Information

କ୍ଷୁଦ୍ରଗଳ୍ପ - ପ୍ରତୀକ୍ଷା - ସିପ୍ରା ନାମତା ନମ୍ରତା


ରାତି ର ଶୁନଶାନ ଗଳି ର ସେଇ ଶେଷ ଝୁମ୍ପୁଡି ଘର ଟି ରୁ ଥରେ ଥରେ ମାଉଥ ଅର୍ଗାନ ର ବିଳାପୀତ ସ୍ୱର ଭାସି ଆସେ । ମୋ କାନ ରେ ପଡେ ।ମୁଁ ବିହ୍ଵଳ ହୋଇଯାଏ ଆଉ ହୃଦୟ ଭିତରେ ଅସହାୟତା ମାଡିବସେ ।ଆଃ ....କି କରୁଣ ମୂର୍ଚ୍ଛନା । ସତ ରେ ଯେମିତି କେହି ଜଣେ ବିରହୀ ତା ହୃଦୟ ର କଲିଜାକୁ କାଢ଼ିଦେଇ ଗାଉଛି ।ଏ ସହର କୁ ଆସିବା ମୋର ମାସ ଟିଏ ହେଲାଣି । ମୋର ଅଭ୍ୟାସ ରେ ପରିଣତ ହେଇଯାଇଛି ସେଇ ସ୍ୱର ଶୁଣିବା ଏବଂ ତା ପରେ ପରେ କଇଁ କଇଁ କାନ୍ଦ ଓ କରୁଣ ଚିତ୍କାର ।--""ଛାଡ ....ଛାଡ .....ମୋତେ ,,ମୁଁ ଯିବି ,,ସେ ମୋତେ ଡାକୁଛି ....।""
         
ମୋ କର୍ମ ବହୁଳ ଜୀବନ ରୁ ସମୟ କାଢି ସେ ବିଷୟ ବୁଝିବା ଖୁବ୍ ଦୁଷ୍କର ଥିଲା ।ତଥାପି ବେଳେ ବେଳେ ସୁଯୋଗ ପାଇଲେ ସ୍ଥାନୀୟ ଲୋକଙ୍କ ଠାରୁ ବୁଝିବା ସମ୍ବନ୍ଧରେ ପ୍ରୟାସ କରିବାକୁ ଛାଡେ ନାହିଁ ।କିନ୍ତୁ ସେଦିନ ସକାଳେ ଘେରେ ଚାଲିବାକୁ ବାହାରିଲା  ବେଳକୁ ହଠାତ ସେଇ ଗଳି ର ଛକ ଟା ସାମାନ୍ୟ ଭିଡ଼ ଲାଗୁଥାଏ । କାହିଁକି କେଜାଣି ମୋ ପାଦ ଦୁଇଟା ମୋ ଅଜାଣତରେ ସେଇ ଆଡକୁ ସ୍ୱତଃ ଠେଲି ହୋଇ ଯାଉଥାଏ ।ଅନେକ ଦୁଃଖ ଦେଖିଥିବା ଏଇ ଆଖି ଦୁଇଟି ଯେମିତି ସେହିପରି କୌଣସି ମୁହୂର୍ତ୍ତ ର ଅନୁସନ୍ଧାନ  କରୁଥିବା ପରି ଜଣାଯାଉଥିଲା ମୋତେ । ତଥାପି ଘୋଷାରି ହୋଇଯାଉଥିବା ପାଦ ଦୁଇଟି ଭିଡ କୁ ଠେଲି ବାଟ କାଟି ପହଁଚିଗଲା ସେଇ ମୁହୂର୍ତ୍ତ ଟି ପାଖକୁ ଯେଉଁଠି ଖୁନ୍ଦି ହୋଇ ରହିଥିଲା ଅଜସ୍ର  ବିଳାପ ଆଉ ତା'ର ପ୍ରତିଧ୍ୱନୀ । ଅସ୍ଥିପଞ୍ଜରା ଉପରେ କେବଳ ଚମଡା ଟିଏ ଯାହା ଲୋଚା କୋଚା ହୋଇ ଲାଗିଥାଏ ବୃଦ୍ଧା ଙ୍କ ଶରୀର ରେ ।ତୋଫା ଗୌର ବର୍ଣ୍ଣ ର ଜାଜୁଲ୍ୟ ସାମାନ୍ୟ ଫିକା । ବିସ୍କୁଟ ରଙ୍ଗ ପରି ଦେଖାଯାଉଥାଏ । ପାଖରେ ଜଣେ ବୃଦ୍ଧ ।ପତଳା ନହକା ହୋଇ ମେରୁଦଣ୍ଡ ଝୁଂକାଇ ବସିଥାନ୍ତି ସେଇ କଙ୍କାଳ ସାର ଦେହ ଟି ପାଖରେ ।ମୁଣ୍ଡରେ କେଶ ସମ୍ପୂର୍ଣ୍ଣ ଧବଳ ବର୍ଣ୍ଣ ।ଚକ୍ଷୁ କୋଟର ଗତ ।ସେଇ କୋଟର ରୁ ଚିକ ଚିକ କେଇବୁନ୍ଦା ଲୁହ ଆସି ପଡିଥିଲା ବୃଦ୍ଧା ଙ୍କ ମଣିବନ୍ଧ ଉପରେ ।ମୁଁ ଦେଖୁଥିଲି ସେଇ ଝୁମ୍ପୁଡି ଚତୁର୍ପାଶ୍ୱରେ କେବଳ "ଆହା "ସମ୍ବୋଧନ ସହିତ ଅଗଣିତ କାରୁଣ୍ୟ ଛଳ ଛଳ ଜୁଳୁ ଜୁଳୁ ଆଖି ।କିନ୍ତୁ ଘଟଣା ଉପରେ କୌଣସି ଟୀକା ଟିପ୍ପଣୀ କେହି କରୁ ନ ଥିବାରୁ ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥାଏ ।କେତେବେଳେ ଏ ଘଟଣା ହୋଇଛି ,କେମିତି ଏ କାମ  ସମ୍ପନ୍ନ ହେବ ସେ ବିଷୟରେ କାହାରି ପାଟି ରୁ ପଦେ ମଧ୍ୟ ବଚନ ନାହିଁ ।ପରନ୍ତୁ ଯେଉଁ ମାନଙ୍କର ଆଗମନ ହେଉଥାଏ ସେଇମାନେ ଅଳ୍ପ ସମୟ ଭିତରେ ସେ ସ୍ଥାନ ଫାଙ୍କା କରି ଚାଲିଯାଉଥାନ୍ତି । ମୋ ପାଦ ଆହୁରି ଆଗକୁ ,ସେଇ ବୃଦ୍ଧା ଙ୍କ ଶରୀର ପାଖରେ ପହଞ୍ଚି ଗଲାଣି କେତେ ବେଳେ ।ସ୍ୱତଃ ମୋ ହାତ ପ୍ରସାରିତ ହୋଇ ଯାଇଥିଲା ତାଙ୍କର ଅସାଡ଼ ଦେହ ପାଖକୁ ।ବୃଦ୍ଧ ଙ୍କୁ କିଛି ଶାନ୍ତ୍ୱନା ଦେବାର ସାହସ ମଧ୍ୟ ମୋର ନ ଥିଲା ।

"ବାପୁନ .....ଶୁଣ ,,ରହି ଯା ରେ ,ଟିକେ .....ଏକା ଏକା ଯାଆନା ରେ ।ମୁଁ ଆସୁଛି ତୋ ପାଖକୁ ।"
     
ସରିତା ଙ୍କ ଡାକ କୁ ଅପେକ୍ଷା ନ କରି ବାପୁନ ଆଗକୁ ମାଡି ଯାଇଥିଲା ଆଉ ଏକ ବଡ ଲହରୀ   ମାଟି ଅତଡା ଧସାଇ ତାକୁ ଟାଣିନେଇଥିଲା ତା'କୋଳ କୁ ।ଆଠ ବର୍ଷ ର ବାପୁନ କୁ ପାଣି ସୁଅ ରେ ଭାସି ଯାଉଥିବା ଦେଖି ମଧ୍ୟ କେହି କିଛି କରିପାରୁ ନ ଥିଲେ ।ସରିତା ଏକଦମ ଅସହାୟ ହୋଇ ଚେତନା ଶକ୍ତି ହରାଇ ବସିଥିଲେ ଆଉ ଦିବାକର ବାବୁ କଣ କରିବେ କହି କେବଳ ୟା ପାଖକୁ ତା'ପାଖକୁ ଦୌଡି ନେହୁରା ହେବା ଭିତରେ ସମୟ ବିତିଯାଉଥିଲା । କିଛି କ୍ଷଣ ମଧ୍ୟରେ କେତେଜଣ ଙ୍କ ସହାୟତା ରେ ସରିତା ଙ୍କୁ ଘରକୁ ନେଇଯାଇଥିଲେ ଓ ପୁଅ ବାପୁନ କୁ ଖୋଜିବା ର ବ୍ୟବସ୍ଥା କରିଥିଲେ କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବାପୁନ ମିଳି ନ ଥିଲା ।  ଅର୍ଦ୍ଧାଧିକ ସମୟ ସରିତା ଚେତନା ହୀନ ହୋଇ ରହୁଥିଲେ । ଆଉ ଯେତିକି ସମୟ ସେ ଚେତନଶୀଳ ରହୁଥିଲେ ସେଇ ସମୟତକ କେବଳ ବାପୁନ କୁ ଝୁରି ହେଉଥିଲେ ,,"ଛାଡ ....ଛାଡ ...ମୁଁ ଯିବି ସେ ମୋତେ ଡାକୁଛି ,,ଏଇ ଦେଖ ....ଦେଖ ମୋ ବାପୁନ ...."।ଦିବାକର ବାବୁ ଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାରେ ସଫଳତା ମିଳିଲା ନାହିଁ ।ଅନେକ ଙ୍କ ପରାମର୍ଶ କ୍ରମେ ସେ ଘର ଛାଡିଦେଇ ଅନ୍ୟତ୍ର ଅବସ୍ଥାନ କରିବାର ଯୋଜନାରେ ଆଗେଇଲେ ।କିଛି ହିତୈଷୀ ,ଶୁଭ ଚିନ୍ତକ ଙ୍କ ଦାୟିତ୍ଵ ରେ ଘରବାଡି ସବୁ ଜିମା ଦେଇ ସରକାରୀ ଚାକିରୀ ରୁ ଛୁଟି ନେଇ ସରିତା ଙ୍କୁ କିଛି ତୀର୍ଥକ୍ଷେତ୍ର ଭ୍ରମଣ କରାଇ ଈଶ୍ୱର ଙ୍କ କୃପା ପ୍ରାପ୍ତି ଉଦ୍ଦେଶ୍ୟ ରେ ଯାତ୍ରା ଆରମ୍ଭ କଲେ ।

ସଞ୍ଚିତ ଅର୍ଥ ଶେଷ ହେବାକୁ ବସିଥାଏ ।ଯାତ୍ରା ପଥ ର ରହଣୀ ସମୟରେ ଯେଉଁ ସହର ରେ ଅଧିକ ଦିନ ରହିଯାଉଥାନ୍ତି କିଛି ଅସ୍ଥାୟୀ କର୍ମ କରିବାକୁ ପଡୁଥାଏ ।ଏହିପରି ଗତାନୁଗତିକ ଧାରା ରେ କଟିଯାଉଥାଏ ସମୟ ଆଉ ଗଡିଚାଲୁଥାଏ ଜୀବନ । ସେମିତି ବି ସରିତା ଙ୍କ ଜୀବନରେ ବିଶେଷ କିଛି ଉନ୍ନତି ନ ହୋଇଥିଲେ ହେଁ ଭଗବାନ ଙ୍କ ଆରାଧନା ରେ ନିଜକୁ ନିୟୋଜିତ କରି କିଛିଟା ଶାନ୍ତି ପାଉଥିଲେ ଅତଏବ ଦିବାକର ବାବୁ କାଶୀ ଧାମ ରେ ଅନେକ ଦିନ କଟାଇ ଦେବା ପରେ ସେଥର ନିଜ ରାଜ୍ୟ ଓଡିଶା କୁ ଫେରିଆସିବା ପାଇଁ ଆତ୍ମା ଛଟ ପଟ ହେଉଥିଲା ତ ଦିନ କେଇଟା ପାଇଁ ସେ ଫେରିଆସିଥିଲେ ନିଜ ଭିଟା ମାଟି କୁ ।କିନ୍ତୁ ସେ ଅଞ୍ଚଳ ର ରୂପ ସେତେବେଳକୁ ବଦଳି ସାରିଥିଲା ।ସବୁ ଘର କଚ୍ଚା ରୁ ପକ୍କା ହୋଇସାରିଥିଲା କେବଳ ତାଙ୍କରି ଘର ଟି କୁ ଛାଡିଦେଇ । ସେଇ ଗଳି ରାସ୍ତା ଟି ଅପେକ୍ଷାକୃତ କମ ଲୋକଗହଳି ଥିଲା ।ତେବେ ସେ ନିରୂପାୟ ହୋଇ ସେଇ ଝୁମ୍ପୁଡି ଘର ଟିକୁ ନିଜ ହାତ ଖର୍ଚ୍ଚରେ ବାଗେଇ ଦେଇଥିଲେ ।ଏମିତି କିଛିବର୍ଷ ବିତିଗଲା ।ପାଣିପାଗ ଜଳବାୟୁ ସବୁଦିନେ ଏକା ପରି ନୁହନ୍ତି ।ସାମାନ୍ୟ ଅର୍ଥ ରୋଜଗାର ରେ ଦୁଇଟି ଜୀବନ ଯାହା ବଞ୍ଚୁଥିଲେ ।ଦିନ କୁ ଦିନ ବୟସ ବୃଦ୍ଧି ପାଉଥିଲା ଆଉ ଦୈନତା ଓ ଅସହାୟତା ବି ତା'ର ପଞ୍ଝା ମେଲେଇ ବଢ଼ୁଥିଲା ।ସରିତା ବାପୁନ ପାଇଁ ପାଗଳ ହୋଇଯାଇଥିଲେ । ଘରୁ ବାହାର କୁ ସବୁବେଳେ ଚାଲି ଯାଉଥିଲେ ପୁଅ କୁ ଖୋଜିବା ପାଇଁ ।ଅଗତ୍ୟା ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ଆବଦ୍ଧ କରିବାକୁ ପଡିଥିଲା ଦିବାକର ଙ୍କୁ । ବାପୁନ ମାଉଥ ଅର୍ଗାନ ଭଲ ବଜାଉଥିଲା ।ସେଇ ବାଦ୍ୟ ଯନ୍ତ୍ର ଟିକୁ ବଜାଇ ସରିତା ଙ୍କୁ ବାପୁନ ଆସିଛି କହି ଯାହା କିଛି ଖାଦ୍ୟ ଖୁଆଇଦେଉଥିଲେ ଦିବାକର ।କିନ୍ତୁ ତା'ପରେ ପରେ ବାପୁନ କୁ ଦେଖିବାକୁ ନ ପାଇ ସେ ଚିତ୍କାର କରିଉଠୁଥିଲେ ।""ଛାଡ ଛାଡ.....""।   

ସେତେବେଳ ର  ଅବସ୍ଥା  ଯେ ଖୁବ୍ ଶୋଚନୀୟ ହୋଇପଡୁଥିବ ସେ କଥା ର ଅନୁମାନ ଲଗାଉଥିଲି ମୁଁ ।କାରଣ କେହି ଜ୍ଞାତି କୁଟୁମ୍ବ ଙ୍କୁ ସେ ଘରକୁ ଆସିବାର ମୁଁ ଦେଖୁ ନଥିଲି ।ବୋଧ ହୁଏ କୋୖଣସି ଆତ୍ମୀୟ ସ୍ଵଜନ ସେମାନଙ୍କ ର ଠିକଣା ଜାଣିପାରୁନଥିଲେ ।କାରଣ ସେମାନଙ୍କର କୌଣସି ସ୍ଥାୟୀ ଠିକଣା ରହୁ ନ ଥିଲା । ଦିବାକର ବାବୁ ଙ୍କର ଆର୍ଥିକ ସ୍ୱଚ୍ଛଳତା ହିଁ ବାଧା କାରକ  ହେଉଥିଲା ।ଚାକିରୀ ଖଣ୍ଡିକ ହରାଇବା ପରେ ଅସ୍ଥାୟୀ ବୃତ୍ତି ରେ ନିୟୋଜିତ ହେବା ଦ୍ୱାରା ସରିତା ଙ୍କର ଉପଯୁକ୍ତ ଚିକିତ୍ସା କରିପାରୁ ନ ଥିଲେ ।ତେଣୁ ପ୍ରିୟ ପରିଜନ ତ୍ୟକ୍ତ ଅବସ୍ଥାରେ ସରିତା ଙ୍କ ସୁଧାର ଅବସ୍ଥା କୁ ଆସିବା ଏକଦମ କଷ୍ଟକର ଥିଲା ବୋଲି ମୁଁ ବୁଝିପାରୁଥିଲି । ଶୀତ ସକାଳ ଟା ରେ ବି ବିଶ୍ୱଜିତ କୋପଳ ଦେଶରେ ଅସଂଖ୍ୟ ଘର୍ମ ବିନ୍ଦୁ ....। ବେଡ ରୁମ ର ଝରକା ପାଖରେ ଥିବା ଥୁଣ୍ଟା ଆମ୍ବ ଗଛ ଟା ଉପରୁ ଭାସି ଆସୁଥିବା ଡାମରା କାଉ ର କର୍କଶ ରାଵ ଖୁବ୍ ଅସହ୍ୟ ବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନ ଗୁଡ଼ିକ ର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ । ହଠାତ ଟେଲିଫୋନ ର କ୍ରିଙ୍ଗ.... କ୍ରିଙ୍ଗ ....ଆବାଜ ରେ ନିଜକୁ ପ୍ରକୃସ୍ଥିତ କରି ନେଲେ ବିଶ୍ୱଜିତ  ...।

ବିଶ୍ୱଜିତଙ୍କ ର ଆସିବା ବାଟ କୁ ମୁଁ ଚାହିଁ ରହିଥିଲି ଆକୁଳିତ ହୃଦୟ ରେ ।କେମିତି କୋଉ ସମୟରେ ପରସ୍ପର ବନ୍ଧୁତା ସୂତ୍ର ରେ ଆବଦ୍ଧ ହୋଇଯାଇଥିଲୁ ।କିନ୍ତୁ ପରବର୍ତ୍ତୀ ଜୀବନ ରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଯୋଗାଯୋଗ ସବୁବେଳେ ରହିଆସିଛି ।ଅନେକ ଅସହାୟ ମୁହୂର୍ତ୍ତରେ ଦୁହେଁ ଦୁହିଁଙ୍କ ସାହାଯ୍ୟ ଲୋଡିଛୁ ,ପୂର୍ବରୁ ।ତେଣୁ ମୋ ହାତ ସ୍ୱୟଂ ଚାଲିଯାଇଥିଲା ବିଶ୍ୱଜିତଙ୍କ ର ନମ୍ବର ଟିକୁ ରିଙ୍ଗ କରିବା ପାଇଁ । ନିଥର ,ଜଡ ,ସ୍ପନ୍ଦନହୀନ ପ୍ରାଣ ଟିକୁ ଦେଖି କିଏ ନୀରବ ରେ ବାଟ କାଟି ଚାଲିଯାଉଥିବା ବେଳେ କିଏ ପାଟିରେ ଆହା ,ଚୁ ଚୁ ଭଳି ଶବ୍ଦ ଟିଏ କରୁଥିଲେ ତ ପୁଣି କେଉଁ ମାମଲତକାର କରିବାକୁ ପଛାଉ ନ ଥିଲେ ।କିନ୍ତୁ ଏଭଳି ଦୟନୀୟ ଅବସ୍ଥା ରୁ ସେମାନଙ୍କୁ କେମିତି ଉଦ୍ଧାର କରାଯାଇ ପାରିବ ସେ କଥା କେହି କହୁ ନ ଥିଲେ ।ମୁଁ ମଧ୍ୟ ଖୁବ୍ ନିରୂପାୟ ହୋଇପଡୁଥିଲି ।ତେବେ ଆମ୍ବୁଲାନ୍ସ କୁ ଖବର କରିଦେଇଥିଲି ।ତା'ପରେ ବିଶ୍ୱଜିତ କୁ ।ପଚାଶ କିଲୋମିଟର ଦୂରତ୍ୱ କୁ ଅତିକ୍ରମ କରିବା ପାଇଁ ନିହାତି ଅପେକ୍ଷା କରିବାକୁ ପଡିବ ।
    
ଆଜି ଅଫିସ ବନ୍ଦ ହେବ ।ଫୋନ ଦ୍ୱାରା ଜଣାଇଦେଲି ,ଏମରଜେନ୍ସି ମେଡ଼ିକାଲ କେସ ।ତା'ପରେ ପୁଣି ସେଇ ଅପେକ୍ଷା ।ଆମ୍ବୁଲାନ୍ସ ଟା ବି ପହଂଚୁନାହିଁ ।ଓଃ  ..କି ଦୁର୍ଦ୍ଦଶା ଏଠି  ..ମଣିଷ ଟିଏ ପଡିଛି ରାସ୍ତା ଉପରେ ।କାହାରି ଦୟା ମାୟା ନାହିଁ ।ବୃଦ୍ଧ ଦିବାକର ସ୍ଥାଣୁ ପାଲଟିଯାଇଛନ୍ତି । କିଂକର୍ତ୍ତବ୍ୟମୁଢ ...ହଁ ଏଇ ବୟସରେ ସେ ବା ଆଉ କଣ କରିପାରିବେ ?? ମନ ଟା ଘାଣ୍ଟି ଚକୁଟି ହେଉଥିଲା ବେଳେ ଠିକ୍ ଆଗ ପଛ ହୋଇ ବିଶ୍ୱଜିତ ଓ ଆମ୍ବୁଲାନ୍ସ ଆସି ପହଁଚିଲେ ।ତେବେ ବିଡମ୍ବନା ଏଇଟା ଯେ ମୁଁ ଯେଉଁ ଆମ୍ବୁଲାନ୍ସ ଟିକୁ ଖବର କରିଥିଲି ୟେ ତାହା ନ ଥିଲା ।ପରନ୍ତୁ ବିଶ୍ୱଜିତଙ୍କ ର ନିମନ୍ତ୍ରଣ ରେ ବେସରକାରୀ ଗାଡି ଟିଏ ଆସିଥଲା ।ତେବେ ବିଶ୍ୱଜିତ ଏ ସବୁଥିରେ ମୁକ୍ତ ହସ୍ତ ବୋଲି ମୁଁ ଜାଣେ । ସଙ୍ଗେ ସଙ୍ଗେ ଗାଡି ଭିତରକୁ ଟେକି ନେଇଗଲେ ସରିତା ଙ୍କୁ ଓ ତାଙ୍କ ସହ ଦିବାକର ମଧ୍ୟ ।ବାକି ଅନ୍ୟ ମାନଙ୍କ ମଧ୍ୟ ରେ ମୁଁ ଓ ବିଶ୍ୱଜିତ ।ବିଶ୍ୱଜିତଙ୍କ ର ଖାତିର ସବୁଠି ଦେଖି ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥାଏ ।ରାତି,ହଁ... ବୋଧହୁଏ ମଧ୍ୟ ରାତ୍ରୀ ପାଖା ପାଖି ହବ ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସରିତା ଙ୍କର ଚେତନା ଫେରିବା ପରି ଲାଗିଲା ।ପ୍ରଭାତ ବେଳକୁ ଯୋଉଟା ମୃତ୍ୟୁ ର ରୂପ ଧାରଣ କରିଥିଲା ରାତ୍ରୀ ରେ ତାହା ପୁଣି ଜୀବନ ଆଡକୁ ବଦଳି ଯିବାର ଦେଖି ମୁଁ ଓ ବିଶ୍ୱଜିତ ଦିବାକର ବାବୁ ଙ୍କୁ ବଧେଇ ଜଣେଇଲୁ ।ତାଙ୍କ କୋରଡ ଗତ ଚକ୍ଷୁ ରୁ ଟୋପା ଟୋପା ହୋଇ ଦୁଇବୁନ୍ଦା ଲୁହ ଝରି ଆସିଲା ।ଚେତନା ଆସିବାର ଠିକ୍ ପରେ ପରେ ସରିତା ଙ୍କର କୋହ ଭରା କଣ୍ଠ ରୁ ସେଇ ଗୋଟିଏ କଥା ଅସ୍ପଷ୍ଟ ଭାବରେ ବାହାରିବା ପରେ ଡାକ୍ତର କହିଲେ -- ,,"ମିଷ୍ଟର ବିଶ୍ୱଜିତ, ବାପୁନ କିଏ ?ତାଙ୍କୁ ନେଇ ଆଣନ୍ତୁ ,,ସେ ଆସିଗଲେ  ରୋଗ ଟି ଅଧାଅଧି କମିଯିବାର ଚାନ୍ସ ରହୁଛି ।" ପ୍ରଶ୍ନିଳ ଆଖିରେ ବିଶ୍ୱଜିତ ଚାହିଁବାରୁ ମୁଁ ସବୁ କଥା ବୁଝାଇ ଦେଲି ।ବିଶ୍ୱଜିତ ମୋ ହାତ ଦୁଇଟାକୁ ଏତେ ଶକ୍ତ କରି ମୁଠାଇ ଧରିଲେ ଯେ ମୋତେ କଷ୍ଟ ହେଲା ।ବିଶ୍ୱଜିତ ମୋତେ କହିବାକୁ ଆରମ୍ଭ କଲେ ।
 ----ଅରୁଣ ,ତୁମେ ବୁଝିପାରିବନି ,ମୁଁ କେତେ କଷ୍ଟ ରେ ଅଛି । ହୁଏତ ମୋ ଜୀବନର କେତୋଟି ଅଧ୍ୟାୟ ତୁମକୁ ମୁଁ ଜଣାଇନାହିଁ କାରଣ ସେମିତି ଆବଶ୍ୟକତା ନଥିଲା । କିନ୍ତୁ  ତୁମ ଠାରୁ ଏତେ କଥା ଶୁଣି ମୁଁ ଭାବୁଛି ଏ କଥା ସହିତ ମୋ ସ୍ବପ୍ନ ର କିଛି ସାମଞ୍ଜସ୍ୟ ରହୁଛି ।ଯାହା ମୋତେ ଦୀର୍ଘ ଦିନ ଧରି କେବଳ ଅସ୍ଥିରତା ଦେଇଛି ।ମୁଁ ଠିକ୍ ସେ ଶୋଇ ନ ପାରିବାର କାରଣ ।
---କଣ ସେ ସ୍ବପ୍ନ ବିଶ୍ୱଜିତ ...କୁହ ଖୋଲି କି କୁହ । ମୋର ଜିଜ୍ଞାସା ବୃଦ୍ଧି ପାଉଥାଏ ।
-----ହଁ ....ହଁ ....କହୁଛି ଭାଇ କହୁଛି ........
