Information

ପ୍ରବନ୍ଧ - ସୁସ୍ଥ ଯୁବସମାଜ ଗଠନ ଦିଗରେ ବ୍ରହ୍ମଚର୍ଯ୍ୟର ଭୂମିକା - ପ୍ରବୀଣ କୁମାର କବି


ଇତିହାସ ସାକ୍ଷୀ, ଯଦି ସଂସାରର କୋୖଣସି ଜାତି ଭିତରେ କାମୁକତା ଏବଂ ଅଶ୍ଳୀଳ ପ୍ରବୃତ୍ତି ମର୍ଯ୍ୟାଦାହୀନ ଭାବରେ ବୃଦ୍ଧି ପାଏ ତେବେ ସେ ଜାତି ଯେତେ ସମୃଦ୍ଧ ହେଲେ ସୁଦ୍ଧା ଶେଷରେ  ଧ୍ୱଂସ ମୁଖରେ ପଡିଥାଏ। କାରଣ ସମାଜର ଜୀବନ ସଦାଚାର, ସତ୍ୟ,ନିଷ୍ଠା, ସଚ୍ଚରିତ୍ରତା ଏବଂ ଉଦାରତା ଉପରେ ନିର୍ଭର କରେ।ଆମେ ସମସ୍ତେ ଜାଣିଛେ ବର୍ତ୍ତମାନ ସମାଜରେ ହିଂସା, ଦ୍ଵେଷ, କାମୁକତା, କୁସଂସ୍କାର ଆଦି ଅନାୟତଭାବେ ବଢିଚାଲିଛି ଏବଂ ଯଦି ଏହି ପ୍ରକ୍ରିୟା ଉପରେ ରୋକ୍ ନଲଗାଯାଏ ତେବେ ଏଇ ମନୁଷ୍ୟ ସମାଜ ଯେ ଅତିଶୀଘ୍ର କାଳଗର୍ଭରେ ଲୀନ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।ତେବେ, ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏ ପ୍ରକ୍ରିୟା ରେ ରୋକ୍ ଲଗାଯାଇ ପାରିବକି? ଯଦିବି ଲଗାଯାଇ ପାରିବ ଲଗାଇବ କିଏ ?

ଯଦିବି କିଏ ଏ ପ୍ରକ୍ରିୟା ଉପରେ ରୋକ୍ ଲଗାଇପାରିବ, ଏ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ସିଏ ହେଉଛି ଆଜିର ଯୁବସମାଜ । ଅନେକ୍ ବର୍ଷ ତଳେ ସ୍ବାମୀ ବିବେକାନନ୍ଦ ମଧ୍ୟ ଏକଥା ସ୍ପଷ୍ଟ କରିଥିଲେ ଯେ ସାହସୀ, ତ୍ୟାଗୀ ଏବଂ ଚରିତ୍ରବାନ ଯୁବସମାଜ ହିଁ ଭାରତବର୍ଷ ର ଭବିଷ୍ୟତ। ସେମାନେ ଚାହିଁଲେ ସେବା, ଶାନ୍ତି ଏବଂ ପ୍ରେମ ଦ୍ବାରା ସାରା ବିଶ୍ୱକୁ ମଧ୍ୟ ଜୟ କରିପାରିବେ କାରଣ ସେବା ଶାନ୍ତି ଦିଏ ଏବଂ ପ୍ରେମ ଅସମ୍ଭବକୁ ସମ୍ଭବ କରିପାରେ।ମହର୍ଷି ଶ୍ରୀଅରବିନ୍ଦ ମଧ୍ୟ ଯୁବସମାଜ ଉପରେ ଆସ୍ଥାସ୍ଥାପନ କରି କହିଥିଲେ କି ଏକବିଂଶ ଶତାବ୍ଦୀ ଏକ ବିବର୍ତ୍ତନ ର ସମୟ ହେବ, ଏକ କ୍ରାନ୍ତିକାଳ ହେବ ଏବଂ ଏହି କ୍ରାନ୍ତିକାଳ ର ପୁରୋଧା ହେବେ ଯୁବସମାଜ କାରଣ ଯୁବସମାଜ ମଧ୍ୟରେ ସେ ସାହସ,ଶକ୍ତି, ଦୃଢ଼ତା,ଉଦ୍ଦାମତା ରହିଛି।

କିନ୍ତୁ, ସଂପ୍ରତ୍ତି ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯୁବକ ଯୁବତୀମାନେ ସେମାନଙ୍କ ମଧ୍ୟରେ ଥିବା ସେ ଅନ୍ତର୍ନିହିତ ଶକ୍ତିକୁ ଉପଲବ୍ଧି କରିପାରୁନାହାନ୍ତି । ଅନେକ୍ ସମୟରେ ଯୁବକ ଯୁବତୀମାନେ ଭୟାଳୁ, ନିରୁତ୍ସାହୀ ହୋଇପଡୁଛନ୍ତି ।ସେମାନେ କ୍ରୁର,ଶୁଷ୍କ,କ୍ଷଣକୋପି ଏବଂ ଉଦାସ ହୋଇପଡୁଛନ୍ତି ଏବଂ ଅନେକ୍ ସମୟରେ ଦୁଶ୍ଚିନ୍ତାମଗ୍ନ ମଧ୍ୟ ରହୁଛନ୍ତି। ଆମେ ଜାଣିଛେ ମନୁଷ୍ୟର ଆତ୍ମିକ ବିକାଶ ଏବଂ ସାମାଜିକ ବିକାଶ ପାଇଁ ଶାରୀରିକ ଶକ୍ତି ଏବଂ ଆତ୍ମିକ ଶକ୍ତି ଉଭୟ ଆବଶ୍ୟକ କିନ୍ତୁ ଆତ୍ମିକ ଶକ୍ତି ତ ଦୂରର କଥା ବର୍ତ୍ତମାନର ଯୁବସମାଜ ମଧ୍ୟରେ ଶାରୀରିକ ଶକ୍ତିର ମଧ୍ୟ ଘୋର୍ ଅଭାବ ଦେଖାଯାଉଛି। ସେମାନେ ଅଳ୍ପ ବୟସରୁ ବିଭିନ୍ନ ଶାରୀରିକ ଏବଂ ମାନସିକ ରୋଗର ଶିକାର ହେଉଛନ୍ତି। ତେବେ ଏହାର ବାସ୍ତବ କାରଣ କଣ ହେଇପାରେ ତାହା ଅନେକ୍ ସମୟରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏହାର ଅନେକ୍ କାରଣ ଥାଇପାରେ ସତ କିନ୍ତୁ ସେମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଇପାରେ  ଯୁବସମାଜ ମଧ୍ୟରେ ସଂଯମର ଅଭାବ ବା ବ୍ରହ୍ମଚର୍ଯ୍ୟର ଅଭାବ। କାରଣ ବର୍ତ୍ତମାନ ଅଧିକାଂଶ ଯୁବସମାଜ ତଥା ଛାତ୍ରଛାତ୍ରୀ ସଂସ୍କାରର ଅଭାବରୁ ହେଉ କିମ୍ବା କଳୁଷିତ ପରିବେଶର ବିଷଜ୍ବାଳା ର ଶିକାର ହୋଇ ଅନେକ୍ ସମୟରେ କାମୋତ୍ତେଜକ ଚେଷ୍ଟା, ହସ୍ତମୈଥୁନ, ଯୌନଭାବନା ତଥା ଯାବତୀୟ କାମଲାଳସାରେ ବୁଡିରହୁଛନ୍ତି ଯଦ୍ବାରା ସେମାନଙ୍କର ଇନ୍ଦ୍ରିୟଗୁଡ଼ିକ ଶିଥିଳ ହୋଇପଡିବା ସହ ସ୍ମରଣଶକ୍ତି ମଧ୍ୟ କ୍ଷୀଣ ହୋଇପଡୁଛି।ଯାହାଫଳରେ ସେମାନେ ସାମାଜିକ କାର୍ଯ୍ୟ ତ ଦୂରର କଥା ନିଜ କାର୍ଯ୍ୟ ମଧ୍ୟ ସୁଚାରରୁପେ କରିବାକୁ ସମର୍ଥ ହେଉନାହାନ୍ତି । ତେଣୁ ବ୍ରହ୍ମଚର୍ଯ୍ୟ ପାଳନ ଜରୁରୀ ହୋଇ ପଡିଛି ବୋଲି ଏ ଅଧମ ଚିନ୍ତାକରେ।

ସାଧାରଣତଃ ବ୍ରହ୍ମଚର୍ଯ୍ୟ ସମ୍ବନ୍ଧରେ ଅନେକ୍ ଲୋକ ଅନେକ୍ ମତ ଦେଇଥାନ୍ତି। ଯଦ୍ବାରା ଅନେକ୍ ସମୟରେ ଆମେ ଭ୍ରମିତ ମଧ୍ୟ ହେଇଥାଉ। ସଦଗୁରୁ ଶ୍ରୀ ସିବାନନ୍ଦ ଙ୍କ ମତରେ “କାୟ,ମନ ଓ ବାକ୍ୟରେ ବିଶୁଦ୍ଧତା ଏବଂ ପବିତ୍ରତା ହିଁ ବାସ୍ତବ ବ୍ରହ୍ମଚର୍ଯ୍ୟ"। ବ୍ରହ୍ମଚର୍ଯ୍ୟ କେବଳ ଏକ ଦିବ୍ୟ ଶବ୍ଦ ନୁହେଁ, ଏହା ଏକ ବ୍ରତ। ଏଥିରେ ସଂସାରର ସମସ୍ତ ଯୋଗର ସାରତତ୍ତ୍ୱ ନିହିତ ଅଛି। ମନୁଷ୍ୟର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଏହା ନିତ୍ୟାନ୍ତ ଉପଯୋଗୀ ଓ ଲାଭପ୍ରଦ ସାଧନ ଅଟେ। ବ୍ରହ୍ମଚର୍ଯ୍ୟ କହିଲେ କେବଳ ଅବିବାହିତ ଅବସ୍ଥାକୁ ବୁଝାଏ ନାହିଁ ଏବଂ ସଂଯମ କହିଲେ କେବଳ ମୈଥୁନତ୍ୟାଗ କୁ ବୁଝାଏ ନାହିଁ। ବ୍ରହ୍ମଚର୍ଯ୍ୟ କହିଲେ ସୀମିତ ଅର୍ଥରେ ଯୌନସମ୍ପର୍କକୁ ତ୍ୟାଗ ବା ବୀର୍ଯ୍ୟରକ୍ଷାକୁ ବୁଝାଇଥାଏ କିନ୍ତୁ ବ୍ୟାପକ ଅର୍ଥରେ ବୁଝିଲେ ସମ୍ପୂର୍ଣ୍ଣ ଇନ୍ଦ୍ରିୟସଂଯମ କୁ ବୁଝାଇଥାଏ।ମହାତ୍ମା ଗାନ୍ଧୀଙ୍କ ମତରେ ସଂଯମ ରହିତ ମନୁଷ୍ୟ ପଶୁସହିତ ସମାନ ହୋଇଥାଏ। ସ୍ବାମୀ ବିବେକାନନ୍ଦଙ୍କ ମତରେ ବ୍ରହ୍ମଚର୍ଯ୍ୟ ଦ୍ବାରା ସ୍ନେହଁ ଓ ଶ୍ରଦ୍ଧାଭାବ ଉତ୍ପନ୍ନ ହୁଏ, ମନୁଷ୍ୟମଧ୍ୟରେ ସତ୍ୟ କହିବା ଏବଂ ସତ୍ୟକୁ ପାଳନ କରିବାର କ୍ଷମତା ଜାତ ହୋଇଥାଏ।

ବିଶୁଦ୍ଧ ବାୟୁ, ବିଶୁଦ୍ଧ ଜଳ, ସତ୍ ଚିନ୍ତନ୍,ଯୋଗ, ପ୍ରାଣାୟମ ଏ ପ୍ରତ୍ୟେକଟି ସୁନ୍ଦର ଦୈହିକ ସ୍ବାସ୍ଥ୍ୟ ଓ ଶକ୍ତିଲାଭ ପାଇଁ  ଜରୁରୀ ଅଟେ। ଶାରୀରିକ ଏବଂ ମାନସିକ ଶକ୍ତି ପ୍ରାପ୍ତ ନିମନ୍ତେ ଏପରି ବିଭିନ୍ନ ପ୍ରଣାଳୀ ଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ବ୍ରହ୍ମଚର୍ଯ୍ୟ ପାଳନ ହେଉଛି ସର୍ବଶ୍ରେଷ୍ଠ ପ୍ରଣାଳୀ କାରଣ ବ୍ରହ୍ମଚର୍ଯ୍ୟ ମନୁଷ୍ୟ ଜୀବନରେ ରୋଗପ୍ରତିରୋଧକ ଶକ୍ତି ପରି କାର୍ଯ୍ୟ କରିଥାଏ। ଏହା ଅନ୍ତର୍ବଳ ବଢ଼ାଇବା ସହିତ ମାନସିକ ଶକ୍ତି ପ୍ରଦାନ କରେ। ଏହା ସ୍ମୃତିଶକ୍ତି, ଇଛାଶକ୍ତି ତଥା ମସ୍ତିଷ୍କର ଶକ୍ତି ବର୍ଦ୍ଧନ କରେ ଏବଂ ଶରୀରକୁ ବଳ, ଉତ୍ସାହ ଏବଂ ଜୀବନୀଶକ୍ତି ପ୍ରଦାନ କରେ । ବ୍ରହ୍ମଚର୍ଯ୍ୟ ରେ ଶାରୀରିକ ସଂଯମ ଠାରୁ ମାନସିକ ସଂଯମ ବେଶି ଜରୁରୀ କାରଣ ଜଣେ ଶାରୀରିକ ଭାବରେ ଯୌନ ଲାଳସା ରେ ନବୁଡି ଯଦି ମାନସିକ ଭାବରେ ଏହାକୁ ଚିନ୍ତା କରେ ତେବେ ତାର ବେଶି କ୍ଷତି ହୋଇଥାଏ ।

ତେଣୁ, ବ୍ରହ୍ମଚର୍ଯ୍ୟ ପାଳନ ର ପ୍ରଥମ ସୂତ୍ର ହେଉଛି ଶାରୀରିକ ଓ ମାନସିକ ସ୍ଥିରତା ବଜାୟ ରଖିବା ଯାହାକୁ ପାଳନ କରିବା ପ୍ରାରମ୍ଭିକ ଭାବରେ ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି। ଏହାର ପାଳନ କରିବା ଦ୍ବାରା ଯୁବସମାଜ ମଧ୍ୟରେ ନୂତନ ଉର୍ଜାର ସଞ୍ଚାର ହୋଇପାରିବ ଏବଂ ଏକ ସ୍ୱଚ୍ଛ ଏବଂ ସୁସ୍ଥ  ସମାଜ ଗଠନ  ହୋଇପାରିବ ବୋଲି ମୋର ଆଶା।

ପ୍ରବୀଣ କୁମାର କବି
ଅଧ୍ୟାପକ, ପତିତପାବନ ମହାବିଦ୍ୟାଳୟ
ସାଇଁକୁଳ, ଆନନ୍ଦପୁର, କେନ୍ଦୁଝର
ମୋ - ୭୬୦୯୦୭୭୦୨୩

Post a Comment

0 Comments