Information

ଶିଶୁଗଳ୍ପ - ଲୋଭୀ ବିଲୁଆ - ରମେଶ ଚନ୍ଦ୍ର ମିଶ୍ର


ଗୋଟିଏ ଗାଁ' ପାଖ ଜଙ୍ଗଲରେ ବିଲୁଆଟିଏ ଥାଏ । ସେ ବହୁତ ବୁଦ୍ଧିଆ । ନିଜର ସ୍ବାର୍ଥ ପାଇଁ ସେ ସରଳ ପଶୁପକ୍ଷୀମାନଙ୍କୁ ବହୁତ ହଇରାଣ କରେ । ପଶୁ ପକ୍ଷୀମାନେ ତା'ଠାରୁ ଦୂରେଇ ରହି ଚଳନ୍ତି । ସେ ବହୁତ ଲୋଭୀ । ତା' ନିଜର ଖାଦ୍ୟ ବଳକା ହୋଇପଡିଲେ ଅନେକ ଦିନ ପର୍ଯ୍ୟନ୍ତ ରଖିରଖି ଖାଏ । ନଷ୍ଟ ହୋଇଗଲେ ସେ ଫୋପାଡିଦିଏ ପଛକେ କାହାକୁ ଦିଏନା ।

ଥରେ ଜଙ୍ଗଲରେ ବୁଲୁବୁଲୁ ଜଙ୍ଗଲ ମଝିରେ ଗୋଟିଏ ବଡ ବାର୍ହା ଓ ଜଣେ ଶିକାରୀ ମରି ପଡିଥିବାର ସେ ଦେଖିଲା । ସେ ଆନନ୍ଦରେ ନାଚି ପକାଇଲା । ଏତେ ଗୁଡାଏ ଖାଦ୍ୟ ! ମାସେ ଚଳିଯିବ । ଯାହାହଉ, ଏବେ ଆଉ ମାସେପାଇଁ ଖାଦ୍ୟଚିନ୍ତା ନାହିଁ । ମନକୁ ମନ କହିଲା । କୋଉଟାକୁ ସେ ଆଗ ଖାଇବ, ଏଇ ଚିନ୍ତାରେ ପଡିଗଲା । ଶିକାରୀ ପାଖରେ ଗୋଟିଏ ଧନୁ ଥିଲା । ସେଇ ଧନୁରେ ଚମଡାର ଗୁଣ । ବିଲୁଆ ଭାବିଲା, ଆଜି ତ ଅନ୍ୟଆଡୁ କିଛି ଖାଇଦେଇଛି, ଏବେ ଆଉ ବେଶୀ ଭୋକ ନାହିଁ, ଆଜିକ ଏଇଥିରେ ଚଳିଯିବି ।

ଏଇଆ ଭାବି ସେ ଧନୁର ଗୁଣକୁ ତା'ର ମୂନିଆଁ ଦାନ୍ତରେ କାମୁଡି ଛିଡାଇବାକୁ ଚେଷ୍ଟାକଲା । ହଠାତ୍ ଧନୁର ଗୁଣ ଛିଡିଗଲା । ଧନୁର କାଣ୍ଡ ତା'ର ଛାତିରେ ବାଜିଲା । ବିଲୁଆ ସେଇଠି ଟଳିପଡିଲା ଓ ଚାହୁଁଚାହୁଁ ତା'ର ପ୍ରାଣବାୟୁ ଉଡିଗଲା । ବେଶୀ ଲୋଭ କଲେ ଫଳ ଏମିତି ବିଷମୟ ହୋଇଥାଏ ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ
ବଇଣ୍ଡା, ଅନୁଗୋଳ

Post a Comment

0 Comments