Information

ଯୋଗାଚାରୀ ନାଥଧର୍ମ ଦର୍ଶନର ସାମଗ୍ରିକ ଅନ୍ତଃସ୍ୱର - ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ


ଭାରତବର୍ଷର  ଉଦାର  ଚିନ୍ତନ  ଭିତରେ  ଅନେକ ଧର୍ମର  ପ୍ରବାହ   ଘଟି  ଭାରତୀୟମାନଙ୍କ  ଆଚରିତ  ଧର୍ମରୂପେ  ବିବେଚିତ  ହୋଇଆସିଛି  ।  ବୈଦିକ  ଯୁଗର  ସମକାଳରେ  ମଧ୍ୟ  ଏଭଳି  ନାନା  ଧର୍ମର  ଅବବୋଧ  ଜନ  ଚିନ୍ତନକୁ  ପ୍ରଭାବିତ  କରି  ଧର୍ମଧାରାରେ  ଯୋଗ  ପିଣ୍ଡିତ  ମୋକ୍ଷମାର୍ଗର  ପଥ  ଦର୍ଶାଇ  ଆସିଛି ।  ଏହି  ନାଥଧର୍ମ  ଏକ  ଯୋଗ  ଭିତ୍ତିକ  ଧର୍ମ  ।  ପ୍ରାଚୀନ  ଓଡ଼ିଆ  ସାହିତ୍ୟକୁ  ଦୃଷ୍ଟି  ଦେଲେ ନାଥ  ସାହିତ୍ୟ    ଏକ  ଯୋଗପିଣ୍ଡିତ  ମୋକ୍ଷମାର୍ଗର  ଧର୍ମ  ସାହିତ୍ୟ  ।  ନାଥ  ସାହିତ୍ୟ  ବିଶେଷକରି  ନାଥଧର୍ମର  ଆଦର୍ଶ,  ଦର୍ଶନ,  ତାତ୍ତିକ  ଅନୁଚିନ୍ତନ  ସାଧନାମାର୍ଗକୁ  ନେଇ  ପର୍ଯ୍ୟବେସିତ  ।  ନାଥ  ସାଧକମାନେ  ବିଶେଷକରି  ଶୈବ  ଉପାସକ  ଓ  ହଠଯୋଗୀ,   ଏହା  ଏକ  ପ୍ରାଚୀନ  ଧର୍ମବିଶେଷ  ।  ଏହି  ଧର୍ମର  ଉପାସ୍ୟ  ଦେବତା  ହେଉଛନ୍ତି  ଆଦିନାଥ  ଶିବ  ।  ଯେଉଁମାନେ  ଶିବଙ୍କୁ  ଉପାସନା  କରନ୍ତି,  ସେହିମାନଙ୍କୁ  ଯୋଗୀ  କୁହାଯାଏ  ।  ଭାରତରେ  ଅସଂଖ୍ୟ  ଯୋଗଭିତ୍ତିକ  ଧର୍ମର  ସ୍ଥିତି  ଥିଲେ  ମଧ୍ୟ   ଏହି  ଧର୍ମକୁ  ନାଥ  ନାମରେ  ନାମିତ  କରିବାର  ମୂଳ  କାରଣ  ହେଉଛି,  ଏହି  ଧର୍ମର  ମୁଖ୍ୟ  ପ୍ରବର୍ତ୍ତକ  ଓ  ପ୍ରଚାରକଗଣଙ୍କୁ  'ନାଥ'  ପଦବୀରେ  ଭୂଷିତ  କରାଯାଇଛି  ।  ଯେଉଁମାନେ  ଏହି  ଧର୍ମକୁ  ଗ୍ରହଣ  କରନ୍ତି,  ସେମାନେ  ଯେକୌଣସି  ଜାତି,  ବର୍ଣ୍ଣ, ସଂପ୍ରଦାୟ, ବା  ଗୋଷ୍ଠୀର  ହୁଅନ୍ତୁ  ସେ  ନିଜର  କୌଳିକ  ଉପାଧି  ପରିତ୍ୟାଗ  କରି  ନାଥ  ଉପାଧିରେ  ଭୂଷିତ  ହୋଇଥାନ୍ତି  ।  ଏହି  ନାଥ  ଶବ୍ଦର  ସାଧାରଣ   ଅର୍ଥ  ସ୍ୱାମୀ  ବା  ପ୍ରଭୃକୁ  ବୁଝାଇଥାଏ  ।  'ରାଜଗୁହ୍ୟ'  ଅନୁସାରେ  'ନାଥ'  ଶବ୍ଦର  ଅନ୍ୟ  ଏକ  ବ୍ୟୁତ୍ପତ୍ତି  ହେଉଛି-'ନା'-ନାଥ  ବ୍ରହ୍ମା,  ଯେ  ମୋକ୍ଷଦେବାରେ  ଦକ୍ଷ  ଅଟନ୍ତି,  'ଥ'-ର  ଅର୍ଥ  ଯେ  ଅନ୍ଧକାରକୁ  ଦୂରେଇ  ଦେବାରେ  ଦକ୍ଷ  ଅଟନ୍ତି  ।  ଧର୍ମ  ସଂପ୍ରଦାୟ  ଦୃଷ୍ଟିରୁ  ନାଥ  ଶବ୍ଦ  ବିଶେଷକରି  ଗୋରେଖପନ୍ଥୀ  ଯୋଗୀମାନଙ୍କର  ଏକ  ଉପାଧିକୁ  ବୁଝାଇଥାଏ  ।  କିନ୍ତୁ  ଓଡିଶାରେ  ଏହି  ଅର୍ଥରେ ଯୋଗୀ  ବା  ଯୋଗୀଜାତିକୁ  ସାଧାରଣତଃ  ବୁଝାଯାଏ  । ନାଥ  ଶବ୍ଦର  ବାଖ୍ୟା  ମଧ୍ୟ  ଭିନ୍ନ  ଭିନ୍ନ  ଭାବରେ  କରାଯାଇଥାଏ  ।  ଅର୍ଥାତ  ନ'କାର  ହେଉଛି  ଅନାଦି  ରୂପ,  ଓ  'ଥ'  କାର  ତ୍ରିଭୂନର  ସ୍ଥିତିକୁ  ଧରାଯାଏ  ।  ତେଣୁ  କୁହାଯାଏ

             "ନ' କାର  ଅନାଦି  ରୂପ
              "ଥ "  କାର  ଭୂବନ  ସ୍ଥିତୀ  ।"

ତେଣୁ  'ନ"  ହେଉଛି   ଅନାଦି ,  ପରମ  ,  'ଥ'  ତିନି  ଭୁବନର  ସ୍ଥିତି  ।  ଏଣୁ  ପ୍ରଥମରୁ  କୁହାଯାଇଥିବା  ନାଥ  ଶବ୍ଦର  ଅର୍ଥ  ସ୍ୱାମୀ  ବା  ପ୍ରଭୃ ।  ନାଥ  ଯୋଗୀମାନେ  ଯୋଗର  ଐଶ୍ୱର୍ଯ୍ୟରେ  ସିଦ୍ଧି  ପ୍ରାପ୍ତ  ହୋଇଥିବାରୁ  ସେହି  ଦୃଷ୍ଟିରୁ  ସେମାନଙ୍କୁ  ନାଥ/ପ୍ରଭୃ  ଭାବରେ  ଗ୍ରହଣ  କରାଯାଇଛି  ।  ନାଥ  ସ୍ୱରୂପରେ  ବିଶେଷକରି  ଜଡ  ଚେତନା,  ସତ୍ୟ  ଏବଂ  ଅସତ୍ୟ,  ଦ୍ୱୈତ  ଏବଂ  ଅଦ୍ୱୈତ  ସାମ୍ୟଭାବ  ପରିଲକ୍ଷିତ  ହୋଇଥିଲା  । ନାଥଧର୍ମ  ମୁଖ୍ୟତଃ  ଓଡିଶା  ସମେତ  ପୂର୍ବ  ଭାରତ  ଓ  ଉତ୍ତର  ଭାରତ  ଅଞ୍ଚଳରେ  ଲୋକପ୍ରିୟତା  ଲାଭ  କରିଥିଲା  ।  ଏହି    ଧର୍ମ  ପ୍ରତି  ଆକୃଷ୍ଟ  ହୋଇ  ଯେଉଁମାନେ   ଧର୍ମ  ଗ୍ରହଣ  କରୁଥିଲେ ,  ସେମାନଙ୍କୁ  ନାଥ  ଉପାଧି  ପ୍ରଦାନ  କରାଯାଉଥିଲା  ଓ  ସ୍ୱତଃ  ସେମାନେ  ନାଥ  ଭାବେ  ପରିଚିତ  ହେଉ  ଥିଲେ ।  ଏହି  ନାଥବୃତ୍ତର  ମୂଳ  କେନ୍ଦ୍ରବିନ୍ଦୁରେ  ବିଦ୍ୟମାନ  ଥିଲେ  ଆଦିନାଥ  ।  ସମ୍ଭବତଃ  ସପ୍ତମ/ଅଷ୍ଟମ  ଶତାଦ୍ଦୀରୁ  ଓଡିଆ  ଜନମାନସରେ   ଚର୍ଯ୍ୟାଗାନ  ବା  ଦୋହାର  ସିଦ୍ଧସାଧକମାନେ  ଯେଭଳି  ଢଙ୍ଗରେ  କାୟାସାଧନର  ପ୍ରତିଷ୍ଠା  ଓ  ପ୍ରଭାବ  ପକାଇ  ପାରିଥିଲେ,  ତାହା  ଅଧିକମାତ୍ରାରେ  ନାଥଧର୍ମ  ଓ  ନାଥ  ସାହିତ୍ୟକୁ  ତଦୀୟ  ଧର୍ମୀୟ  ଆଦର୍ଶ  ଭିତ୍ତିରେ  ପରିବର୍ତ୍ତିତ  ହୋଇଥିଲା  ।  ଭୋଗ  ଅପେକ୍ଷା  ଯୋଗ,  ସୁଖ  ଓ  ସମ୍ଭୋଗ  ଅପେକ୍ଷା  ମୁକ୍ତିର  ମାର୍ଗ   ପ୍ରତି  ଅତ୍ୟନ୍ତ  ଆସକ୍ତ  ଭାବ  ତତ୍କାଳୀନ  ସମାଜ  ଜୀବନକୁ  ପ୍ରଭାବିତ  କରିଥିଲା  ।

ଶୈବ  ଧର୍ମାବଲମ୍ବୀ  ନାଥମାନେ  ଥିଲେ  ଯୋଗୀ ।  ଯୋଗଥିଲା  ସେମାନଙ୍କ  ସାଧନାମାର୍ଗ  ।  ଶିବାନନ୍ଦ  ଓ  ମୋକ୍ଷାନନ୍ଦ  ଥିଲା  ଏମାନଙ୍କର  ମୁଖ୍ୟ  ଲକ୍ଷ୍ୟ  ।  ପାର୍ଥିବ  ଜୀବନଠାରୁ  ଦୂରରେ  ରହି  ନିୟମିତ  ଧ୍ୟାନ  ଧାରଣାରେ  ସେମାନେ  ଅନୁବର୍ତ୍ତୀ  ହେଉଥିଲେ  । ମହାଦେବ  ଶିବଙ୍କର  ଅନ୍ୟ  ଏକ  ନାମ  ପଶୁପତି,  ଅର୍ଥାତ  ଶିବ  ପଶୁପତି  ନାମରେ  ପରିଚିତ  ।  ପଶୁ  ଅର୍ଥ  ଇନ୍ଦ୍ରିୟ,  ପଶୁପତି  ଅର୍ଥ  ଇନ୍ଦ୍ରିୟମାନଙ୍କର  କର୍ତ୍ତା  ।  ତେଣୁ   ଇନ୍ଦ୍ରିୟ   ମାନଙ୍କୁ  ନିରୋଧ  କରିବାକୁ  ପଡିଥାଏ   ।  ଶିବ  ହେଉଛନ୍ତି  ମହାଶିବ  ।  ସେ  ଜିତେନ୍ଦ୍ରିୟ,  ଇନ୍ଦ୍ରିୟମାନଙ୍କୁ  ଦମନ  କରି   ସେ  ଜିତେନ୍ଦ୍ରିୟ  ।  ତେଣୁ  ସମଗ୍ର  ବେଦଭୂମି,  ପବିତ୍ର  ଭାରତ  ବର୍ଷରେ   କୃଷି  ସଭ୍ୟତାକୁ  ଆଧାର  କରି,  ସଂଯମନିଷ୍ଠ  ଜୀବନଧାରା  ଓ  ଯୋଗାଚାର  ଧର୍ମର  ବିକାଶ  ଘଟିଥିଲା  ।  ଫଳତଃ  ସେହି  ଯୋଗାଚାରର  ଦେବତା  ଭାବେ  ଶିବଙ୍କୁ  ଧରାଯାଉଥିଲା,  ଯୋଗାଚାରୀ  ନାଥମାନଙ୍କର  ସେ  ହେଉଛନ୍ତି  ପରମ  ଉପାସ୍ୟ  ଦେବତା  ।  ଏପରିକି  ଆର୍ଯ୍ୟ  ସଭ୍ୟତାର  ବିକାଶ  କାଳରେ  ବ୍ରାତ୍ୟ  ଧର୍ମର  ବିକାଶକୁ  ଅନୁଭବ  କରାଯାଇପାରେ  ।  ସେହି  ସମୟରେ  ଅଙ୍ଗ,  ବଙ୍ଗ,  କଳିଙ୍ଗ  ଆଦି  ବ୍ରାତ୍ୟଭୂମି  ରୂପେ  ଖ୍ୟାତି  ଲାଭ  କରିଥିଲା  । ବ୍ରାତ୍ୟପନ୍ଥୀ  ଶିବ  ଭକ୍ତମାନେ  ଥିଲେ  ନିବୃତ୍ତିମାର୍ଗୀ,  ଏମାନେ  ବିଶେଷକରି  ବ୍ରହ୍ମ  ବିଦ୍ୟା  ଅନୁଶୀଳନରେ   ପ୍ରବୃତ୍ତ  ଥିଲେ  ।  କିନ୍ତୁ  ଆର୍ଯ୍ୟମାନେ  ବ୍ରାତ୍ୟମାନଙ୍କୁ  ନିମ୍ନମାନର  ଦେଖୁଥିଲେ ।  କାଳକ୍ରମେ  ବୈଦିକ  ଆର୍ଯ୍ୟ  ଓ  ବ୍ରାତ୍ୟମାନଙ୍କ  ମଧ୍ୟରେ  ସେଭଳି  କୋୖଣସି  ପାର୍ଥକ୍ୟ   ରହିଲା  ନାହିଁ,  ଉଭୟ  ଗୋଟିଏ  ଧର୍ମର  ସ୍ରୋତରେ  ଏକାକାର  ହୋଇଥିଲେ  ।

ବ୍ରାତ୍ୟର  ଅର୍ଥ  ନିଜେ  ନିଜକୁ  ସ୍ୱତନ୍ତ୍ର  ରୂପରେ  ସଂସ୍କାର  କରିବାକୁ  ବୁଝାଇଥାଏ ।  ବ୍ରାତ୍ୟ  କେବେ  ବା  କଦାପି  ପତିତ ନୁହେଁ,  ସେମାନେ  ହେଉଛନ୍ତି  ନିତ୍ୟ  ପବିତ୍ର  ଶୁଦ୍ଧ  ପରମଯୋଗୀ,  ଏମାନେ  ସଂସ୍କାର  ମୁକ୍ତ  ଅଟନ୍ତି । ବ୍ରତ୍ୟମାନଙ୍କ  ପ୍ରଶସ୍ତି   ଅଥର୍ବ  ବେଦ  କର୍ତ୍ତାମାନେ  ଗାନ  କରିଯାଇଛନ୍ତି  ।  ଅନେକ  ଆଲୋଚକଙ୍କ  ମତରେ  ,  ପ୍ରାଗ୍  ବୈଦିକ  ବ୍ରାତ୍ୟ-ଶୈବଧର୍ମ  ଓ  ଅଥର୍ବବେଦୀୟ  ବ୍ରାତ୍ୟ-ଶୈବ  ଉପାସନାର  ପରିବର୍ତ୍ତନ  ଘଟି,  ତାହା ପରବର୍ତ୍ତୀ  ସମୟରେ  ନାଥଧର୍ମରେ  ରୂପାନ୍ତରିତ  ହୋଇଛି  ।  ବିଶେଷକରି  ଏହି   ଧର୍ମ  ଦଶମ  ଶତାଦ୍ଦୀ  ପରେ  ପରେ  ଭାରତର  ବିଭିନ୍ନ  ଅଞ୍ଚଳ  ମାନଙ୍କରେ  ଧୀରେ  ଧୀରେ  ପ୍ରସାର   ଲାଭକରି   ଶେଷରେ  ପ୍ରସିଦ୍ଧ  ଲାଭ  କରିଥିଲା  ।  ଏପରିକି  ଓଡ଼ିଶା  ସମେତ  ପୂର୍ବ  ଓ  ଉତ୍ତର  ଭାରତର  ବିଭିନ୍ନ  ଅଞ୍ଚଳରେ  ଅଧିକ  ଲୋକପ୍ରିୟ  ହୋଇ  ଉଠିଥିଲା  ଓ   ସେହି  ସମୟରେ  ଯେଉଁମାନେ  ନାଥଧର୍ମ  ଗ୍ରହଣ  କରୁଥିଲେ  ସେମାନଙ୍କୁ  ନାଥ'  ଉପାଧିରେ  ଭୂଷିତ  କରାଯାଉଥିଲା  । ନାଥଯୋଗୀମାନଙ୍କୁ  ନିରଞ୍ଜନ  ଗୋତ୍ରୀ  ବା  ଶିବ  ଗୋତ୍ରୀ  କୁହାଯାଏ  ।   ସେମାନେ  ନିରଞ୍ଜନଙ୍କ  ଠାରେ  ଲୟସ୍ଥାପନ   କରିଥାନ୍ତି  ।  ସେମାନଙ୍କର  କର୍ଣ୍ଣଭେଦ,  ଉପନୟନ,  ଆଦି  ସାମବେଦ  ପ୍ରଯୁକ୍ତ  ଅଟନ୍ତି  ।  ସେମାନେ ସ୍ମାର୍ତ୍ତ  ପଦ୍ଧତି  ମାନନ୍ତି  ।  ସେମାନଙ୍କ  ସଂପର୍କରେ   ଶିବପୁରାଣ  ,  ବ୍ରହ୍ମାଣ୍ଡ  ପୁରାଣ, ବୈବର୍ତ୍ତ  ପୁରାଣ,  ସ୍କନ୍ଦ   ପୁରିଣ,   ଗୋରେଖ  ଗୀତା ,  ନାରଦ  ପରିବ୍ରାଜକ   ଉପନିଷଦ   ଓ  ଆଗମ  ସଂହିତା  ଆଦି  ଗ୍ରନ୍ଥରୁ  ପରିଚୟ  ମିଳେ  ।

ଭାଗବତ  ପୁରାଣରେ   ଋଷଭ  ଦେବଙ୍କ  ପ୍ରସଙ୍ଗ  ବର୍ଣ୍ଣନା   କରାଯାଇଛି  ।  ଉଲ୍ଲେଖ  ଅଛି  ଋଷଭ  ଦେବଙ୍କ  ଶତ  ପୁତ୍ର  ଥିଲେ  ।  ସେମାନଙ୍କ  ମଧ୍ୟରୁ   କବି,  ହବି,  ଦ୍ରବିଡ଼,  କରଭାଜନ,  ଅନ୍ତରୀକ୍ଷ,  ପିପ୍  ଲାୟନ, ଅବିହୋତ୍ର  ଓ  ପ୍ରବୁଦ୍ଧ       ନଅ  ଭାଇ  ନିର୍ଗୁଣ  ସନ୍ୟାସୀ   ଥିଲେ  ।  ଏମାନେ  ଯୋଗୀନ୍ଦ୍ର  ରୂପେ  ଦେବର୍ଷି  ନାରଦଙ୍କ  ଉପଦେଶ  ପାଇ  ଶିବଙ୍କୁ  ତପସ୍ୟା  କରିଥିଲେ  ଓ  ତପସିଦ୍ଧ  ପରେ   ଏମାନେ  ମତ୍ସ୍ୟେନ୍ଦ୍ରନାଥ,    ଗହନିନାଥ,  ଜାଳନ୍ଧର  ନାଥ,  କାନିପାନାଥ,  ରେବନାଥ  ଆଦି  ନବନାଥ  ପରିଚିତ  ଥିଲେ  ।  ସେମାନଙ୍କ  ମଧ୍ୟରୁ  ଗୋରେଖ  ନାଥ  ଥିଲେ  ଶିବଙ୍କର  ଅଦ୍ଭୁତ  ଶକ୍ତିର  ଅଧିକାରୀ  ।  ସେ  ଥିଲେ  ହଠ  ଯୋଗର  ପ୍ରବର୍ତ୍ତକ  ।  ତାଙ୍କରି  ଠାରୁହିଁ  ଆରମ୍ଭ   ହୋଇଛି  ହଠଯୋଗ  ସାଧନା  ।  ଏଥିରେ  ଯମ,  ନିୟମ,  ଆସନ,  ପ୍ରାଣାୟମ,  ପ୍ରତ୍ୟାହାର,  ଧ୍ୟାନ,  ଧାରଣା,  ସମାଧି  ଅଷ୍ଟ୍ରାଙ୍ଗ  ସାଧନା  ଉପରେ  ଗୁରୁତ୍ୱ  ଦିଆଯାଇଛି  । ନାଥ  ଧର୍ମରେ  ସେଭଳି  ଅବତାର  ବାଦକୁ  ସ୍ୱୀକୃତି  ଦିଆଯାଇଛି ।  ଗୋରେଖ  ନାଥଙ୍କୁ  ଶିବଙ୍କ  ଅବତାର  ଭାବେ  ଗ୍ରହଣ  କରାଯାଇଛି  ।  ଏପରିକି  ତାଙ୍କୁ  ନିରଞ୍ଜନ,  ନିରାକାର  ଓ  ନିର୍ବିକଳ୍ପ  ଭାବରେ  ଦର୍ଶାଯାଇଛି  ।  ନେପାଳରେ  ମତ୍ସ୍ୟେନ୍ଦ୍ର  ନାଥଙ୍କୁ  ଅବଲୋକିତେଶ୍ୱର  ଭାବରେ  ଗ୍ରହଣ  କରାଯାଇଛି ।  ଶିବ  ନାଥଧର୍ମର  ପ୍ରାଣକେନ୍ଦ୍ର  ,  ସେ  ସ୍ୱୟଂ  ଅବ୍ୟକ୍ତ,  ଅନାମ,  ଅଣାକାର  ।  ତାଙ୍କ  ନିକଟରେ  ଭାବ  ନାହିଁ,  ଅଭାବ  ନାହିଁ,   ବିନାଶ  ନାହିଁ  କି  ଉତ୍ପତ୍ତି  ନାହିଁ  ।  ସେହିଁ  ନିତ୍ୟ  ,  ନୂତନ  , ଶ୍ୱାଶତ ଓ  ସନାତନ  ।  ତେଣୁ   ତାଙ୍କର  ଧର୍ମମତବାଦକୁ  "ଦୈତାବାଦ  ଦୈତବାଦ"   ରୂପେ  ଧରାଯାଏ  ।

ନାଥ  ଧର୍ମରେ  ସିଦ୍ଧିଲାଭ  କରିଥିବା  ସାଧକମାଙ୍କୁ  ସିଦ୍ଧାଚାର୍ଯ୍ୟ  କୁହାଯାଏ  ।  ଏମାନେ  ବୌଦ୍ଧ  ସିଦ୍ଧସାଧକ  ମାନଙ୍କଠାରୁ   ସଂପୂର୍ଣ୍ଣ  ଭିନ୍ନ  ଅଟନ୍ତି  ।  କାରଣ  ବୋୖଦ୍ଧ  ସହଜ  ସାଧନରେ  ତନ୍ତ୍ରାଚାର  ଉପରେ  ଅଧିକ  ଗୁରୁତ୍ୱ  ଦିଆଯାଉଥିଲା  ।  ସହଜ  ସାଧକମାନେ  ନିଜ  ସାଧାନାର  ସିଦ୍ଧି  ପାଇଁ  ନାରୀମାନଙ୍କୁ  ସାଧନାର  ସଙ୍ଗିନୀ  ରୂପେ  ନେଉଥିଲେ  ।  ସେମାନଙ୍କ  ସହ  ଯୌନ  ସମ୍ଭୋଗରେ  ମାତି  ରହିବା  ପରେ,  ଚରମ  ସୁଖ  ଲାଭ  ଅର୍ଥାତ  ଯୌନ  ତୁପ୍ତି  ପାଇବା  ପରେ  ସିଦ୍ଧି  ଲାଭ  କରୁଥିଲେ  ।  କିନ୍ତୁ  ନାଥମାନେ  ଅର୍ଥାତ  ଶିବ  ସାଧକ  ନାଥମାନେ,  ତନ୍ତ୍ରାଚାର  ଓ  ଯୌନଚାରତାକୁ  ଘୋର  ନିନ୍ଦିତ  ଓ  ବିରୋଧ କରି,  କେବଳ  ଯୋଗ  ସାଧନରେ  ଗୁରୁତ୍ୱ  ଦେଉଥିଲେ  ।  କାରଣ  ସେମାନଙ୍କ  ଉପାସ୍ୟ  ଦେବତା   ଥିଲେ  ମହାଶିବ,  ଯେ  ହେଉଛନ୍ତି  ସତ୍ୟ,  ଶିଵ ଓ  ସୁନ୍ଦର  ମଙ୍ଗଳମୟ  ।   ଶିବଙ୍କୁ  ପାଇବା  ଥିଲା  ସେମାନଙ୍କର  ମୂଳଲକ୍ଷ୍ୟ  ଥିଲା  ।  ଯାହା  କେବଳ  ନାଥ ଧର୍ମର  ସ୍ୱାତନ୍ତ୍ର୍ୟତାକୁ  ପରି  ପ୍ରକାଶ  କରିଥାଏ  ।

ନାଥ  ସଂପ୍ରଦାୟର  ଗୋରେଖ  ନାଥ  ଥିଲେ  ପ୍ରମୁଖ  ।ଗୋରେଖ  ନାଥ  ସଂହିତା'  ଅନୁସାରେ  ଚଉରାଅଶି (୮୪)  ଜଣ  ସିଦ୍ଧ  ସାଧକଙ୍କ  ନାମ  ଉଲ୍ଲେଖ  ରହିଛି  ।  ପୁନରପି  'ହଠଯୋଗ   ପ୍ରଦୀପିକା'  ଗ୍ରନ୍ଥରେ  ସେମାନଙ୍କ  ନାମ  ଲିପିବଦ୍ଧ  ରହିଛି  ।  ସେମାନେ  ହେଲେ  ଆଦିନାଥ,   ମତ୍ସେନ୍ଦ୍ର  ନାଥ,  ଭୈଳବନାଥ,  ଚୌରଙ୍ଗୀନାଥ,  ମୀନନାଥ,  ଗୋରକ୍ଷନାଥ,  ଚଳ୍ପଟିନାଥ,  ନିଳଞ୍ଜନନାଥ,  ନିତ୍ୟନାଥ,  ଟିଣ୍ତିଣୀନାଥ,  ଭଲ୍ଲରୀନାଥ,  ନାଗବୋଧ  ନାଥ,  ଖଣ୍ତ  କାପାଳିକା  ନାଥ,  ବିନ୍ଦୁନାଥ ,  କଣେରୀନାଥ,   କୋରଣ୍ଟକନାଥ,  ଅକ୍ଷୟ ନାଥ,  ମୟନାଥ,  କହ୍ନଡୀନାଥ,  ବିରୂପାକ୍ଷନାଥ,  ସୁରାନନ୍ଦ  ନାଥ,  ସିଦ୍ଧନାଥ ,  ପାଦନାଥ  ପ୍ରଭୃତି   ସିଦ୍ଧାଚାର୍ଯ୍ୟଙ୍କ  ନାମ  ଉଲ୍ଲେଖନୀୟ  ।  ଏପରି  ମଧ୍ୟ  'ଅମରକୋଷ  ଗୀତ',  'ଗୋରକ୍ଷ  ସଂହିତା'  ଓ  'କୁମାରୀ ତନ୍ତ୍ର'  ଗ୍ରନ୍ଥରେ  ଅବଶିଷ୍ଟ  ବହୁ  ସିଦ୍ଧାଚାର୍ଯ୍ୟ  ନାଥଙ୍କ  ନାମୋଲ୍ଲେଖ  ରହିଛି  ।  'କୁମାରୀ  ତନ୍ତ୍ର'ରେ  ରହିଥିବା  ସାଧକମାନେ  ମଣ୍ଡଳ  ନାଥ,  କୂର୍ମନାଥ,  ବିଷ୍ଣୁ ନାଥ,  ଧର୍ମନାଥ,  ଗନ୍ଧର୍ବନାଥ,  କୈବର୍ତ୍ତ  ନାଥ,  ନଭୋନାଥ,  ସଂଭାଳନାଥ,  ଗଣେଶ୍ୱର  ନାଥ,  ନିତ୍ୟନାଥ,  ସତ୍ୟନାଥ,  ଉମାନାଥ,  ବିଦ୍ୟାନାଥ,  ଶ୍ରଦ୍ଧାନାଥ,  ସମ୍ବରନାଥ,  ଅନନ୍ତନାଥ,  ବିଧିନାଥ,  ଭାଲନାଥ,  ମହାକାଳନାଥ  ଆଦି  ଏଭଳି  ଅନେକ  ନାଥମାନଙ୍କ   ନାମ  ରହିଛି  ।

ନାଥ  ଧର୍ମରେ  ମତ୍ସ୍ୟେନ୍ଦ୍ରନାଥ'ଙ୍କୁ  ଆଦିନାଥ  ଭାବରେ  ଗ୍ରହଣ   କରାଯାଇଛି  ।  ଏପରିକି  ତାଙ୍କୁ  ମୀନନାଥ,  ମଚ୍ଛନ୍ଦରନାଥ,  ମତ୍ସେନ୍ଦ୍ରପା  ନାମରେ  ନାମିତ  କରାଯାଇଛି  ।  ସେ  ଥିଲେ  ନାଥଧର୍ମର  ପ୍ରବର୍ତ୍ତକ  ଓ  ଯୋଗମାର୍ଗର  ପୃଷ୍ଠପୋଷକ  ।  ତାଙ୍କ  ନାମରେ  'ମତ୍ସେନ୍ଦ୍ର ଗୀତା' ପ୍ରଚଳିତ  ।  ସେଭଳି  ଗୋରେଖ  ନାଥ  ଥିଲେ  ଜଣେ  ସିଦ୍ଧସାଧକ,  ଯେକି  ମତ୍ସ୍ୟେନ୍ଦ୍ରନାଥଙ୍କ  ପରମ  ସାଧକ  ଥିବା  ଗବେଷକ  ଡ଼କ୍ଟର  ଦୋଳଗୋବିନ୍ଦ  ଶାସ୍ତ୍ରୀ  ଦର୍ଶାଇ,  ତାଙ୍କୁ  ନବମ  ଶତାଦ୍ଦୀର  ସଫଳ  ସିଦ୍ଧସାଧକ  ବୋଲି  କହିଛନ୍ତି  । ତାଙ୍କ  ନାମରେ  ହଠଯୋଗ,  ଗୋରକ୍ଷ   ସଂହିତା,  ଗୋରକ୍ଷ  ଗୀତା,  ଆତ୍ମବୋଧ,  ଜ୍ଞାନ  ଚୌତିଶା,  ନିରଞ୍ଜନ  ବୋଧ,  ଗୋରେଖ  ଗଣେଶ  ସ୍ୱାଦ,  ଯୋଗ  ମଞ୍ଜରୀ,  ଜ୍ଞାନାମୃତ  ଯୋଗ,  ନାଡୀଜ୍ଞାନ  ଯୋଗ,  ଶିଶୁବେଦ  ଆଦି  ଅନେକ  ଗ୍ରନ୍ଥ  ଦେଖିବାକୁ  ମିଳେ  ।  ନାଥଧର୍ମ'ର  ଅନ୍ୟତମ  ସିଦ୍ଧାଚାର୍ଯ୍ୟ  ହେଉଛନ୍ତି  ଜାଳନନ୍ଧରୀନାଥ,  ସେ  ସାତଟି  ନାଥଧର୍ମୀ  ଗ୍ରନ୍ଥ  ରଚନା  କରିଥିଲେ  ।  ସେଭଳି  ଚୌରଙ୍ଗୀନାଥ  ଓ  ବିରୂପାକ୍ଷନାଥ  ଥିଲେ  ଅନ୍ୟତମ  ପ୍ରସିଦ୍ଧ  ସିଦ୍ଧାଚାର୍ଯ୍ୟ  ।   ଏହି  ମହାନ୍  ସିଦ୍ଧାଚାର୍ଯ୍ୟଗଣ  କେବଳ  ସଂଯମ  ପିଣ୍ଡିତ  ଯୋଗାଶ୍ରୟୀ  ଥିବାରୁ  ସେମାନଙ୍କ  ସାହିତ୍ୟ  ମଧ୍ୟ  ଯୋଗାଶ୍ରୟୀ  ସାହିତ୍ୟ  ଭାବେ  ଗୃହୀତ ।  ଯାହା  କେବଳ    ପିଣ୍ଡ  ବ୍ରାହ୍ମଣ  ଆଧାରିତ  ତତ୍ୱନୀୟ  ସାହିତ୍ୟ  ।  ଏଥିରେ  କେବଳ  ତତ୍ୱ  ଓ  ଦର୍ଶନ,  ପିଣ୍ଡ  ଓ  ବ୍ରହ୍ମାଣ୍ଡ,  ଶିବ  ଓ  ଶକ୍ତିଙ୍କର  ଚିଦ୍  ବିଳାସର  ଗୃଢ଼  ରହସ୍ୟର  ବର୍ଣ୍ଣନା  କରାଯାଇଛି  ।  ଏପରିକି  'ଗାରେଖ  ସଂହିତା'  ନାଥ  ଧର୍ମର  ଏକ ଉପାଦେୟ  ଗ୍ରନ୍ଥ,  ତତ୍  ସଙ୍ଗେ  ସଙ୍ଗେ  ସପ୍ତାଙ୍ଗ  ଯୋଗ,  ଗୋରେଖ  ବୋଧ,  ଶିଶୁ  ବେଦ  ଆଦି  ଗ୍ରନ୍ଥ  ନାଥଧର୍ମର  ମହାନ୍  ସୃଷ୍ଟି  ।  ସେସବୁ  ଗ୍ରନ୍ଥ  ଗୁଡିକ  ଯୋଗ  ଓ  ଜ୍ଞାନର  ଗନ୍ତାଘର  ।

ନାଥ  ସାହିତ୍ୟ  ନିର୍ବାଣମୁଖୀ,  ସେହି  ସମୟରେ  ନିର୍ବାଣ  ପାଇଁ  ମଣିଷର  ପ୍ରବଳ  କାମନା  ଥିବାରୁ   ଆଦିଗୁରୁ  ଗୋରକ୍ଷନାଥ  ତାଙ୍କ  ପ୍ରଣିତ  'ଶିଶୁ ବେଦ'ରେ  ନିର୍ବାଣକାମୀ  ଭାବନାକୁ  ପ୍ରକାଶ  କରିଛନ୍ତି  ।  ସେଭଳି  ନାଥ  ସାହିତ୍ୟରେ  ସାମାଜିକ  ନୀତି,  ଆଦର୍ଶ  ଓ  ଆଧ୍ୟାତ୍ମକ  ବିଦ୍ୟାର  ସଂସ୍କୃତି  ସୁବିପୁଳ  ଚିତ୍ର  ଅନୁଭବ  କରି  ହୁଏ  ।  ନାଥ  ସାହିତ୍ୟରେ  ଗୁରୁବାଦ,  ସମକାଳର  ସାମାଜିକ  ଓ  ସଂସ୍କୃତିକୁ  ଉଜ୍ଜୀବିତ  କରିବା  ପାଇଁ    ସମାଜ  ଜୀବନରେ  ବୈବାହିକ  ଚିତ୍ର,  ବ୍ରାହ୍ମଣ  ସମାଜର  ଚିତ୍ର  ,  ଶାସ୍ତ୍ର  ଅଧ୍ୟୟନ  ପ୍ରତି  ଆକାଂକ୍ଷା,  ସମାଜ  ଓ  ସଂସ୍କୃତିର  ବହୁବିଧ  ବୈଶିଷ୍ଟ୍ୟ   ପ୍ରତିଫଳିତ  ହୋଇଛି  ।  ବିଶେଷକରି  ଶିବତତ୍ୱ  ଜାଣିଲେ  ମଣିଷର  ଅମରତ୍ୱ  ପ୍ରାପ୍ତି  ଘଟେ  ।  ଜନନୀ  ଚାହିଁଲେ  ମାୟା  ସଂସାର  ମୋହରୁ   ତା   ସନ୍ତାନକୁ  ମୁକ୍ତ  କରିପାରିବ,  ଯାହା  ଗୋବିନ୍ଦ  ଚନ୍ଦ୍ରଙ୍କ  ଜୀବନରେ   ଏଭଳି  ଅକାଟ୍ୟ  ସତ୍ୟ  ଉଜ୍ଜୀବିତ  ହୋଇଛି  ।    ନାଥଧର୍ମର  ସିଦ୍ଧାଚାର୍ଯ୍ୟମାନେ  ମଣିଷକୁ  ନାରୀ ଭୋଗ  ଲାଳସାରୁ  ମୁକ୍ତି  ଦେବା  ସହ  ମାନବ  ଜୀବନକୁ  ଶୃଙ୍ଖଳିତ  କରିଛନ୍ତି  ।  ପ୍ରକୃତରେ  ଶତାଦ୍ଦୀ  ଶତାଦ୍ଦୀ  ଧରି  ନାଥ  ଧର୍ମ  ଓ  ଦର୍ଶନର  ପ୍ରତିଧ୍ବନିତ  ସାମଗ୍ରିକ  ଅନ୍ତଃସ୍ୱର  ଏ'ମର  ଜଗତରୁ  ମାନବ  ସମାଜକୁ  ଯେଉଁ  ମୁକ୍ତିର  ମହାମନ୍ତ୍ର  ଦେଇ  ଆସିଛି,  ତାହା  ଆଜିବି  ଗାଁ'  ଗଣ୍ତାରେ  ନାଥ  ଯୋଗୀମାନଙ୍କ  କେନ୍ଦରା  ବଜାଇ  ସୁଲଳିତ  କଣ୍ଠରୁ  ଝରି  ଆସୁଥିବା "ଭଜୁ  କିନା  ରାମ  ନାମରେ  ଗୋବିନ୍ଦ..."  ପଦ  ଶ୍ରବଣ  କରି  ଧର୍ମପ୍ରାଣ  ସରଳହୃଦୟା  ମା'  ମାଉସୀଙ୍କ  ଆଖିର  ଲୁହଧାରରୁ  ଦେଖିବାକୁ  ମିଳେ.. !!!

ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗ
ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟରେ,  କଟକ

Post a Comment

0 Comments