Information

ପ୍ରବନ୍ଧ - ବର୍ଷା - ପବିତ୍ର କୁମାର ନାୟକ


ଯାହାର ଆଗମନରେ ମନ ପ୍ରାଣରେ ଏକ ଅକୁହା ଆବେଗ ଜନ୍ମ ନିଏ, ସୁପ୍ତ ସାଜିଥିବା ପ୍ରତ୍ୟେକ ଜୀବନ ଚଳ ଚଞ୍ଚଳ ହୋଇ ଯାଏ, ଯାହାର ପହିଲି ସ୍ପର୍ଶରେ ଧରଣୀ ମୁଖରିତ ହୋଇ ସବୁଜ ବସ୍ତ୍ର ପିନ୍ଧିଥାଏ ସେ ହିଁ ତ ବର୍ଷା  । ଉତ୍ତପ୍ତ ଧରଣୀ ଯେବେ ବ୍ୟତିବ୍ୟସ୍ତ ହୋଇଯାଏ ସେତେବେଳେ ମାଡ଼ି ଆସେ କଳା ବାଦଲ । କ୍ଷଣିକ ଭିତରେ ବ୍ୟାପିଯାଏ ସମ୍ପୂର୍ଣ୍ଣ ଆକାଶକୁ ! ତା' ପରେ ଆରମ୍ଭ ହୋଇଯାଏ ବର୍ଷା । ଯେମିତି ଧରଣୀ ରାଣୀର କାକୁତି ସହି ନ ପାରି ନିଜର ସର୍ବସ୍ବ ସମର୍ପି ଦିଏ କିଛି ସମୟ ଭିତରେ । ପ୍ରତ୍ୟେକ ଜୀବନ୍ତ ମନରେ ହସ ଭରିଦିଏ ବର୍ଷା । ଆକାଶରେ ମେଘମାଳ ଯେବେ ବିଚରଣ କରିବାରେ ଲାଗନ୍ତି, ଲାଗେ ଯେମିତି ଆଜି ବର୍ଷାରାଣୀ ମନଭରି ଭିଜେଇ ଦେବ ପ୍ରାଣୀ ଜଗତକୁ । କିନ୍ତୁ କାହିଁ ସେ ମେଘ  ?  ଏଇ ତ କିଛି ସମୟ ପୂର୍ଵରୁ ତା'ର ଗର୍ଜନରେ  ଚତୁର୍ଦ୍ଦିଗ  କମ୍ପି ଯାଉଥିଲା । ପୁଣି କ୍ଷଣିକ ଭିତରେ କେଉଁଠି ଉଭାନ ହୋଇଗଲା । 

କେଉଁ ଅୟୁତ ଯୁଗରୁ ତ ଏ ପ୍ରକ୍ରିୟା ଚାଲି ଆସିଛି । ହଁ, ଆଜି କିନ୍ତୁ ନିଶ୍ଚୟ କିଛି ବ୍ୟତିକ୍ରମ ଘଟିଛି । ବର୍ଷାର ଅନିୟମିତତା ଆଉ ଅନିଶ୍ଚିତତା ଆଜି ସମସ୍ତଙ୍କ ପାଇଁ ସାଧାରଣ କଥା  ହୋଇ ଯାଇଛି । କିନ୍ତୁ ଦୁଃଖର ବିଷୟ ଆଜି କାହାରି ମନରେ ସେଥି ପ୍ରତି ନିଘା ନାହିଁ ।  ଆମେ କେବେ ଚିନ୍ତା କରିଛନ୍ତି ଏ ସବୁ କାହିଁକି ଘଟୁଛି  ? ହଁ, ଅବଶ୍ୟ ଭାବିବା କାହିଁକି : ଆମେ ତ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ  ! କଥା ହେଉଛି ଆମେ ଯେଉଁ ବର୍ଷାକୁ ଦେଖୁଛେ, ସେ ବର୍ଷା କେଉଁଠୁ ଓ କେମିତି ଆସୁଛି  ? ଋତୁ ପରିକ୍ରମଣରେ ଯେତେବେଳେ ପୃଥିବୀକୁ ଗ୍ରୀଷ୍ମ ଋତୁ ଛୁଇଁଯାଏ, ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ବିଶାଳ ସମୁଦ୍ର ,ହ୍ରଦ,ନଦ,ନଦୀ ତଥା ଜଳାଶୟରୁ ପ୍ରଚୁର ପରିମାଣରେ ଜଳ ବାଷ୍ପୀଭୂତ  ହୋଇ ବାୟୁ ମଣ୍ଡଳରେ ଏକତ୍ରିତ ହୋଇଥାଏ ।
  
ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ଏକତ୍ରିତ ହେବାରେ ବୃକ୍ଷ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭୂଗର୍ଭସ୍ଥ ଜଳ ବୃକ୍ଷ ତା'ର ଚେର ମାଧ୍ୟମରେ ଗ୍ରହଣ କରି ସେହି ଜଳକୁ  ନିଜର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଏ  । ଖାଦ୍ୟ ପ୍ରସ୍ତୁତି ପରେ ବାକିତକ ଜଳ ଜଳୀୟ ବାଷ୍ପ ଆକାରରେ ପତ୍ର ମାଧ୍ୟମରେ ବାୟୁ ମଣ୍ଡଳକୁ ଛାଡ଼ିଦିଏ । ଏବଂ ଏହି ଜଳୀୟ ବାଷ୍ପ କ୍ରମଶଃ ଏକତ୍ରିତ ହୋଇ ଭାସମାନ ଅବସ୍ଥାରେ ଖୋଲା ଆକାଶରେ ଅନବରତ ଘୁରି ବୁଲୁଥାଏ । ଯେତେବେଳେ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ କୌଣସି ଏକ ଉଚ୍ଚ ପର୍ବତ ମାଳା କିମ୍ବା ଉପତ୍ୟକାରେ ବାଧା ପାଏ ସେଠାରେ ଜଳୀୟ ବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି କରେ । ମେଘ ସବୁ ଘନୀଭୂତ ହୋଇ ବିନ୍ଦୁ ବିନ୍ଦୁ ବର୍ଷା ଆକାରରେ ଭୂପୃଷ୍ଠରେ ପଡ଼ିଥାଏ ଯାହାକୁ ଆମେ ବର୍ଷା କହିଥାଉ । ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ବର୍ଷା ହେଉଥିଲେ ମଧ୍ୟ ଆମେ ପ୍ରକୃତିର ଏହି ଅମୂଲ୍ୟ ସମ୍ପଦର ଆଜି ଯାଏଁ ସଦୁପଯୋଗ କରି ପାରିନାହୁଁ, ଯାହା  ନିଶ୍ଚିତ ରୂପେ ଚିନ୍ତାର ବିଷୟ ।
          
ସରକାରୀ ସ୍ତରରେ କିଛି କିଛି କାର୍ଯ୍ୟକାରୀ ହେଲେ ମଧ୍ୟ ସର୍ବସାଧାରଣର ଆବଶ୍ୟକତା ଅନୁଯାୟୀ ବର୍ଷା ଜଳର ସମ୍ପୂର୍ଣ ରୂପେ ରକ୍ଷଣା ବେକ୍ଷଣ ହୋଇ ପାରୁନାହିଁ । ବର୍ଷା ଜଳର ସଠିକ ବିନିଯୋଗ କରିଲେ ନିଶ୍ଚୟ ରୂପେ ଜଳ ସଙ୍କଟ ଭଳି ସମସ୍ୟା ଉପୁଜିବ ନାହିଁ। ଯଥା ସମ୍ଭବ ବୃକ୍ଷ ରୋପଣ କରିବା ଦ୍ୱାରା ବର୍ଷା ଜଳ ଅଯଥାରେ ଏଣେ ତେଣେ ବୋହି ନ ଯାଇ ବରଂ ବୃକ୍ଷ ସାହାଯ୍ୟ ରେ ଭୂପୃଷ୍ଠରେ ପ୍ରବେଶ କରିବ । ଯାହା ଦ୍ୱାରା ଭୂଗର୍ଭରେ ପୁନଶ୍ଚ ଜଳର ପରିମାଣ ପୂର୍ଵ ଅବସ୍ଥାକୁ ଫେରି ଆସିବ ।

ଭୌଗୋଳିକ ଦୃଷ୍ଟି କୋଣରୁ ଦେଖିଲେ ସୌର ଜଗତର ଆଠଟି ଗ୍ରହ ମଧ୍ୟରୁ ଆମ ପୃଥିବୀ ଏକ ଏମିତି ଗ୍ରହ ଯେଉଁଠି ଜୀବନ ସମ୍ଭବ । ଜୀବନ ପାଇଁ ଜଳ ନିହାତି ଆବଶ୍ୟକ । ସତରେ ଆମେ କେଡେ ଭାଗ୍ୟବାନ ଯେଉଁଠି ଋତୁ ଚକ୍ର ଅନବରତ ଆସନ୍ତି ଓ ଯାଆନ୍ତି, ଆଉ ଭିନ୍ନ ଭିନ୍ନ ସମୟରେ କିଛି ଭିନ୍ନ ଭିନ୍ନ ସ୍ୱାଦ ପରଶି ଦିଅନ୍ତି । ସେମିତି ଦେଖିବାକୁ ଗଲେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟକୁ ଛାଡିଦେଲେ ବର୍ଷା ଅନ୍ୟ କୌଣସି ସମୟରେ ହୁଏନାହିଁ । ହଁ, ଆଜି ପାଣିପାଗ ବଦଳି ଯାଇଛି । ଆଷାଢ଼ର ପହିଲି ଛୁଆଁରେ ଆଉ ପୂର୍ଵ ଭଳି ମହକ ନାହିଁ, ଶ୍ରାବଣରେ ଝଡି ନୁହେଁ ଵରଂ ମରୁଡି ରଡି ଛାଡୁଛି ! ମରୁଭୂମି ପ୍ଲାବିତ ହେଉଛି ଆଉ ଚିର ହରିତ୍ ଅରଣ୍ୟ ତା'ର ସବୁଜିମା ହରାଉଛି । ଆଜି ବିଶାଳ ସମୁଦ୍ର ପଛଘୁଞ୍ଚା ଆଉ ବିସ୍ତୀର୍ଣ୍ଣ ଜଳରାଶି ସଙ୍କୁଚିତ  ! ନଦୀ ଗୁଡ଼ିକ ବାଟବଣା ହୋଇ ତା'ର ଅସ୍ତିତ୍ବ ହରେଇଲେଣି । ପୁଷ୍କରିଣୀ ସବୁ ଶୁଖିଲା ଢି଼ଅ ପାଲଟି ଗଲେଣି।ବର୍ତ୍ତମାନ ପ୍ରଶ୍ନ ଏସବୁର ସମାଧାନ କେଉଁଠି  ?

ସବୁରି ମୂଳ କାରଣ ହେଉଛି ଆମେ ନିଜେ , ନା' ଆମେ ଜଙ୍ଗଲ ସମ୍ପଦ ନଷ୍ଟ କରିଥାନ୍ତେ ନା' ଆଜି ଏ ଦିନ ଆମକୁ ଦେଖିବାକୁ ପଡ଼ିଥାଆନ୍ତା । ତେବେ ସମୟ ଆମକୁ ବହୁତ ଥର ସୂଚେଇ ଦେଇଛି ; କିନ୍ତୁ ଆମେ ସମସ୍ତେ ସୁପ୍ତ ପ୍ରାୟ ସେସବୁକୁ ଅଣଦେଖା କରି ଚାଲିଛେ । ଯଦି ଗୋଟିଏ ମଣିଷ ଗୋଟିଏ ବୃକ୍ଷ ରୋପଣ କରେ ତା ହେଲେ ବହୁ ମାତ୍ରାରେ ଆମେ ଉପକୃତ ହେବା । କହିବା ଆଉ କରିବା ଭିତରେ ବହୁତ ତଫାତ୍ । ଆମେ ଆଜି କେବଳ କୁହାଳିଆ । ଆମ ପାଖେ ଢେର ସମୟ ଅଛି ଜଙ୍ଗଲ ସଫା କରିବା ପାଇଁ କିନ୍ତୁ ସମୟ ନାହିଁ, ବୃକ୍ଷଟିଏ ଲଗେଇ ତା'ର ଯତ୍ନ ନେବା ପାଇଁ । ଆମେ କେବେ ନିଜକୁ ପଚାରିଛେ  ? ଯେତେବେଳେ ନିରୀହ ବୃକ୍ଷ ଗୁଡିକୁ ନିର୍ମମ ଭାବେ ହାଣି ଦେଉ ସେ ଆମକୁ କେବେ ପ୍ରତିବାଦ କରିଛି  ? ଆମେ ପ୍ରକୃତି କୋଳରେ ବଢିଲେ ।  ନିଜ ସ୍ୱାର୍ଥ ପାଇଁ ଯାହା ଇଛା ସେଇଆ କଲେ ; କିନ୍ତୁ ସେ କେବେ ପ୍ରତିବାଦ କରିନି ବରଂ ନିଜର ସବୁକିଛି ସମର୍ପି ଦେଇ ଆଜି ସେ ହତାଶ ପାଲଟିଛି ।

ଧୀରେ ଧୀରେ ପୃଥିବୀରୁ ବୃକ୍ଷଲତା ଲୋପ ପାଇବା ହେତୁ ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ  ହେଉଛି । ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି । ଇଚ୍ଛା ଥିଲେ ଉପାୟ ନିଶ୍ଚୟ ଦେଖାଦିଏ । ଆମେ ଯଦି ସବୁ ଜାଣି ଅଜଣା ସାଜିଵା ତା'ହେଲେ ସେଦିନ ବି ଦୂର ନାହିଁ ଯେଉଁଦିନ ସାରା ପୃଥିବୀ ଜଳ ବିନା ମରୁଭୂମି ପାଲଟି ଯିବ ।

ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ

Post a Comment

0 Comments