Information

ସେ ମୋ ବାପା - ନାରାୟଣ ଚନ୍ଦ୍ର ସେନାପତି


କେଉଁ ଏକ ଅଜଣା ରାଇଜରୁ ତୋଳି ଆଣି ମୋତେ
ମୋ ମା କୋଳରେ ଦେଲ ଶ୍ରେଷ୍ଠ ଉପହାର
ବୁକୁ ଖୋଲି ହସିଲା ଉନ୍ମାଦିନୀ ପ୍ରାୟ
ତୁମେ କିନ୍ତୁ ସ୍ଥିତପ୍ରଜ୍ଞ
ଅନ୍ତରରେ ଉତ୍ଫୁଲ୍ଲ ହେଉଥିଲ ପ୍ରତିକ୍ଷଣ
ପ୍ରତ୍ୟକ୍ଷରେ ଖୁସି କରିବାକୁ ବ୍ୟାକୁଳ ସେ
ମାତ୍ର ପରୋକ୍ଷରେ ....
ପ୍ରତି ମୂହୂର୍ତ୍ତରେ ଜ୍ୟେଷ୍ଠ,ଶ୍ରେଷ୍ଠ,ତୁଷ୍ଟ କରିବାର ଦୁର୍ବାର ସ୍ୱପ୍ନ
କେବଳ ମୋ ପାଇଁ
ରକ୍ତ,ମାଂସ,ହାଡ ଦେଇ
ସ୍ୱାଭିମାନକୁ ବଳିଦେଇ
ଅନୁଶାସନର ମହାଦ୍ରୁମକୁ ମୂଳୋତ୍ପାଟନ କରୁଥିଲ
ଖାଲି ମୋ ଖୁସି ପାଇଁ
କାହିଁକି ନା ....ତୁମେ ମୋ ବାପା ।
କାନ୍ଧରେ ବସାଇ ପାର କରୁଥିଲ ନଦୀ
ପିଠିରେ ବସାଇ ସାଜୁଥିଲ ଘୋଡା , ହାତୀ
ରୋଗବେଳେ କାନ୍ଦୁଥିଲ କଇଁ କଇଁ
ସମସ୍ତେ ଶୋଇ ସାରିଲା ପରେ
ମୋ ପାଇଁ କିଛି ଗୋପନରେ ଥିଲା ତୁମ ପକେଟ୍,ବ୍ୟାଗ୍ ରେ
ମୋର ସଫଳତା..
ସେତ ଲାଗୁଥିଲା ତୁମର ଡିଗ୍ରୀ
ସଭିଙ୍କ ସମ୍ମୁଖରେ ଭୁରି ପ୍ରଶଂସା
ତୁମକୁ ତୁଚ୍ଛ କରି ମୋତେ ପିନ୍ଧାଉଥିଲ ସୁନା ମୁକୁଟ
କାହିଁକି ନା...ତୁମେ ମୋ ବାପା।
କ'ଣ ନ ଥିଲା ତୁମ ପାଖରେ
ବିଦ୍ୟା,ସଙ୍ଗୀତ,ସଂସ୍କାର,ସମ୍ପର୍କ...ସହାନୁଭୂତି
ସବୁଥିରେ ତ ତୁମେ କୁବେର
ହେଲେ ଅହଂକାରରେ ତୁମେ ବହୁତ ଗରିବ
ଏବେ ବି ଲାଜ ଲାଗେ
ମୋ ସଫଳତା ମାପ କାଠିରେ ଯେବେ ମୁଁ ମାପେ
ସତରେ ତୁମେ ହିମାଳୟ ଠୁ ବି ଉଚ୍ଚ !
ଆକାଶଠୁ ବି କମ୍ ନୁହଁ
ଏବେ ବି ମୁଁ ତୁମ ପରିଚୟ ନେଇ ବଞ୍ଚିଛି
ଏତିକି ଦୁଃଖ
ତୁମ ସ୍ୱପ୍ନ ଦିବାସ୍ୱପ୍ନ ପରି ରହିଗଲା
ମୁଁ ଏକ ଅସଫଳ ନାବିକ
ତଥାପି ଗର୍ବରେ ମୋ ଛାତି ଫୁଲିଉଠେ
କାହିଁକି ନା
ମୁଁ ତୁମର ସେ ଗେହ୍ଲା ପୁଅ
ଆଉ ତୁମେ....ମୋ ବାପା।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,କେନ୍ଦୁଝର

Post a Comment

0 Comments