Information

ଧନ୍ୟ ଗୁରୁକୂଳ - ସଲିଳ କୁମାର ସ୍ଵାଇଁ


ପାଠ ପଢେଇବା  ଚାକିରୀ
  ଚୁଚା କରିଚି ଭାଇ
ପଢେଇବ  ପାଠ   କିପରି
 ତାକୁ ବେଳ ବା କାହିଁ ?
ସରକାରୀ   ସ୍କୁଲ   ମାଷ୍ଟର
  ତାର  ଅନେକ କାମ
ମଧ୍ୟାହ୍ନ  ଭୋଜନ    ବୁଝିବା
  କାର୍ଯ୍ୟ  ସର୍ବପ୍ରଥମ ।
ଚାଉଳ  ଦିଅନ୍ତି     ସର୍କାର
  କିଣେ ଡିମ୍ବ ଜାଳେଣି
ଡାଲି  ସୋୟାବଡି  ପରିବା
  ତେଲ ମସଲା ପୁଣି ।
କେତେପିଲା ଆଜି ଆସିଲେ
  କେତେ ଖାଇବେ ଭାତ
ଖାଇବା   ଆଗରୁ   ପିଲାଏ
  ନିଶ୍ଚେ ଧୋଇବେ ହାତ ।
ଲିପିବଦ୍ଧ  କରେ  ଖାତାରେ
  କେତେ ଗଲା ରହିଲା
ଚାଉଳ   ରାସନ    ପରିବା
  କେତେ ଖରଚ ହେଲା ।
ଯେତେ ପିଲା ନିତି ଖାଆନ୍ତି
  ହ୍ଯୋନ୍ତି   ଉପକୁରୁତ
ଏସ  ଏମ  ଏସ    ପଠାଇ
 ତାହା କରେ ନିଶ୍ଚିତ ।
ପାଚିକା   ମାନଙ୍କ  ଭାତିଆ
 ପାଇଁ ମେସେଜ ଛାଡେ
କୁକିଙ୍ଗି   କଷଟ    ଉଠାଣ
 ପାଇଁ ବେଏଙ୍କ ଦୌଡେ ।
ଲୁହା   ଟାବଲେଟ  ପିଲାଙ୍କୁ
  ପ୍ରତି  ସୋମବାରରେ
କୁରୁମି    ନାଶନ    ବଟିକା
 ଛଅ ମାସରେ ଥରେ ।
ବଟିକା    ଖାଇକି    ଅସୁସ୍ଥ
  ଯଦି କିଏ ବା ହୁଏ
ମାଡମାରି   ମୁଣ୍ଡ    ଫଟାନ୍ତି
 କାହା ଜୀବନ ଯାଏ ।
ଟଏଲେଟ  ସଫା    କରଇ
  ଆଉ ଲଗାଏ  ଗଛ
ଗିରିନି  ହୋଇବ    ଇଣ୍ଡିଆ
  ହେବ ଭାରତ ସ୍ଵଚ୍ଛ ।
ଡାକଇ   କମିଟି    ସଦସ୍ୟ
  ତଥା    ଅଭିଭାବକ
ପ୍ରତି   ପୁନେଇରେ ବସେଇ
  କରିଥାଏ ବୈଠକ ।
ପଢାବହି   ମିଳେ  ମାଗଣା
  ପ୍ରତି  ଶିକ୍ଷାବର୍ଷରେ
ବହି ବୋହିଆଣି   ବାଣ୍ଟିବା
 ଏହି ଶିକ୍ଷକ କରେ ।
କିଣିବାକୁ  ଯାଏ  ପୋଷାକ
 ଆଉ କିଣଇ ଜୋତା
ମାପରେ       ଅଦଳବଦଳ
 କରି ଘୁରାଏ ମଥା ।
ସଂଶୋଧନ  ହେବ  ଆଧାର
 ଯଦି କୋଉ ପିଲାର
ଜନସେବା  କେନ୍ଦ୍ରେ  ଦାଖଲ
 ପାଇଁ ଲେଖା ଦର୍କାର ।
ଜାତିର          ପ୍ରମାଣପତର
  ପାଇଁ  ଆପ୍ଳିକେସନ
ନିର୍ଦ୍ଧିଷ୍ଟ    ଦପ୍ତରେ    ଶିକ୍ଷକ
 କରିଥାଏ   ପ୍ରଦାନ ।
ଭୋଟର   ତାଲିକା   ପ୍ରସ୍ତୁତି
 ଅଟେ ମାଷ୍ଟ୍ରଙ୍କ କାମ
ସଂଶୋଧନ ଯୋଗ ବିଯୋଗ
 ଚାଲେ  ବର୍ଷତମାମ ।
ଶିକ୍ଷକ    କରଇ   ଭୋଟିଙ୍ଗି
 ବୁଥ୍    ପରିଚାଳନା
ଦଶବର୍ଷେ   ଥରେ    କରଇ
 ଦେଶ  ଜନଗଣନା ।
ବିଭିନ୍ନ    ସରଭେ     କରଇ
  ବାରଦୁଆର   ବୁଲି
ବନିଆ   ବାତିଆ    ଆଇଲେ
 ବସେ ଇସ୍କୁଲ ଖୋଲି ।
ଚାଇଲ୍ଡ    ସେନ୍ସସ   କରି ସେ
  ବାଛେ   ଡ୍ରପଆଉଟ
ହେବାପାଇଁ   କରେ   ବ୍ୟବସ୍ଥା
 ପଥପ୍ରାନ୍ତର   ନାଟ ।
ବରଷକେ  ମାସେ   ଟେନିଙ୍ଗ
 ସିଏ ନିଶ୍ଚୟ ନେବ
ତିନି     ଡଜନରୁ        ଅଧିକ
 ନଥିପତ୍ର  ନେଖିବ ।
ଲେସନ   ଡାଇରୀ    ଲେସନ
 ଚୁଚା ନିତି ନେଖୁଚି
ଅଭିଭାବକଙ୍କୁ           ଡରୁଚି
 ଅଫିସରେ  ଡରୁଚି ।
ନାଇଁ    ସ୍ଵାଧୀନତା    ତାହାର
 ନାଇଁ ସମୟ ତାର
ଚାଲିଯାଇପାରେ      ଚାକିରୀ
 ଅବା ଜୀବନ ଛାର ।
ଡାଟା   ଦେଇଦେଇ   ବିଚରା
 ପାଉନାହିଁ  ସମୟ
ପଢେଇବ   ପାଠ     କିପରି
 ତାର ନାହିଁ ଉପାୟ ।
ଧନ୍ୟ  ଗୁରୁଦେବ  ଧନ୍ୟ ହେ
 ଧନ୍ୟ ତୁମ ମହିମା
ଟିଚିଙ୍ଗି    ଲଣିଙ୍ଗି    ଚୁଲିକୁ
 ଯାଉ ଚିନ୍ତା କରନା ।

ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ

Post a Comment