OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅଭୁଲା ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି

ଅଭୁଲା ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି


ନିଜ ଜୀବନକୁ ଜଳାଞ୍ଜଳି ଦେଇ
ଦେଶ ଜାତି ଟେକ ପାଇଁ
ସର୍ବଦା ଜାଗ୍ରତ ସତତଃ ପ୍ରହରୀ
ମୋ ଦେଶ ଯବାନ ଭାଇ ॥
ନିଜ ଘରଦ୍ୱାର ଆତ୍ମୀୟ ସ୍ୱଜନ
ସଭି ସ୍ନେହ କରି ତୁଚ୍ଛ
ନିଜର କର୍ମକୁ ଶ୍ରେଷ୍ଠ ଧର୍ମ ବରି
ରୁଏ ଦେଶପ୍ରେମ ଗଛ ॥
ପୁନେଇଁ ପରବ ଆସିଲେ ଆଖିରୁ
ବହେ ଲୋତକର ଧାର
ମୁଁ ହତଭାଗା କେମିତି ପାଳିବି
ହୃଦ ତା ହୁଏ ବିଦାର ॥
ଅନାଥ କନ୍ୟାଏ ଅବହେଳିତା ସେ
ଜନମୁ ଭାଗ୍ୟ ହରାଇ
ବଢନ୍ତି କେତେକ ହୃଦୟୀଙ୍କ ହୃଦେ
ଅନାଥାଶ୍ରମରେ ରହି ॥
ନ ଥିଲେ ନ ଥାଉ ବାପା ମାଆ ତାଙ୍କ
ଏ ବାପା ମା' ତ ଅଛନ୍ତି ପାଶେ
ସମାଜସେବୀଏଁ ଦେବାଦେବୀ ସାଜି
ବୁଝନ୍ତି ଦୁଃଖ  ବିଶେଷେ ॥
ପଚାରନ୍ତି ଯେବେ ଭାଇ ଆମ ନାହିଁ
କା ହାତେ ବାନ୍ଧିବୁ ରାକ୍ଷୀ
ସରାଗେ ଦେବୀଏଁ(ଦିଦି) ବୋଧନ୍ତି ସରାଗେ
ଭାଇଛନ୍ତି ହେବେ ସାକ୍ଷୀ ॥
ନିଅନ୍ତି ଯବାନ ପାଖକୁ ତୁରିତେ
କୁହନ୍ତି ଏ ତୁମ ଭାଇ
ଭାରତମାତାର ଅମୂଲ୍ୟ ସନ୍ତାନ
ବାନ୍ଧ ରାକ୍ଷୀ ପାଶେ ଯାଇ ॥
ଆନନ୍ଦ ମନରେ ବାନ୍ଧନ୍ତି ଭାଇଙ୍କୁ
ସ୍ନେହ ମମତାର ରାକ୍ଷୀ
କୁହନ୍ତି ଏ ଭାଇ ସୁରକ୍ଷା ଦେବୁ ତୁ
ମୋତେ ମୋ ଦେଶକୁ ଡାକି ॥
ଯବାନ ଆଖିରୁ ବହିଯାଏ ଧିରେ
ଆନନ୍ଦର ଅଶ୍ରୁଧାର
କୁହନ୍ତି ନିଶ୍ଚେ ଲୋ ଭଉଣୀ ରଖିବି
ମହତ ତୋର, ଜାତିର ॥
ତୋ' ତୀଳକ ଚନ୍ଦନ ବିଜୟର ଟୀକା
ଶକ୍ତ କରିଦେଲା ମନ
ମାଆ ଭଉଣୀ ଓ ଦେଶକୁ ସୁରକ୍ଷା
ଦେବି ଢାଳି ମୋର ପ୍ରାଣ ॥
ଭୁଲି ହେବନି ସେ ଅଭୁଲା ମୁହୂର୍ତ୍ତ
ରକ୍ଷା ବନ୍ଧନ କାହାଣୀ
ଯୁଗେ ଯୁଗେ ରଚେ ଅମର କୀରତି
ସ୍ନେହେ ନେଇ ମନ କିଣି ॥
ଆଶ୍ରମ ଦିଦିଏଁ ମା' ସ୍ନେହ ଦେଲେ
ଯବାନେ ଭାଇର ସ୍ନେହ
ହେ ସମାଜସେବୀ ବାପା ହୋଇ ପୋଛ
ବିଚାରୀଙ୍କ ଆଖି ଲୁହ ॥
କନ୍ୟାରତ୍ନ ସିଏ ମହାରତ୍ନ ଭାବ
କର ସଭିଏଁ ଯତନ
ଯତ୍ନ କଲେ ରତ୍ନ ସାଜି ସେ ଗଢିବେ
ମୋ ଦେଶ  ଜାତି ମହାନ ॥

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ
ତେଲକୋଇ, କେନ୍ଦୁଝର, ପିନ୍ -୭୫ ୮୦୧୯
ଯୋଗାଯୋଗ - ୭୯୭୮୩୭୯୯୬୬

0 Comments