Information

ବଙ୍କା ସିଧା - ନାରାୟଣ ଚନ୍ଦ୍ର ସେନାପତି


ସୌଭାଗ୍ୟର ଚନ୍ଦ୍ରମାଟା ଖିଲିଖିଲି ହସେ
ଯେତେବେଳେ
ଦୁର୍ଭାଗ୍ୟର ତମସାଟା
ଅମାନ୍ଧକାରରେ ମୁହଁ ଲୁଚେଇ କଇଁ କଇଁ କାନ୍ଦେ..।
ସୁଖର ବତାସଟା ଅଟ୍ଟହାସ୍ୟ କରେ
ଯେତେବେଳେ
ଦୁଃଖର ମରୀଚିକାଟା
ବୁନ୍ଦାଏ ଜଳ ପାଇଁ
ତପସ୍ୱୀ ପାଲଟିଯାଏ..।
ଭଲର ଝରକାଟା ମୃଦ୍ଯୁମନ୍ଦ ମଳୟରେ ମସଗୁଲ ହୁଏ
ଯେତେବେଳେ
ମନ୍ଦର ଶ୍ମସାନଟା... ଟିକିଏ ଭୁଲପାଇଁ
ବୁକୁ ଫଟାଇ ଚିତ୍କାର କରେ।
ନ୍ୟାୟର ତରାଜୁଟା ହଲଚଲ ହୁଏ
ଯେତେବେଳେ
ଅନ୍ୟାୟର ବଗିଚାରେ... କାକଟସ୍ ର କଣ୍ଟାଟା
ଫୋଡି କ୍ଷତ ବିକ୍ଷତ କରେ।
ବିଜୟର ଐରାବତଟା ସିଂହାସନ ଚଢେ
ଯେତେବେଳେ
ପରାଜୟର ନାଗସାପଟା
ଫଁ ଫଁ କରି ଦଂଶନ କରେ।
ହିଂସାର ରାକ୍ଷସଟା ଅନୁତପ୍ତ ବହ୍ନିରେ ଜର୍ଜରିତ ହୁଏ
ଯେତେବେଳେ
ଅହିଂସାର ପୂଜାଥାଳିରେ
ଭକ୍ତିର ଅର୍ଘ୍ୟଟା
ହାତଯୋଡି ପ୍ରଣିପାତ କରେ।
ବିଶ୍ୱାସର ଅପ୍ ସରୀଟା ନଇଁ ନଇଁ ଚାଲେ
ଯେତେବେଳେ
ଅବିଶ୍ୱାସର ଖଡ୍ଗଟା
ହିଂସ୍ର ହୋଇ ନିଜ ଶରୀରକୁ
ଖିନ୍ ଭିନ୍ କରେ।
ସତ୍ୟର ଦର୍ଶନଟା ଆଖିମିଟିମିଟି କରି ରାମରାଜ୍ୟ ଖୋଜେ
ଯେତେବେଳେ
ଅସତ୍ୟର ଗୁମ୍ଫାରେ ମଣିଷର ଅମଣିଷତା
ଅସହିଷ୍ଣୁ ପାଲଟିଯାଏ।
ବାଟର ଚୋରାବାଲିଟା ବନ୍ଦାପନା ଥାଳି ଧରି ଚାହିଁଥାଏ
ଯେତେବେଳେ
ଅବାଟର ସୁଅଟା ବନ୍ୟାପ୍ଳାବିତ କରି
ଅଣ ନିଃଶ୍ୱାସୀ କରିଦିଏ।
ଜୀବନର କୁଞ୍ଜବନଟା ରାହାସ ରଚେ
ଯେତେବେଳେ
ମରଣର ଶ୍ରୀମନ୍ଦିରରେ
ଗଙ୍ଗା ଜଳ ସ୍ୱର୍ଗପୁରୀକୁ
ଅମୃତ ଦେଇ ଅମର କରିଦିଏ।
ବଙ୍କା ପଥର ଅଭୀପ୍ସା ଉଙ୍କି ମାରେ
ଯେତେବେଳେ
ସିଧା ଆଲୋକର ରଶ୍ମି
ଅଇନାର ସତ ପ୍ରତିବିମ୍ବକୁ
ଜକ୍ ମକ୍ କରି... ଚମକ ଆଣିଦିଏ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments