Information

କାନ୍ଦୁଛି ଉତ୍କଳମାତା - ନାରାୟଣ ଚନ୍ଦ୍ର ସେନାପତି


ଧକେଇ କାନ୍ଦୁଛି ମୋ ଉତ୍କଳମାତା
ଦେଖି ଏବେର ଶଙ୍କର ଓଡିଆଙ୍କ କୀର୍ତ୍ତି
କହୁଛି.......
ଶତ ଧିକ୍ ରେ ଓଡିଆ
କି ଜାତିଦ୍ରୋହୀଟା.. ତୁ..
ମା'ର ଆଖିର ଲୁହ ଦେଖି ଥରୁନି ତୋ ଛାତି
କ୍ରୀତଦାସ ପାଲଟିଛୁ  ବିଦେଶୀ ହାତରେ ।
ଥିଲା ମୋ ପୁଅ ବାଜିଆ
ବନ୍ଧୁକ ଆଗରେ ପତାଇଲା ଛାତି
ଆଉ ସୁରେନ୍ଦ୍ର, ବକ୍ସି, ଲକ୍ଷ୍ମଣ
ଜଳି ଜଳି ଜଳିଗଲେ ସିନା
ଜାଳିଦେଲେ ଜାତିପାଇଁ  ଆଲୋକ ଅମ୍ଳାନ ।
ମନେ ପକାରେ କୁଳାଙ୍ଗାର
ଗଜପତି ଓ ମଧୁବାବୁର ତ୍ୟାଗ
ବିତାଡିତ କଲେ ବୋକା ବଣିକଙ୍କୁ
ଭାଷା ଜାତି ପ୍ରୀତିରେ ଗଢିଲା ସ୍ୱତନ୍ତ୍ର ଓଡିଶା
ବିଜୟର ଟୀକା ପିନ୍ଧାଇଲେ
ହସ ଫୁଟାଇଲେ ମୋ ଓଠରେ ।
ତୋର କ'ଣ ମନେପଡୁନାହିଁ
ତରବାରୀର ଜୟ ଜୟ ନୁହେଁ
ଜନନୀ ଜନମ ମାଟି ଏଇ ମୋର ଗାଁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ।
ତୁ କାହିଁକି ଭାବୁବୁ ଯେ
ତୋ ପାଖେ କ'ଣ ସାଧବ ପୁଅର ରକ୍ତ ଅଛି !
ତୁ ପରା ଭୀରୁ କାପୁରୁଷ
ଓଡିଆ ଜାତିର କଳଙ୍କ
ଦେଖ୍ ଥରେ ବାରବାଟୀ କୋଣାର୍କକୁ
ତୋତେ ପରା ଭଲ ଲାଗୁନି ଓଡିଶୀ
ନାଚୁଛୁ ପପ୍ ବିଦେଶୀ
ରୁଚୁନି ପଖାଳ ଶାଗଭଜା ମାରୁଛୁ ମାଂସ ମଦ ମଜା ।
ତୁ ତ ଏବେ ସଂସ୍କାର ବିକିଛୁ ରାଜନୀତିରେ
ଜଗନ୍ନାଥଙ୍କୁ କଲୁଣି ଅନାଥ
କି ପ୍ରହସନ ତୋ ଉତ୍କଳ ଦିବସ ନାରା
ଜାଗିଉଠୁରେ ହତଭାଗା
ବାନ୍ଧିଦେ ସ୍ନେହ ମମତା ଓ ଏକତା ଡୋରି
ଫେରା ତୋ ହତ ଗୌରବ
ପୋଛି ଦେ ମା ଆଖିରୁ ଲୁହ
ପ୍ରେମରେ ଗା ବନ୍ଦେ ଉତ୍କଳ ଜନନୀ
ତୁ ପରା ସଚ୍ଚା ଖାଣ୍ଟି ଓଡିଆ।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments