ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ହେ ପୁଣ୍ୟାତ୍ମା କୃଷକ - ନାରାୟଣ ଚନ୍ଦ୍ର ସେନାପତି

ହେ ପୁଣ୍ୟାତ୍ମା କୃଷକ - ନାରାୟଣ ଚନ୍ଦ୍ର ସେନାପତି


ହେ ନିଷ୍କଳଙ୍କ କର୍ମଠ ସାଧକ
ସୁଖ ସୌନ୍ଦର୍ଯ୍ୟକୁ ଦେଇ ଜଳାଞ୍ଜଳି
ଯେବେ ଆଦର୍ଶ ଦିନଚର୍ଯ୍ୟାକୁ କର ଆବାହନ
ଶୃଙ୍ଖଳା ଓ ସଂସ୍କାର ପାଇଁ ବିଶ୍ୱହୁଏ ସ୍ତବ୍ଧ
ତୁମ ସତ୍ୟ ନିଷ୍ଠା ଉଦ୍ୟମରେ
ଦରଦ୍ର ବୁଭୁକ୍ଷୁର ଥାଳ ପୁରିଯାଏ
ପ୍ରାଣ ସ୍ପନ୍ଦନ ପୁଲକିତ ହୁଏ
ସ୍ୱଚକ୍ଷୁରେ ଦେଖି ଦିବ୍ୟ ଅନ୍ନପୂର୍ଣ୍ଣା ॥
ହେ ନିଷ୍କପଟ ତପସ୍ୱୀ ସାଧକ
ନିଜ ରକ୍ତ ମାଂସକୁ କରି ସମର୍ପଣ
ଯେବେ ନରକଙ୍କାଳରେ ମହୀ ସାଥେ କର ମଲ୍ଲଯୁଦ୍ଧ
କଳିଙ୍କଯୁଦ୍ଧ ବି ଓଡିଆ ଭୁଲିଯାଏ
ସଭିଙ୍କ ଚକ୍ଷୁରୁ ବିଗଳିତ ହୁଏ ଆନନ୍ଦାଶ୍ରୁ
ଦରଦୀ କଣ୍ଠେ କରନ୍ତି ପ୍ରଣାମ
ପାଇ ତବ ଅନ୍ନଦାନ
ଅନ୍ତରେ ପୂଜନ୍ତି କହି..
ହେ ଦାନବୀର ପୁଣ୍ୟାତ୍ମା କୃଷକ॥
ହେ ବିଶ୍ୱ-ଜାତିପ୍ରେମୀ କର୍ଣ୍ଣଧାର
ଖରା ବର୍ଷା ଶୀତ କାକରକୁ ନ କରି ଭ୍ରୁକ୍ଷେପ
ଯେବେ କାଦୁଅ ବୋଳି କୁହ ଚନ୍ଦନ
ଗୋଳିଆ ପାଣିକୁ ଭାବ ଗଙ୍ଗାଜଳ
ସଭିଙ୍କ ଆଖିରୁ ଆଳସ୍ୟ ଭୂତ ବି ଅପସରୀ ଯାଏ
ଅହଙ୍କାର ବୈଧବ୍ୟ ଯନ୍ତ୍ରଣା ଭୋଗେ
 ଦିବ୍ୟଚକ୍ଷୁ ଖୋଲିଯାଏ
ତୁମ ନିଃସ୍ୱାର୍ଥପରତା ନିଷ୍ଠା ଚିତ୍ରପଟରେ
ଭକତିର ମଥାଟେକି ସଭିଏଁ କରନ୍ତି ପୂଜା
କହି..ହେ ଧର୍ମାତ୍ମା ମାଟିର ମଣିଷ ॥
ହେ ଚିରସ୍ରୋତା ମହାଦାନୀ କର୍ଣ୍ଣ
ବିଳାସ ବ୍ୟସନକୁ ଶ୍ରାଦ୍ଧ ଦେଇ
ପରହିତେ ଢାଳ ଯେବେ ଶ୍ରଦ୍ଧା
କୃପଣ ସମ୍ଭ୍ରାନ୍ତମାନେ ପ୍ରମାଦ ଗଣି ଦୌଡନ୍ତି ଶୁଣି ତୁମ ବାଣୀ
"ଶ୍ରମ ମୋର ପୂଜା"
"କର୍ମ ହିଁ ଭଗବାନ"
ସ୍ତବ୍ଧ ହୁଅନ୍ତି ଭଗବାନ
ଦେଖି ତୁମ ନିଃଷ୍କାମ ଭକ୍ତି ଅମର ପ୍ରେମ
ଅବସରେ ତୁମ  ଭଜନ ଓ କୀର୍ତ୍ତନ
ଅବିଳମ୍ବେ ଘୋଷଣା କରନ୍ତି କହି
ହେ ଭକ୍ତ ଶ୍ରେଷ୍ଠ...ଜାତିପ୍ରେମୀ ବିଶ୍ୱପ୍ରେମୀ  ଦରଦୀ କୃଷକ
ଦୀର୍ଘଜୀବୀ ହୁଅ...॥

ନାରାୟଣ ଚନ୍ଦ୍ର ସେନାପତି, ଜିଲ୍ଲା-କେନ୍ଦୁଝର