Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ରଥ ଅଜା - ପ୍ରମୋଦ କୁମାର ପଣ୍ଡା


ଦୀର୍ଘ ଯାତ୍ରା ଜନିତ କ୍ଳାନ୍ତି ମୋତେ ଏତେ ଅବଶ କରିଦେଇଥିଲା ଯେ ମୁଁ ଶେଜରେ ପଡୁ ପଡୁ ଗଭୀର ନିଦ୍ରାରେ  ଶୋଇଗଲି ଯେ କେତେବେଳେ ସକାଳ ହେଲା ଜାଣି ପାରିଲିନି | ସାନ ଭଉଣୀ ଚନ୍ଦ୍ରା ଜୋରରେ ହାତ ଧରି ଉଠେଇ ଦେବାରୁ ବିରକ୍ତରେ କଣ କହିବାକୁ ଯାଉଥିଲି ଯେ ତା କଥା ଶୁଣି ମୋତେ  ସ୍ୱର୍ଗରୁ ପଡିଲା ପରି ଲାଗିଲା | ମୁହଁ ନଧୋଇ ଦାଣ୍ଡକୁ ଦୌଡିଲି | ରଥ ଅଜାଙ୍କ ଦୁଆରେ ପହଞ୍ଚି ଯାହା ଦେଖିଲି ମୋର ହୋସ୍ ଉଡିଗଲା | ସାହିର ଭେଣ୍ଡାଠୁ ବୁଢା ଯାଏଁ ସମସ୍ତେ ଗଦା | କୋକେଇ ବନ୍ଧା ଚାଲିଛି  | ପାଳ ଦଉଡା ବଳା ହେଉଛି | ଖାଲି ତାଙ୍କରି କଥା ହିଁ ଚର୍ଚ୍ଚା ଚାଲିଛି | ମୁଁ ଧାଇଁଗଲି ଘର ଭିତରକୁ | ଦେଖିଲି ଚିତ୍ ହୋଇ ରଥ ଅଜା ଶୋଇଛନ୍ତି | ଗଭୀର ପ୍ରଶାନ୍ତିରେ ତାଙ୍କର ଆଖି ଦୁଇଟି ବନ୍ଦଅଛି | ମୁଖ ମଣ୍ଡଳରେ ଅଦ୍ଭୁତ ଆଭା , ଯେମିତି ସେ ଜୀବିତ ଅଛନ୍ତି | ମୋର ବିଶ୍ୱାସ ହେଉ ନଥାଏ ଯେ ସେ ଏ ସଂସାରରେ ଆଉ ନାହାନ୍ତି ବୋଲି | ପାଦ ଦୁଇଟିକୁ ଛୁଇଁ ପ୍ରଣାମ କଲି | ଆଖିରୁ ଅମାନିଆ ଲୁହ ବୋହିଆସି ତାଙ୍କ ପାଦ ଦୁଇଟି ଉପରେ ପଡି  ତାଙ୍କର ଚରଣ ଧୋଇଦେଲା ପରି ପ୍ରତୀତ ହେଲା | ଏତିକିବେଳେ ଘର ଭିତରକୁ ପଶିଆସିଲେ ଚାରି ଜଣ ତାଙ୍କର ମର ଶରୀରକୁ ନେବାପାଇଁ | ମୁଁ ତାଙ୍କ ପଛେ ପଛେ ଦାଣ୍ଡକୁ ବାହାରିଗଲି | କୋକେଇ ଉଠିଲା | ହରିବୋଲ ହୁଳହୁଳିର ଗୋଟେ ରୋଳ ଚତୁର୍ଦ୍ଦିଗକୁ ବ୍ୟାପିଗଲା |ରାମ ନାମ ସତ୍ୟ ହେ....ହରି ନାମ ସତ୍ୟ ହେ ଡାକ ସହିତ ନାମ ସଂକୀର୍ତ୍ତନ ମଧ୍ୟ ମଶାଣୀ ଅଭିମୁଖେ ଚାଲିଲା |
         
ଜୁଇରେ ରଥ ଅଜାଙ୍କ ମର ଶରୀରକୁ ଲଦି ଦିଆଗଲା | ହରି କକେଇ କହିଲେ , ଶୁଭ ରେ !ଏବେ ତୁ ରଥେ ଆପଣେଙ୍କୁ ମୁଖାଗ୍ନି ଦେଇଦେ | ତୋ ଠି ତାଙ୍କର ସେତିକି ଶ୍ରଦ୍ଧା ବୋଲି ତୁ ଠିକ୍ ସମୟରେ ପହଞ୍ଚି ଯାଇଛୁ |ମୁଁ ଘିଅ ବଳିତା ତାଙ୍କ ମୁହଁ  ଉପରେ ରଖିଲା ବେଳକୁ ମୋର ହାତ ଥରି ଉଠିଲା |  ଏହା ଥିଲା ତାଙ୍କୁ ମୋର ଶେଷ ଦର୍ଶନ | ଆଉ କିଛି ମୁହୂର୍ତ୍ତ ପରେ ରକ୍ତ ମାଂସର ଏଇ ସ୍ନେହୀ ମଣିଷଟି ଯେ ଅଗ୍ନି ଗର୍ଭରେ ଭସ୍ମ ହୋଇ କେଇ ମୁଠା ପାଉଁସରେ ପରିଣତ ହୋଇଯିବେ ଏକଥା ମୋର ବିଶ୍ୱାସ ହେଉ ନଥିଲା | ମୁଖାଗ୍ନି ଦେଇ ନିୟମ ଅନୁସାରେ ଆଉ ପଛକୁ ନଚାହିଁ ସିଧା ଚାଲିଲି ପୋଖରୀକୁ | ପୋଖରୀ ପାହାଚ ଉପରେ ବସିପଡିଲି | ମାନସିକ ଭାବେ ମୁଁ ଏତେ ଦୁର୍ବଳ ହୋଇ ପଡିଥିଲି ଯେ ମୋତେ ଭାରି ହାଲିଆ ଲାଗୁଥିଲା | ଏଇ ପୋଖରୀକୁ ପ୍ରତ୍ୟହ ଭୋର୍ ରେ କି ବର୍ଷା କି ଶୀତ ରଥ ଅଜା ଗାଧୋଇ ଆସୁଥିଲେ | ସେ ପାହାଚରେ ତାଙ୍କର ସ୍ପର୍ଶ ମୁଁ ଅନୁଭବ କରୁଥିଲି  | ପୋଖରୀର ପାଣିର ପରିଧି ସଂକୁଚିତ ହୋଇଯାଇଥିଲା ବୈଶାଖର ସ୍ପର୍ଶରେ | ମୁଁ ପାଣିରେ ଗୋଡ ବୁଡାଇଲି......ଭାବନାର ସୂତା ଖିଅ ଲମ୍ବି ଚାଲିଲା ଦୂରକୁ....ଦୂରକୁ ବହୁ ଦୂରକୁ.....ମୋ ଦୃଷ୍ଟିର ପରିଧିକୁ ଡେଇଁ....................................|
         
କିଏ ଏଇ ରଥ ଅଜା ? ତାଙ୍କ ସହିତ ମୋର କଣ ସମ୍ପର୍କ | ମଣିଷର  ମଣିଷ ସହିତ ସମ୍ପର୍କ ଏବର ଦୁନିଆରେ ଠିକ୍ ଏଇ ପୋଖରୀର ପାଣି ପରି ସଂକୁଚିତ  ହୋଇଅାସୁଥିବା ବେଳେ କଣ ପାଇଁ ତାଙ୍କ ପାଇଁ ଗାଁ ଲୋକଙ୍କର ଏତେ ଦରଦ ଯଦିଓ ସେ ଆମ ଗାଁ ର ଲୋକ ନଥିଲେ ?? ଆମ ଗାଁ ଠୁ ପନ୍ଦର ସତର କିଲୋମିଟର ଦୂର ଏକ ନିପଟ ମଫସଲରେ ରଥ ଅଜାଙ୍କର ଜନ୍ମ |ତାଙ୍କର ପୁରା ନାମ ଥିଲା ମଧୁସୁଦନ ରଥ | ଜାତିରେ ବ୍ରାହ୍ମଣ ହୋଇ ସୁଦ୍ଧା ପେଟ ପୋଷିବାକୁ ଅଳ୍ପ ପାଠୁଆ ଏଇ ରଥ ଅଜା ସୁଦୂର କଲିକତାର ଏକ ଚଟକଳରେ ଶ୍ରମିକ ଭାବରେ କାମ କଲେ | ସେଠାରେ ସେ ରହୁଥିବା ଭଡାଘର ନିକଟରେ ଥିବା ଜଣେ ବଙ୍ଗୀୟ ଭଦ୍ରମହିଳା ନେତ୍ରମଣିଙ୍କ ସହିତ ତାଙ୍କରପ୍ରେମ ହୋଇଗଲା ଏବଂ ବିବାହ ମଧ୍ୟ ହୋଇଗଲା | ମାତ୍ର ନେତ୍ରମଣି ଅବ୍ରାହ୍ମଣ ଥିବାରୁ ରଥ ଅଜାଙ୍କ ଘରେ ତାଙ୍କୁ ବୋହୁର ସ୍ୱୀକୃତି ମିଳିଲାନି | ତେଣୁ ବାଧ୍ୟ ହୋଇ ଅଜା ଆଈଙ୍କୁ ଆଉ ତାଙ୍କ ଗାଁକୁ ନନେଇ ଆମ ଗାଁ ରେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ଆମ ସାଇରେ ଡିହ ଖଣ୍ଡିଏ କିଣି ଦି ତିନି ବଖରା ଘର ତୋଳାଇ କଲିକତାରୁ ଯେତେବେଳେ ତାଙ୍କୁ କାମରୁ ଅବ୍ୟାହତି ଦିଆଗଲା ସେ ଘରେ ଆସି ସସ୍ତ୍ରୀକ ରହିଲେ |
         
ରଥ ଅଜା ଓ ତାଙ୍କ ଆଈ ଥିଲେ ବହୁତ ସ୍ନେହୀ ଆଉ ମେଳାପି ଲୋକ | ଅଳ୍ପଦିନ ଭିତରେ ସେ ଆମ ସାହିରେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଗଲେ |ପିଲାଠୁ ବୁଢା ଓ ଟୋକୀ ଠୁ ବୁଢୀ, ସମସ୍ତେ ସେ ଦୁଇ ପ୍ରାଣୀଙ୍କୁ ବହୁତ ଶ୍ରଦ୍ଧା କରୁଥିଲେ | ତେଣୁ ନିଃସନ୍ତାନ ଥିବା ଦୁଇଜଣ ଯାକ ନିଜର ସନ୍ତାନର ଶୂନ୍ୟତାକୁ ଭୁଲିଯାଇଥିଲେ | ଷାଠିଏ ପଞ୍ଚଷଠି ବର୍ଷ ବୟସ ର ଗୌର ବର୍ଣ, ମଧ୍ୟମ ଧରଣର ସ୍ୱାସ୍ଥ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ମାଲିକ ଏଇ ମଧୁସୁଦନ ରଥ ଟୋକାମାନଙ୍କ ପାଖରେ ରଥ ଅଜା ଓ ବୁଢାମାନଙ୍କ ପାଖରେ ରଥେ ଆପଣେ ବୋଲି ପରିଚିତ ଥିଲେ | ଅଜା ସିନା ଡିହ କିଣି ଘର ତୋଳି ରହିଗଲେ ଚଟକଳରୁ ମିଳିଥିବା ଅର୍ଥରେ ମାତ୍ର ଚଳିବେ କେମିତି ? ଖାଇବେ କଣ ? ଆଈ ଥିଲେ ଭାରି ପତିପ୍ରାଣା, କର୍ମଠ ଆଉ ବୁଦ୍ଧିମତି | ସେ ଅଜାଙ୍କୁ ପ୍ରେରଣା ଦେଲେ | ଅଜା ପୁରୋହିତ ବୃତ୍ତିକୁ ଆଦରିନେଲେ |  ବାସ୍ ,ଯାହା ରୋଜଗାର ହେଲା ତାହା ସହିତ ଯୋଡି ହୋଇଗଲା ଆଈଙ୍କ ପଇତା ତିଆରିର ରୋଜଗାର | ଦୁଇ ପରାଣିଆ କୁଟୁମ୍ବ | ସୁରୁଖୁରୁରେ ସଂସାର ଚାଲିଲା |
         
ଏସବୁ ମୋର ସ୍କୁଲ ପଢା ସମୟର ଘଟଣା | ମୁଁ ଲକ୍ଷ୍ୟକଲି, ମୋର ସ୍କୁଲ୍ ଯିବା ଆସିବା ସମୟରେ ରଥ ଅଜାଙ୍କ ଆଈ ମୋ ପ୍ରତି ଯେମିତି  ଅଧିକ ଗୁରୁତ୍ୱ ଦେଉଛନ୍ତି ସବୁ ପିଲାଙ୍କ ଅପେକ୍ଷା | ମୁଁ ଯେମିତି ତାଙ୍କର ଅତି ନିଜର | ମୋର ବି ତାଙ୍କ ପ୍ରତି କେମିତି ଗୋଟେ ମମତା ଆସିଯାଇଥିଲା ମୋ ଅଜାଣତରେ | ପ୍ରତ୍ୟେକ ଦିନ ସେ ଦୁହେଁ ମୋତେ କିଛି ନା କିଛି ଭଲ ଜିନିଷ ଖାଇବାକୁ ଦେଉଥିଲେ |  ପର୍ବ ପର୍ବାଣି ହେଉ ବା ନହେଉ କିଛି ଯାଏ ଆସେ ନାହିଁ | ମୋ ପାଇଁ ସବୁଦିନ ଯେମିତି ପରବ | ଏମିତି କୌଣସି ଦିନ ନାହିଁ ଯେଉଁ ଦିନକି ମୋତେ ତାଙ୍କଠୁ ଖାଇବାକୁ ମିଳିନି  |  ମୋର ଯଦି ଦେହ ମୁଣ୍ଡ କଣ ହେଲା ଓ ମୁଁ ସ୍କୁଲ୍ ନଗଲି ତେବେ ମୋତେ ଯେବେ ଦେଖନ୍ତି ଆଈ ବହୁତ ବ୍ୟସ୍ତ ହୁଅନ୍ତି | ବହେ ପାଖରେ ବସାଇ ସବୁ ବୁଝନ୍ତି | ଅଜାଙ୍କୁ ଫର୍ମାଇସ୍ କରନ୍ତି ମୋ ପାଇଁ ଦୋକାନରୁ ଭଲ ମନ୍ଦ ଆଣିବା ପାଇଁ | ଆଈଙ୍କ ହାତ ତିଆରି ପିଠା ପଣା ମୋତେ ବହୁତ ସୁଆଦିଆ ଲାଗେ | ଯେବେ ମୁଁ ଏକଥା ବୋଉକୁ କହେ ବୋଉ କହେ, " ଆହା ବିଚାରୀକୁ ଭଗବାନ ପିଲା ବକଟେ ଦେଲେନି | କେଡେ ନିରୀମାଖି ଜୀବନ ସତେ | "ତାପରେ ମୋଚେ ଆକଟକରି କହେ, " ତୁ ରୋଜ୍ ରୋଜ୍ କଣ ତାଙ୍କ ଘରେ ଡାହାଣାଙ୍କ ଭଳି ଖାଉଛୁ ? ସେମାନେ ଗରୀବ ଲୋକ | ତୁ ପର ପିଲା ସବୁବେଳେ ସେଠି ଖାଇବାଟା ଜମା ଠିକ୍ ନୁହେଁ | ମାତ୍ର ମୁଁ ବୋଉ କଥା ଏ କାନରେ ପୁରେଇ ସେ କାନରେ ଛାଡିଦିଏ | ପୂର୍ବ ପରି ମୁଁ ତାଙ୍କ ଘରେ ଚଳେ | ଖିଆ ପିଆ କରେ | ବାସ୍ ଦିନ ଗୁଡା ପାଣି ଭଳି ବୋହିଯାଏ |
         
