Information

ଶୂନ୍ୟ ଦେହି ହେ ଅଜାତ ପୁରୁଷ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ମୋ ଆଖି ର ଲୁହ ମୋ ମନର କୋହ ଯନ୍ତ୍ରଣା ଚିତ୍ର ଆଙ୍କି
ମନରେ ମୋହର ସୃଜିଦେଇ ଗଲ ତୁମେ ମୋ ପ୍ରାଣ ଦେବତା
ତେଣୁ ଦିବା,ନିଶି ଖୋଜଇ ତୁମକୁ କାଳେ ଦେଖାଦେବ ଆସି
ମିଳିଯିବ ତବ ଦରଶନ ଅବା ପାଇବି ତୁମ ବାରତା   ।।

ଦେଖିଛି ମୁଁ ତୁମେ ବସିଛ ନିଶ୍ଚଳେ ମହାର୍ଘ ମନ୍ଦିର ଗହ୍ଵରେ
ପଥର ବା ଧାତୁ କାଠର ମୂରତୀ କି ଅବା ମୃଣ୍ମୟ ରୂପରେ
କିମ୍ଭୁତ କିମାକାର ସେହି ଚିତ୍ର ନିର୍ଜିବ ସେ କଳେବରେ
ତୁମର ଜନମ କିଏବା ଦେଖିଛି ମୁଖୁ କଥା ଷ୍ଫୁରିବାରେ  ।।

ଆକାଶ ନୀଳିମା ଛାଇ ପ୍ରତିବିମ୍ବେ ଜଳ ଯେହ୍ନେ ଦିଶେ ନୀଳ
ସେମିତି ମୋ ମନେ ପ୍ରହେଳିକା ସମ ବିଶ୍ବାସ ଦେଲ ଜନ୍ମାଇ
ଧରଣୀର ପ୍ରତି ଜୀବନ କୁ ସତେ ତୁମେ ପ୍ରଭାବିତ କର
ରୂପ,ରେଖ ହୀନ ତୁମେତ ଈଶ୍ଵର ତୁମେ ଗୋଟେ ଶୂନ୍ୟ ଦେହି  ।।

କେତେଯେ ବସନ୍ତ ବିତିତ ଗଲାଣି ହଜିଛି ଜୀବନ ଛନ୍ଦ
କେତେଯେ ସକାଳ ଦେଖିଛି ଏ ଆଖି ଦେଖିଛି ତା ଉଷା ବେଶ
ତୁମକୁ ପାଇବା ନିରାଶା ବତାସେ ଭାଙ୍ଗିଛି ମୋ ଆଶା ସୈ।ଧ
ତଥାପି ବସନ୍ତ, ପ୍ରତ୍ୟୁଷ ଉଚ୍ଚାଟେ ତୁମ ଅସ୍ତିତ୍ବ ବିଶ୍ଵାସ  ।।

ଏ ଜୀବନ ଦୀପ ଜାଳୁଛ ଠାକୁରେ ଆଶାର ତଇଳ ଢାଳି
ଅଜାତ ପୁରୁଷ, ହେ ଅଜନ୍ମା ଦେବତା କହ କେଉଁ ଉଢାଳରେ
ରହି ଖେଳାଉଛ ଖେଳଣା ସଜେଇ ମହାକାଳ ମହାବଳୀ
ନିସ୍ଵ ଜୀବନରେ ଆଶା ଉତ୍ସ ସାଜି ଏ ହୃଦୟର ଗହ୍ଵରରେ   ।।

ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments