Information

ମୋ ଗାଆଁ - ରାହାସ କୁମାର ବେହେରା


ଏଇ ମୋହରି ଗାଆଁ
ତା' କୋଳେ ଦିନେ ଜନମିଥିଲି
ଶେଷରେ ଦିନେ ବିଦାୟନେବି
ଜଳିବ ଯେବେ ତା' ମଶାଣିରେ ମୋ' ଜୁଇ ନିଆଁ ।

ମଥାରେ ଶୋଭା ଶିରି
ସପ୍ତଶଯ୍ୟା, ଢ଼ାଉଆ, ଜେନାଙ୍କ ଓ ସେଣ୍ଢଗଡା ଆଦି
ଯେତେ ଅଛିନ୍ତି ଘଞ୍ଚ ଜଙ୍ଗଲ ,ଉଚ୍ଚ ପାହାଡ଼/ଗିରି ।

ପାଦ ଧୂଅଇ ସାପୁଆ ନଈ
ନୁପୁର ତାର ଗାଉଛି ଗୀତ
କୁଳୁକୁଳୁ ହୋଇ ଯେବେଠୁ ଯାଉଛି ବୋହି
ଫୁଲେଇ/ଲାଜେଇ ଝିଅଟେ ହୋଇ।

ସବୁଜିମାର ଏ' ମତୁଆଲାର ନିଶା
ବନ କାନନ ପାଗଳ କରେ
ବାଟର ବାଟୋଇ ଅଟକିଯାଏ
ଶୁଣିଲେ ପଦେ ହଳୁଆ ଗୀତ
ଯେବେ ହଳ ନେଇ ବିଲକୁ ଯାଏ
ମୋ' ଗାଆଁର ଚଷା ।

ଚାଷ ବାସରେ ଘର
ବାରମାସରେ ତେର ପରବ
ରାମନବମୀ , ଦୋଳ/ରଥ ଯାତରା ,
ବୈଶାଖରେ ମା'ଙ୍କ ଝାମୁ
ଝିଅ ଜୁଆଇଁ ଆଉ,ନାତି ନାତୁଣୀ ଗହଳି କଲେ
ମୋ ଗାଆଁ ଲାଗେ ସେତେବେଳେ ପୁରା ନିଆରା ।

ବେଶୀ ଲାଗଇ ଖୁସି
ପାଇକ ପୁଅ ଦଶହରାରେ
ଏକାଠି ହୋଇ କୁହାଟ ଦେଲେ
ମା' ମାଟିମୋ ଧନ୍ୟହୁଅଇ
ଭଲମନ୍ଦରେ ସେନେହେ ବନ୍ଧା
ବିପଦବେଳେ ଏକାଠି ହୋଇ
କାନ୍ଧକୁ କାନ୍ଧ ଦିଅନ୍ତି ଯେବେ କଷି  ।

ଗାଆଁର ଦେବାଦେବୀ
ବାଉତୀ ,ମଙ୍ଗଳା,ବାଟ ପନ୍ଥେଇ/ବଗଳା ମୁଖୀ ,
ବାୟାଣୀ ମା' ସହାୟ ନିତି ,
ସୁଖ ଶାନ୍ତିରେ ହସୁଥାଉ ମୋ' ଗାଆଁ
ଲାଗିରହୁ ଏମିତି ନୀତି ଆଦର୍ଶର ସ୍ଥିତି
ଆମ ଭାଇଚାରାର ଅନନ୍ୟ ଭାବପୀରତି   ।

ମନେ ପଡଇ ମୋ ପିଲାବେଳ
ଗାଆଁ ଦାଣ୍ଡରେ ଧୂଳି ଖେଳରେ
କଟିଯାଇଛି କେତେ ସମୟ,
ବୋହୁ ଚୋରି, କୁଆବାଡ଼ି /ବିଷ ଅମୃତ
କବାଡ଼ି ଖେଳ ସାଙ୍ଗ ସାଥିରେ
କେତେଯେ ମଜା ମଜଲିସର ଆମ ସେ
ଅନେକ ଅଭୁଲା ଅତୀତର ସୁନ୍ଦର ଦିନ ।

ଜନମଦାୟୀ ମା' ଟି ମୋର
ତା' ପାଣି ପବନେ ଗଢା ଏ ଦେହ
ତା' ଫଳ ଫୁଲେ ବଢିଛି ମୁହିଁ
ରଖିବି ତାର ଟେକ ,
ବୀର ସୁଯୋଗ୍ୟ ସନ୍ତାନ ଆମେ
ମିଳିମିଶି ତା' ସେବା କରିବା
ନାହିଁ କପଟ ପର ଆପଣା
ତା' ଧୂଳି ମାଟି ଦେହରେ ବୋଳି
ନୁଆଇଁଦେବା ସେବାରେ ଆସ ଆମ ମସ୍ତକ ।

ରାହାସ କୁମାର ବେହେରା 
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ -୭୫୯୦୧୫

Post a Comment

0 Comments