ସମୟ ଗଡିଚାଲିଲା ଓ ତା ସାଥୀରେ ତାଳ ଦେଇ ମୋର ବୟସ ବଢିବା ସଙ୍ଗେ ସଙ୍ଗେ ରଥ ଅଜା ଓ ଆଈ ମଧ୍ୟ ବୁଢା ବୁଢୀ ହେବାକୁ ଲାଗିଲେ | ମୁଁ ଗ୍ରାଜୁଏସନ୍ କରିବାକୁ ରାଜଧାନୀ ଚାଲିଆସିଲି | ମେସ୍ ରେ ରହି ବି .ଜେ .ବି. କଲେଜ୍ ରେ ପଢିବାକୁ ସ୍ଥିରହେଲା  | ମୁଁ ଭୁବନେଶ୍ୱରର ଯିବା ପୂର୍ବରୁ ଅଜାଙ୍କ ଘରକୁ ଗଲି | ଅଜା ଆଈ ବହୁତ କାନ୍ଦିଲେ ,ସତେ ଯେମିତି ତାଙ୍କ ନିଜ ସନ୍ତାନ ଦୂରକୁ ଚାଲିଯାଉଛି |ମୁଁ ତାଙ୍କୁ ବହୁତ ବୁଝାଇଲି  | କହିଲି, " ମୁଁ ତ ପ୍ରତି ସପ୍ତାହରେ ଗାଁ କୁ ଆସିବି | ବ୍ୟସ୍ତ କାହିଁକି ?  ଆଈ ମେଞ୍ଚାଏ ନୋଟ୍ ଆଣି ମୋ ପକେଟରେ ଗେଞ୍ଜି ଦେଲା | ତା ରାଣକୁ ଲଂଘିବାର ସାହାସ ମୋର ନଥିଲା | ବାଧ୍ୟ ହୋଇ ବହୁ କଷ୍ଟୋପାର୍ଜିତ ତାର ଧନକୁ ମୋତେ ଗ୍ରହଣ କରିବାକୁ ହେଲା | ନିଜର ଶରୀର ପ୍ରତି ଧ୍ୟାନ ଦେବାର ବଚନ ମୋଠୁ ଆଦାୟକରି ସେ ଦୁହେଁ ମୋତେ ବିଦାୟଦେଲେ | ମେସ୍ ରେ ସେ ଦେଇଥିବା ଟଙ୍କା ଗଣିଲି | ପୁରା ହଜାରେ ଟଙ୍କା | ମୋର ମାସିକ ଘରଭଡା ଓ ମେସ୍ ଖର୍ଚ୍ଚ ମିଶି ହୁଏ ଅଢେଇ ଶହ ଟଙ୍କା | ମାନେ ଚାରି ମାସର ଖର୍ଚ୍ଚ ଥିଲା ସେତକ |
         
ଦଶହରା ଛୁଟୀରେ ଗାଁ କୁ ଯାଇଥାଏ | ରଥ ଅଜାଙ୍କ ଦୁଆର ଦେଇ ହିଁ ଘରକୁ ଯାଏ | ଦୂରରୁ ଦେଖିଲି ଅଜା ଆଈ ଦୁହେଁ ଦାଣ୍ଡ ଦୁଆରେ ବସିଛନ୍ତି  | ମନ ଖୁସିରେ ନିକଟରେ ପହଞ୍ଚି ଦୁହିଁଙ୍କ ପାଦ ଛୁଇଁଲି | ଦୁହେଁ ଆଶିର୍ବାଦ କରି ଘର ଭିତରକୁ ଚାଲିଯାଇ ଘରର କବାଟ ଭିତରୁ କିଳିଦେଲେ | ଗଲେବେଳେ ଆଈର ସୁଁ ସୁଁ କାନ୍ଦ ଶବ୍ଦ ମୋ କାନରେ ବାଜିଲା | ମୁଁ ହତବାକ୍ | ଏମିତି ତ ହେବାକଥା ନୁହେଁ | ମୋତେ ଦେଖି କବାଟ କିଳିଦେବା ପୁଣି ଆଈର କାନ୍ଦ , ମୋତେ କେମିତି ଅଡୁଆ ଅଡୁଆ ଲାଗିଲା | ଯାଇ କବାଟ ବାଡେଇଲି | ମାତ୍ର କିଛି ଉତ୍ତର ମିଳିଲାନି | ବାଧ୍ୟହୋଇ ଘରକୁ ଫେରିଲି | ଘରେ ପହଞ୍ଚିଲା ପରେ ଚନ୍ଦ୍ରାଠୁ ସବୁ ଶୁଣିଲି | ଦଶହରାକୁ ଆସିବି ବୋଲି ଆଉ ଗାଁକୁ ଆସିଲିନି |ରଥ ଅଜା ଘରକୁ ଆସି ମୋ ଠିକଣା ମାଗିଲେ ବୋଉକୁ | ବୋଉ ତାଙ୍କୁ ଠିକଣା ତ ଦେଲାନି ବରଂ ମୋ ସହିତ ତାଙ୍କର ଏତେଟା ନିବିଡ ସମ୍ପର୍କକୁ ନାପସନ୍ଦ କଲା | ଅପମାନିତ ହୋଇ ଅଜା ଆମ ଘରୁ ଆଖିରୁ ଲୁହ ପୋଛି ପୋଛି ଚାଲିଗଲେ | ମନଟା ମୋର ଗ୍ଳାନିରେ ଭରିଗଲା |ମୁଁ ଚଣ୍ଡାଳ ତାଙ୍କୁ ଚିଠି ଖଣ୍ଡେ ଯଦି ପଠାଇ ପାରିଥାନ୍ତି ତେବେ ଅଜା ଆଈ ଏପରି ଅପଦସ୍ଥ ହୋଇ ନଥାନ୍ତେ | ଗୋଟେ ପର ପିଲାକୁ ଆପଣାର ଭାବି ତା ଦୁଃଖ ସୁଖ ଟିକେ ବୁଝିବା ପାଇଁ ଧାଇଁ ଆସିଥିବା ନିଃସନ୍ତାନ ପିତୃତ୍ୱ ଓ ନିଜର ଅସହାୟତା ତଥା  ସ୍ୱାମିର ଅପମାନକୁ ବା କେମିତି ଜଣେ ସ୍ୱାଭିମାନୀ ସ୍ତ୍ରୀ ଗ୍ରହଣ କରିବ, ସେଇ କଥା ଭାବି ମୋ ଅନ୍ତରାତ୍ମା ମୋତେ ଶତ ଧିକ୍କାର କଲା | ବୋଉକୁ ପଚାରି ଉତ୍ତର ପାଇଲି ଓଲଟା | ତାର ନିର୍ବୋଧତା ପାଇଁ ମୋ ପାଖକେ କୌଣସି ପ୍ରତିକାର ନଥିଲା  |ସବୁକୁ ହଜମ୍ କରିବାକୁ ପଡିଲା | କିଛି ଭଲ ଲାଗିଲାନି  | ବନ୍ଧୁ ଗହଣରେ ସମୟ କାଟି ଘରେ ପହଞ୍ଚିଲା ବେଳକୁ ରାତି ଦଶଟା | ଦେଖିଲି ବାପା ବୋଉ ଦୁହେଁ  ମୋତେ ଅପେକ୍ଷା କରିଛନ୍ତି | ଖାଇବା ବଢାହେଲା | ମୁଁ ଅଳ୍ପ ଖାଇ ଉଠିଗଲି | ବାପା କହିଲେ ," ଦେଖ୍ ଶୁଭ ! ତୋର ରଥେ ଆପଣେଙ୍କ ସକାଶେ ଘରେ ଅଶାନ୍ତି କରିବା ଠିକ୍ ନୁହେଁ | ତୁ ତୋର ପାଠପଢା ଆଉ ତୋର ଭବିଷ୍ୟତ ପାଇଁ ଦୃଷ୍ଟି ଦେ |ମୋତେ ଏସବୁ ଭଲ ଲାଗୁନି | ବାସ୍, ଦଶହରା ଛୁଟୀ ବାକି ଥାଇ ଭୁବନେଶ୍ୱର ପଳାଇଲି | ପ୍ରକୃତରେ ରଥ ଅଜା ଓ ଆଈଙ୍କ ମୁହଁ କୁ ଚାହିଁବାର ସାହାସ ମୋର ନଥିଲା | ଦିନେ ଖବର ପାଇଲି ସେହି ସ୍ନେହମୟୀ ଆଈ ଆରପାରିକୁ ଚାଲିଗଲେ  | ତକିଆରେ ମୁହଁ ଲୁଚାଇ ବହେ କାନ୍ଦିଲି |କିଛି କରିବାର ଉପାୟ ନଥିଲା | ସ୍ୱର୍ଗତା ଆତ୍ମା ପ୍ରତି ପ୍ରଣାମ ଜଣାଇ ଅଧମକୁ କ୍ଷମା କରିଦେବାକୁ ପ୍ରାର୍ଥନାକଲି |
         
ଏମିତିରେ ଗ୍ରାଜୁଏସନ୍ ସରିଗଲା ପରେ ମାଇନିଂରେ ଚାକିରୀ ପାଇ କେନ୍ଦୁଝର ଚାଲିଗଲି | ବେଳେବେଳେ ଚନ୍ଦ୍ରାଠୁ ଗାଁ ର ହାଲ୍ ଚାଲ୍ ପାଏ | ରଥ ଅଜା ଆଈ ଚାଲିଗଲା ପରେ ଅସହାୟ ହୋଇ ପଡିଛନ୍ତି | ବୃଦ୍ଧାବସ୍ଥାରେ ଯେ ନିଃସଙ୍ଗତା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବି ହିଁ ବୁଝିପାରେ | ସାଥୀହୀନ ଜୀବନକୁ ଆର୍ଥୀକ ଅନାଟନ ଦୁଃଖକୁ  ବହୁଗୁଣରେ ବଢାଇ ଦେଇଥାଏ, ଯାହାକି ଅଜାଙ୍କ କ୍ଷେତ୍ରରେ ପ୍ରତିଫଳିତ ହେଲା | ଛୁଟୀ ନେଇ ଗାଁ କୁ ଆସିଲି | ରାତିରେ ସିଧା ଗଲି ଅଜାଙ୍କ ଘରକୁ | କବାଟ ବାଡେଇବା ପରେ ଅଜା କବାଟ ଖୋଲିବାରୁ ଦେଖିଲି ସେ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଥିଲେ | ମୁଁ ତାଙ୍କ ଗୋଡ ଧରି ବହେ କାନ୍ଦିଲି | ଅନ୍ତରର ସମସ୍ତ ବ୍ୟଥା ଲୁହ ହୋଇ ବାହାରି ଆସିଲାରୁ ମୋତେ ଟିକେ ହାଲ୍କା ଲାଗିଲା | ଅଜା ବି ମୋତେ ଧରି ଗୁଡାଏ କାନ୍ଦିଲେ | ଦୁହେଁ ସମ ଦୁଃଖୀ | ଜଣେ ଅସହାୟ ବୃଦ୍ଧ ଦାରିଦ୍ରତାର ତାଡନାରେ ମ୍ରିୟମାଣ ଓ ଜଣେ ଯୁବକ ସବୁ ଥାଇ କିଛି ନକରି ପାରିବାର ଅସହାୟତାରେ ଜର୍ଜ୍ଜରିତ |  ଆଖିରୁ ଗାମୁଛା କାନିରେ ଲୁହ ପୋଛି ରଥଅଜା କହିବାକୁ ଆରମ୍ଭକଲେ ; "ବିଚାରୀ ହତଭାଗିନୀଟା ତୋତେ ମରିବା ପୂର୍ବରୁ ବହୁତ ଖୋଜିଛି  | ତୋ ନାଁ ଧରି ବିଳିବିଳେଇ ଉଠିଛି ବହୁଥର | ଦାଣ୍ଡ ଦୁଆର ଆଡେ ଆଶାୟୀ ନେତ୍ରରେ ଚାହିଁ ଚାହିଁ ଶେଷରେ ଆଖି ବୁଜିଦେଲା | ତୋର ଚାକିରୀ ପାଇବା କଥା ଶୁଣି ଖୁସିହେବା ପାଇଁ ବିଚରୀ ଆଉ ଏ ଦୁନିଆରେ ରହିଲାନି | ଏକଥା ଶୁଣି ମୋର ଶୁଖି ଆସୁଥିବା ଆଖି ଦୁଇଟି ପୁଣି ଲୋତକାପ୍ଳୁତ ହୋଇଉଠିଲା | ପକେଟରୁ କିଛି ଟଙ୍କା ବାହାରକରି ଅଜାଙ୍କ ହାତକୁ ବଢେଇଦେଲି | ମାତ୍ର ସେ ନେବାକୁ ମନାକଲେ | ରାଣ ନିୟମ ପକାଇ ଜୋର ଜବରଦସ୍ତ ତାଙ୍କ ହାତରେ ଟଙ୍କା ପୁଳାକ ଗୁଞ୍ଜିଦେଇ ଘରକୁ ଫେରିଲି | ରାତିରେ ଭଲ ନିଦ ହେଲାନି |
         
ପ୍ରାୟ ବର୍ଷେ ଖଣ୍ଡେ ବିତିଗଲା | ଚନ୍ଦ୍ରାର ବାହାଘର ଠିକ୍ ହୋଇଯାଇ ଥିବାରୁ ମୋତେ ଗାଁ କୁ ଆସିବାକୁ ହେଲା | ରାତିରେ ପହଞ୍ଚିଲି ଘରେ | ଯାତ୍ରା ଜନିତ କ୍ଳାନ୍ତି ଯୋଗୁ ଶୋଇପଡିଲି ହାଲିଆ ହୋଇ | ଭାବିଥିଲି ସକାଳେ ଯାଇ ଅଜାଙ୍କ ସାଥୀରେ ଦେଖାକରିବି | ସେଇ ଗୋଟିଏ ଭୁଲ୍ ସକାଶେ ତାଙ୍କର ଶେଷ ଦର୍ଶନ ସୁଦ୍ଧା କରିପାରିଲିନି  | ମନରେ ଗୋଟେ ଅବଶୋଷ ରହିଗଲା | ମୃତ୍ୟୁ ସମୟରେ ତାଙ୍କ ପାଖରେ ପାଣି ଢୋକେ ଦେବାକୁ କେହି ନଥିବେ | ଏକ ନୀରବ ଯନ୍ତ୍ରଣାରେ ଛଟପଟ ହୋଇ ଅତ୍ୟନ୍ତ ଅସହାୟ ଭାବରେ ତାଙ୍କର ଜୀବନ ଯାଇଥିବ | ଏକଥା ଭାବି ସେ ତୂଠ ପାହାଚରେ ମୋର ମୁଣ୍ଡ ପିଟି କାନ୍ଦିବାକୁ ଇଚ୍ଛାହେଲା | ଗାଧୋଇସାରି ସେଇ ଓଦାଲୁଗାରେ ସିଧା ପହଞ୍ଚିଲି ରଥ ଅଜାଙ୍କ ଘରେ | ଘର ବୋଲି ତିନି ବଖରା | ମାଟି କାନ୍ଥ ଓ ଚାଳ ଛପର ଆଟୁ ଘର | ତଳ ଗୋବର ଲିପା |ଗୋଟିଏ ଶୋଇବାଘର, ଗୋଟିଏ ରୋଷେଇଘର ଏବଂ ଅନ୍ୟଟି ଠାକୁର ଘର | ମୁଁ ପ୍ରଥମେ ଶୋଇବାଘର ଭିତରକୁ ଗଲି | କିଛି ନାହିଁ | କନ୍ଥା ସହ ସମସ୍ତ ଲୁଗାପଟା ମଶାଣୀକୁ ଯାଇ ସାରିଛି ମର ଶରୀର ସହ | ଗୋଟେ କଣରେ ମାଟି ମାଠିଆରେ ଚାଉଳ ମୁଠେ ପଡିଛି | ଗୋଟେ ଟିଣ ଟ୍ରଙ୍କ ତାଲା ପଡି ଘରର ଗୋଟେ କୋଣକୁ ରହିଛି | ମୁଁ ଜାଣେ ଚାବି କୋଉଠି ରହେ | ଚାବି ଆଣି ଟ୍ରଙ୍କ ଖୋଲିଲି | ଗୋଟେ ଡବାରେ କିଛି ରେଜା ପଇସା , ଆଈ ପିନ୍ଧୁଥିବା ଏକ ରୁପା ଡେଉଁରିଆ ରହିଛି | ପୁଳେ ଟଙ୍କା ଟ୍ରଙ୍କର ଗୋଟିଏ କୋଣରେ ସଜାଇ ରଖାଯାଇଛି | ଗଣିଲି , ଠିକ୍ ତିନି ହଜାର ଅଛି | ମାନେ ବର୍ଷେ ତଳେ ମୁଁ ଅଜାଙ୍କୁ ଦେଇଥିବା ସେଇ ତିନି ହଜାର ଟଙ୍କା ସେମିତି ରହିଛି | ତେବେ ଅଜା ଚଳୁଥିଲେ କେମିତି ?ଖାଉଥିଲେ କଣ ? ଏସବୁ ପ୍ରଶ୍ନ ଭିତରେ ଛନ୍ଦିହୋଇ ପୁଣି ଟ୍ରଙ୍କ ଭିତରକୁ ଚାହିଁଲି | ଗୋଟିଏ ଧଳା କାଗଜ ଚାରି ଭାଙ୍ଗ ହୋଇ ରହିଛି | କାଗଜଟି ଖୋଲିଲି | ମେ ନାଁରେ ଚିଠିଟିଏ ଲେଖାହୋଇଛି | ଚିଠିର ତାରିଖଟି ମାସେ ତଳର | ଚିଠଟି ପଢିବାକୁ ଆରମ୍ଭକଲି .......
          
ଶ୍ରଦ୍ଧେୟ ଶୁଭ,
ମୋର ସ୍ନେହାଶିର୍ବାଦ ନେବୁ | ଈଶ୍ୱରଙ୍କ କୃପାରୁ ନିଶ୍ଚୟ ଭଲରେ ଥିବୁ ବୋଲି ମୋର ଆଶା | ଏ ଚିଠିଟି ଏଇଥିପାଇଁ ଲେଖୁଛି ଯେ ତୋ ଆଈକୁ ମୁଁ ସିନା ମୁଖାଗ୍ନି ଦେଲି ଯଦିବା ତାର ତୋଠୁ ପାଇବାର ଇଚ୍ଛା ଥିଲା | ମାତ୍ର ଈଶ୍ୱରଙ୍କ ଇଚ୍ଛା ଅଲଗା ଥିଲା | ମାତ୍ର ମୁଁ ମରିଗଲେ ତୁ ମୋତେ ମୁଖାଗ୍ନି ଦେବୁ | ମୋର ଶୁଦ୍ଧିକ୍ରୀୟା କରିବୁ | ତୁ ତ ମୋ ଠୁ ବହୁ ଦୂରରେ ଅଛୁ | ମାତ୍ର ମୋର ଆଶା ଯେ ତୁ ନିଶ୍ଚୟ ମୋ ଶେଷ ସମୟରେ ଉପସ୍ଥିତ ହେବୁ | ତୁ ଦେଇଥିବା ତିନି ହଜାର ଟଙ୍କା ମୋ ଶଦ୍ଧିକ୍ରୀୟାରେ ଖର୍ଚ୍ଚ କରିବୁ | ବହୁତ ଆବଶ୍ୟକତା ଅନୁଭବ କରିଛି ଖର୍ଚ୍ଚ କରିବାକୁ ,ମାତ୍ର ହାତ ଗଲାନି |ଘରଟିକୁ ତୋ ନାଁ ରେ କରିଦେଇଛି | ତୋ ବାହାଘର ଦେଖିବାକୁ ବହୁତ ଇଚ୍ଛା ଥିଲା, କିନ୍ତୁ କେତେଦିନ ଆଉ ଏମିତି ଅନାହାର ଅର୍ଦ୍ଧାହାରରେ ବଞ୍ଚିବି | ସାଇ ପଡିଶାଙ୍କ ଦୟାରେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ | ହଁ, ମୋର ଗୋଟିଏ ଅନୁରୋଧ ରଖିବୁ | ମୋର ଏବଂ ତୋ ଆଈର ଅସ୍ଥି ନେଇ ସମୁଦ୍ରରେ ପକେଇଦେବୁ ଶ୍ରୀକ୍ଷେତ୍ର ଯାଇ | ସେଇଠି ଆମ ଦିଜଣଙ୍କୁ ଶ୍ରାଦ୍ଧ ଦେଇଦେବୁ | ସମୁଦ୍ରରେ ତ ସବୁ ତୀର୍ଥ ମିଶିଛି , ଗଙ୍ଗା ଗୟା ଯାଇ ହଇରାଣ ହେବା କଣ ଦରକାର | ଆଉ ଗୋଟିଏ ଶେଷ ଇଚ୍ଛା ଆମ ଦୁଇଜଣଙ୍କର, ତୁ ବାହାହୋଇ ସାରିଲେ ଯେବେ ତୋର ସନ୍ତାନ ସନ୍ତତି ହେବେ ତୁମେ ସପରିବାରେ ଏଇ ଘରଟିରେ ଗୋଟିଏ ଦିନ ରହିବ | ଏ ବାଞ୍ଝ ମାଟିରେ ତୋ ଛୁଆର ହସ କାନ୍ଦର ଗୁଞ୍ଜରଣ ଶୁଭିବ | ତାର ମଳ ମୂତ୍ରର ଛିଟା ପଡି ଏ ମାଟି ପବିତ୍ର ହୋଇଯିବ | ତେବେ ଯାଇ ଆମ ଆତ୍ମା ଶାନ୍ତି ପାଇବ | ଏତିକି ଯେମିତି କରିବୁରେ ଶୁଭ | 
                            ଇତି
                   ତୋର ରଥ ଅଜା

ଚିଠିର ଶେଷ ଅକ୍ଷର ଗୁଡାକ ଲୁହ ଭିଜା ଆଖିରେ ମୋତେ ଆଉ ସ୍ପଷ୍ଟ ଦେଖା ଯାଉନଥିଲା |  ମୁଁ ଲଥ୍ କରି ତଳେ ବସିପଡିଲି | ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡି କାନ୍ଦ କାନ୍ଦ ହୋଇ କହିଲି, "ପ୍ରଭୂ ! ମଧୁସୁଦନ ରଥ ଆଉ ତାଙ୍କ ଧର୍ମପତ୍ନୀ ନେତ୍ରମଣି ଦେବୀଙ୍କୁ ଯେମିତି ଆଉ ଏ ଯନ୍ତ୍ରଣାପୂର୍ଣ  ପୃଥିବୀରେ ଜନ୍ମ ନମିଳୁ | ସେ ପରମ ଗତିକୁ ପ୍ରାପ୍ତ ହୁଅନ୍ତୁ |" ଟପ୍ ଟପ୍ ହୋଇ ମୋର ଦୁଇ ଆଖିରୁ ଲୁହ  ଟୋପା ସବୁ ରଥ ଅଜାଙ୍କ ଶୋଇବା ଘର ଗୋବର ଲିପା ଚଟାଣ ଉପରେ ଖସି ପଡି ମୋ ମନରୁ ସମସ୍ତ ଗ୍ଳାନିକୁ ଦୂର କରିବାରେ ସକ୍ଷମ ହେଉଥିଲା |
       
(ଏକ ସତ୍ୟ ଘଟଣାର ଛାୟାରେ ଲିଖିତ ଗଳ୍ପଟିଏ)

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋରଧା, ଓଡିଶା

Post a Comment

0 Comments