Information

ସତରେ ମୁଁ କ'ଣ ମହାରତ୍ନ - ନାରାୟଣ ସେନାପତି


ହେ ସ୍ରଷ୍ଟା......
ଶୁଭୁନି ମା ଗରଭୁ ମୋ ଆର୍ତ୍ତଚିତ୍କାର
ମୋତେ ବଞ୍ଚାଅ....ମୋତେ ବଞ୍ଚାଅ
ତୁମ ହୃଦୟ କ'ଣ କାନ୍ଦୁନି
ନୟନୁ କ'ଣ ବୋହୁନି ଲୋତକ
ମୁଁ ପରା ତୁମ ଅନୁପମ ସୃଷ୍ଟି
କାହିଁ ତୁମର ଅନ୍ତର୍ଦ୍ଦୃଷ୍ଟି ?
ଚତୁର୍ପାର୍ଶ୍ୱେ ସୈତାନ ସପ୍ତରଥୀଙ୍କ ଅଟ୍ଟହାସ୍ୟ
ଖଡ୍ଗ ଧରି ଉଭା ନେବାପାଇଁ ମୋ ଜୀବନ
ଚକ୍ରବ୍ୟୁହୁ କେମିତି ମୁକୁଳିବି ଯେ
ଦିଅ ଶକ୍ତି ନୋହିଲେ ଦିଅ ମୁକ୍ତି ॥
ତୁମ ଆଶିଷରୁ ଯେବେ ହେଲି ମୁଁ ଭୂମିଷ୍ଠ
ବିକ୍ରି, ଅଳିଆ ଗଦାରେ ଫିଙ୍ଗା, ପୋତା
ସେଇଦିନୁ ଅସହ୍ୟ ସେ ଅଣଦେଖା
ପକ୍ଷପାତିତା ଓ ଅତ୍ୟାଚାର
ମୁଁ କାଳେ ଅଭିଶପ୍ତା..ଅଲକ୍ଷଣି
ବୋଝ ହୋଇ କରେ ସର୍ବସାନ୍ତ
ସେଥିପାଇଁ କରନ୍ତି ଚକ୍ରାନ୍ତ ?
ବାସ୍ତବିକ୍ ଏ ସମାଜ କେଡେ ଦୁଷ୍ଟ !!!
ଭାବିଥିଲି ହେବିଦିନେ ରାଜକନ୍ୟା
ସ୍ନେହ ଶରଧା ବନ୍ଧନେ ସାଜିବି ମୁଁ..
ଜନନୀ ଭଗିନୀ ଜାୟା
ଦେବି ସେବା, ପ୍ରେମ---କରିବି ତ୍ୟାଗ
ଶୁଣିଲି ସେ ପ୍ରହସନ..
ଦୁହିତା..ଦୁଇ କୁଲକୁ ହିତା
ହେଲେ ବ୍ୟଭିଚାର,ଶୋଷଣ,ଧର୍ଷଣ
ଶୋଷିନେଲା ମୋ କିଶୋରି ଜୀବନ, ମନ- ପ୍ରାଣ
ପରିଚୟ ପତ୍ରେ ଘୋଷଣା କଲା ଏ ସମାଜ
ମୁଁ କାଳେ ବିଷକନ୍ୟା ॥
ପୁରାଣ ଦିନେ ପିନ୍ଧାଇଥିଲା ମୁକୁଟ ଦେଇ ଉପାଧି
କନ୍ୟାରତ୍ନ ମହାରତ୍ନ
ଯେ ଜନ୍ମ କରେ, ଯେ ଦାନ କରେ ଲଭେ ପୁଣ୍ୟ
ପିଣ୍ଡଦାନ,ସଞ୍ଜବତୀ କହେ ଦେବାକୁ
ମୁଁ ବଡହୋଇ ସାଜେ କୁଳବଧୁ
ଧର୍ମ କହେ ମୋ ଜନ୍ମେ ବିଜେ ଲକ୍ଷ୍ମୀ
ହେଲେ ଅଧମ ସମାଜ କହେ
ମୁଁ କାଳେ ହତଲକ୍ଷ୍ମୀ  !!!
ମୁଁ ବି ପରିପକ୍ୱେ ସାଜେ ସ୍ରଷ୍ଟା
ମୋ ବିନା ସୃଷ୍ଟି ଅସମ୍ଭବ, ବୁଝୁନି ମାନବ
ଅଜ୍ଞାନ କାରାଗରେ ବନ୍ଦୀ ସିଏ
କରେ ଆସ୍ଫାଳନ
କରେ ହୀନ... କହେ ଘୃଣ୍ୟ ।
ଜାଗିଉଠ ମାନବ........
କନ୍ୟାର କର ସୁରକ୍ଷା,  ଯତନ
ଦିଅ ସମ୍ମାନ... ଜଗାଅ ସ୍ୱାଭିମାନ
ନ ହରାଅ ତା ଚାରି ଅଧିକାର
ସରାଗରେ କୁହ....
କନ୍ୟାରତ୍ନ...ମହାରତ୍ନ...॥

ନାରାୟଣ ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments