Information

କଳି ପାରିବ କି - ନାରାୟଣ ଚନ୍ଦ୍ର ସେନାପତି


ଚିକ୍ ମିକ୍ ରାଜରାସ୍ତା ଉପରେ
ଚକଚକିଆ ଅଡି କାର୍ ରେ ବସି
ମନପବନରେ ଉଡୁଥିବା ଧନୀକଟା
କେବେ କଳିପାରିବ କି
ଖାଲିପାଦରେ ତତଲା ପିଚୁ ଉପରେ ଚାଲୁଥିବା
ଦରିଦ୍ରର ଫୋଟକାର ଆୟତନ ?
ନଭଶ୍ଚୁମ୍ବୀ ଆକାଶ ଦୀପରେ
ଏୟାରକଣ୍ଡିସନ୍ ରୁମ୍ ରେ ଶୋଇ
ଦିବାସ୍ୱପ୍ନ ଦେଖୁଥିବା ଯନ୍ତ୍ରମାନବଟା
କେବେ ମାପିପାରିବ କି
ପତ୍ର କୁଡିଆ ବା ଝୁମ୍ପୁଡିରେ
ଦିବା ରାତ୍ର ଜହ୍ନ ଦେଖୁଥବା ମାଟିର ମଣିଷର
ଖରା ଶୀତର ସାନ୍ଧ୍ରତା  ?
ଚିକେନ୍ ମଟନ୍ ବିରିୟାନୀରେ ଭାସି ଆତ୍ମତୃପ୍ତି ଲଭୁଥିବା ଜୀଅନ୍ତା ଅସୁରଟା
କେବେ ଅନୁଭବ କରିପାରିବ କି
ପଟେ ରୁଟି ମୁଠେ ପଖାଳ ପାଇଁ
ବାରଦ୍ୱାର ବୁଲୁଥିବା ବୁଭୁକ୍ଷୁର
ପେଟର କମ୍ପନ ?
କନ୍ ଭେଣ୍ଟ୍ କିମ୍ବା ବଡ ବୋର୍ଡିଂ ସ୍କୁଲ୍ ରେ ନାମ ଲେଖାଇ
ଟାଏ ବୁଟ୍ ଆଉ ସୁଆଦିଆ ଟିଫିନ୍ ଦେଇ
ସମ୍ଭ୍ରାନ୍ତଘରର ପିତାମାତାମାନେ
କେବେ ମାପି ପାରିବେକି
ପେଟପାଇଁ ଜଙ୍ଗଲରେ ଗାଈ ଗୋରୁ ଚରାଉଥିବା ଶିଶୁଟା
ସମବୟସ୍କ ସାଥିକୁ ଦେଖି
ତା ମନରେ ଉଙ୍କିମାରୁଥିବା ହତାଶା ଓ ଆବେଗ  ?
ବଡ ବଡ ଉଚ୍ଚ ପଦବୀରେ ରହି
ରାଜଧାନୀର କାଚଘରେ ବସି
ଅସୁମାରୀ କଳ୍ପନା ରଚୁଥିବା ଅଧିକାରୀଗଣ
କେବେ ଅନୁଭବ କରିପାରିବେକି
ନିଜ ପରିବାର..ଶିଶୁମାନଙ୍କୁ ଅବହେଳା କରି
ଦିବାରାତ୍ର ଛାତ୍ରଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ଆସନରେ
ଅଭୀପ୍ସା ରଖିଥିବା ଦରଦୀ ଶିକ୍ଷକର
ଉତ୍ସର୍ଗୀକୃତ ମନୋଭାବ  ?
ମଧ୍ୟରାତ୍ର ର ଘନ ଅନ୍ଧକାରେ ନିଘୋଡ ନିଦରେ ଶୋଇ
ଶୁଣିପାରିବକି ଭୋଗୀଟା ରାତ୍ରିଚର ହୋଇ
ଦେଶମାତୃକାକୁ ଶତ୍ରୁକବଳରୁ ରକ୍ଷା କରିବାକୁ
ବଜ୍ର ଶପଥ ନେଇଥିବା ସୈନିକର
ପ୍ରତି ମୂହୂର୍ତ୍ତରେ  ଆମନ୍ତ୍ରଣ କରୁଥିବା ମୃତ୍ୟୁର ହୃତ୍ ସ୍ପନ୍ଦନ ?
ସୁନା ରୂପାର ଡନଲପରେ
ସୁଖସ୍ୱାଚ୍ଛନ୍ଦ୍ୟର ବେଳାଭୂଇଁରେ ଆଡ୍ଡାମାରି
 ଅଟ୍ଟହାସ୍ୟ କରୁଥିବା ଜମିଦାରଟା
କାଦୁଅ ପାଣିକୁ ଚନ୍ଦନ ତୁଳସୀ ଭାବି ମଥାରେ ମାରି
ରକ୍ତ ଝାଳରେ ବିଶ୍ୱପାଇଁ ଖାଦ୍ୟ ତିଆରୁଥିବା
ମାଟିର ମଣିଷର ତ୍ୟାଗ ଆଉ ମମତା ?

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments