେ ତ ମୋ ଭାବନା ସମୁଦ୍ରରେ ଥିଲ ଶବ୍ଦର ଉର୍ମିମାଳା । ତୁମେ ଆଜି ମୋ ପାଖରେ ନାହଁ, ରାତିର କଡ଼ଲେଉଟାରେ ଅପ୍ରସ୍ତୁତ ଆଲିଙ୍ଗନ ପାଇଁ । ତୁମେ ଆଜି ମୋ ପାଖରେ ନାହଁ ଓଠରେ ଚେନାଏ ହସ ହୋଇ । ସମୁଦ୍ର ବକ୍ଷରୁ ଶାମୁକା ଆବିଷ୍କାର ପରି, ଯେବେ ତୁମକୁ ଏ ଦୁନିଆରୁ ନିଜ ପାଖରେ ପାଇଲି, ସେତେବେଳେ ମୁଁ ହିଁ ଶ୍ରେଷ୍ଠ ଏକ ପ୍ରେମିକ ବୋଲି ଭାବିନେଇଥିଲି । ହେଲେ ବିଶାଳ ଜଳରାଶିରେ ଲୋଲୁପ ବାସୁକି ସମୁଦ୍ର ମନ୍ଥନ କରିବ, ଆଉ ମୋ ଭାଗ୍ୟରେ କେବଳ ବିରହ ଗରଳ ଥିବ ତାହା ମୋତେ ଅଜଣା ଥିଲା ।

ସମୟ ସକାଳ ଛ'ଅ ବେଡ଼ରୁମର ଠିକ ଦକ୍ଷିଣ ଦିଗକୁ ଝରକାଟିଏ ଅଛି, ଜୀବନ ଯନ୍ତ୍ରଣା ଭିତରେ ଯଦି କେବେ ଅଣନିଶ୍ୱାସୀ ହୋଇ ପଡନ୍ତି ବିଶ୍ଵଜିତ, ଏଇ ଝରକା ପଟେ ଥୁଣ୍ଟା ଆମ୍ବଗଛ କୁ ଦେଖି ନିଜ ଜୀବନର ମାନସାଙ୍କ କସନ୍ତି ସେ, ଆଉ କଲମକୁ ବାଧ୍ୟ କରନ୍ତି:- ଦେ ଲେଖିଦେ କେଇ ଧାଡ଼ି ଅଭୁଲା ଅତୀତର ବିସ୍ମୃତିର ଆବାହନି । ଗତ ରାତିରେ ବୋଧେ ଝରକାର ଖିଡିକି ଦେଇ ନଥିଲେ ସେ ତେଣୁ ସୂର୍ଯ୍ୟଦୋୟର ପୂର୍ବ ପ୍ରସ୍ତୁତିରେ ଝାପ୍ସା ଉଜ୍ଜ୍ୱଳ ଘର ଭିତରକୁ ପଶି ଆସିଛି । ଅତୀତ କୁ ଏମିତି ମନେ ପକାଉ ପକାଉ ମନେପଡ଼ିଗଲା ସେଦିନ ରାତିର କଥା ଭୟରେ ଥରି ଉଠିଲେ ବିଶ୍ଵଜିତ । ଶୀତ ସକାଳଟାରେ ବି ବିଶ୍ଵଜିତଙ୍କ କପୋଳ ଦେଶରେ ଅସଂଖ୍ୟ ଘର୍ମବିନ୍ଦୁ... । ବେଡରୁମର ଝରକା ପାଖରେ ଥିବା ଥୁଣ୍ଟା ଆମ୍ବଗଛଟା ଉପରୁ ଭାସି ଆସୁଥିବା ଡାମରାକାଉର କର୍କଶ ରାବ ଖୁବ ଅସହ୍ୟ ବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ । ହଠାତ ଟେଲିଫୋନର କ୍ରିଙ୍ଗ କ୍ରିଙ୍ଗ ଆବାଜରେ ନିଜକୁ ପ୍ରକୃସ୍ଥିତ କରିନେଲେ ବିଶ୍ଵଜିତ... । ଫୋନର ରିସିଭର କୁ କାନ ପାଖରେ ଦେଲେ ବିଶ୍ଵଜିତ ସେପଟୁ କେହିଜଣେ ଅପରିଚିତ କହିଉଠିଲେ:-

--ହେଲୋ ବିଶ୍ଵଜିତ,ଗୁଡ୍ ମର୍ନିଙ୍ଗ୍ ।
--ଶୁଭ ସକାଳ । କିଏ ? ଜାଣି ପାରିଲିନି ।
---ହା ହା ହା ହା କଣ ବନ୍ଧୁ ଭୁଲିଗଲେ ମୋତେ ।
---ନା ପରିଚୟ ଦିଅନ୍ତୁ ସ୍ୱରକୁ ସଠିକ ରୂପେ ଜାଣିପାରୁନି ।
---ଆରେ କଣ ଜାଣିପାରୁନାହାନ୍ତି ଯେ ? ମୁଁ ଅବନୀ କୁମାର କହୁଛି ଆଜି ପୁରୁଣା ଡ଼ାଇରୀ ରୁ କେଇ ପୃଷ୍ଠା କବିତା ଭିତରେ ତୁମ ନମ୍ବର୍ ଟି ପାଇଲି । ଭାବିଲି ଟିକେ ଫୋନ କରିଦେବି, ହେଲେ ଆପଣ ବି ମୋତେ ଚିହିଁ ପାରିଲେନି ।
---ନା ଅବନୀ ବାବୁ ଏ ସମୟର ଆମ୍ବୁସ ଭିତରେ ଥରେ ଫସିଗଲେ, ପାଖରେ କେବଳ ମୃତ୍ୟର ବିଭୀଷିକା ହିଁ ଜଣାପଡେ । ଅନ୍ୟ କିଛି ଜଣାପଡେନି...........
---ଆର ୟୁ ରାଇଟ ମିଃ.ମହାନ୍ତି?ହେଲୋ....ହେଲୋ....ମିଃ............... ।

ବିଶ୍ଵଜିତ ଫୋନ କାଟି ସାରିଥିଲେ କାହିଁକିନା କୁହୁଳି କୁହୁଳି ଥିବା ଏ ମନରେ ଆଜି ଲାଗିବ ପୁଣି ଏକ ଅଗ୍ନି ଯାହା ସ୍ମୃତି ନାମରେ ନାମିତ । ଠିକ ମନେଅଛି ବିଶ୍ଵଜିତଙ୍କର ସେଦିନ ଶବ୍ଦ ସବୁ ବାଟବଣା ହୋଇଥିଲେ, ସବୁଦିନ ପରି ଫୁର୍ତ୍ତି ନଥିଲେ ସେ ତେଣୁ ଟିକେ ପାହାଡ଼ ଉପର ଆଡକୁ ଯାଇ କିଛି ଶବ୍ଦ ଖୋଜିବାର ପ୍ରୟାସ କରିଥିଲେ ସେ । ଏଇ ଫରେଷ୍ଟ ଅଫିସ ପଛ ପଟେ ଶହେ ଦୁଇଶହ ଶାଗୁଆନ ଗଛ ଅତିକ୍ରମ କଲେ ପ୍ରଥମେ ଦୁଇଟି ବାଉଁଶ ବୁଦା ଏବଂ ପରେପରେ ମଙ୍କଡ଼ା ମାଟିର ପାହାଡ଼, ସମ୍ପୂର୍ଣ୍ଣ ପାହାଡ଼ଟି କାଜୁ ଗଛରେ ଭରପୁର । କିଛି ଗଞ୍ଜଡ଼ ମଦ୍ୟପ ଏହାକୁ ନିଜର ଆଡ୍ଡାସ୍ଥଳୀ ବନେଇଛନ୍ତି । ଗଞ୍ଜଡ଼ ମଦ୍ୟପ ହେଲେ ବି ସେମାନେ ଭଦ୍ର ଏଠି ସେମିତି କିଛି ଅପ୍ରୀତିକର ପରିସ୍ଥିତି ଉପୁଜେନି । ଏଠି ଛୋଟିଆ ଟୁଙ୍ଗିଟିଏ ମଧ୍ୟ ସେମାନେ ଗଢିଛନ୍ତି, ସନ୍ଧ୍ୟା ପାଞ୍ଚଟା ରୁ ରାତି ଆଠ ପର୍ଯ୍ୟନ୍ତ ଏଠି ନିଶା ମହୋଲ ରେ ଏମାନେ ହରେ କୃଷ୍ଣ ହରେ ନାମ ଏବଂ ଖୋଳ ଖଞ୍ଜଣିର ଅପୂର୍ବ ଆନନ୍ଦ କୁ ସଂସ୍କୃତି କହି ବଞ୍ଚେଇ ରଖିଛନ୍ତି ଏମାନେ । କେବେକେବେ ନିଶାରେ ପାଟିତୁଣ୍ଡ ବି କରନ୍ତି କିନ୍ତୁ ଗାଁ ପାଇଁ କୌଣସି ପ୍ରଭାବ ପଡେନି ୟାଙ୍କର ଦୌରାତ୍ମ୍ୟ । ପାହାଡର ଶୀର୍ଷରେ ବିଶ୍ଵଜିତ ଦୂରରୁ ଦେଖା ଯାଉଛି ସିର୍କୀ ନଦୀ ।  ବାସ୍ ଶବ୍ଦ ମିଳିଗଲା ଆଉ ଲେଖା ହେଲା କେଇଧାଡି ସଜଡ଼ା କବିତା । ରାତି ଅଧିକ ହେବା ଆଗରୁ କ୍ବାଟର ଅଭିମୁଖେ ଫେରିଆସୁଥିଲେ ବିଶ୍ଵଜିତ, ହଠାତ ଏକ ନାରୀର ଚିତ୍କାର ଶୁଣି ଅଟକିଗଲେ ସେ । କିଏ କାନ୍ଦୁଛି ? କେଉଁଠି ? ସେ ବାଉଁଶ ବୁଦା ଆଡ଼କୁ ଅଗ୍ରସର ହେଲେ ବିଶ୍ଵଜିତ । ଯାହା ଦେଖିଲେ ସେ ପାଦତଳ ମାଟି ଖସିଗଲା ତାଙ୍କର, ୟେ ଯେ ଜଣେ ଅନ୍ତସତ୍ତ୍ଵା ନାରୀ ପ୍ରସବ ବେଦନାରେ ଛଟପଟ । କଣ କରିବେ ? କାହାକୁ ଡାକିବେ ? କିଛି ଭାବିପାରିଲେନି ସେ । ମହିଳା ଜଣଙ୍କ ପାଖରେ ବସିଥିଲେ ସେ, ମହିଳା ଜଣକ କେତେବେଳେ ବିଶ୍ଵଜିତଙ୍କ ହାତକୁ ଜାବୁଡି ଧରିଛନ୍ତି ଜଣାନାହିଁ ତାଙ୍କୁ । ମନରେ ସାହସ ଭରି ପଚାରିଲେ ବିଶ୍ଵଜିତ:- କିଏ ଆପଣ ଆଉ ଏ ରାତିରେ ଏଠି ଏ ଅବସ୍ଥାରେ କିପରି ? ତୁମ ପରିଚୟ ଠିକଣା କେଉଁଠି କିଛି କୁହ । ପ୍ରସବ ବେଦନାକୁ ସତେ ଯେପରି ଜାଣିଶୁଣି ଅଟକାଇ ଦେଲେ ମହିଳା ଜଣଙ୍କ । ପରିଚୟ ଦେବା ବଦଳରେ ସେ କିନ୍ତୁ ଭିନ୍ନ ଏକ କଥା କହିଲେ....

--ମୋ ଛୁଆକୁ କେବେ ତା ବାପା ବିଷୟରେ କହିବେନି । ମୋ ଛୁଆକୁ ସେ ରାକ୍ଷସ ପାଖକୁ କେବେ ନେବେନି, ତୁମେ ଆଜିଠୁ ତା ବାପା ଓ ମା କଥା ଦିଅ । ଦୁଇ ଟୋପା ଲୁହରେ ଗାଧୋଇ ସାରିଥିଲେ ବିଶ୍ଵଜିତ, କିଛି ଆଗପଛ ନଭାବି କଥା ଦେଇଦେଲେ । କିଛି ସମୟ ଅନ୍ତରାଳେ ଶୁଭିଲା ଭିନ୍ନ ଏକ କୃଷ୍ଣର ବଂଶୀ ବାଦନ ପରି, ଅନ୍ୟ ଏକ ହରିନାମର ଉଚ୍ଚାରଣ ପରି, ମୂର୍ଚ୍ଚନା ରାଗ ପୁରବୀ ପରି ନିଆରା ଏକ ଶବ୍ଦ, କୁଆଁ....କୁଆଁ....କୁଆଁ...........। ନିଷ୍ପାପ ଶିଶୁଟିର କୁଆଁ କୁଆଁ ଡାକ ଶୀତରାତିରେ କେବଳ ଜନବସତିର ସଭିଙ୍କ କମ୍ବଳ ବାହାରେ ହିଁ ରହିଗଲା ।

--ତୁମେ କିଏ ଏବେ କୁହ ।ପ୍ରଶ୍ନ ପଚାରିଲେ ବିଶ୍ଵଜିତ । କିନ୍ତୁ ଉତ୍ତର ନଥିଲା । ମୁଁହ ବୁଲେଇ ମହିଳା ଆଡକୁ ଚାହିଁଲେ ବିଶ୍ଵଜିତ ଜହ୍ନ ଆଲୁଅରେ ସ୍ପଷ୍ଟ ଦିଶୁନଥିଲେ ବି ଯାହା ଜଣାପଡୁଥିଲା ୟେ ମହିଳା ଜଣକ ଅବିବାହିତ । ମଥାରେ ସିନ୍ଦୁର ନଥିଲା କି ହାତରେ ଶଙ୍ଖା ନଥିଲା । କେବଳ ଖଣ୍ଡେ ଶାଢ଼ୀ ରେ ନିଜ ଇଜ୍ଜତ କୁ ଢାଙ୍କି ଥିଲେ ସେ । ପୁଣିଥରେ ପଚାରିବାକୁ ଉଦ୍ୟତ ହୁଅନ୍ତେ ମହିଳା ଜଣକ ଶକ୍ତ ଭାବେ ବିଶ୍ଵଜିତଙ୍କ ହାତକୁ ଭିଡି ଧରି କହିଲେ:- ମୋ ଛୁଆ ଆପଣଙ୍କୁ ଲାଗିଲା, ୟା ବାପାଙ୍କ ନିକଟକୁ ଯେମିତି ଖବର ନପହଞ୍ଚେ ଯେ ୟେ ତାଙ୍କ ପୁଅ । ବାସ୍ ଏତିକି ଆଉ କେଇପଦ କହିବା ପାଇଁ ଇଚ୍ଛାଥିଲେ ବି କହିପାରିଲେନି ମହିଳା ଜଣଙ୍କ କାହିଁକିନା ଶେଷ ନିଶ୍ୱାସ କୁ ଦୀର୍ଘଶ୍ଵାସ ରେ ପରିଣତ କରି, ସେ ଏହି ଦୁନିଆରୁ ବିଦାୟ ନେଇଥିଲେ । ସେଦିନ ରାତିରେ ଶିଶୁଟିକୁ କ୍ବାଟରକୁ ନେଇ ଆସିଲେ ବିଶ୍ଵଜିତ, ଉଷୁମ ପାଣିରେ ଶିଶୁଟିକୁ ଧୁଆଧୁଇ କରି ଟର୍କିସରେ ଗୁଡ଼ାଇ ଖଟ ଉପରେ ଶୁଆଇଦେଲେ ଏବଂ ମଧୁ ଦୋକାନରୁ ଅମୂଲ ପ୍ୟାକେଟ ଆଣି ନିଜ ହାତରେ କୁତ୍ରିମ ଦୁଗ୍ଧ ତିଆରି କରି ନିଜେ ଛୁଆକୁ ପିଆଇଦେଲେ । ଭୟ ଥାଏ ଛୁଆଟି କାନ୍ଦି ଉଠିଲେ କଥା ସରିଯିବ କେତେ ପ୍ରଶ୍ନ କରିବେ ଗାଁ ଲୋକେ କଣ ଉତ୍ତର ଦେବେ ସେ ? ନାଁ କିଛି କରିବାକୁ ହେବ ତୁରନ୍ତ ପୋଲିସ ରେ ଖବର ଦେବାକୁ ହେବ ଶବ ଏବଂ ଛୁଆ ଉଭୟ ପୋଲିସ ନଜର କୁ ଆସିବା ଦରକାର । ହଠାତ ଛୁଆଟି କାନ୍ଦି ଉଠିଲା, ଛୁଆଟିର କାନ୍ଦ ସଙ୍ଗେ ବାହାରୁ ଶୁଭିଲା ହଟ୍ଟଗୋଳ କିଛି । କବାଟ ଖୋଲି ବାହାରକୁ ଆସିଲେ ବିଶ୍ଵଜିତ ଏ କଣ ? ଗ୍ରାମବାସୀଙ୍କ ହାତରେ ଠେଙ୍ଗା,ପୋଲିସ ଗାଡି ବି ଲାଗିଛି । ପୋଲିସ ଆସି ବିଶ୍ଵଜିତଙ୍କୁ ପଚାରିଲା ଆପଣ ବିଶ୍ଵଜିତ ମହାନ୍ତି ? ଏ ରେଞ୍ଜର ଅଫିସର ଫରେଷ୍ଟ ଗାର୍ଡ ?

--ଆ.....ଜ୍ଞା.....ଭୟଭିତରେ କଣ୍ଠରେ ସହମତି ଦେଉଦେଉ ପୋଲିସ ହାତକଡ଼ି ବଢ଼ାଇ ୟୁ ଆର ଅଣ୍ଡର ଆରେଷ୍ଟ କହିସାରିଥିଲେ । ପାଦ ତଳ ମାଟି ଖସିଗଲା ବିଶ୍ଵଜିତଙ୍କର, ସତେ ଯେମିତି ସେ ଏହି ଘଟଣାର ଦୋଷୀ, ସେ ହିଁ ଅପରାଧୀ ଆଉ ଏ ମାଟିଆ ପୋଷାକର କଳଙ୍କ ! ତଥାପି ପୋଲିସ କୁ ପ୍ରଶ୍ନ କଲେ ବିଶ୍ଵଜିତ ଗିରଫଦାରୀର କାରଣ କଣ ଆଜ୍ଞା ? ସେ ନିଶୁଆ ପୋଲିସ କିଛି କହିବା ଆଗରୁ ଗ୍ରାମର ଜଣେ ଯୁବକ କହିଉଠିଲେ:- ହଇ ହୋ ବାବୁ ସରକାର ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ କରିଛନ୍ତି ନା ଏମିତି ଯୁବତୀଙ୍କୁ ବିବାହ କରିବା ନାଁ ରେ ଗର୍ଭବତୀ କରି ବିବାହରୁ ମୁକ୍ତି ପାଇଁ ହତ୍ୟା କରିବା ପାଇଁ ଚାକିରୀ ଦେଇଛନ୍ତି ? ବୁଝିସାରିଥିଲେ ବିଶ୍ଵଜିତ ଯେ ତାଙ୍କ ଉପରେ ହୋଇଛି ଷଡଯନ୍ତ୍ର ଆଉ ସେଇ ଜାଲରେ ସେ ଫସିସାରିଛନ୍ତି । ଇତି ମଧ୍ୟରେ ଗାଁ ଲୋକେ ପାଟି ତୁଣ୍ଡ ଆରମ୍ଭ କରିଦେଲେଣି କିଏ କହୁଛି ମାରିଦିଅ ୟାକୁ କିଏ କହୁଛି ବାନ୍ଧି ଦିଅ । ଚୁପ ହୋଇ ରହିଲେ ବିଶ୍ଵଜିତ ଏଥର ଯାଇ ଜିପ ରେ ବସିଲେ । ଯେଉଁ ଗାଁ ରେ ସେ ବୋଲେରୋ ଚଢ଼ି ଅଫିସର ହୋଇ ଆସୁଥିଲେ ସେଇ ଗାଁ ରେ ଆଜି ଅପରାଧି ହୋଇ ଯିବେ । କେହିଜଣେ କହିଲା ଘରେ ଛୁଆଟା କାନ୍ଦୁଛି ରେ ତାକୁ ନେଇ ଆସ ଅନାଥ ଆଶ୍ରମରେ ଦେଇଦେବା । ବିଶ୍ଵଜିତ ଆଶ୍ୱସ୍ତ ହେଲେ ଯାହା ହେଉ ଏ ଗାଁ ଲୋକ ମନ୍ଦ ହେଲେ ବି ଛୁଆଟା ଉପରେ ଦୟା କଲେଣି ନହେଲେ ତ ସତରେ ସେ ଅପରାଧୀ ବୋଲି ନିଜକୁ ନିଜେ ଭାବିନେଇଥାନ୍ତେ ।

ଗିରଫ ପରେ ବିଶ୍ଵଜିତଙ୍କ ସବୁ ସ୍ୱପ୍ନ ଭାଙ୍ଗିଯାଇଥିଲା । ଜେଲର ଚାରିକାନ୍ଥ ଭିତରେ ଅଭିଶପ୍ତ ଜୀବନ କାଟିବା ପାଇଁ ପାଞ୍ଚ ବର୍ଷର ଦଣ୍ଡାଦେଶ ହେଲା । ସେ ଦେଖିଥିବା ସୁନେଲି ଦୁନିଆ, ଚାକିରୀ, ସବୁକିଛିରେ ମୋହର ଲାଗିଗଲା ଯେ ସେ ଜଣେ ଅପରାଧୀ ବୋଲି । ଗାଁ ର କିଛି ଯୁବକ ବି ସାକ୍ଷୀ ଦେଇଦେଲେ ଯେ ଘଟଣା ପାଇଁ ବିଶ୍ଵଜିତ ହିଁ ଦାୟୀ । ଜେଲ ଭିତରେ ଥିବାବେଳେ ବିଶ୍ଵଜିତ ନିଷ୍ପତି ନେଲେ ଯେ ଏଠୁ ମୁକୁଳିବା ପରେ ସେ ଆଉ ଗାଁ କୁ ଯିବେନି କିମ୍ବା କାହାକୁ ପରିଚୟ ମାଗିବେନି, ସେ ବାଛିନେବେ ସେହି ରାସ୍ତା "ଯେଉଁଠି ପ୍ରାପ୍ତିର ଅନ୍ୟନାମ ତପସ୍ୟା" ପାଇଁ ଜଙ୍ଗଲ କିମ୍ବା "ଲୋହିତ ଧୂମାଭ କୁହା ଯାଉଥିବା ମୁକ୍ତିର ଅନ୍ୟନାମ ମୃତ୍ୟୁ" । ଠିକ ଚାରିବର୍ଷ ଜେଲଦଣ୍ଡ ବେଳେ ନାଟକୀୟ ମୋଡ଼ ଆଣିଲା ଏ ଘଟଣା । ରତନାଗଡ଼ ଗ୍ରାମରେ ଏବେ କେତେ କଣ ହେଉଥିବ । ବିଶ୍ୱଜିତଙ୍କ ଚୌକି ଏବେ ଅନ୍ୟ କାହାର ଅଧିକାରରେ ଥିବ । ସେଦିନ ବୋଧେ ରବିବାର ଥିଲା, ଗ୍ରୀଷ୍ମର ରାଜୁତିରେ ସବୁଆଡ଼େ ହାହାକାର । ଏ ରତନାଗଡ଼ ଗାଁ ବି ଭାରି ଗହଳ ଚହଳ । ପୂର୍ବରେ ଶିବ ମନ୍ଦିର, ପଶ୍ଚିମରେ ଚଣ୍ଡୀ ମନ୍ଦିର, ଚଣ୍ଡୀ ମନ୍ଦିର ପାଖକୁ ଏକ ପୁଷ୍କରିଣୀ । ଗୁଡ଼ାଏ ସରକାରୀ ଅଫିସ ଏଠି ଥିଲେ ମଧ୍ୟ ଏହାକୁ ସହର କହିହେବନି । ଚାଳ ଛପର ଘର ଗୁଡିକ ଛୋଟମୋର ଗାଁ ବୋଲି କେଉଁ ଦଶନ୍ଧିରୁ ପରିଚୟ ଦେଇ ଆସୁଛି ।ଏଠି ପ୍ରତି ବର୍ଷ ଘରପୋଡି ହୁଏ, ବାସୁଆ ବଳଦ ପରି ଏ ଗାଁ ଲୋକ ସବୁ ସହିଯାଆନ୍ତି ଏବଂ ଭଗବାନ ଙ୍କୁ ନିନ୍ଦା କରନ୍ତି ଯେ ଗରିବ କାହିଁକି କଲେ ? ଆଜି ଜଳୁଛି ରତନାଗଡ଼, ସରପଞ୍ଚଙ୍କ ଘର ସହ ଆଉ ତିରିଶି ଘର ପୋଡ଼ି ଗଲାଣି । ସରପଞ୍ଚଙ୍କ ଯେଉଁ ସବୁ ଆସବା ପତ୍ର ଉଦ୍ଧାର କରାଗଲା ସେଥିରେ ଆବିଷ୍କାର ହେଲା ଏକ ନୂଆ କଥା ଓ ନୂଆ ତଥ୍ୟ । ମୃତ୍ୟୁ ବରଣ କରିଥିବା ଅବିବାହିତ ମହିଳା ଥିଲେ ବେଣୀପୁଟ ଗ୍ରାମର ସୁଲୋଚନା ଏବଂ ରତନାଗଡ ଗ୍ରାମର ଯୁବକ ସଞ୍ଜୟର ପ୍ରେମିକା । ସଞ୍ଜୟ ହେଉଛି ସରପଞ୍ଚଙ୍କ ବଡ଼ ପୁଅ । କୁମାରୀ ମାତୃତ୍ୱ ସହ ବଧୂରୁପେ ଗ୍ରହଣ କରିପାରିନଥିଲେ ସଞ୍ଜୟଙ୍କ ପରିବାର ଏଣୁ ଘରକୁ ଡାକିଆଣି ହତ୍ୟା କରିବାର ଉପାୟ ରଚିଥିଲେ । ଧାରୁଆ ଛୁରୀରେ ଛାତିକୁ ଭୂଷିଦେବା ପରେ ମରିଗଲା ଭାବି କାଜୁବୁଦା ମୂଳେ ଫିଙ୍ଗିଦେଇ ଆସିଥିଲେ, ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେବା ପାଇଁ ଯିବାବେଳେ ବିଶ୍ଵଜିତ କିନ୍ତୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରିବା ବେଳେ ଏକ ସନ୍ତାନ ଜନ୍ମ ଦେଇଥିଲେ ମହିଳା ଆଉ ଏ ସବୁକୁ ବୁଦା ମୂଳେ ଥାଇ ଲକ୍ଷ୍ୟ କରୁଥିଲେ ସଞ୍ଜୟ ପରେ ନିଜେ ବଞ୍ଚିଯିବା ପାଇଁ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଯେ ବିଶ୍ଵଜିତ ଏପରି କରିଛନ୍ତି ଆଉ ଯାହାରି ଫଳରେ ବିଶ୍ଵଜିତଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା । ଯଦି ସରପଞ୍ଚଙ୍କ ଘର ପୋଡିନଥାନ୍ତା କି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋଗୁଡ଼ିକ ମିଳିନଥାନ୍ତା ତେବେ ଆଜିବି ବିଶ୍ଵଜିତ ଏ ଘଟଣା ପାଇଁ ଦୋଷୀ ବୋଲି ଗଣିତ ହୋଇଥାନ୍ତେ । ଦୀର୍ଘ ଚାରିବର୍ଷ ଜେଲର ଚାରିକାନ୍ଥ ଭିତରେ ଜୀବନ ବିତାଇବାପରେ ସେଦିନ ପ୍ରଥମ ଥର ପାଇଁ ମୁକ୍ତ ଆକାଶ ତଳେ ଘଡ଼ିଏ ଠିଆ ହେଲେ ବିଶ୍ଵଜିତ । ଚାରିବର୍ଷ ତ ନୁହେଁ ତାହା ଥିଲା ଚାରି ଦଶନ୍ଧି ପରି । ଏଇ ଭିତରେ କେତେ ରାତି କେତେ ଦିନ ହେଲା ସେ ହିସାବ ରଖିନାହାନ୍ତି । କିଏ ମଲା କିଏ ହଜିଲା ସେ କଥା ବି ଜଣା ନାହିଁ । ଋତୁ ବଦଳିଛି କେବେ ଶ୍ରାବଣ କେବେ ଫଗୁଣ ହୋଇ କିନ୍ତୁ ବିଶ୍ଵଜିତ କେବଳ ସିଝି ଯାଇଛନ୍ତି ବିସ୍ମୟ ବୈଶାଖର ଉତ୍ତପ୍ତ ଝାଞ୍ଜିରେ । ଆଜି ସେ ମୁକ୍ତ ଏ କାଳ କୋଠରୀରୁ । କୁଆଡେ ଯିବେ ? ଦୁନିଆ କଣ ପୁଣି ଆଦରି ନେବ ତାଙ୍କୁ ଏକ ସଚୋଟ ଅଫିସର ରୂପେ ନା ପରିବାର ଆଦରି ନେବେ ସୁଯଗ୍ୟ ସନ୍ତାନ ରୂପେ ? ନା ବିଶ୍ଵଜିତ ଚାଲିଯିବେ ପୂର୍ବ ନିର୍ଦ୍ଧାରିତ ଠିକଣା ସ୍ଥଳକୁ ଯେଉଁଠି ଆହାର ବୋଲି କିଛି ଫଳ ଓ ତୃଷ୍ନା ପାଇଁ ନଦୀର ମୁନ୍ଦେ ଜଳ ଥାଏ ।ସେ ହୋଇଯିବେ ତପସ୍ୱୀ ଆଉ ଏ ସଂସାର କଣ ହେବ ତାଙ୍କର ଯେଉଁଠି ଇଜ୍ଜତ ନିଲାମ ହୋଇଯାଏ ବିଚ ବଜାରରେ ? ପାଦେ ଆଗକୁ ଗୋଡ଼ ବଢ଼ାଉ ବଢ଼ାଉ ଅଳ୍ପ ଦୂରରେ କେହିଜଣେ ପାଟିକଲା । ହେଇ ଫୁଲ ଚନ୍ଦନ ଆଣରେ ଆମ ଦେବତାଙ୍କୁ ବନ୍ଦାପନା କରିବା ।

ବିଶ୍ଵଜିତ ଦେଖିଲେ ସେ ନିର୍ଦ୍ଧୟ ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ଯୁବକ ଆଗରେ ଅନ୍ୟମାନେ ଧାଡ଼ି ହୋଇ ଅପେକ୍ଷାରତ । ସନ୍ଦେହରେ ପଡ଼ିଗଲେ ବିଶ୍ଵଜିତ । କଣ ଏବେ ବି  ଗ୍ରାମବାସୀ ତାଙ୍କ ଉପରେ ସନ୍ଦେହ କରୁଛନ୍ତି ? ଯଦି ନା ତେବେ ଏପରି ଫୁଲ ଚନ୍ଦନ କଥା.......? ଓଃ ପୁଣି ଅପମାନିତ ହେବାକୁ ପଡ଼ିବ । ବିଶ୍ଵଜିତ ଏକ ମୁଁହା ହୋଇ ଅନ୍ୟଦିଗକୁ ଦୌଡ଼ିବା ଆରମ୍ଭ କଲେ । ହଠାତ ପଛରୁ କେହିଜଣେ ଶିଶୁ ପାଟି କରି ଉଠିଲା :- ବାପା ମୋ ନୂଆ ଡ୍ରେସ କାହିଁ  ? ତୁମେ ପରା ସୁରତ  ଯାଇଥିଲ ରୋଜଗାର କରି ଆଉ ଫେରିଲା ବେଳେ ନୂଆ ଡ୍ରେସ ଆଣିଦେବ କହିଥିଲ ? ମୋତେ ଡ୍ରେସ ନଦେଇ କୁଆଡେ ଯାଉଛ ବାପା ? ଅଟକିଗଲା ବିଶ୍ଵଜିତଙ୍କ ପାଦ, ସ୍ଥାଣୁ ପାଲଟିଗଲେ ସେ ।କିଏ ଡାକିଲା?କାହିଁକି?ମୋତେ ନା ଆଉ କାହାକୁ?ପଛକୁ ମୁଁହ ଫେରେଇ ଚାହିଁଲେ ବିଶ୍ଵଜିତ, ଏଇ ଯେ ଏକ ଶିଶୁଟିଏ ବୟସ ଅତି ବେଶୀରେ ଚାରି ବର୍ଷ ହେବ । ଏମିତି ସେ ଜେଲ ଗଲାପରେ ତ ଅନେକ ଶିଶୁ ଜନ୍ମ ନେଇଥିବେ ଏ ଗାଁ ରେ, ଅନେକ ସୁନାନାକୀ ହାତକୁ ଦି'ହାତ ହୋଇ ପରଘରୀ ହୋଇଯିବେଣି । ଜେଲର ଚାରି କାନ୍ଥ ଭିତରେ ସଭିଙ୍କ ଖବର ରଖିବା ସମ୍ଭବ ହୋଇନି ବିଶ୍ଵଜିତଙ୍କ ପାଇଁ ।ଆଗରୁ ଗାଁ ର ଟିକି ଛୁଆଟେ ବି ଅଧୁଆ ମୁଁହ ରେ ବିଶ୍ଵଜିତ ଙ୍କ ପାଖକୁ ଚାଲି ଆସନ୍ତି, କେହି କେହି ଅଙ୍କ କଷିବା ପାଇଁ ତ କେହି ଚକୋଲେଟ ନେବାପାଇଁ । ହେଲେ ଏ ଶିଶୁ କିଏ । ଶିଶୁଟି ଆଗରେ ଆଣ୍ଠୁ ମାଡି ବସିପଡିଲେ ବିଶ୍ଵଜିତ । କିଏ ତୁମେ ବାବା?ପ୍ରଶ୍ନ କଲେ ବିଶ୍ଵଜିତ । କୋକିଳ କଣ୍ଠରେ ଶିଶୁଟି କହିଉଠିଲା :-ତୁମେ ମୋ ବାବା, ମୁଁ ତୁମ ବାବା, ଆ....ଉ ଆମ ଘର ଏ ମୁଣ୍ଡିଆ ଉପରେ । ମୋ ଜନ୍ମ କୁଆଡେ ସେ ମୁଣ୍ଡିଆ ଉପରେ ବୋଲି ରଘୁ ଅଙ୍କଲ କହୁଥିଲେ । ଅସ୍ପଷ୍ଟ ହେଲେ ବି ଅଶ୍ରୁ ଆଖିରେ ନୂଆ ଏକ ଦୁନିଆ ଦେଖି ସାରିଥିଲେ ବିଶ୍ଵଜିତ । ରଙ୍କ ରତନ କୁ ଜାବୁଡି ଧରି ସେ କେବଳ ସକେଇ ହୋଇ କାନ୍ଦୁଥିଲେ ଠିକ ଶିଶୁଟିଏ ପରି । କାନ୍ଧଉପରେ ଗାଁ ମୁଖିଆଙ୍କ ହାତ ଦେଖି ଚମକି ପଡିଲେ ବିଶ୍ଵଜିତ । କାହିଁକିନା ସେଦିନ ଏହି ପ୍ରିୟ ଗ୍ରାମବାସୀ ମାନେ ଏତେ ନିଷ୍ଠୁର ଅଥଚ ଆଜି ଏତେ ସରଳ କିପରି? ବିଶ୍ଵଜିତ କିଛି କହିବା ଆଗରୁ ଗାଁ ମୁଖିଆ ଯୋଡ଼ ହସ୍ତରେ କ୍ଷମା ମାଗୁଥିଲେ:- ଆମକୁ କ୍ଷମା କରନ୍ତୁ ସାର ଆମେ ଦେବତାଙ୍କୁ ଚିନ୍ହି ପାରିଲୁନି । ଆମରି ଭୁଲ ନିଷ୍ପତି ପାଇଁ ଆପଣଙ୍କୁ ଚାରିବର୍ଷ କାଳ କୋଠରୀ ଦେଖିବାକୁ ପଡିଲା  ଆଜି ସତ୍ୟ ଘଟଣା ଜାଣିବା ପରେ ଆମେ  ଲଜ୍ଜିତ । ପଛକୁ ପଛ ସଭିଏଁ ଯୋଡ଼ ହସ୍ତରେ କ୍ଷମା ମଗୁଥାନ୍ତି, ବିଶ୍ଵଜିତ ଦୁଇଟି ରାସ୍ତାରେ ବର୍ତ୍ତମାନ ପୂରୁବ ଲଜ୍ୟା ପାଇଁ ସନ୍ୟାସୀ ଏବଂ ଗ୍ରାମବାସୀ ଓ   ଶିଶୁଟିର ନିରୀହ ଆଖି । କୁଆଡେ ଯିବେ?ସେ ଶାନ୍ତି ନା ଏ ପ୍ରେମ ପଥରେ ? ଥକା ମାରି ବସିପଡିଲେ ବିଶ୍ଵଜିତ । ଖଣ୍ଡେ ଦୂରରୁ ଡି.ଏଫ. ଓ ଶଶାଙ୍କ ବାବୁ ଡାକ ପକାଇଲେ ଓୟେ ମହାପୁରୁଷ ବିଶ୍ଵଜିତ ଏଥର ଉଠିବା ହେଉ ତୁମ ଅଫିସ କଣ ମୁଁ ସମ୍ଭାଳିବି ଯାଅ ଯାଅ ଆଗେ ଅଫିସ ସମ୍ଭାଳ ତୁମେ ଗଲା ପରେ ଏଠି ମୂଷାମାନେ ଅଧା ଅଫିସ ଖାଇ ଗଲେଣି । ଆଶ୍ଚର୍ଯ୍ୟ ହେଲେ ବିଶ୍ଵଜିତ ସତରେ କଣ ସେ ଚାକିରୀ ଫେରି ପାଇଲେ ? ବିଶ୍ବାସ ହେଉ ନଥିଲା ତାଙ୍କର । ଇତି ମଧ୍ୟରେ ବିତି ଯାଇଛି ଦୁଇ ବର୍ଷ । ବିଶ୍ଵଜିତ ପୁଣି ସେଇ ରତନାଗଡ଼ ର ପ୍ରିୟ ଫରେଷ୍ଟ  ଗାର୍ଡ । ସେଦିନ ମୁଣ୍ଡିଆରେ ଜନ୍ମ ନେଇଥିବା କୃଷ୍ଣ ଆଜି ତାଙ୍କ ଗୁଣଗ୍ରାହୀ ସନ୍ତାନ ।କେବଳ ସେ ନିଜ ପିତା ନୁହଁନ୍ତି ଏତିକି ହିଁ ତଫାତ ।

ପୁଣି ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି, ସେଦିନର ଶିଶୁ ଟି ଆଜିର ପଞ୍ଚମ ଶ୍ରେଣୀର ଛାତ୍ର ଆଶୁତୋଷ । ବିଶ୍ଵଜିତ ମଧ୍ୟ ଖୁବ ନାଁ କଲେଣି ସାହିତ୍ୟ ଓ ସମାଜସେବାରେ । ଗାଁ ଲୋକ ବି ନେହୁରା ହେବା ସହ ତାଗିଦ କଲେଣି ବିବାହ କରିବା ପାଇଁ । ରଘୁ ବାବୁ ଝିଅଟିଏ ଦେଖିଛନ୍ତି  ସହର ଆଡେ, ଝିଅଟିର ନାମ ଇତି ଏବଂ ସେ ଉଚା ଶିକ୍ଷିତା ମଧ୍ୟ । ସବୁ କିଛି ନୀତିନିୟମ ପାଳନ ପରେ ନିର୍ବନ୍ଧ ସରିଲା ବିବାହ ଦିନ ଗାଁ ଲୋକଙ୍କ ଆନନ୍ଦ କହିଲେ ନସରେ । ସେଦିନସର ଘଟଣା ପରେ ବିଶ୍ଵଜିତଙ୍କ ପରିବାର ସମ୍ପର୍କ ଛିନ୍ନ କରିଦେଇଛନ୍ତି, ଏବେ ଏହି ଗାଁ ଲୋକ ହିଁ ସବୁ କିଛି ମା ବାପା ଭାଇ ଭଉଣୀ ସବୁ ଏହି ଗାଁ ଲୋକ । ବିବାହ  ବେଦୀରେ ବିଶ୍ଵଜିତ ଦେଖୁଛନ୍ତି ଜୀବନର ପ୍ରଥମ ସ୍ୱପ୍ନ,ସେ ଦେଖୁଛନ୍ତି ଅପରୁପା ସୁଲଗ୍ନାଙ୍କୁ ।  ସୁଲଗ୍ନା ଆଜି ବଧୁ ସାଜି ପୂର୍ବ ଦିନର ଯନ୍ତ୍ରଣାକୁ ପାସୋରି ଦେବାକୁ ସହାୟ ହେବେ, ଆଜି ପରଠୁ ଠିକ ଚାରିଦିନ ପରେ ଚତୁର୍ଥୀର ତୈଳ ଦୀପକୁ ସାକ୍ଷୀ ରଖି ସେମାନେ ହଜିଯିବେ ସଂସାର ଭିତରେ । ସବୁ କିଛି ଠିକ ଥିଲା କିନ୍ତୁ ଆସିଲା ଝଡ଼, ଯେଉଁ ଝଡରେ ଅବସାଦର କଳା ବାଦଲ ହିଁ ଦେଖାଗଲା । କେଉଁଠି ଖେଳୁଥିବା ଆଶୁତୋଷ ବେଦୀ ଉପରକୁ ଆସି ବାପା ବୋଲି ବିଶ୍ଵଜିତଙ୍କ ଡାକିଦେଲା, ଚମକି ଉଠିଲେ ସୁଲଗ୍ନା ମନରେ ବସା ବାନ୍ଧିନେଲା ଅନେକ ପ୍ରଶ୍ନ । ତେବେ କଣ ବିଶ୍ଵଜିତ ପୂର୍ବରୁ ବିବାହିତ ? ପୂର୍ବ ସ୍ତ୍ରୀ ଗଲା କୁଆଡେ ? ଏ ବିଶ୍ଵଜିତ ତାକୁ ଯୌତୁକ ଜୁଇରେ ଜାଲିଓଦେଇନାହାନ୍ତିତ ? ନା ସୁଲଗ୍ନା ତୋର ହାତ ଗଣ୍ଠି ପଡିନି ଉଠିପଡ଼ ସେ ବେଦୀରୁ ନହେଲେ ଜୀବନ ବ୍ୟର୍ଥ ହୋଇଯିବ ।  ହଠାତ ବେଦୀରୁ ଉଠି ପଡିଲେ ସୁଲଗ୍ନା କାହା କଥା ବି ଶୁଣିଲେଣି ଯିଏ ଯାହା ବୁଝାଇଲେ ବି ଫରକ ପଡ଼ିଲାନି । ଫେରିଯାଇଥିଲେ କନ୍ୟା ଘର ଲୋକ, ଗାଁ ଲୋକବ ବି ଉଦାସ । କିଛି କିଛି ବୁଝିପାରୁଥିବା ଆଶୁତୋଷ ଆଖିରେ ବି ଅଶ୍ରୁ ।  ହସି ହସି ଆଶୁତୋଷ ସହ କଥା ହେଲେ ବିଶ୍ଵଜିତ:~

~ବାବା ଆଶୁ ତୁମେ କାନ୍ଦୁଛ କାହିଁକି?
~ଆମ ଭୋଜି ଆଉ କେବେ ହେବ ବାବା ? ପ୍ରଶ୍ନ ଏକ ନିର୍ବୋଧ ଶିଶୁର କି ଉତ୍ତର ଦେବେ ବିଶ୍ଵଜିତ ?
~ଆଉ ଆମର ଭୋଜି କଣ ହେବ ଆଶୁ ? ଏ ବିବାହ ଭୋଜି କେବଳ ବାପା ମା ହେବାପାଇଁ ହିଁ ହୁଏ । ମୁଁ ତ ତୁମ ବାବା ତୁମେ ମୋ ବାବା । ଆମର ଭୋଜି କଣ ହେବ ? ଆମେ ଯଦି ଭୋଜି କରିବା ଆମ ସିର୍କୀ ନଦୀ ଅଛି । ତୁମେ ତୁମ ସାଙ୍ଗ ମାନଙ୍କୁ ଡାକିବି ମୁଁ ମୋ ସାଙ୍ଗ ମାନଙ୍କୁ ଡାକିବି ଆମେ ବଡ ଭୋଜି କରିବା ।  ମୁଣ୍ଡ ହଲେଇ ହଁ କରୁଥିଲା ଆଶୁତୋଷ 

~ପୁଣି ଆରମ୍ଭ କଲେ ବିଶ୍ଵଜିତ :~ ଜାଣିଛ ବାବା ଆସୁ ଏ ଦୁନିଆ ଜମାରୁ ଭଲ ନୁହେଁ, ଏଠି ନିଜେ ନିଜର ଅନ୍ୟ କେହି ନିଜର ନୁଁହନ୍ତି । 
 ଏମିତି ବେଳେବେଳେ କେହି ଅତୀତ ମନେପକେଇ ଦେଲେ ଖୁବ କଷ୍ଟ ହୁଏର ବିଶ୍ଵଜିତଙ୍କ । ହଠାତ ପୁଣି ଫୋନ ର ଘଣ୍ଟି ବାଜି ଉଠିଲା । କିଏ ଏତେ ସକାଳୁ ଫୋନ କଲା?
~ହେଲୋ ବିଶ୍ଵଜିତ.........କେମିତି ଅଛ ? ମୁଁ ସୁଲଗ୍ନା ଆଜି ତୁମ ନମ୍ବର ଏକ ମ୍ୟାଗାଜିନରୁ ପାଇଲି । 
~ତୁମେ ପୁଣି କାହିଁକି ଏ ଅପରଦାର୍ଥ କୁ ମନେ ପକେଇଲ ସୁଲଗ୍ନା ?
~ମୋତେ କ୍ଷମା କର ବିଶ୍ଵଜିତ ସେଦିନ ମୁଁ ବୁଝି ପାରିନଥିଲି ତୁମକୁ । ମୁଁ ଆଜିବି ଅବିବାହିତ ଜାଣିନି କାହା ପାଇଁ, କିନ୍ୟୁ ମୁଁ ମୋ ଭୁଲ ବୁଝି ପାରିଛି । ମୋତେ ତୁମ ଚରଣର ଦାସୀ କରି ଆଶୁର ଯତ୍ନ ନେବାପାଇଁ ଅନୁମତି ଦିଅ ବିଶୁ । 
~ନା ସୁଲଗ୍ନା ଖୁବ ବିଳମ୍ବ ହୋଇଛି । 
~ନା ସୁଲଗ୍ନା ଆଉ ସମ୍ଭବ ନୁହେଁ, ବିବାହର ମାନେ ଏଇ ଛୁଆପିଲା ଘର ଦ୍ୱାର ସ୍ନେହ ମମତା ତ?ମୁ ପାଇଁ ସାରିଛି ପୁରୁଷ ହୋଇ ନାରୀର ପ୍ରସବ ବେଦନା ଜାଣିନି ସତ କିନ୍ତୁ ପିତା ହୋଇ ସନ୍ତାନ ସୁଖ ପାଇଛି, ଆତ୍ମୀୟ ହରାଇଛି ସତ ଆତ୍ମା ଏହି ଗାଁ ଲୋକଙ୍କ ପାଖେ ବନ୍ଧା ପଡିଛି ।  ମୋର ଆଉ କଣ ଦରକାର ଯେ ? ତୁମେ ଆଉ ସେ ଝଡର ଇଗଲ ହୋଇ ଧରଣୀର କୃଷ୍ଣସାର କୁ ପ୍ରେମ ମାଗନା ଏହାର ଅନ୍ତ ଖୁବ କଷ୍ଟ ଦାୟକ । ଫୋନ କାଟିଦେଇ ଝରକା ଦେଉ ଦେଉ ପହିଲି ସୁରୁଜ କୁ ଦେଖୁଥିଲେ ବିଶ୍ଵଜିତ, ଏ ସୂର୍ଯ୍ୟ ବି ଉପହାସ କରେ ସନ୍ଧ୍ୟା ରେ ଚାଲିଯାଇ ଠିକ ସୁଲଗ୍ନା ପରି । ଏଇ ଆସ ଯାଅ ଭିତରେ କିନ୍ତୁଇ ବିଶ୍ଵଜିତ ବଞ୍ଚିବା କୁ ଭଲ ପାଆନ୍ତି ଏକା ଏକା ନୀରବରେ । 

ସୀମାଞ୍ଚଳ ରଣା
ବାଲିଗୁଡା, କନ୍ଧମାଳ

Post a Comment

0 Comments