ଟିକେ ଦୂର ଅତୀତ କୁ ଫେରିଗଲେ ସେ ।ଯୋଉଠି ଗୋଟେ କିଶୋର ବଢନ୍ତା ନଈ ର ସୁଅ ଧାରେ ଧାରେ ଚାଲିଯାଉଛି , ଆଉ ପଛ ରେ ଜଣେ ସ୍ତ୍ରୀ ଲୋକ ହାତ ବଢ଼ାଇ ତାକୁ ଅଟକାଇବା କୁ ଚେଷ୍ଟା କରୁଛି । ବିଶ୍ୱଜିତ ଙ୍କର କିଶୋର ଅବସ୍ଥା ରୁ ଏକ ଅନାଥାଶ୍ରମ ରେ କଟିଥିଲା । କିନ୍ତୁ ବୟସ ବଢ଼ିବା ସହିତ ଏକ ଅଜଣା ଦୁଃଖ  ସବୁବେଳେ ଘେରି ରଖୁଥାଏ ।ଆଉ ତା ଭିତରେ  ଏଇ ସ୍ବପ୍ନ ଧୀରେ ଧୀରେ କାୟା ବିସ୍ତାର କରି ପଶି ଆସୁଥାଏ  ତାଙ୍କ ଜୀବନ ଭିତରକୁ । ଯେତେ ବଡ ହେଉଥାନ୍ତି ସେତେ ଦାଇତ୍ୱ ମଧ୍ୟ ବଢୁ ଥାଏ ।ନିଜ ପ୍ରଚେଷ୍ଟାରେ ସେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଯାହା କିଛି ଶିକ୍ଷା ଅର୍ଜ୍ଜନ କରି ନିଜ ବୁଦ୍ଧି ଜ୍ଞାନ କୁ ଉପଯୋଗ କରି ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା କରିପାରିଛନ୍ତି ।ନିଜେ ପ୍ରତିଷ୍ଠିତ ହେବା ସହିତ ଆଉ କେତେ ଜଣଙ୍କୁ ମଧ୍ୟ ଜୀବିକା ନିର୍ବାହ କରିବାକୁ ସାହାଯ୍ୟ କରିପାରୁଛନ୍ତି  ଏକ ବିରାଟ ଠେକେଦାର ରୂପ ରେ । କିନ୍ତୁ ସବୁ କିଛି ପ୍ରାପ୍ତି ,ଅପ୍ରାପ୍ତି ଭିତରେ ସେଇ ସ୍ବପ୍ନ ଟିଏ ପ୍ରଶ୍ନବାଚୀ ହୋଇ ଠିଆହୋଇଯାଏ ।ଅନେକ ଚିନ୍ତା ,ଅନୁସନ୍ଧାନ ଚାଲେ ମସ୍ତିଷ୍କ ରେ ,କିନ୍ତୁ କିଛି ସମାଧାନ ନ ପାଇ ହତାଶ ହୋଇଯାଏ ମନ । ସେତେବେଳେ ସାହାରା ହୁଏ ମାଉଥ ଅର୍ଗାନ । ମନେ ପଡିଗଲା ମାଉଥ ଅର୍ଗାନ ।ପକେଟ ଭିତରୁ ବାହାର କଲେ ସେ ।ପାଟିରେ ଲଗେଇଲେ ।ବାହାରିଲା ସୁର ।ସେ ସୁର ର ମୂର୍ଚ୍ଛନା ରେ ହଜିଗଲି ମୁଁ ,ବିଶ୍ୱଜିତ ,ଦିବାକର ବାବୁ ଆଉ ସରିତା ଙ୍କ ଅର୍ଦ୍ଧ ଚେତନ ଶରୀର ।ଦିବାକର ବାବୁ ଚଳତ ଶକ୍ତି ପାଇବା ପରି ଆଗେଇ ଆସିଲେ ଧୀରେ ଧୀରେ ।ବିଶ୍ୱଜିତ ଙ୍କ ହାତ କୁ ସବୁ ଶକ୍ତି ଲଗେଇ ଧରି ନେଇ କହିଲେ 
---ବାବୁ, ମୋ ପୁଅ ବି ୟାକୁ ବଜାଏ ।ଅବିକଳ ତୁମ ପରି । ମୁଁ ଗୋଟେ କଥା କହିବି ଟିକେ ମାନିବ ...।ତା ପିଠିରେ ବାଁ ପଟକୁ ଏକ ବିରାଟ କଳା ଜାଈ ଟିଏ ଜନ୍ମ ରୁ ରହିଥିଲା ।ପିଲା ଦିନେ ଡାକ୍ତର ଙ୍କୁ ଦେଖାଇବାରୁ ସେ ସେଇଟା ଜନ୍ମ ଦାଗ ଏବଂ ବୟସ ସଙ୍ଗେ ସଙ୍ଗେ ବଢିବ ବୋଲି କହିଥିଲେ ।
     
ତାଙ୍କ କଥା ନ ସରୁଣୁ ବିଶ୍ୱଜିତ ସାର୍ଟ କାଢି ପକେଇ ପିଠି ଦେଖେଇବା ମାତ୍ରକେ ମୁ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି ।କାରଣ ବିଶ୍ୱଜିତ ର ପିଠି ବାଁ କଡ ରେ ଏକ ବିରାଟ କଳା ଜାଈ ଟିଏ ଥିଲା ।ଦିବାକର ବାବୁ ଙ୍କର ଅବସ୍ଥା ଏବେ ଖୁବ୍ ଶୋଚନୀୟ ହେବାକୁ ଲାଗିଥାଏ ।ସେ କେବଳ ବିକଳ ହୋଇ କାନ୍ଦିବା ପାଇଁ ଚେଷ୍ଟା କରୁଥାନ୍ତି କିନ୍ତୁ କାନ୍ଦି ପାରୁ ନ ଥାନ୍ତି । ଡାକ୍ତରଖାନାର ବେଡ ଉପରେ ଶୋଇଥିବା ସରିତା ଙ୍କ ମୁହଁ କୁ ନିଜ ହାତରେ ଆଉଁସି ଦେଉଥାଆନ୍ତି ।
-----ସରିତା ,ଦେଖ ବାପୁନ ଆସିଛି ।ଏତେ ଦିନ କେ ଭଗବାନ ତୁମ ଡାକ ଶୁଣିଛନ୍ତି ।ତୁମ ବାପୁନ ସରିତା .....ତୁମ ବାପୁନ ....।

ଧୀରେ ଧୀରେ ଆଖି ପତା ଖୋଲୁଥିଲେ ସରିତା ।ବିଶ୍ୱଜିତ  ପାଖେଇ ଯାଇ ସରିତା ଙ୍କ ହାତ କୁ ଜାବୋଡି ଧରିଲେ ।ସେ ହାତରେ କେବଳ ଅସ୍ଥି ଦୁଇଟି ଚମଡା ରେ ଢାଙ୍କି ହୋଇଥିଲା । ସେଇ ସ୍ପର୍ଶ ରେ ସରିତା ଙ୍କ ଆତ୍ମା ମୋହଗ୍ରସ୍ତ କିନ୍ନରୀ ରୁ ସ୍ବ ପ୍ରକାଶ ରେ ଆବିର୍ଭୁତ ହେଲେ ।
----ବା--ପୁ---ନ ତୁ ଆସିଛୁ ବାପା ।ଏତେ ଦିନ ମୋତେ ଛାଡି କୁଆଡେ ଗଲୁ ଯେ ଗଲୁ ସେଇ ବାଟ ...ବାବା । ମୁଁ ମନା କରୁଛି ସେ ବଢି ପାଣି ....।
ପୁନଃ ସରିତା ଙ୍କ ବାକ୍ୟ ରୋଧ ହେଲା । ଦିବାକର ତାଙ୍କୁ ବୋଧ କରୁଥାନ୍ତି ।ସରିତା ଔଷଧ ର ପ୍ରଭାବ ରୁ ପୁନଶ୍ଚ ଶୋଇଗଲେ । ବିଶ୍ଵଜିତ ଙ୍କ ଆଖିରେ ପାଣି ନ ଥିଲା ।ଝରୁଥିଲା ଶୀତ ରାତି ର ଗୁଡାଏ ତୁଷାର କଣିକା ।ଦୀର୍ଘ ଦିନ ର ପ୍ରତୀକ୍ଷା ପରେ ତାଙ୍କ ଅସମାହିତ ପ୍ରଶ୍ନ ର ଉତ୍ତର ମିଳିବା ସହିତ ଅନେକ କିଛି ପ୍ରାପ୍ତି ରେ ହୃଦୟ ଟା ଭରିଯାଉଥିଲା ।ସେ ମୋ କାନ୍ଧ ର ସାହାରା ନେଇ କିଛିଟା ହାଲକା ହେଉଥିଲେ ।ଆଉ ମୁଁ ଭଗବାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଥିଲି । ....

ସିପ୍ରା ନାମତା ନମ୍ରତା 
ବାରିପଦା, ମୟୂରଭଞ୍ଜ

Post a Comment

0 Comments