Information

ହେ ପ୍ରଥମାଷ୍ଟମୀ - ନାରାୟଣ ଚନ୍ଦ୍ର ସେନାପତି


ହେ ପ୍ରଥମାଷ୍ଟମୀ
ତୁମେ ଏକ ଧର୍ମ ନିୟମ
ପରମ୍ପରାର ଅର୍ଘ୍ୟଥାଳି ଧରି
ଛୁଟିଆସ ଯେବେ
ଓଡିଆଙ୍କ ସରଗପୁରୀକୁ,
ପିତା ମାତାଙ୍କ ବଡ ପୁତ୍ର କନ୍ୟା ପାନ୍ତି ତୁମ ଆଶିଷ
ଜୀବନ ଆଉ ସୁଖ ସମୃଦ୍ଧିପାଇଁ ସେମାନେ
ହସି ହସି କରନ୍ତି ତୁମକୁ ଅଭିନନ୍ଦନ ॥
ହେ ଶୋଭାଗିନୀ ଅଷ୍ଟମୀ
ତୁମେ ଏକ ସଂସ୍କାର
କିମ୍ବଦନ୍ତୀର ଆଳତି ନୈବେଦ୍ୟ ଧରି
ଖିଲିଖିଲି ହସି ଚାଲିଆସ ଯେବେ
ମାମୁଁ ଘରର ନବ ବସ୍ତ୍ର ଧରି
ପରୁହାଁ କରିବାକୁ ବଡ ଭଣଜା ଭାଣିଜିଙ୍କୁ
ଆତ୍ମୀୟ ଜ୍ୟେଷ୍ଠାମାନେ କରନ୍ତି ବନ୍ଦାପନା
ମମତାମୟୀ ମା'ଟା ମାଗେ ଈଷ୍ଟଙ୍କୁ ଦୀର୍ଘାୟୁ
ଖୁଆଇ ଏଣ୍ଡୁରିପିଠା... ବରଷେ ସ୍ନେହାଶିଷ
ଚଢିବାକୁ ସଫଳତାର ଜୀବନ ପାହାଚ ॥
ହେ କାଳଭୈରବୀ ଅଷ୍ଟମୀ
ତୁମେ ଧର୍ମ ବିଧି କ୍ରିୟାକର୍ମର ପଦ୍ଧତି
ଓହ୍ଲାଇଆସ ବୀରଦର୍ପେ ଯେବେ
ପିତାମାତାଙ୍କ ଅନ୍ତେ
ଲଦିବାକୁ ପରିବାର ବୋଝ ପ୍ରତିପୋଷଣର ଭାର
ଜ୍ୟେଷ୍ଠଙ୍କ ଉପରେ
ଧରାଇ ଉତ୍ତର ଦାୟିତ୍ୱର ପ୍ରେମପତ୍ର
ରଖ ଭରସା ଓ ଅଦମ୍ୟ ବିଶ୍ୱାସ
କାହିଁକି ନା...
ଦମ୍ପତିଙ୍କ ପ୍ରଥମ କନ୍ମିତ ଶିଶୁ କାଳେ ଉଜ୍ଜ୍ୱଳତମ,ଆଜ୍ଞାବହ..ପରମ୍ପରାରକ୍ଷକ ॥
ହେ ପାପନାଶିନୀ ଅଷ୍ଟମୀ
ତୁମେ ପରା ସଂସ୍କାରମୟ ପଦ୍ଧତି
ବିଜେହୁଅ ଯେବେ ମନୋବିଜ୍ଞାନୀଙ୍କ ହୃଦୟରେ
ପରିଚୟ ପତ୍ର ଦିଅ ବଡଙ୍କୁ
ଶୌର୍ଯ୍ୟ ବୀର୍ଯ୍ୟରେ ମହାନ
ପରମ୍ପରାର ପ୍ରବାହ ସ୍ରୋତ
ଆଚାର ବିଚାରରେ ଶ୍ରେଷ୍ଠ
ଯୁଗେଯୁଗେ ଧରନ୍ତି ସମ୍ମାନର ପ୍ରମାଣପତ୍ର
ଯେମିତି ରାଜା ଅନ୍ତେ ଆଦରନ୍ତି ସିଂହାସନ
ପାଳିବାକୁ ଶାନ୍ତି ପ୍ରୀତିର ଧର୍ମାନୁଷ୍ଠାନ ॥
ହେ ମଗୁଶୁର କୃଷ୍ଣ ଅଷ୍ଟମୀ
ତୁମେ ଯଦି କୁହ..
ବଡମାଛର କଣ୍ଟା ସାର
ଜ୍ୟେଷ୍ଠ ହିଁ ଶ୍ରେଷ୍ଠ
ତେବେ ଜ୍ୟେଷ୍ଠଙ୍କୁ ଦିଅ ସଦ୍ ବୁଦ୍ଧି
ନ ପଠାନ୍ତୁ ମାତା ପିତାଙ୍କୁ ବୃଦ୍ଧାଶ୍ରମ
ବୋଝ ଭୟରେ ନ ସାଜନ୍ତୁ ଭଣ୍ଡବାବା
ପାଳନ୍ତୁ ଲଘୁଜନଙ୍କୁ ଶ୍ରଦ୍ଧାରେ ପିତାମାତା ପରି
ଧରି ରାମ ବଳରାମଙ୍କ ଆଦର୍ଶ
ନିଜ ପିତାମାତାଙ୍କ ଅନ୍ତେ ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments