Information

ଦୁଃଖ ଧରିଛି ଜାବୁଡି - କୁମୁଦ ଚନ୍ଦ୍ର ଦଳେଇ


ମାଟି ମାଆର ଦାୟାଦ ସିଏ
                      ଦୁଃଖ ଧରିଛି ଜାବୁଡି ।
ଦେହରୁ ଝାଳ ଯାଉଚି ଶୁଖି
ଲୁଣ ପ୍ରଲେପ ହୋଇଛି ମାଖି
ଶରିର ସାରା କାଦୁଅ ପାଣି
ଅସ୍ତି ପଞ୍ଜରା ହେଉଛି ଗଣି
ହସ ଫୁଟାଇ ସବୁରି ମୁଖେ
                       ଆଧାର ଦିଏ ଯୋଗାଡି... ।
ମୁଣ୍ଡରେ ଠେକା ଦେଇଚି ଭିଡି
ମୁଣ୍ଡର ଝାଳ ତୁଣ୍ଡରେ ମାରି
ଚାଷ କୁ କରି ନିଜ ବେଉଷା
ଶେଜ ଛଡାଇ ଫଟାଇ ଉଷା
ତାହାକୁ ଦେଖି ସୂରୁଜ ଉଠେ
                     ପୂରୁବେ ମୁଣ୍ଡ ଟୁଙ୍ଗାରି .. ।
ଆହାର ତାର ଶାଗ ପଖାଳ
ବସଟି ନଡ଼ା ଛପର ଚାଳ
ପ୍ରକୃତି ସୁଖ ଦିଏ ଓଗାଳି
ଚନ୍ଦ୍ର ସୂରୁଜ କରନ୍ତି କେଳି
ମାଘର ଜାଡେ ଶିରାଳ ଦେହ
                       କତରା ଧାରେ କାମୁଡି..  ।
ପୁଙ୍ଗୁଳା ଦେହ ନୁଖୁରା ବଳ
ଅଭାବେ ସଦା କାଟୁଛୁ କାଳ
ବାଧକ ଶିଶୁ କାଖରେ ଧରି
ଭାରିଯା ତାର ସୁଖ ସୁମରି
ଲୋତକ ଢାଳି ଠାକୁର ପାଶେ
                      ମୁଣ୍ଡ ଦିଅଇ କଚାଡି.. ।
ପଢିନି ପାଠ ସି ଅକ୍ଷର
ସଭିଙ୍କର ସେ ହୁଏ ଶିକାର
ସୁଖ ତା ପାଇଁ ସଦା ମାହାଙ୍ଗା
ଚଳାଇ ନିଏ ସଂସାର ଡଙ୍ଗା
ମନ ବଳକୁ ଦୃଢତା କରି
                ସୁଖ ଦେଇଚି ଫୋପାଡି . ।
କେଉଁଟି ରାତି ଯେଉଁଟି ଦିନ
ସବୁ ତା ପାଇଁ ଅଟେ ସମନ୍
ସୂରୁଜ ଦେବ ଗଲେ ବାହୁଡି
ବାସ କୁ ଫେରେ ଅନ୍ଧାର ହୁଡ଼ି
ମସିଣା ପାରି ଦାଣ୍ଡ ଦୁଆରେ
                  ମରୁଚି କ୍ଷଣେ ଘୁଙ୍ଗୁଡ଼ି.. ।
ଗୋଟିଏ କଥା ଜାଣଇ ଦିଏ
ମାଟି ମାଆ ର ଦାୟାଦ ସିଏ
ମାଆ ର ମୁଖେ ଫୁଟାଇ ହସ
 ଛାଡିବ ଦିନେ ଶେଷ ନିଶ୍ଵାସ
ତାହାରି କୋଳେ ବିଲୀନ ହେବ
             ମାଟିକୁ ଦନ୍ତେ କାମୁଡି... ।

କୁମୁଦ ଚନ୍ଦ୍ର ଦଳେଇ

Post a Comment

0 Comments