Information

ସେହି ମୋ ଓଡିଶା - ନାରାୟଣ ଚନ୍ଦ୍ର ସେନାପତି


ସଂସ୍କୃତିର ପାରାବାର  ଏ ପୁଣ୍ୟଭୂମି
ସ୍ୱର୍ଣ୍ଣ ଶସ୍ୟକ୍ଷେତ୍ର  ବିଭବର ଆର୍ଯ୍ୟାବର୍ତ୍ତ
ଉତ୍କଳ,କଳିଙ୍ଗ,କଙ୍ଗୋଦ ଅବା ତ୍ରିକଳିଙ୍ଗ ଯାର ନାମ
କଟିରେ କଟକ ଯା ଗଳାରେ ଏକାମ୍ର କାନନ
ସେହି ଆର୍ଯ୍ୟଭୂମି
ମଧୁର ଓଡିଆ ଯାର ଭାଷା
ସେହି ମୋ ଓଡିଶା।
ଶିକ୍ଷାର ଗନ୍ତାଘରେ ବସି ଯେ ଅଶୋକଙ୍କୁ କଲା ଧର୍ମାଶୋକ
ବାଣିଜ୍ୟର ମୂହାଣରେ ବସି ଜାଳିଥିଲା ଯେ  ଆକାଶ ଦୀପ
ଆଦରର ଅନ୍ନପରସାରେ ଯେ କଳାପାହାଡକୁ କଲା ମିତ୍ର
ମୋଗଲ ଆଫଗାନ୍ ଇଂରେଜଙ୍କ ଗୋଲାମିକୁ ପ୍ରତିଘାତ କରି
ବକ୍ସି ବାଜିଆ ସୁରେନ୍ଦ୍ର ପରି ଯା'ର ସୂତ ଦେଲେ ପ୍ରାଣବଳି
ସେ ମହିୟସୀ ଉତ୍କଳମାତା
ସେହି ମୋ ଓଡିଶା।
ଯେଉଁ ମାଟିପାଇଁ ଗଜପତିଙ୍କର ଆଖିରୁ ବୋହିଲା ଲୁହ
ମଧୁବାବୁଙ୍କର ଉତ୍କଳସମ୍ମିଳନୀର ମୋହ
ଫକୀର, ନୀଳକଣ୍ଠ ଆଉ ଗଙ୍ଗାଧରଙ୍କ ଦୁର୍ବାର କାମନା
ହଲ୍ ଚଲ୍ କରିଦେଲା ବୈମାନ୍ ଇଂରେଜଙ୍କୁ
ବୋକାବନି ଚାଲିଗଲେ ସ୍ୱଦେଶକୁ
କହି ବାଃ ବାଃ ରେ ଓଡିଆ
ଗଢିଉଠିଲା ସ୍ୱତନ୍ତ୍ର ସ୍ୱପ୍ନର ଓଡିଶା
ଅପ୍ରେଲ୍-୧କୁ ଦେଇ ଅଭୁଲା ସ୍ମୃତି
ଶୁଭିଲା ଶୁଭ ଶଙ୍ଖର ଧ୍ୱନି
ବନ୍ଦେ ଉତ୍କଳ ଜନନୀ
ସେହି ମୋ ଓଡିଶା।
ଯାର ଶାସ୍ତ୍ରୀୟ ଓଡିଶୀ ଆମ ଧର୍ମ
ବାରବାଟୀ କୋଣାର୍କ ଆମ ଚିହ୍ନ
ଯା ବାତ୍ସଲ୍ୟ ମମତାର ସ୍ୱର ...
ଆମ ଆଖିରୁ ଝରାଏ ଆନନ୍ଦର ଲୁହ
ସେହି କାରୁକଳା,ଚାରୁକଳା,ନୃତ୍ୟ ସଙ୍ଗୀତ ଆମ ପ୍ରାଣ
ସେହି ମୋ ଓଡିଶା।
ଯା'ର ମନ୍ଦିର ଶିଖାଏ ପବିତ୍ରତା
ନଦୀ ଶିଖାଏ ଭାଷା
ପର୍ବତ ଶିଖାଏ ସହନଶୀଳତା ଶିଳାଲିପି ଶିଖାଏ ମହାନତା
ଆଉ ମାଟି ଶିଖାଏ ସ୍ୱାଭିମାନ,
ଯାହାର ଇଷ୍ଟ ଜଗନ୍ନାଥ ବାନ୍ଧନ୍ତି ସଭିଙ୍କୁ ପ୍ରେମର ବନ୍ଧନରେ
ଗୁରୁ ପିତାମାତା ଓ ଅତିଥୀଙ୍କୁ ଦିଅନ୍ତି ନିଜର ଆସନ
ସେହି ଦେବଭୁମି...
ସେହି ମୋ ଓଡିଶା।

ନାରାୟଣ ଚନ୍ଦ୍ର ସେନାପତି
ଶଙ୍କରାଚାର୍ଯ୍ୟ ସମ୍ମାନପ୍ରାପ୍ତ ଶିକ୍ଷକ, ତେଳକୋଇ, ବ୍ଲକ୍, ଜିଲ୍ଲା-କେନ୍ଦୁଝର

Post a Comment

0 Comments