ଭିନ୍ନ ଏକ ଶୈଶବ - ବିନୟ ମହାପାତ୍ର

ଭିନ୍ନ ଏକ ଶୈଶବ - ବିନୟ ମହାପାତ୍ର


ଭୋକିଲା ପେଟର ବୋଝ,
ପିଠିରେ ବୋହି ମୁଁ
ଖୋଜି ବୁଲେ ମୋ ଭାଗର
ଭାତମୁଠାକ ପାଇଁ,
ତୁମେ ଫିଙ୍ଗି ଦେଇଥିବା
ଏଇ ଅବର୍ଜନା ଅଳିଆ ଗଦାରୁ ।
ଖୋଜିବୁଲେ ଗୋଟି ଗୋଟି
ପଲିଥିନ ଆଉ ଖାଲିଦାରୁର ବୋତଲ
ବଡ ଆଶାରେ ସାଉଣ୍ଟେ
କାଳେ କିଛି ମିଳିଯିବ,
ତୁମ ପିଙ୍ଗା ଅଳିଆ ଭିତରୁୁ ।
ମୋ ପାଇଁ ଟଙ୍କେ ଦି ଟଙ୍କାର
ହୀରା, ନିଳା ଅବା ମୋତି,
ସେଇ ହେବ ଆହାର ମୋହର,
ପୁରା ପେଟ ନହେଲେ ନାହିଁ,
କେହି ତ କହିବନି
ମୁଁ ଖାଲି ପେଟ ଶୋଇଗଲି ବୋଲି !

ମୁଁ ତ ମାଗିନି କେବେ
ଚଉକି ଟବୁଲରେ ବସି
ଖୀରି ପୁରି ପିଜ୍ଜା ବର୍ଗର ଅବା
ପେଟପୁରା ସ୍ୱାଦିଷ୍ଟ ଭୋଜନ ।
କେଇ ମୁଠା ସୁଖିଲା ଭାତ ଆଉ
ଚିମୁଟାଏ ଲୁଣ ଯେ ଯଥେଷ୍ଟ,
ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା,
ମୋର ଏଇ ଭୋକିଲା ପେଟ ପାଇଁ ଅନ୍ନ ।

ମୁଁ ତ ଚାହିଁନି କେବେ,
ଉଚ୍ଚା ଉଚ୍ଚା କୋଠାରେ
ତୁଳିତଳ୍ପ ଶେଜରେ ରେଷମୀ ଚାଦରତଳେ
ନିଘୋଡ ନିଦର ରାତି ।
ବର୍ଷାରେ ଭିଜେ ଯେବେ
ଗହୀରିଆ ରାତି ଅନ୍ଧାରରେ
ନିଦ ବି ବାଟବଣା ହୋଇଯାଏ,
ସଡକ ଫୁଟପାଥରେ ଛାତି ଥରିଯାଏ ।
ହାଡଭଙ୍ଗା ଶିତରେ ନିଦ ବି ଡରିଯାଏ
ମୋ ସାଥେ ଶୋଇବାକୁ,
ଆଉ ଲୁଚି ଲୁଚି ବାଟଭାଙ୍ଗି ଚାଲିଯାଏ ।
ମୁଣ୍ଡ ଉପରେ ଚାଳି ଖଣ୍ଡେ,
ଦି ଖଣ୍ଡ ଅଖା ତ ଯଥେଷ୍ଟ ହେବ
ମୋର ଗହନ ନିଦ ପାଇଁ,
ଦି'ଘଡିର ଦିଧକ ନିଦ ଆଖି ମୋର
ପ୍ରତି ରାତିରେ ଖୋଜୁଥାଏ ।

ବଡ ବଡ ସ୍କୁଲ କଲେଜର
ଡିଗ୍ରୀ ମୁଁ ଚାହିଁ ନାହିଁ କେବେ, ହେଲେ
ମନ ମୋର ଡହଳ ବିକଳ ହୁଏ
ଜାଣିବାକୁ ଦେଶ ଦୁନିଆର କଥା ।
ହାତ ଧରି କେହିତ
ଶିଖାଇ ଦିଅନ୍ତା ମୋତେ,
ଅ ଆ ଇ ଈ ଆଉ,
ବର୍ଣ୍ଣବୋଧ ଅଣଚାଳିଶ ଅକ୍ଷର ।
ଜାଣେ ନାହିଁ କେଉଁ ପାପ ଅବା ପୂଣ୍ୟ ଫଳ,
ତୁମକୁ ଆଉ ମୋତେ ଏତେ ଅଲଗା ଗଢିଛି,
ତୁମକୁ ନ ମାଗି ମିଳିଛି ଏତେ
ଆଉ ଏଠି ମାଗିବାକୁ ମୋତେ ସରମ ଲାଗୁଛି ।
ଖଣ୍ଡେ ପିନ୍ଧି, ଗଣ୍ଡେ ଖାଇ
ଦି'ଘଡି ଶାନ୍ତିରେ ଶୋଇବା,
ଏତିକି ତ ଅଧିକାର ମିଳିବକି ମୋତେ
ଭଗବାନ ଏମିତି କରିଛି ମୋତେ
ମୋ ପାଇଁ କିଏବା ଭାବୁଛି ?

ବିନୟ ମହାପାତ୍ର
କିଟସ୍ ସ୍କୋୟାର, ପଟିଆ, ଭୂବନେଶ୍ୱର

0 Comments