ପୁଣ୍ୟତୋୟା - ନାରାୟଣ ଚନ୍ଦ୍ର ସେନାପତି

ପୁଣ୍ୟତୋୟା - ନାରାୟଣ ଚନ୍ଦ୍ର ସେନାପତି


ପୁଣ୍ୟବାଣ୍ଟିବାର ଅଭୀପ୍ସା ନେଇ
ପୁଣ୍ୟାତ୍ମାଙ୍କ ଆଶୀର୍ବାଦରୁ
ଜନମୁ ତୁ ଗିରିରାଜର ମୁକୁଟରେ
ଝରିଯାଉ ଅବିରତେ
ପାହାଡି କନ୍ୟା ରୁପରେ
ନିର୍ଦ୍ୱନ୍ଦ୍ୱରେ ଯାଚିଥାଉ ତୋ ପୟ
ତୃଷାର୍ତ୍ତକୁ ସରାଗରେ
ଝରି ଝରି ନିର୍ଝରିଣୀ ରୂପରେ
କୂଳ ଓ କୋଳକୁ କରୁ ପବିତ୍ର
ସର୍ବସ୍ୱ ଦାନ କରି ଆନନ୍ଦାଶ୍ରୁ ନିଗାଡୁ
ଜୀବର ଜୀବଦାନରେ।
ଆଶାର ଶରଧାବାଲି ତୋ ଚୋରାବାଲି
ଆର୍ଦ୍ର ସମୀରଣ ଛିଞ୍ଚୁ ନିଦାଘର ବିଛଣାରେ
ମରୁ ତନୁ ମନ ସିକ୍ତ କରୁ ପୂତ ସ୍ନାନରେ
ଚିର କୋମଳ ଅନୁପମ ସାଜୁ
ଜ୍ୟୋତ୍ସ୍ନାବିଧୌତ ରଜନୀର ଚାନ୍ଦ ପରି
ଆଲୋକିତ କରୁ ଜନ ମାନସକୁ
ମାନସ ପୁତ୍ର ର ଉଜ୍ଜ୍ୱଳତାରେ
ପ୍ରତିଧ୍ୱନିତ କରୁ ବେଦ ଧ୍ୱନି
ଅବା ପଞ୍ଚମୁଖୀ ଶଙ୍ଖନାଦ
ସ୍ରୋତସ୍ୱିନୀ ରୂପରେ
ଉତ୍ତାଳ ତରଙ୍ଗରେ।
ସରଳ ହୃଦୟରେ ତୋ ଅଙ୍କାବଙ୍କା ଜଟିଳ ନକ୍ସା
ସଜାଏ ସଭିଙ୍କୁ ସଭ୍ୟତାର ତାଜରେ
ହଜାଏ ସଭିଙ୍କୁ କାମଧେନୁ ପ୍ରାପ୍ତିରେ
ଗରଜେ ଶିଳ୍ପ ଅରଜେ ଶିଳ୍ପୀ
ବିଭବର ମହାବାତ୍ୟାରେ
ପୁଲକିତ ହେଉ ଆଶାର ନୌକା ଭସା ଦେଖି
ସତେ ଅବା ପାର କରୁ ଆକାଂକ୍ଷା ତଟିନି
ତୁ ତୀର୍ଥ ତୁ ସ୍ୱର୍ଗ ତୁ ଅପ୍ସରୀ
ତୋ ପବିତ୍ର ଜଳଧାରାରେ।
ସରଗର ପାରିଜାତ ତୁ ସରଗସୂତା
ଆବିର୍ଭାବ ହେଉ ଜହ୍ନ ପାଲିଙ୍କିରେ
ପ୍ରତିଫଳନର ଔଝଲ୍ୟତାରେ
ହେ ବିଶ୍ୱକନ୍ୟା...ବିଷଜ୍ୱାଳା ତେଜୁ
ଅମୃତ ଜଳ ଦାନରେ
କୋଟିକୋଟି ବତ୍ସ ବତ୍ସାର ମା ଆର୍ଯ୍ୟା
ନିଷ୍ପାପ ଅନ୍ତରରେ
ଶରୀରରେ ପ୍ଳାବିତ ହେଉ
ପାଦପକୁ ଜୀବଦାନ ଦେଉ
ପ୍ରେରିତ କରୁ
ଜୀବ ସଂରକ୍ଷଣ ପାଇଁ
ପ୍ରୀତିର ସଞ୍ଚୀବନୀରେ  ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments