Information

କ୍ଷୁଦ୍ରଗଳ୍ପ - ଏକ ଦରଦୀ ଆତ୍ମାର ଅନ୍ତର୍ଧ୍ୱନି - ନାରାୟଣ ଚନ୍ଦ୍ର ସେନାପତି


ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳଦେଶରେ ଅନେକ ଘର୍ମବିନ୍ଦୁ...। ବେଡରୁମର ଝରକାପାଖରେ ଥିବା ଥୁଣ୍ଟା ଆମ୍ବଗଛଟା ଉପରୁ ଭାସିଆସୁଥିବା ଡାମରାକାଉର କର୍କଶଭାବ ଖୁବ୍ ଅସହ୍ୟବୋଧ  ହେଉଛି ତାଙ୍କୁ।ଅନେକ ଅସମାହିତ ପ୍ରଶ୍ନଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ।ହଟାତ୍ ଟେଲିଫୋନର କ୍ରିଙ୍ଗ କ୍ରିଙ୍ଗ ଆବାଜରେ ନିଜକୁ ପ୍ରକୃତିସ୍ଥ କରିନେଲେ  ବିଶ୍ୱଜିତ୍...। ଅତି ସନ୍ତର୍ପଣରେ ରିସିଭ୍ କଲେ ଫୋନକଲ୍ । ଟାଉନ୍ ଥାନା ଇନ୍ସପେକ୍ଟରଙ୍କ ଡାକରା, ମହାନଦୀ ବ୍ରିଜରୋଡ୍ ଉପରେ ଏକ ଆକସ୍ମିକ ଦୁର୍ଘଟଣାରେ, ମୃତ ଜନୈକା ବୃଦ୍ଧାଙ୍କ ହାତରୁ ହସ୍ତଗତ ହୋଇଥିବା ଏକ ହାତଲେଖାଚିଠିରେ ଲେଖାଅଛି, ତାଙ୍କ ନାମ ଓ ଠିକଣା।ଭୟ ଓ ଆଶଙ୍କାର ଭୂତାଣୁଗୁଡାକ କଲବଲ କଲା ତାଙ୍କୁ।କିଏ, କାହିଁକି.. ଆଦି ପ୍ରଶ୍ନବାଚକ ଚିହ୍ନର ମହାରଥୀମାନେ ଘୁରିବୁଲିଲେ ଠିକ୍ ଚକ୍ରବ୍ୟୁହ ପରିକ୍ରମଣ ପରି । ଗତକାଲି ମା' ନୁହଁ ବୋଲି କହି ଯେଉଁ ମା'କୁ ସେ ସିକ୍ୟୁରିଟି ହାତରେ ଧକ୍କାଦେଇ ବାହାର କରିଦେଇଥିଲା, ସେଇ ମା' ନୁହଁ ତ ?  ହୃତସ୍ପନ୍ଦନର ତ୍ୱରଣ ତାଙ୍କୁ ଅସହାୟ  କରିଦେଉଥିଲା । ବ୍ୟସ୍ତ ବିବ୍ରତରେ ଅହଙ୍କାରୀ ଅଡିକାରରେ ଚଟାପଟ୍ ବାହାରିପଡିଲା ସେ ଉତ୍କଣ୍ଠାକୁ କାନ୍ଧରେ ବସାଇ । ଘଟଣାସ୍ଥଳୀରେ ଭିଡ ହଟାଇ ଯାହା ଦେଖିଲେ ତାଙ୍କ ଆଖି ବାରମ୍ବାର ବିଶ୍ୱାସ କରିବାକୁ ମନାକରୁଥିଲା । ପ୍ରାଚୁର୍ଯ୍ୟ ଓ କ୍ଷମତାର କାଚମହଲଟା ସତେ ଯେମିତି ଭାଙ୍ଗିତୁଟି ଚୁରମାର ହୋଇଗଲା ତାଙ୍କ ବୁକୁଫଟା ଚିତ୍କାରରେ । ଲୁହର ବନ୍ୟାରେ ବୁଡିଗଲା ତାଙ୍କ ଭରସାର ତରୀଟା । ତାଙ୍କ ଅମଣିଷପଣିଆକୁ ଶତବାର ଧକ୍କା ମାରୁଥିଲା ବିବେକ । କାରଣ ସେ ଥିଲେ ତାଙ୍କ ଅନ୍ଧୁଣି ମା' । ଯିଏ ବୁକୁଚିରା ରକ୍ତ ପିଆଇ ଗଢିଥିଲା ତାଙ୍କ ଜୀବନ, ଯିଏ ନିଜ ଜୀବନକୁ ତିଳତିଳ ଦଗ୍ଧ କରି ଫୁଟାଇଥିଲା ତା ଅଧରରେ ହସର ଗୋଲାପ, ତାଙ୍କୁ ସେ ପରୋକ୍ଷରେ ମାରି ସାଜିଲା ମାତୃହନ୍ତା ! ନିଜକୁ ଶତ ଧିକ୍କାର କରି ଶୁଷ୍କ ଚଟାଣରେ ପିଟୁଥିଲା ତା କ୍ରୀତଦାସର ମୁଣ୍ଡ । 
     
କନେଷ୍ଟବଳ ଧରାଇଦେଲେ ଅନ୍ଧୁଣୀ ମା' ହାତରୁ ମିଳିଥିବା ଚିଠିଖଣ୍ଡକ । ଆବେଗଭରା କଣ୍ଠରେ ଏକ ଲୟରେ ପଢିଚାଲିଲେ ବିଶ୍ୱଜିତ୍ ନିଜ ଦରଦୀ ମାଆର ହୃଦୟର କେଇପଦ ଶେଷକଥା । ବାବା ରେ... ଯମପୁରରୁ ମୋତେ ଡକରା ଆସିଲାଣିରେ ଧନ । କହିବି କହିବି ବୋଲି ରହିଯାଇଥିବା ଅକୁହା କଥାକୁ କହୁଛି ମନଦେଇ ବୁଝି କାମରେ ଲଗାଇବୁ । ଦୁଇମାସର  ହୋଇଥିଲୁ, ଅସାଧ୍ୟ ରୋଗରେ ପଡିଲୁ । ସମସ୍ତେ କହିଲେ ବଞ୍ଚିବୁନି, ଆଖିରୁ ନିଦ ହଜିଗଲା । ଜମିଖଣ୍ଡିଏ ବିକି ବଡ ଡାକ୍ତରଖାନା ନେଲି, କେତେ ଦିଅଁ ଦେବତାଙ୍କୁ ଡାକିଲି । ଠାକୁର ମୋ କଥା ଶୁଣିଲେ, ତୁ ଭଲ ହୋଇଗଲୁ ସିନା ହେଲେ ସାରା ଜୀବନ ଅନ୍ଧ ହୋଇଗଲୁ । ଭାବିଲି ମୋ ଆଖିଥାଇ ଲାଭ କ'ଣ, ତୋ ଆଖିରେ ମୁଁ ଦୁନିଆଁ ଦେଖିବି । ତୋତେ ଆଖିଦୁଇଟା ଦେଲି ମାତ୍ର ଦେଇଛି ବୋଲି କେବେ ବି କହିନି କାରଣ କାଳେ ଜାଣିଲେ ତୁ ନିଜକୁ ଅସହାୟ ମନେ କରିବୁ । ତୁ ମୋତେ ବହୁତ ଭଲ ପାଉଥିଲୁ । ସାଥିମାନେ ଅନ୍ଧୁଣୀ ପୁଅ କହି ଚିଡାଇବାରୁ ଧିରେ ଧିରେ ମୋତେ ଘୃଣାକରି ବସିଲୁ । ବଡ ହେଲୁ, ଚାକିରୀ କଲୁ, ବିବାହ କଲୁ, ସ୍ତ୍ରୀ କଥାରେ ମୋତେ ଭୁଲିଗଲୁ, ଘୃଣାବି କଲୁ ଆଉ.. ମୋତେ ପଚାରିଲୁ ନାହିଁ । ଆଉ ଗୋଟେ ଏମିତି କଥା କହିବିରେ ଧନ ଶୁଣିଲେ ତୋ ପାଦ ତଳୁ ମାଟି ଖସିଯିବ । ତୁ ଏକ ଅବୈଧ ସନ୍ତାନ । ତୋ କୁଆଁରୀ ମା'ଟାକୁ ଆତ୍ମହତ୍ୟାରୁ ବଞ୍ଚାଇବାକୁ ଯାଇ ତୋତେ ପାଳିଥିଲି । ତା ସର୍ତ୍ତରେ ରାଜିହେଲି ସତ ହେଲେ ମୋ ସ୍ୱାମୀର  ସନ୍ଦେହରେ ବି ମୋ ସଂସାର ଉଜୁଡିଗଲା । କେତେ ଆଶା ଥିଲା.. ହେଲେ....। ଜୀବନରେ ଅନ୍ଧ, ଛୋଟା ଅସହାୟଙ୍କୁ ଦେଖି ଘୃଣା, ପରିହାସ କରିବୁନି । ମୋ କଥା ରଖିବୁ, ତୋ ଜନ୍ମକଲା ମା'କୁ ଖୋଜିବୁ, ବିଚାରୀକୁ ଭୁଲ୍ ବୁଝିବୁ ନାହିଁ । ଇତି ତୋର ହତଭାଗିନୀ ମା' ।

ବିଶ୍ୱଜିତର ଆତ୍ମାର ଆକାଶଟା ସତେ ଯେମିତି ଛିଡିପଡିଲା । ଅନ୍ଧୁଣି ମା'ର ଶବକୁ ଧରି ବାହୁନି କାନ୍ଦିଲା । ମା ସହ ପିଲାଦିନର ଅଭୁଲାସ୍ମ୍ରତିସବୁ ନାଚି ଉଠିଲା ତା ଆଗରେ । ତା ସ୍ନେହ ଓ ତ୍ୟାଗର  ଅପୂର୍ବ ପୁଲକ ତା ହୃଦୟକୁ ଆନ୍ଦୋଳିତ କଲା । ଶତ ଧିକ୍କାର କଲା ନିଜକୁ । ସମବେଦନାର ବୁଢୀ ଅସୁରାଣୀଟ ତାକୁ ରାମ୍ପୁଡି ପକାଇଲା । ତା ବିବେକ ଶତ ଧିକ୍ କରି କହିଲା ଛି  ଛି ରେ ବିଶ୍ୱଜିତ୍ ଧିକ୍ ତୋ ପୁଅପଣିଆ । ଭିଡ ଭିତରୁ ଶୁଣିବାକୁ ପାଇଲା ଏଟା ଗୋଟେ ଅମଣିଷ,  କୁଳାଙ୍ଗାର, ଏଭଳି ପୁଅ ଜନ୍ମ ହେବା ଆଗରୁ ମରିଯାଇଥିଲେ ଭଲ ହୋଇଥାନ୍ତା । ପରିତାପର ବହ୍ନିରେ ନିଜକୁ ଦଗ୍ଧ କଲା ସେ । ନିଜକୁ କୃତଘ୍ନ, ଅମଣିଷ, ଅହଙ୍କାରୀ ଓ ଆଭିଜାତ୍ୟରେ ଅନ୍ଧ କ୍ରୀତଦାସ ଭାବି ଆତ୍ମହତ୍ୟା କରିବାକୁ ସିଦ୍ଧାନ୍ତ ନେଲା । ମାତ୍ର ଆତ୍ମହତ୍ୟା ଯେ ମହାପାପ । ଦୂର ଦିଗବଳୟକୁ ଚାହିଁଲା । ଭସାବାଦଲ ଫାଙ୍କରୁ ସତେ ଯେମିତି ତା ମା  ଇଙ୍ଗୀତ ଦେଉଥିଲା ତା ଶେଷଇଚ୍ଛା  ପୂରଣ କରିବାକୁ । ସେଇଦିନୁ ନିଜ ଜନ୍ମଦାତ୍ରୀର ଅନ୍ୱେଷଣରେ ଚାଲିଲା ବିଶ୍ୱଜିତ୍...॥

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ,
ତେଲକୋଇ, ଜିଲ୍ଲା - କେନ୍ଦୁଝର, ପିନ୍ - ୭୫୮୦୧୯

Post a Comment

0 Comments