Information

ଅଅଁଳା ନବମୀ - ନାରାୟଣ ଚନ୍ଦ୍ର ସେନାପତି


ଯେବେ ଆସେ ମୋ ଧରାକୁ
ଶୁଭ୍ରଦୀପ୍ତା ଶୁକ୍ଳପକ୍ଷ କାର୍ତ୍ତିକ ନବମୀ
ପ୍ରଭାତ ସିନାନ ସାରି
ପୂଜନ୍ତି ଭକତ ଗଣ ଅଅଁଳା ବୃକ୍ଷକୁ
ନାଶିବାକୁ ସବୁ ପାପ
କରନ୍ତି ସାଧନା ତପ
ସରାଗେ କହନ୍ତି.....
ମନୋବାଞ୍ଛା କରହେ ପୁରଣ
ହେ ତ୍ରିଭୂବନ ସ୍ୱାମୀ...ଅନ୍ତର୍ଯ୍ୟାମୀ॥
ବିଷ୍ଣୁଙ୍କର ପ୍ରିୟ ଫଳ ଅଅଁଳା ବୋଲି
ସବୁ ଦେବାଦେବୀଙ୍କ ମହଲ ସେ ତରୁ
ଭକତେ ଅର୍ପନ୍ତି ନୈବେଦ୍ୟ
ଦେଇ ସୁକୁମାର ଅଅଁଳାର ଫଳ
ପଢନ୍ତି ଲକ୍ଷ୍ମୀପୁରାଣ
କରନ୍ତି ବିଷ୍ଣୁ ସହସ୍ର ନାମ ପାରାୟଣ
ଧୂପ ପୁଷ୍ପ ଜଳ ଧରି
ସେ ବୃକ୍ଷର ଚତୁଃପାର୍ଶ୍ୱେ
ସପ୍ତଥର କରନ୍ତି ଭ୍ରମଣ
ଆକୁଳେ କୁହନ୍ତି....
ରଖ ରଖ ନାରାୟଣ॥
ପୂରୁବ ଦିଗକୁ ଚାହିଁ କରନ୍ତି ଆରତି
ସ୍ମରନ୍ତି ସକଳେ କହି ହେ କମଳାପତି
ସରାଗେ ଖୁଆନ୍ତି ପୁରୋହିତେ ଦେବାନ୍ନ
ସାନନ୍ଦେ କରନ୍ତି ଦାନ
ସ୍ୱର୍ଣ୍ଣ କିବା ବସ୍ତ୍ର
ପାଳନ୍ତି ଚକ୍ର ସଂହିତାର ଧର୍ମ
କହି ହେ ଚକ୍ରଧାରୀ
ନର ବା ପଶୁ ବଳିରୁ କରହେ ନିବୃତ୍ତ॥
ଅକ୍ଷୟ ନବମୀ କିବା କୁଶମଣ୍ଡା ନାମେ
ସତ୍ୟର ପରଶ ଖୋଜି
କରନ୍ତି ବିନତି
ଆସ ବିଷ୍ଣୁ..ଶଙ୍ଖ,ଚକ୍ର,ଗଦା..ପଦ୍ମେ
ନାଶି ପାପ ଦିଅ ଟିକେ ପୁଣ୍ୟ
ସଗୌରବେ ପାଳ ନରେ
ଦେଇ ତବ ଆଶିଷ ପିରତି॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments