Information

କ୍ଷୁଦ୍ରଗଳ୍ପ - ସନ୍ଦେହ ଏକ ବିଷ ମଞ୍ଜି - ସସ୍ମିତା ସାହୁ


ବିଶ୍ୱଜିତ ମିଶ୍ର, ଏକ ଘରୋଇ ମହାବିଦ୍ୟାଳୟରେ  ଜଣେ ଇଂରାଜୀ ଅଧ୍ୟାପକ ।  ବୟସ ପାଖାପାଖି ୪୭ ବର୍ଷ । ସ୍ତ୍ରୀ ଅନୁପମା  ସରକାରୀ ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ।  ଝିଅ  ଦୀକ୍ଷା ଇଞ୍ଜିନିଅରିଂ ଦ୍ୱିତୀୟ ବର୍ଷର ଛାତ୍ରୀ  ।  ପରିବାର ବୋଲି ଏତିକି   ।  ତଥାପି ବିଶ୍ୱଜିତଙ୍କ ମୁହଁ ରେ କେବେ ହସ ଦେଖିବାକୁ ମିଳେ ନାହିଁ ।  କିନ୍ତୁ ଅନୁପମା ମାଡାମ ଭାରି ଚଳଚଂଚଳ ।  ଦେଖିଲା ମାତ୍ରେ ଓଠରେ ହସ ଟିଏ ନିଶ୍ଚୟ ଦିଅନ୍ତି ।  ପଡୋଶୀ ଓ ସାଙ୍ଗମାନଙ୍କ ସହ ମିଶିବା , ଗରିବଙ୍କୁ ଦେଖି ସାହାଯ୍ୟ କରିବା ।   ଅନେକ ଗୁଡିଏ ଭଲ ଗୁଣର ଅଧିକାରିଣୀ ସିଏ ।  ତେଣୁ ବିଶ୍ୱଜିତଙ୍କ ଠାରୁ ତାଙ୍କର ଲୋକପ୍ରିୟତା  ବେଶୀ । 
   
ଦିନକର ଘଟଣା ଅନୁପମା  ନବମ ଶ୍ରେଣୀରେ ପଢ଼ାଉଥାନ୍ତି  ।  ଚପରାଶି ହଠାତ ଆସି କହିଲା, "ମାଡାମ ଅଫିସ କୁ ଆସନ୍ତୁ, ଆପଣଂକର  ଜରୁରୀ ଫୋନ ଆସିଛି" ।  ଅଫିସ କୁ ଆସି ବୁଝିଲେ ବିଶ୍ୱଜିତଙ୍କର ସାଙ୍ଘାତିକ ଦୁର୍ଘଟଣା ହୋଇଛି ଆଉ ସେ 'ସେବା ନର୍ସିଙ୍ଗ ହୋମ' ରେ ଅଛନ୍ତି  ।  ଏ କଥା ଶୁଣିବା ମାତ୍ରେ  ବ୍ୟତିବ୍ୟସ୍ତ ହୋଇ ପଡିଲେ ।  କଣ କରିବେ କେମିତି ଯିବେ  ।  ସେତେବେଳେ ଟ୍ୟାକ୍ସିର ବ୍ୟବସ୍ତା ନ ଥିଲା  ।  ସେତିକି ବେଳେ ହିନ୍ଦୀ ସାର କହିଲେ ଦିଦି ମୁଁ ବାଇକ୍ ରେ ଆପଣଙ୍କୁ  ନର୍ସିଙ୍ଗ ହୋମ ରେ ଛାଡ଼ିଦେବି ଚାଲନ୍ତୁ ।  ସମୟ ନଷ୍ଟ ନ କରି ଦୁହେଁ ବାହାରିଗଲେ ।  ସେଠାରେ ପହଁଚିଲା ବେଳକୁ ଅପରାହ୍ନ ୧:୩୦ ।  ପ୍ରାୟ ଦୁଇ ଘଣ୍ଟାର ରାସ୍ତା ।  ହିନ୍ଦୀ ସାର ବିଶ୍ୱଜିତଙ୍କୁ  ଆଇ ସି ୟୁ  ବାହାରୁ  ଦେଖି ଚାଲି ଆସିଲେ ଏବଂ ଅନୁ  ସ୍ୱାମୀଙ୍କ ଚେତା ଫେରିବା ବାଟକୁ ଅପେକ୍ଷା କରି ପାଖ ବେଞ୍ଚ ରେ ବସି ଥାନ୍ତି ।  ଡାକ୍ତରଙ୍କଠାରୁ ଜାଣିବାକୁ ପାଇଲେ ଯେ, ବିଶ୍ୱଜିତଙ୍କର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଛି ।  ଅପରାହ୍ନ ୩ ଟା  ବେଳକୁ ବିଶ୍ୱଜିତଙ୍କର ଚେତା ଆସିଲା ।  ତା ପରେ ଅନୁପମା ସ୍ୱାମୀଙ୍କୁ ଦେଖା କଲେ  ।  ଆଖିରୁ ବୋହି ଯାଉଥାଏ ଲୁହର ଧାର ।   ଡାକ୍ତର ବେଶୀ କଥା ହେବା ପାଇଁ ମନା କଲେ  ।  ତେଣୁ ସ୍ୱାମୀଙ୍କ ବେଡ଼ ନିକଟରେ ଥିବା ଅନ୍ୟ ଏକ ବେଡ଼ରେ ବସି ତାଙ୍କୁ ଏକ ଲୟରେ ଚାହିଁ ଥାନ୍ତି । 
  
ତିନି ଦିନ ପରେ ବିଶ୍ୱଜିତଙ୍କୁ ଟିକିଏ ଭଲ ଲାଗିବାରୁ ସେ ଅନୁପମାଙ୍କ ସହିତ ବସି କଥା ହେବାକୁ ଲାଗିଲେ ।  କେମିତି ଖବର ପାଇଲେ, କେମିତି ଆସିଲେ ସବୁ ବିଷୟରେ ଅନୁପମା ବିଶ୍ୱଜିତଙ୍କୁ ଜଣାଇଲେ ।  ହେଲେ ଏ କଣ, ଯେମିତି ବିଶ୍ୱଜିତ ଜାଣିଲେ ଯେ, ଅନୁ ଜଣେ ପୁରୁଷ ଶିକ୍ଷକଙ୍କ ବାଇକରେ ବସି ଆସିଥିଲେ ବୋଲି ଉତ୍ତେଜିତ ହୋଇ ଉଠିଲେ । ଚିତ୍କାର କରି କହିଲେ, "ମୁଁ ମରି ଯାଇଥିଲେ ମରି ଯାଇ ଥାନ୍ତି ହେଲେ ତୁମେ କାହିଁକି ଅନ୍ୟ ପୁରୁଷଙ୍କ ସହିତ ଆସିଲ" ।  ଅନୁପମା -"ତା ମାନେ ତୁମେ ମୋତେ ସନ୍ଦେହ କରୁଛ " । 

ତାଙ୍କ ପାଟି ଶୁଣି ନର୍ସିଙ୍ଗ ହୋମ କର୍ମଚାରୀ ମାନେ ଦୌଡ଼ି ଆସିଲେ ।  ଅନୁପମାଙ୍କୁ ଭାରି ଲଜ୍ଜା ଅନୁଭବ ହେଉଥାଏ ,ସ୍ୱାମୀଙ୍କର ଏପରି ବ୍ୟବହାର ପାଇଁ ।  ସେହି ଦିନ ଠାରୁ ବିଶ୍ୱଜିତ ଆଉ ଭଲ ଭାବରେ ଅନୁପମାଙ୍କ ସହ କଥା ହେଲେ ନାହିଁ ।  ପ୍ରତେକ କଥାରେ ବିରକ୍ତି ହେବା , ଉଚ୍ଚ ଗଳାରେ କଥା ହେବା ।  ଏ ସବୁ ଅନୁପମ।ଙ୍କୁ ଆଦୌ ଭଲ ଲାଗୁନଥାଏ ।  କିଛି ଦିନ ପରେ ଡାକ୍ତରଖାନାରୁ ବିଶ୍ୱଜିତଙ୍କୁ ନେଇ ଘରକୁ ଫେରିଲେ ଅନୁପମା  ।  ଅନୁପମା ସ୍ୱାମୀଙ୍କର ଅଧିକରୁ ଅଧିକ  ଯତ୍ନ ନେବାକୁ ଲାଗିଲେ ।  ଦିନେ  ସ୍କୁଲର ଷ୍ଟାଫ ସହିତ ହିନ୍ଦୀ ସାର ବି ବିଶ୍ୱଜିତଙ୍କୁ ଦେଖିବାକୁ ଆସିଥିଲେ ।  ବିଶ୍ୱଜିତ ସୁଯୋଗ ପାଇ ସମସ୍ତଙ୍କ ସାମ୍ନାରେ ହିନ୍ଦୀ ସାରଙ୍କୁ ଅପଦସ୍ତ କଲେ ।  ଏ କଥା ଅନୁପମା ସହି ପାରିଲେ ନାହିଁ ।  ସ୍ୱାମୀଙ୍କୁ ବିରୋଧ କଲେ ।  ବାସ ,ଏତିକି କଥା ।    ଝିମିଟି ଖେଳରୁ ମହାଭାରତ ଭଳି କଥା ବଢିବାକୁ ଲାଗିଲା ।   ଛାଡପତ୍ର ପାଇଁ ଫାଇଲ କୋର୍ଟରେ ଦିଆଗଲା I ଆଉ ଶେଷରେ ୬ ମାସ ପରେ  ଛାଡପତ୍ର ହୋଇ ଗଲା । 
    
୭ ବର୍ଷ ହୋଇ ଗଲାଣି ଅଲଗା ରହୁଛନ୍ତି ବିଶ୍ୱଜିତ ଆଉ ଅନୁପମା ।  ଝିଅ ବି ବାପାଙ୍କୁ ପସନ୍ଦ କରୁନି, ତେଣୁ ସେ ବି ମା ପାଖରେ ।  ଆଜି  ଡ଼ିସେମ୍ବର ୩ ତାରିଖ ଅନୁପମା ଓ ବିଶ୍ୱଜିତଙ୍କର ୨୦ ତମ ବିବାହ ବାର୍ଷିକୀ ଏବଂ ଝିଅ ଦୀକ୍ଷାର ଜନ୍ମଦିନ ।  ହେଲେ କେହି ପାଖରେ ନାହାନ୍ତି ,କେବଳ ରହିଛି ସେମାନଙ୍କର ପୁରୁଣା ଫୋଟୋ କେତୋଟି ସେଇୟା କୁ ବାରମ୍ବାର ଦେଖି ଚାଲିଛନ୍ତି ସକାଳୁ ସକାଳୁ ବିଶ୍ୱଜିତ ।  ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳ ଦେଶରେ  ଅସଂଖ୍ୟ ଘର୍ମଵିନ୍ଦୁ । ବେଡ଼ ରୁମ୍ ର ଝରକା ପାଖରେ ଥିବା ଥୁଣ୍ଟା ଆମ୍ବ ଗଛଟା ଉପରୁ ଭାସି ଆସୁଥିବା ଡାମରା କାଉର କର୍କଶ ରାବ ଖୁବ ଅସହ୍ୟ ବୋଧ ହେଉଛି ତାଙ୍କୁ ।  ଅନେକ ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ ।  ହଠାତ ଟେଲିଫୋନ୍ ର କ୍ରିଙ୍ଗ  କ୍ରିଙ୍ଗ ଆଵାଜ଼ରେ ନିଜକୁ ପ୍ରକୃତିସ୍ଥ କରି ନେଲେ ବିଶ୍ୱଜିତ... ।   

ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର

Post a Comment

0 Comments