Information

କ୍ଷୁଦ୍ରଗଳ୍ପ - ଶାନ୍ତି - ଶୋଭନ ମହାନ୍ତି


ଉନ୍ନତି କରିବାର ଶକ୍ତି ଭଗବାନ ମନୁଷ୍ୟକୁ ଦେଇଛନ୍ତି । ଉନ୍ନତି କରିବାର ବାଟରେ ଯେ ଯେତେ ଆଗେଇ ଯାଇପାରେ ଆହୁରି ଉନ୍ନତି କରିବାର ଶକ୍ତି ତା'ଭିତରେ ଜାଗିଉଠେ । ଉନ୍ନତିର ବାଟରେ ଯାଉ ଯାଉ କୌଣସି କୌଣସି ଲୋକ ଅଟକି ଯାଆନ୍ତି । ତା'ଫଳରେ ସେମାନେ ସେତିକିରେ ରହି ଯା'ନ୍ତି । ଆଉ ସେମାନଙ୍କର ଉନ୍ନତି ହୁଏ ନାହିଁ । ଯେ ବାଟରେ ଅଟକେ ନାହିଁ, ଆଗେଇଚାଲେ, ସେହି କେବଳ ବଡ଼ ହୁଏ ।

ଜଣେ କାଠୁରିଆ ବଡ଼ ଗରିବ ଥିଲା । ଦିନସାରା ସେ ବଣରେ କାଠ କାଟି ସଂଧ୍ୟା ବେଳେ ଗ୍ରାମକୁ ଫେରେ ଓ କାଠତକ ବିକ୍ରି କରେ । ଖରା ନାହିଁ, ବର୍ଷା ନାହିଁ, ଦେହ ଦୁଃଖ ନାହିଁ, ସବୁଦିନ ତାକୁ କାଠ କାଟିବାକୁ ଯିବାକୁ ପଡେ଼ ଓ ମୁଣ୍ଡରେ କାଠ ବୋଝ ବୋହି ବିକ୍ରି କରିବାକୁ ହୁଏ । ସେଥିରୁ ଯେଉଁ ସାମାନ୍ୟ ପଇସା ସେ ପାଏ, ସେଥିରେ ତା'ର ସଂସାର କୌଣସିମତେ ଚଳିଯାଏ । ଖଟି ଖଟି କାଠୁରିଆକୁ ଭାରି କଷ୍ଟ ହେଲା । ଦେହରେ କେତେ ଖଣ୍ଡି ହାଡ଼ ଛଡ଼ା ଆଉ କିଛି ନ ଥିଲା । ତା'ର ଭାଗ୍ୟ କେବେ ବଦଳିବ ବୋଲି ସେ ବିଶ୍ୱାସ କରୁ ନ ଥିଲା । ଦିନେ ବଣକୁ ସେ କାଠ କାଟିବାକୁ ଯାଇଛି, ବଣ ମଧ୍ୟରେ ଜଣେ ସାଧୁଙ୍କ ସଙ୍ଗରେ ଦେଖା ହେଲା । କାଠୁରିଆର ଅବସ୍ଥା ଦେଖି ସାଧୁଙ୍କର ମନରେ ଦୟା ହେଲା । ସେ ଖାଲି ତାକୁ ଏତିକି କହିଲେ, "ଆଗେଇ ଚାଲ ।" ଏବଂ ଲୋଭ ପରିତ୍ୟାଗ କର । ସାଧୁ ଚାଲିଗଲେ । କାଠୁରିଆ ମନେ ମନେ ଭାବିବାକୁ ଲାଗିଲା, "ସାଧୁ ତ ମୋତେ ଆଗେଇ ଯିବାକୁ କହିଛନ୍ତି; ଏ ଘୋର ବନସ୍ତ ମଧ୍ୟରେ ମୁଁ ଟିକିଏ ଆଗେଇ ଯିବି । ଦେଖାଯାଉ, କ'ଣ ହେଉଛି ।"

