ଶିଶୁଗଳ୍ପ - ଟୁଆଁ ଟୁଇଁ କଥା - ରମେଶ ଚନ୍ଦ୍ର ମିଶ୍ର

ଶିଶୁଗଳ୍ପ - ଟୁଆଁ ଟୁଇଁ କଥା - ରମେଶ ଚନ୍ଦ୍ର ମିଶ୍ର


ଗୋଟିଏ ଗାଆଁରେ ଟୁଆଁ ଟୁଇଁ ନାମରେ ଦୁଇ ପରାଣୀ ଥାଆନ୍ତି । ଗାଁ' ମୁଣ୍ଡରେ ତାଙ୍କରି ଘର । ନିଜ ଦୁଃଖ ସୁଖରେ ସେମାନେ ଚଳନ୍ତି । ଗରିବ ହେଲେ ବି ଭାରି ଭଲ ଲୋକ । କାହା ସହିତ କଳିଝଗଡା କରନ୍ତି ନାହିଁ । ଦିନେ ଟୁଆଁ କହିଲା, "ଟୁଇଁ ଲୋ, ମୋର ପିଠା ଖାଇବାକୁ ମନ ହଉଚି, ଆଜି ପିଠା କରନ୍ତେନି ?" ଟୁଇଁ କହିଲା, "କରନ୍ତେ ଯେ, ହେଲେ ଘରେ ତ କାଠ ନାହିଁ । ତେବେ ଚାଲ, ବଣକୁ ଯାଇ ଦି'ଗୋଛା କାଠ ଆଣିବା ।" ଦୁହେଁ ସାଙ୍ଗ ହୋଇ ବଣକୁ ଗଲେ । ବଣରେ କାଠ କାଟିବାକୁ ଲାଗିଲେ । ବଣ ଭିତରୁ ବାଘ ଗର୍ଜ୍ଜନ ଛାଡିଲା, "ହା...ଉଁ .......,ମୋ ବଣରେ କିଏରେ ?" ଗର୍ଜ୍ଜନ ଶୁଣି ଟୁଆଁଟୁଇଁ ଭୟରେ ଅସମ୍ଭାଳ । ସାହସ ରଖି ଟୁଇଁ କହିଲା, " ଆମେ ହୋ ବାଘମାମୁଁ, ବଣକୁ ଆସିଛୁ, କାଠ ଦି'ଖଣ୍ଡ ନବୁ ।" ଚାହୁଁଚାହୁଁ ବାଘ ଆସି ଟୁଆଁ ଟୁଇଁ ପାଖରେ ହାଜର ।

ବାଘ କଟମଟ କରି ଚାହିଁଲା । ବାଘ ପଚାରିଲା, "ହା..ଉଁ, କାଠ କ'ଣ କରିବ ?" ଟୁଇଁ ଟିକିଏ ସାହସ ସଞ୍ଚୟ କରି କହିଲା, ମାମୁଁ, ମାମୁଁ ମ ! ଆଜି ପିଠା ଖାଇବାକୁ ମନ କରିଚୁ, କରିବୁ ।" ବାଘ ପଚାରିଲା, "ସେଥିରେ ମୋର ଲାଭ ?" ଟୁଇଁ କହିଲା, "କହିବ ତ ତମକୁ ମୋଟା ପିଠାଟିଏ ଦବୁ ।" ବାଘ ଟୁଇଁର ମିଠା କଥାରେ, ପୁଣି ମାମୁଁ ଡାକରେ ଖୁସି ହୋଇଗଲା । ପିଠା ଯାଚିବା କଥାରେ ତା' ମନ ପୂରା ତରଳିଗଲା । କହିଲା, "ହଉ ହଉ, ବାଡିପଟେ ରଖି ଦେଇଥିବ, ମୁଁ ରାତି ଅଧରେ ଯିବି ।" ଏଥର ସାହସ ପାଇ ଟୁଆଁ କହିଲା, "ଆମ ବାଡିପଟ ବାରଣ୍ଡାରେ ଥିବ ହୋ ମାମୁଁ ।" ଏହାପରେ ଦୁହେଁ କାଠ ଧରି ଫେରିଲେ ।

ଦୁଇଜଣଯାକ ଲାଗିପଡି ବିରି ବାଟି, ଚୂନା କୁଟି ସନ୍ଧ୍ୟାକୁ ପିଠା କଲେ । ଟୁଇଁ କରୁଥାଏ, ଟୁଆଁ ଖାଉଥାଏ । କିଛି ସମୟପରେ ଟୁଆଁର ମନ ଭାଙ୍ଗିଲା । ଏଥର ଟୁଆଁ କଲା, ଟୁଇଁ ଖାଇଲା । ଏମିତି ଖାଉଖାଉ ସବୁତକ ପିଠା ଖାଇଦେଲେ । ଟୁଇଁର ମନେପଡିଲା ବାଘମାମୁଁ କଥା । ବଡ ଚିନ୍ତାରେ ପଡିଗଲେ ଦିହେଁ । ବୁଦ୍ଧି ଖଟେଇ ଟୁଇଁ ବିରିଚୋପାତକ ଆଉ କିଛି ଚାଉଳ ଖୁଦ ବାଟିଲା । ବାଡିପଟୁ ମୁଠାଏ ଗୋଡି ଆଣି ରଖିଲା । ଭିତରେ ଗୋଡିତକ ଭରି ଗୋଟିଏ ମୋଟା ଚକୁଳି କଲା । ତାକୁ ବାଡିପଟ ବାରଣ୍ଡାରେ ରଖିଦେଇ ଘରର ତାଟିକବାଟ କିଳିଦେଇ କନ୍ଥା ଘୋଡେଇହୋଇ ଚେଇଁ ଚେଇଁ ଶୋଇ ରହିଲେ । ଏଣେ ମନରେ ଥାଏ ବାଘମାମୁଁର ପିଠାଖିଆ ଦେଖିବେ ।

ରାତିଅଧକୁ ଚୁପ୍ ଚୁପ୍ ବାଘମାମୁଁ ଆସିଲା । ବାରଣ୍ଡାରେ ପିଠା ଦେଖି ଖୁବ୍ ଖୁସିଟେ ହେଲା ।ହାଉଁ କରି ଗୋଟା ପିଠାକୁ ପାଟିରେ ଭରି ଚୋବେଇ ଦେଲା । ଏକାଥରକେ ବାଘର ଦୁଇଟା ଦାନ୍ତ ଭାଙ୍ଗିଗଲା । ବାଘ ପାଟି କରିପାରୁନି । ଲୋକମାନେ ଉଠିପଡିଲେ ବନ୍ଧୁକରେ ଲାଛିଦେବେ ବୋଲି ଭୟ । ଯନ୍ତ୍ରଣାରେ ବିକଳ ହୋଇ କୁନ୍ଥେଇ କୁନ୍ଥେଇ ଜଙ୍ଗଲକୁ ପଳେଇଲା । ଟୁଆଁଟୁଇଁ ବାଘର ଅବସ୍ଥା ଦେଖି ହସିହସି ଗଡିଗଲେ । ଉପସ୍ଥିତ ବୁଦ୍ଧି ଥିବାରୁ ବାଘକୁ ପାନେ ଦେଲେ ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ
ବଇଣ୍ଡା, ଅନୁଗୋଳ

0 Comments