Information

ହେ ଈଶ୍ୱର ତୁମକୁ ମୋ କୋଟି ନମସ୍କାର - ନାରାୟଣ ଚନ୍ଦ୍ର ସେନାପତି


ହେ ଈଶ୍ୱର....
କାହିଁକି ଏ ଅବିଚାର ???
ଧନୀକର ଭାଗ୍ୟାକାଶେ କଲ ସୁଖର ଜ୍ୟୋତ୍ସ୍ନାପାତ
ଅଭାଗା ଦରିଦ୍ର ଶିରେ ଦୁଃଖ ବଜ୍ରାଘାତ
ଦିବ୍ୟସୁନ୍ଦର ଗଳାରେ ପ୍ରଶଂସା ପୁଷ୍ପହାର ତ
ଦିବ୍ୟାଙ୍ଗକୁ ଲଜ୍ଜା ଧିକ୍କାର
କାହିଁକି ଏ ଅବିଚାର ???
କାହାକୁ ଦେଲ ଜ୍ଞାନ ସଂଜୀବନୀ
କାହାପାଇଁ ଅଜ୍ଞାନର ମହାକାଳଫଳ
ନ୍ୟାୟୀ ହାତେ ଅସତ୍ୟ ଶିକୁଳି ତ
ଅତ୍ୟାଚାରୀକୁ ଅତିଥି ସତ୍କାର
କାହିଁକି ଏ ଅବିଚାର  ???
କିଏ ପହଁରେ ପ୍ରେମ ସ୍ରୋତସ୍ୱିନୀରେ
କେ ଜଳିଜାଏ ପ୍ରତାରଣା ବହ୍ନିରେ
କିଏ ସାଜେ ସଦାଚାରୀ ତପସ୍ୱୀ ତ
କିଏ ଉନ୍ମାଦ ବ୍ୟଭିଚାରୀ ସୌଦାଗର
କାହିଁକି ଏ ଅବିଚାର  ???
ଦୁନିଆଁର ପଣ୍ୟଶାଳାରେ ତୁମେ
ଏକଛତ୍ରବାଦୀ ସମ୍ରାଟ
ଅସାମଞ୍ଜସ୍ୟ ଅସମଭାବାପନ୍ନ ଧର୍ମରେ
ଟାଣିଲ ପାର୍ଥକ୍ୟର ବକ୍ରରେଖା
ମାତ୍ର ବ୍ୟର୍ଥ ଆଶା ତୁମ
ସଭିଙ୍କ ସମାନ୍ତରାଳ ସଫଳତାର.
କାହିଁକି ଏ ଅବିଚାର  ???
ସ୍ରଷ୍ଟା ତୁମେ ସ୍ୱୟଂ ଅଧୀଶ୍ୱର
ଏ ଦୁନିଆଁ ରଙ୍ଗମଞ୍ଚର ଶ୍ରେଷ୍ଠ କଳାକାର
ତୁମ ବିଚିତ୍ର ଭାବନା ବିସ୍ମୟ ଅନ୍ତର
ତୁମେ ପରା ମଙ୍ଗଳମୟ
ସକଳ ପ୍ରାଣୀଙ୍କ ମଙ୍ଗଳକର
ହେ ଈଶ୍ୱର.....
 ତୁମକୁ ମୋ କୋଟି ନମସ୍କାର॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,କେନ୍ଦୁଝର

Post a Comment

0 Comments