ଏହା ଭାବି କାଠୁରିଆ ବଣ ମଧ୍ୟରେ ଆଗେଇ ଗଲା । କ୍ରମେ ବନସ୍ତ ଆହୁରି ନିଘଞ୍ଚ ହୋଇଉଠିଲା । ମାତ୍ର କିଛି ବାଟ ପରେ ସେ ଦେଖି ପାରିଲା, ଏକ ଚନ୍ଦନ କାଠର ବଣ । କେତେ ଖଣ୍ଡି ଚନ୍ଦନ କାଠ କାଟି କାଠୁରିଆ ସେଦିନ ଘରକୁ ଫେରି ଆସିଲା । ସାଧାରଣ କାଠ ଅପେକ୍ଷା ଚନ୍ଦନ କାଠର ଦାମ କୋଡ଼ିଏ ଗୁଣ ବେଶି । କାଠୁରିଆ ସେଦିନ ବହୁତ ପଇସା ପାଇଲା । ତା'ପରେ ସେ ପ୍ରତିଦିନ ଚନ୍ଦନ ବନକୁ ଯାଏ ଓ ଚନ୍ଦନକାଠ କାଟି ଆଣି ବିକ୍ରି କରେ । ସଂସାରରେ ଆଉ ତା'ର ଆଗପରି କଷ୍ଟ ନାହିଁ । ମାତ୍ର ସେତିକିରେ ସେ ସନ୍ତୁଷ୍ଟ ହେଲା ନାହିଁ । ସେ ମନେ ମନେ ଭାବିଲା, "ସାଧୁ ତ ମୋତେ ଆଗେଇ ଯିବାପାଇଁ କହିଛନ୍ତି । ଆଉ ଟିକିଏ ଆଗେଇ ଯାଏ, ଦେଖି କ'ଣ ହେଉଛି ।" ସେଦିନ ସେ ଚନ୍ଦନ ବଣ ପାର ହୋଇ ଆହୁରି ଦୂରକୁ ଗଲା । ଦେଖିଲା, ତମ୍ବାର ଖଣି । କେତେ ଖଣ୍ଡ ତମ୍ବା ଲୁଗାରେ ବାନ୍ଧି ଘରକୁ ଚାଲି ଆସିଲା । ଚନ୍ଦନ ଠାରୁ ତମ୍ବାର ଦାମ ବେଶି । କାଠୁରିଆ ବହୁ ପଇସା ପାଇଲା । ସେ ଖୁବ୍ ଖୁସି ହୋଇଗଲା । ପରଦିନ ସେ ତମ୍ବା ଖଣିକୁ ଗଲା ଓ ଯେତେ ବୋହି ଆଣିାରିବ, ଆଣିଲା । ଏହିରି ବହୁ ଦିନ ଗଡ଼ିଗଲା । କାଠୁରିଆର ଅବସ୍ଥା ଆହୁରି ବଦଳି ଗଲା । ସେ ପୁଣି ମନେ ମନେ ଭାବିଲା "ସାଧୁ ତ ମୋତେ ଆଗେଇ ଯିବାକୁ କହିଛନ୍ତି, ପୁଣି ଆଗକୁ ଯାଇ ଦେଖେଁ, କ'ଣ ହେଉଛି ।" ତା'ପରେ ସେ ତମ୍ବା ଖଣି ପାର ହୋଇ କିଛି ଦୂର ଆଗକୁ ଯାଇଛି ତ ଦେଖିଲା, ଏକ ରୁପାର ଖଣି । ଆନନ୍ଦରେ କାଠୁରିଆ ଏକ ରୁପାର ଗଣ୍ଠିଲା ବାନ୍ଧି ଘରକୁ ଫେରି ଆସିଲା । ଦେଖୁ ଦେଖୁ କାଠୁରିଆ ବଡ଼ଲୋକ ହୋଇଗଲା । ସାଇ ପଡ଼ିଶାର ଲୋକେ କୁହା କୋହି ହେଲେ, "କାଠୁରିଆ ଦେବତାଙ୍କର ଧନ ଲାଭ କରିଛି ।" ରୁପାର ଖଣି ପାଇବା ପରେ କାଠୁରିଆର ମନେହେଲା, ସାଧୁଙ୍କର ଦୟାରୁ ତା'ର ବହୁତ କିଛି ହୋଇଛି । ଆହୁରି ଆଗକୁ ଯାଇ କିଛି ଲାଭ ନାହିଁ । ଯାହା ହୋଇଛି ବେଶ୍ ହୋଇଛି । କିନ୍ତୁ କିଛି ଦିନ ପରେ ପୁଣି ସାଧୁଙ୍କ କଥା ତା'ର ମନେ ପଡ଼ିଲା । ସେ କହିଲା, "ନା ମୁଁ ଏଠାରେ ଅଟକିବି ନାହିଁ, ପୁଣି ଆଗେଇ ଯିବି ।"

ଏହିପରି ପ୍ରତିଦିନ ସେ କିଛି କିଛି ଆଗେଇଲା । ତା'ପରେ ସୁନା ଖଣି, ହୀରା ଖଣି ସନ୍ଧାନ ପାଇ, ବହୁତ କିଛି ଧନରତ୍ନ ସେ ଲାଭ କରି ପାରିଲା । ତାକୁ ଦେଖି ଲୋକେ ଈର୍ଷା କରିବାକୁ ଲାଗିଲେ । କିନ୍ତୁ ସାଧୁଙ୍କର ଉପଦେଶ ତା'ମନରେ ପ୍ରତିଧ୍ୱନି ପରି ସବୁବେଳେ ଜାଗି ଉଠୁଥିଲା-- ଆଗେଇ ଚାଲ । କିନ୍ତୁ ସେ ଭୁଲିଗଲା ଲୋଭ ପରିତ୍ୟାଗ କରିବା ପାଇଁ। ଲୋଭ ର ବଶବର୍ତ୍ତୀ ହୋଇ ଆହୁରି ଆଗକୁ ବଢିଚାଲିଲା । କିନ୍ତୁ ସେ ଭୁଲିଗଲା ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହୀରା ଲୀଳା ର ସେ ଅଧିକାରୀ ହୋଇ ସାରିଛି। ଆଉ ତା ଠାରୁ ତାକୁ ଆଉ ଅଧିକ କଣ ମିଳିବ । ଆଉ ଟିକିଏ ଆଗକୁ ଯାଇ ଦେଖିଲା ସେଇ ସନ୍ୟାସୀ ତପସ୍ୟା ରେ ସେଇଠି ବସିଛନ୍ତି । ସେ କିଛି ପାଇବା ଲୋଭରେ ଏତେ ବଶବର୍ତ୍ତୀ ହୋଇ ଯାଇଥିଲା ଯେ ସନ୍ୟାସୀ ଙ୍କ ଗେରୁଆ ବସ୍ତ୍ର ଦେଖି ତା ମନ ମଳିନ ପଡିଗଲା । ଭାବୁଥିଲା ଏହା କଣ ଜୀବନ ? ସେଇଠୁ ସେ ଫେରିବାକୁ ଲାଗିଲା କିନ୍ତୁ କିଛି ଦୂର ଯାଆନ୍ତା ଦେଖିଲା କିଛି ଭୋକିଲା ବାଘ ତାକୁ ଖାଇବାକୁ ଘେରି ରହିଛନ୍ତି । ନିଜର ଜୀବନ ବଞ୍ଚାଇବାକୁ ସେ ସାଧୁ ଙ୍କ ପାଖକୁ ଫେରିଲା । ସାଧୁ କାଠୁରିଆ କୁ ଦେଖି ସବୁ ବୁଝିଗଲେ । ଆଉ ନିଜର ଜ୍ଞାନ ଆଉ ଧ୍ୟାନ ବଳରେ ବାଘ ମାନଙ୍କର ମନକୁ ଶାନ୍ତ କରିଦେଲେ । ବାଘମାନେ ଶିକାର ଛାଡି ଜଙ୍ଗଲକୁ ଚାଲିଗଲେ । ସେତେବେଳେ କାଠୁରିଆ ସାଧୁଙ୍କୁ ଚାହିଁ ସବୁ ବୁଝିପାରିଲା ଯେ ଧନସମ୍ପତ୍ତି ବଳରେ ଏଇ ଦୁନିଆ କୁ ଉଦ୍ଧାର କରିବା ଅସମ୍ଭବ । କେବଳ ଲୋଭ ବଢିବ । କିନ୍ତୁ ସତ୍ ମାର୍ଗ ବୁଦ୍ଧି ଆଉ ଜ୍ଞାନ ଦ୍ବାରା ହିଂସ୍ରଯନ୍ତୁ ବି ନିଜର ହୋଇ ପାରିବେ । ସେ ବିଳମ୍ବ ନକରି ସାଧୁଙ୍କ ଚରଣରେ ପଡି ତାଙ୍କ ଶିଷ୍ୟତ୍ୱ ଗ୍ରହଣ କଲା । ପରଦିନ ନିଜର ସମସ୍ତ ସମ୍ପତ୍ତି କୁ ଗରିବ ମାନଙ୍କୁ ଦାନ କରି ସତ୍ ମାର୍ଗ ରେ ସମସ୍ତଙ୍କୁ ବଞ୍ଚାଇବାକୁ ନିଷ୍ଠାପର ଭାବେ ସାଧନା କଲା । ଆମ୍ଭେ ମାନେ ମଧ୍ୟ କଠୁରିଆ ପ୍ରବୃତ୍ତି ର । ସବୁବେଳେ ଅଧିକ ଟଙ୍କା ଧନ ସମ୍ପତ୍ତି ଉପାର୍ଜନ କରିବା ଆଶାରେ ଜୀବନ ପଥରେ ଯେତେ ଆଗକୁ ଯିବାକୁ ପଡିବ ଆମେ ଚାଲିଯାଉ । ଅସତ୍ ପଥ ପଡିଲେ ବି ଦ୍ୱିଧା ନାହିଁ । କିନ୍ତୁ ଚିନ୍ତା କରୁନି ଯେ ଶେଷରେ କଣ ହେବ ?? ଅର୍ଥ ଧନ ଆମକୁ ରକ୍ଷା କରିପାରିବେ ନାହିଁ । 

ଶୋଭନ ମହାନ୍ତି, ସୋରୋ, ବାଲେଶ୍ୱର

Post a Comment

0 Comments