Information

କ୍ଷୁଦ୍ରଗଳ୍ପ - ସତୁରା - ଅମରେନ୍ଦ୍ର ଚୌଧୁରୀ ଓଝା


ଲମ୍ବା ଆଲୁରାୟତ କେଶ ରାଶିରେ ସମଗ୍ର ମୁଖମଣ୍ଡଳ ଟା ଆଚ୍ଛାଦିତ । ନିହାତି ଅପରିଷ୍କାର ପରିପାଟୀ । ଜୀର୍ଣ୍ଣ ଶରୀର ସାଙ୍ଗକୁ ପିଠିରେ ଦୁନିଆ ଯାକର ଆବର୍ଜନାକୁ ବୋହି ନେବାର ପ୍ରୟାସ କରୁଥିବା ମଣିଷ ଟିଏ ସତୁରା ।  ହଁ, ସତୁରା । ପାଗଳ ଟିଏ । କଟକ ସହରର ବିଡାନାସୀ ବଉଳଛକ, ବନ୍ଧଛକ ଓ ବିଡାନାସୀ  କୁମ୍ଭାରସାହି ରେ କୌଣସି ସ୍ଥାନରେ ନିଶ୍ଚୟ ଥାଏ ସତୁରା । ମୁଁ ଚାକିରୀ କରିବାକୁ ୨୦୧୨ ମସିହା ନଭେମ୍ବର ମାସରେ କଟକ ଆସିଲି । ସେହି ଦିନ ରୁ ଆଜି ଯାଏ ମୁଁ ସେହି ଗୋଟିଏ କମ୍ପାନୀରେ କାମ କରୁଛି । ଆଉ ନିତି ଭେଟେ ସତୁରା କୁ । କେତେବେଳେ ନାଳ ସଫା କରୁଥିବାର ଦେଖେ, କେବେ ଦେଖେ କାହାକୁ ଖାଇବାକୁ ମାଗୁଥିବାର । ଆଉ କେବେ ଦେଖେ ମାଗିକରି ଆଣିଥିବା ରୁଟି ବୁଲାକୁକୁର ମାନଙ୍କୁ ବାଣ୍ଟୁଥିବାର । କାହିଁ ମୁଁ ତ କେବେ ମୋ ପେଟରୁ କାଟି କୁକୁର ମାନଙ୍କୁ ଦେଇନି । "ଜୀବେ ଦୟା" ଏଇ କଥା ଟା କେବଳ ସତୁରା କୁ କୁହାଯାଇଥିଲା ବୋଧେ । ସତୁରା ପରି ମୁଁ ହୋଇ ପାରିନି । କାରଣ, ମୁଁ ସତୁରା ନୁହେଁ ବୋଲି ।

ସବୁବେଳେ କର୍ମ ତତ୍ପର ସେ । ପିଠିରେ ପଡିଥାଏ ଗୋଟେ ସିମେଣ୍ଟ ବସ୍ତା । ତା ଭିତରେ କିଛି ଚିରା ପଲିଥିନ, କିଛି ଅସନା ବୋତଲ, ଛିଡା ଚପଲ, ଆଉ ବାଟେଘାଟେ ଯାହା ଆବର୍ଜନା ମିଳେ, ସବୁ ପଶେ ସେହି ଥଳିରେ । ତାକୁ କାନ୍ଧେଇ କାନ୍ଧେଇ କାହିଁ କେତେଦୂର ଯାଏ ସେ, ନିଜେ ବି ଜାଣେନା । କେତେବେଳେ ଖାଏ, କେତେବେଳେ ଶୁଏ, ସେ କଥା ଈଶ୍ୱରଙ୍କୁ ଜଣା । ଥରେ ଦେଖିଲି ଗୁରୁସାଗର ଅଟାକଳ ପାଖରେ ଥିବା ନାଳରୁ ଯେତେ ସବୁ ଅଳିଆ ଜାମ ହୋଇ ପାଣି ଯିବାରେ ଅସୁବିଧା କରୁଥିଲା ତାକୁ ସଫା କଲା । ସଫା କରିସାରିବା ପରେ ଶୋଷ ରେ ସେହି ନାଳ ପାଣି କୁ ଚଳ ଚଳ କରି ପିଇଗଲା । ମୁଁ ବାରଣ କରୁଥିଲି କିନ୍ତୁ ମୋ ଓଠ ଶୁଖି ଯାଉଥିଲା । ଗଳା ରୁ ଶବ୍ଦ ବାହାରୁ ନଥିଲା । ମୁଁ ମୋ ରାସ୍ତାରେ ଆସିଲି । ଆଉ ସତୁରା ତା ରାସ୍ତାରେ ଚାଲିଗଲା । ଆଉ ଦିନେ ଖାଇବା ଛୁଟିରେ ମୁଁ ମୋ ରୁମ୍ କୁ ଆସୁଥାଏ । ମୋତେ ଆଗ ହୋଇ ଚାଲୁଥାଏ ସତୁରା । ମୋ କିଛି ଆଗରେ ଆଉ ଜଣେ ସଭ୍ୟ ଶିକ୍ଷିତ ମଣିଷ ଚାଲି ଯାଉଥିଲେ । ହଟାତ୍ ଦେଖିଲି ସତୁରା ତାର ବହୁମୂଲ୍ୟ ସିମେଣ୍ଟ ବୁରା ଟାକୁ ତଳେ ଥୋଇ ଦେଇ ରାସ୍ତା ରୁ କିଛି ବାଲି ସାଉଁଟି ଆଣି ରାସ୍ତାରେ ଷଣ୍ଢ ଝାଡା କରିଥିବା ସ୍ଥାନରେ ପକେଇ ରାସ୍ତାଟିକୁ ପରିଷ୍କାର କରିଦେଲା । ପୁଣି ଚାଲିଲା ତାର ଚିରାଚରିତ ଢଙ୍ଗରେ । ମୁଁ ମନେ ମନେ ଭାବି ଭାବି ଆସୁଥିଲି ଆମ ପରି ଲୋକ ମାନଙ୍କୁ ଏସବୁ ଦେଖାଯାଉନି କାହିଁକି ???? ଯେଉଁମାନଙ୍କୁ ସଫା ସୁତୁରା ଅଧିକ ଦରକାର । ସେମାନେ ସଫା କରିବା ଶିଖି ନାହାନ୍ତି । କାରଣ ସେମାନେ ସଭ୍ୟ, ଶିକ୍ଷିତ । ଏସବୁ କଲେ ନିଜ ମର୍ଯ୍ୟାଦାରେ କଳଙ୍କ ଲାଗି ଯିବନି । ତେଣୁ ଟିକେ ଆଭିଜାତ୍ୟ ଠାଣିରେ ଲୋକଙ୍କୁ ଦେଖେଇ ଦେଖେଇ କୁହାଯାଇପାରେ ଯେ- "କଣ ଏ ରାସ୍ତା ସାରା ଗାଈଗୋରୁ ସବୁ ଅପରିଷ୍କାର କରୁଛନ୍ତି, କେହି ଗୋଟେ ସଫା କରୁନାହାନ୍ତି । ଦିସ୍ ଇଜ୍ ଠୁ ମଚ୍ । ଡ଼ିସ୍ଗଷ୍ଟିଙ୍ଗ ।" 

ହଁ, ସତୁରା କୁ ଯେମିତି ଈଶ୍ୱର ରାସ୍ତାଘାଟ ସଫାସୁତୁରା ରଖିବାର ଠିକା ଦେଇଥିଲେ । ସତୁରା ର ଏତାଦୃଶ୍ୟ କାର୍ଯ୍ୟ ଦେଖି ମୁଁ ସତୁରା ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଲି । ବେଶିକିଛି ଯଦିଓ ଜାଣି ପାରିନି, କେବଳ ଏତିକି ଜାଣିଲି ସତୁରା, ମୁନିସିପାଲଟି ଅଫିସ୍ ରେ ଚାକିରୀ କରୁଥିଲା । ଖୁବ୍ ଭଲ କାମ କରେ । ସାହିରେ ଯାହାର ଯେଉଁଠି ଯେତେବେଳେ ସଫେଇ କରିବା ଦରକାର ପଡେ । ସବୁଠି ସତୁରା ର ଆବଶ୍ୟକ ପଡେ । ସତୁରା ବିନା ବିଡାନାସୀ କୁମ୍ଭାରସାହି ଯେମିତି ଗୋଟେ ଆଳିଆଗଦା । କାହାକୁ ବି ମନା କରେନା ସତୁରା । କିଏ ଖୁସି ହୋଇ ଯଦି କିଛି ଦେଲା ଦେଲା ନହେଲେ ସତୁରା ର କିଛି ଡିମାଣ୍ଡ ନଥାଏ । ଦିନେ ଏମିତି ସଫେଇ କାର୍ଯ୍ୟରେ ଯାଇଥାଏ । ଗୋଟେ କୂଅରୁ ଗାଈ ଟିଏ ବାହାର କରୁଥିବା ବେଳେ ହାଠାତ୍ ତାର ମୁଣ୍ଡ କଣ ହେଇଗଲା । ତାକୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଦିଆଗଲା । ଡାକ୍ତର କହିଲେ ତାର ସ୍ମରଣସକ୍ତି ଚାଲି ଯାଇଛି । ଏଥିପାଇଁ ଅପରେସନ ଦରକାର । ପ୍ରାୟ ଟଙ୍କା ପନ୍ଦର ଲକ୍ଷ ଲାଗିବ । ଗରିବ ବାପା ମାଆ ଏତେ ଗୁଡ଼େ ଟଙ୍କା ବା କଉଠୁ ପାଅନ୍ତେ । ସତୁରା କୁ ତା ଭାଗ୍ୟ ହାତରେ ଛାଡିଦେଲେ । ସେଇଦିନ ଠୁ ସତୁରା, ସତୁରା ପାଗଳ ନାଁ ରେ ପରିଚିତ । ସତୁରା ର ଆଉ ଦୁଇ ଭାଇ ମଧ୍ୟ ସତୁରା ପରି ସମଦଶା ଭୋଗୁଛନ୍ତି । 

ବର୍ଷର ଗୋଟିଏ ଦିନ । ଦଶହରା ଦିନ ତା ବାପା ତିନି ପୁଅଙ୍କୁ ଠାବ କରି ତାଙ୍କ ଚୁଟି ଓ ଦାଢ଼ି କାଟି ଗାଧୋଇ ଦିଅନ୍ତି । ନୂଆ ଲୁଗାପଟା ପିନ୍ଧେଇ ଦିଅନ୍ତି । ଭଲମନ୍ଦ କରି ଖାଇବାକୁ ଦିଅନ୍ତି । ପୁଣି ତା ପରଦିନ ନିଜ ନିଜ ଢଙ୍ଗରେ ବଂଚନ୍ତି ତିନି ଭାଇ । ଯେଉଁ ବାପାର ତିନି ତିନି ଟା ଭେଣ୍ଡା ପୁଅ ପାଗଳ ହୋଇ ଯାଆନ୍ତି, ସେ ଭଳି ବାପାଙ୍କ ହୃଦୟରେ କଣ ବିତୁଥିବ, ତାହା ସହଜରେ ଅନୁମେୟ । ଦୁର୍ଗାପୂଜା ପରେ ପରେ ସତୁରା କୁ ଦେଖିଲେ ଖୁବ୍ ଖୁସି ଲାଗେ। ନା ଥାଏ ଆଲୁରାୟତ କେଶ ରାଶି ନା ମଇଳା ଲୁଗାପଟା । ନୂଆ ଡ୍ରେସ ପିନ୍ଧି ହିରୋ ଟିଏ ପରି ଦିଶୁଥାଏ ସତୁରା।ଧୀରେ ଧୀରେ ବଢିଚାଲେ ସମୟ । ସତୁରା ର ଲଣ୍ଡିତ ମସ୍ତକରେ ଗଜୁରି ଆସେ କେଶ, ତାହା ପୁଣି କେବେ ଧୀରେ ଧୀରେ ତାର କାୟା ବିସ୍ତାର କରି ପୁଣି ଜଟା ହୋଇଯାଏ । ନା ଜଣାଥାଏ ସତୁରା କୁ ନା ଦେଖାନାହାରୀଙ୍କୁ। ବୋଧହୁଏ ସେ ସବୁର ଆବଶ୍ୟକତା ନଥାଏ ସତୁରା କୁ ।

ସତୁରା ପ୍ରାୟ ସବୁଦିନ ଆସି ମୁଁ ଭଡାନେଇ ରହୁଥିବା ଘର ମାଲିକଙ୍କ ଗେଟ ବାଡ଼େଇ ଡାକେ ଖାଇବାକୁ ଅଛି ଅଛି କହି । ମୋ ପାଖ ରୁମରେ ଭଡା ନେଇ ରହୁଥିବା ଭାଉଜ ତାକୁ ସବୁଦିନ ଦିଅନ୍ତି ରୁଟି । କେବେ ସେ ଖାଏ, କେବେ କୁକୁରଙ୍କୁ ଖୁଆଇ ଦିଏ । ଯଦି କେବେ ଗେଟ ଭିତରକୁ ପଶି ଆସିଛି ତାହାଲେ କଥା ସରିଲା । ମାଉସୀ(ଘର ମାଲିକାଣୀ) ଖୁବ୍ ତାଗିଦ କରନ୍ତି ସତୁରା କୁ । ଏ ସତୁରା ତୁ ବାହାରେ ରହି ଡାକୁନୁ । ଗେଟ ଭିତରକୁ କଣ ପଶି ଆସୁଛୁ । ସତୁରା କିଛି କହେନି । ଦାନ୍ତ ଦେଖେଇ ବାହାରକୁ ଚାଲିଯାଏ । ଏମିତି ଦିନେ ସତୁରା ବାହାରେ ରହି ଡାକୁଥାଏ । ଭାଉଜ ମୋତେ ରୁଟି ଦେଲେ ସତୁରା କୁ ଦେଇ ଦେବାକୁ । ଗେଟ ପାଖରେ ମାଉସୀ ଠିଆ ହୋଇଥାନ୍ତି । ମୁଁ ନେଇ ସତୁରା କୁ ରୁଟି ଦେଉଛି,  ମାଉସୀଙ୍କ ପାଟି ଶୁଭିଲା ପଛରୁ । ପୁଅ ତାକୁ ଟେକିକି ଦେବ ରୁଟି । ଛୁଇଁବନି । ମୁଁ ସେତେବେଳକୁ ତା ହାତରେ ଛୁଇଁକରି ରୁଟି ଦେଇ ସାରିଲିଣି । ମୁଁ ଯେତେବେଳେ ଗେଟ ବନ୍ଦ କରି ଭିତରକୁ ଆସିଲି, ମାଉସୀ ପୁଣିଥରେ ମୋତେ ପ୍ରଶ୍ନ କଲେ, ଟେକିକି ଦେଲ ତ ବାପା । ତାକୁ ଛୁଇଁବନି। ସେ ହାଡ଼ି ଟା ପରା । ମୁଁ କହିଲି ହଁ ମାଉସୀ, ମୁଁ ଟେକିକି ଦେଇଛି । ଏତିକି କହି ଭିତରକୁ ଚାଲିଆସିଲି । ମନେମନେ ମାଉସୀଙ୍କ ଉପରେ ଭୀଷଣ ରାଗିଲି । ଆଜିର ଦୁନିଆରେ ବି ଅସ୍ପୃଶ୍ୟତା ଅଛି ? ସତୁରା, ଜାତିରେ ହାଡ଼ି, ତାକୁ ଛୁଇଁବା ମନା । ଛୁଇଁଲେ ଗାଧୋଇବାକୁ ପଡିବ । କିନ୍ତୁ, ସତୁରା ସବୁ ଛୁଏଁ । ତୁମ ଘରେ ମୂଷା ମରି ପଚିଗଲେ ସତୁରା କାଢ଼ିବ । ଘର ପାଖରେ ଆବର୍ଜନା ହେଲେ ସତୁରା ସଫା କରିବ । ତୁମ ଘର ଅଳିଆ ସଫା କଲାବେଳେ ସତୁରା ଯେମିତି ବ୍ରାହ୍ମଣ ପାଳଟିଯାଏ । ତା'ଛଡ଼ା ଯେଉଁମାନଙ୍କ ମନରେ ଏଭଳି ଭାବନା ଅଛି, ସେମାନଙ୍କ ପାଇଁ ମୋର ଗୋଟିଏ ପ୍ରଶ୍ନ । ବାହାରକୁ ବୁଲିବାକୁ ଗଲେ ଯେଉଁ ପଞ୍ଚତାରକା ହୋଟେଲରେ ବସି ଆପଣ ଦିବ୍ୟ ବ୍ୟଞ୍ଜନ ସବୁ ଗ୍ରାସ କରନ୍ତି, ତାକୁ ଯିଏ ତିଆରି କରିଛି ସେ ହାଡ଼ି, ପାଣ କି ମୁସଲମାନ ସେ କଥା ତ କେବେ ପଚାରି ବୁଝନି । ଏଇ ସତୁରା ମାନଙ୍କ ପାଖରେ ତୁମର ଅସ୍ପୃଶ୍ୟତା ଲାଖିଯାଏ । ବଡ଼ ବିଚିତ୍ର ଲୋକ ଆପଣମାନେ ।

ଲୋକେ ଏବେ କୁହାକୁହି ହେଉଛନ୍ତି,ସତୁରା ଏବେ ନରାଜ ଆଡେ ବୁଲୁଛି। ସେ କୁଆଡେ ବାଟ ପାଉନି ଫେରିବାକୁ ବିଡାନାସି କୁ । ମୁଁ କାହିଁକି ଏତେ ଅସ୍ଥିର ଜାଣିପାରେନା । ମୁଁ କଣ ଚାହେଁ ସତୁରା ଆସି ତା ପୂର୍ବ ସ୍ଥାନରେ ପୂର୍ବପରି ରହୁ । କେତେବେଳେ କେମିତି ତା ଶୁଖିଲା ମୁହଁକୁ ଦେଖି ମୁଁ ତାକୁ ଦେଇ ଦିଅନ୍ତି ପାଞ୍ଚ କି ଦଶ ଟଙ୍କିଆ କଏନ୍ ଟିଏ, ଯେତେବେଳେ ତାହା ବଜ଼ାର ରେ ଚଳମାନ ନୁହେଁ ବୋଲି ଅନୁଭଵ କରନ୍ତି । ମନେ ମନେ ଖୁସି ହୁଅନ୍ତି ଯାହା ହେଉ ପାଗଳଟାକୁ ମୋ ଅଚଳ ପଇସା ଦେଇ ଦେଇଛି । ମୋ ହିସାବରେ ମଲାଗୋରୁ ବ୍ରାହ୍ମଣକୁ ଦାନ ଦେଇ ଦେଲି । ଏବେ ଗୋରୁ କଥା ସିଏ ବୁଝୁ । ମୋର ଯାଏ କେତେ ଆସେ କେତେ । ମୁଁ ହୁଏତ ତାକୁ ଖୋଜୁଛି ମୋ ରୁମ ପଛପଟେ କେହି ଗାଈ-ଗୋରୁ କି ପଶୁ-ପକ୍ଷୀଙ୍କର ଗଳିତ ଶବ ଫିଙ୍ଗି ଚାଲିଗଲେ ସତୁରା କୁ ଡକେଇ ସଫା କରିବାକୁ । ଯାହାବି ହେଉ, ମୁଁ କିନ୍ତୁ ଖୋଜୁଛି । ସେ ଅସହାୟ ହେଉ ପଛେ ମୋ ସାମ୍ନାରେ ରହୁ । ପାଗଳ ଟା ପ୍ରତି ମୋହ ଲାଗିଯାଇଛି ବୋଧେ । କାରଣ, ସେ ବିଡାନାସୀ ର ସ୍ୱଚ୍ଛ ଭାରତ ଅଭିଯାନ ର ମୂଳ ପୁରୋଧା । ତା ଅସହାୟତା ଦେଖିଲେ ମୁଁ କେବଳ ଦୁଃଖ କରେ ସିନା କିଛି କରିପାରେ ନାହିଁ । ସେଥିପାଇଁ ବୋଧେ ମୁଁ ମଣିଷ। ସେ କିନ୍ତୁ ଏସବୁ ର ବହୁ ଉର୍ଦ୍ଧ୍ବରେ । କିଛିଦିନ ତଳେ ବାଟରେ ଦେଖିଲି ସତୁରା କୁ ଦେବତ୍ୱ ପାପ୍ତି ହୋଇଛି ଯେମିତି । ଆଗପରି ସେ ଆଉ ମାଗୁନାହିଁ ଅଛି ! ଅଛି ! କହି କି ପଇସା ବି ନେଉନାହିଁ ଦେଲେ । ଖାଲି ଟିକେ ନିରୀହ ଚାହାଣୀରେ ଚାହିଁ ହସି ଦେଉଛି । ପୁଣି ଆଗକୁ ପାଦ ପକାଉଛି । ତା ଚାଲିରୁ ଲାଗୁଛି ଅନେକ ଦୂର ଯିବ ଯେମିତି । ସତେ ଯେମିତି ତା ଜୀବନର ଲମ୍ବାରାସ୍ତା କୁ ସେ ପାଦରେ ମାପି ପାରିବାର ସାମର୍ଥ୍ୟ ରଖିଛି । ମୁଁ ତାକୁ ଚାହିଁ ରହିଥିଲି, ସେ ଚାଲୁଥିଲା ଅହରହ ମୋ ଆଖିରୁ ନିଭୃତ ନ ହେବାଯାଏ । ମୁଁ ପାଷାଣ ପାଲଟି ଯାଉଥିଲି ଯେମିତି ।

ଅମରେନ୍ଦ୍ର ଚୌଧୁରୀ ଓଝା
ପୀରହାଟ ବଜ଼ାର, ଭଦ୍ରକ-୭୫୬୧୩୧

Post a Comment

0 Comments