Information

ଶିଶୁଗଳ୍ପ - ବୋକା କୁମ୍ଭୀର - ରମେଶ ଚନ୍ଦ୍ର ମିଶ୍ର


ଗୋଟିଏ ନଦୀରେ କୁମ୍ଭୀରଟିଏ ତା'ର ସ୍ତ୍ରୀ ସହିତ ରହୁଥିଲା । ସେଇ ନଦୀକୂଳରେ ଗୋଟିଏ ଜାମୁଗଛ ଥିଲା । ଗଛରେ ବହୁତ ଦିନରୁ ମାଙ୍କଡଟିଏ ବାସ କରୁଥିଲା । ଜାମୁଗଛରେ ଯେତେବେଳେ ଜଜାମୁକୋଳି ପାଚେ, ମାଙ୍କଡଟି ମନ ଆନନ୍ଦରେ ଖାଏ । ଗଛରୁ ତୋଳୁତୋଳୁ ଯାହା ଖସିପଡେ, ପାଣିରୁ ଛାଣି କୁମ୍ଭୀରଟି ଖାଏ । ଜାମୁକୋଳି ତା' ପାଟିକୁ ବହୁତ ସୁଆଦ ଲାଗେ । ତେଣୁ ଅକଲ ଖଟାଇ କୁମ୍ଭୀରଟି ମାଙ୍କଡ ସହିତ ମଇତ୍ର ବସିଲା । ମନରେ ରହିଲାମାଙ୍କଡ ସାହାଯ୍ୟରେ ସେ ଜାମୁକୋଳି ବହୁତ ଖାଇବ ଓ ତା' ସ୍ତ୍ରୀକୁ ଖୁଆଇବ । ସବୁଦିନେ ମାଙ୍କଡ ନିଜେ ଜାମୁକୋଳି ଖାଏ ଗଛକୁ ଝୁଣି ମାଙ୍କଡ ପାଇଁ କୋଳି ପକାଇଦିଏ । କୁମ୍ଭୀର ମନଇଚ୍ଛା ଖାଏ, ତା' ସ୍ତ୍ରୀପାଇଁ କିଛି ନେଇଯାଏ । କୁମ୍ୟଭୀରର ସ୍ତ୍ରୀ ମନ ଆନନ୍ଦରେ ଖାଏ ।

ଏଇମିତି କିଛିଦିନ ଚାଲିବା ପରେ ଦିନେ କୁମ୍ଭୀରୁଣୀ ତା' ସ୍ବାମୀକୁ କହିଲା, "ହଇଓ ! ଜାମୁକୋଳି ତ ଏତେ ମିଠା, ଏଇ କୋଳି ଯିଏ ନିତିଦିନ ଖାଉଛି, ତା' କଲିଜାଟା କେତେ ମିଠା ହେଇଥିବ ! ଆହା ! ତୁମ ମଇତ୍ରଙ୍କୁ ଆମ ଘରଆଡେ ଡାକନ୍ତନି ? କୁମ୍ଭୀର କହିଲା, "ହଁ, ମିଠା ତ ହେଇଥିବ, ତେବେ ଡାକିବି କେମିତି ?" କୁମ୍ଭୀରୁଣୀ କହିଲା, "ମଇତ୍ରାଣୀ ଡାକୁଛନ୍ତି ବୋଲି କହିବ ।" କୁମ୍ଭୀର କହିଲା, "ମଇତ୍ରଙ୍କୁ ଠକି ଏପରି କରିବା ଭୁଲ୍ ହେବ । ଏ କଥା ତମେ କହନା ।" ସେଇଠୁ କୁମ୍ଭୀରୁଣୀ କହିଲା, "ତା' କଲିଜା ନଦେଲେ ମୁଁ ନଖାଇ ନପିଇ ମରିବି ।" ଆଉ ବା କୁମ୍ଭୀର ବିଚରା କରେ କ'ଣ ? ବାଧ୍ୟହୋଇ ଡାକିବ ବୋଲି କହି ଗଛମୂଳକୁ ଗଲା ।

ସେଦିନ କୋଳି ଖାଇବାପରେ କୁମ୍ଭୀର ମଇତ୍ରାଣୀ ତୁମକୁ ଡାକୁଛନ୍ତି ବୋଲି କହିଲା । ମାଙ୍କଡ ପ୍ରଥମେ ନାମଙ୍ଗ ହେବାରୁ କୁମ୍ଭୀର କହିଲା, "ମଇତ୍ରେ, ତୁମକୁ ଦେଖିବାକୁ ତା'ର ଏକା ଯିଦ୍ । ନଦେଖିଲେ ତୁମ ମଇତ୍ରାଣୀ ଆଉ ଖିଆପିଆ କରିବ ନାହିଁ ବୋଲି ପଣ କରିଛି । ଏବେ ବିଚାର କର, ଯିବ ନା ନାହିଁ । ମାଙ୍କଡ କହିଲା, "ତେବେ ମୁଁ ଯିବି କିପରି ? ପାଣିରେ ତ ମୁଁ ଯାଇପାରିବି ନାହିଁ ।" କୁମ୍ଭୀର କହିଲା, "ମୋ ପିଠିରେ ବସ, ମୁଁ ତୁମକୁ ନେବି, ପୁଣି ଏଇଠି ଆଣି ଛାଡିଦେବି ।"

ଏବେ କୁମ୍ଭୀର ପିଠିରେ ମାଙ୍କଡ ବସିଲା ଓ ସେମାନେ କୁମ୍ଭୀରର ଘରଆଡକୁ ଚାଲିଲେ । ଅଧା ବାଟ ଯିବାପରେ ମଝିନଈରେ କୁମ୍ଭୀର ଭାବିଲା- ଏଥର ସତକଥାଟା କହିଦେଲେ ବି ମାଙ୍କଡ ତ ଆଉ ଯାଇପାରିବ ନାହିଁ । ଏଇଆ ଭାବି ଅସଲ କଥାଟା କହିଦେଲା ।

ମାଙ୍କଡ ବଡ ଚିନ୍ତାରେ ପଡିଗଲା । ଏବେ ସେ କରିବ କ'ଣ ? କୁମ୍ଭୀର କଥାରେ ବିଶ୍ବାସ କରି ତା'ର ଜୀବନ ଯିବ । ହଠାତ୍ ସେ ଅକଲ ଖଟାଇଲା ଓ କହିଲା, "ମଇତ୍ରେ, ଏଇ କଥାଟା ତୁମେ ମୋତେ ଆଗରୁ କହିଲ ନାହିଁ ? ଏଥିରେ ଲୁଚେଇବାର କ'ଣ ଅଛି ? ମୁଁ ତ ମୋ କଲିଜାଟା ଗଛ କୋରଡରେ ରଖିଦେଇଛି । ଆଣିଛି ଯେ ମଇତ୍ରାଣୀ ଖାଇବେ ?" କୁମ୍ଭୀର ମାଙ୍କଡର ଅକଲ ବୁଝିପାରିଲା ନାହିଁ । ସେ ପଚାରିଲା, "ତେବେ କ'ଣ କରିବା ?" ମାଙ୍କଡ କହିଲା, "ପଛକୁ ଫେର, ଗଛରୁ କଲିଜା ଧରିବା, ପୁଣି ଫେରିବା ।" ମାଙ୍କଡର କଥାକୁ ବିଶ୍ବାସ କରି କୁମ୍ଭୀର ଫେରିଲା ।

ଗଛମୂଳକୁ ପହଞ୍ଚୁ ନପହଞ୍ଚୁଣୁ ମାଙ୍କଡ ଏକା କୁଦାକେ ଗଛ ଉପରକୁ ଚଢିଗଲା । ମାଙ୍କଡ ନଫେରିବା ଦେଖି କୁମ୍ଭୀର ଡାକିଲା, "ମଇତ୍ରେ, ଡେରି ହଉଚି, ଶୀଘ୍ର ଆସ, ପୁଣି ତମକୁ ଫରେଇବାକୁ ହବ ଯେ ।" ଏଥର ଠୋ ଠୋ ହସି ମାଙ୍କଡ କହିଲା, "ରେ ବୋକା କୁମ୍ଭୀର! କଲିଜା କ'ଣ ଦେହରୁ ଅଲଗା ରହେ ? କଲିଜା ଛାତି ଭିତରେ ଥାଏ । ତୋତେ ଭଲପାଇ କୋଳି ଦେଲି । ତୁ ମୋର ଜୀବନ ନବାକୁ ଚିନ୍ତା କଲୁ । ତୁ ଗୋଟେ ବିଶ୍ବାସଘାତକ । ତୋ ସହ ମିତ୍ରତା କରିବା ମୋର ଭୁଲ୍ ଥିଲା । ଯାଃ, ଆଉ କେବେ ଗୋଟିଏ ବି କୋଳି ପାଇବୁ ନାହିଁ ।"

କାନମୁଣ୍ଡା ଆଉଁସି କୁମ୍ଭୀର ତା' ଘରକୁ ଫେରିଲା । ନିଜର ଉପସ୍ଥିତ ବୁଦ୍ଧି ଥିବାରୁ ମାଙ୍କଡ ଜୀବନ ବଞ୍ଚାଇଲା ସିନା ! ମନେ ମନେ ପ୍ରତିଜ୍ଞା କଲା ଯେ ଆଉ କେବେ ବି କାହାକୁ ହଠାତ୍ ସହଜରେ ବିଶ୍ବାସ କରିବ ନାହିଁ ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ
ବଇଣ୍ଡା, ଅନୁଗୋଳ

Post a Comment

0 Comments