Information

କାର୍ତ୍ତିକ ମାହାତ୍ମ୍ୟ ଉତ୍କଳ ବିଭବ - ସଦାନନ୍ଦ ସାହୁ


କଳିଙ୍ଗ ଉତ୍କଳେ ସମୃଦ୍ଧି ଯେ ହସେ
ପୂରୁବ ସ୍ମୃତିକୁ  ଭାବି , 
ନିଆରା ମହକ ମାଟିର ସଅକ
ସଂସ୍କୃତି ବିଭବ ଛବି  ! !

ଏମହା କାର୍ତ୍ତିକ  ଧରମ ବିଶେଷ
ଓଡ଼ିଆ ହବିଷ ମାସ  ,
ଧରମ କରମ ସବୁତ ନିହିତ
 ମନ ପ୍ରାଣେ ଭକ୍ତି ରସ  ! !

ଇତିହାସ କହେ ଜମା ମିଛ ନୁହେଁ
ସାଧବ ରୋଚକ ଗାଥା ,
ଧନ ଧାନ୍ଯେ ପୁର୍ଣ୍ଣ ଥିଲା ଏଉତ୍କଳ
ସ୍ଵର୍ଣ୍ଣ ଆଭୁଷଣେ  ମଥା ! !

ବାଣିଜ୍ୟେ ବଣିକ ସାଧବର ସୁତ
ବୋଇତର ଅଧିପତି ,
ପଣ୍ୟ ଦ୍ରବ୍ୟ ନେଇ ବିଦେଶ ଯାଆନ୍ତି
ଦରିଆରେ ବିତେ ରାତି ! !

ସାତ ସାଧବକୁ ସାତ କୁଳ ବଧୂ
ବିତ୍ତୀୟ ଏ ପରମ୍ପରା ,
ଅର୍ଘ୍ୟ ଥାଳି ଧରି ବନ୍ଦାପନାକରି
ଦିଅନ୍ତି ମେଲାଣି ପରା ! !

ଶଙ୍ଖ ହୁଳହୁଳି ପଡଇ ଉଚ୍ଛୁଳି
ବୈଭବ ଦରିଆ କୁଳ ,
ସାଧବ କୁଳର ସାତ ସାଧବାଣି
ସମର୍ପନ୍ତି ପ୍ରୀତି ଜଳ  ! !

ଶୁଭ ଅବକାଶ ବାଣିଜ୍ୟ ବିଭବ
କାର୍ତ୍ତିକ ମାହାତ୍ମ୍ୟ ସତ୍ୟ ,
ପାଳୁଛି ଓଡ଼ିଆ ପରବ ବଢିଆ
ଭକତିରେ ଥାଇ  ନିତ୍ୟ ! !

ଉତ୍କଳର ସୁତ ବାଣିଜ୍ୟ ଜନକ
ବିଦେଶେ ଅର୍ଜିଛି କିର୍ତ୍ତୀ ,
ଜାଭାକି ସୁମିତ୍ରା ସିଂଘଳ ଶ୍ରୀଲଙ୍କା
 ସବୁଠାରେ ତା'ର ଖ୍ଯାତି ! !

ଆକାମା ବୈଇ  ପାନଗୁଆ ଥୋଇ
 ସମର୍ପଣେ ପାନଗୁଆ ,
ମାସକର ଧର୍ମ ହୋଇଯାଉ ମୋର
 ଦୁନିଆଁଟା ଲାଗୁ ନୂଆ ! !

କଦଳୀ ପାଟୁଙ୍ଗା ଶୋଲ ଗଢା ଡଙ୍ଗା
 ଭାସିଯା  ବିଭବ ସ୍ମୃତି ,
ମହମ ପ୍ରଦୀପ ଅବା ଘୃତଦୀପ
  ଆଲୋକ ବର୍ତିକା ପ୍ରୀତି    ! !

ସଦାନନ୍ଦ ସାହୁ, କାରାକର୍ମଚାରୀ , 
କେନ୍ଦ୍ରୀୟ କାରାଗାର, କଟକ 

Post a Comment

0 Comments