Information

ଅଭିମାନିନୀ କବିତା - ନାରାୟଣ ଚନ୍ଦ୍ର ସେନାପତି


ତୁ ପରା ରୂପହୀନା ଅରୂପା
ବର୍ଣ୍ଣହୀନା ବର୍ଣ୍ଣାଳି
ଗନ୍ଧହୀନା ସୁଗନ୍ଧା
ତୁ ବିଚିତ୍ରା,ବିବିଧା..ତୁ ବିସ୍ମୟା ବିଶେଷତା
ମରୁକୁ କରୁ ପଲ୍ଲବିତ
ଶୁଷ୍କରେ ତୋଳୁ ସୁରମ୍ୟ ପ୍ରାସାଦ
ତୋ ସ୍ମୃତି ଗାଏ ଜୀବନର ଗୀତା ତ
ତୋ ଛନ୍ଦ ତୋଳେ ରସ ରଙ୍ଗ ଲାଳିତ୍ୟର ଗାଥା।
ତୋ ରୂପ ଲାବଣ୍ୟ ପାଶେ ରମ୍ଭା ମେନକା ହେୟ
ତୋ ଲୁହରେ କ୍ଷତବିକ୍ଷତ ହୁଏ ହିମାଳୟ ଛାତି
ଭରିଦିଏ କୋହର ସୁଅ
ତୋ ହସରେ ଜାଗିଉଠେ ମୃତ
ମୂକ କହେ କଥା।
ଅବୋଧ ଆଖିରେ ସିନା ତୁ କେତୋଟି ଶବ୍ଦର ଲେଖା
ଭାବୁକ କଳ୍ପନାରେ ସରଗପୁରୀ
କବି ଆଖିରେ ଲାବଣ୍ୟତାରକା
ଅବା ରୂପସୀ ନାୟିକା।
ଶବ୍ଦରେ ତୁ ଯାଦୁକର, ଭାଷାର ସ୍ରୋତସ୍ୱିନୀ
ଭାବ ଭାବନାର ଯାଦୁଘର ତ
ମାନ ଅଭିମାନର ମନ୍ଦାକିନୀ
ତୋ ଆହ୍ୱାନ ଜାଳେ ଦେଶପ୍ରେମ ସ୍ପନ୍ଦନ
ତୋ ନୀତିବାଣୀ ଉଜ୍ଜାଏ ମଣିଷ ପଣିଆର ଦୀପଶିଖା
ତୋ ମହକ ସୂଚେ ସ୍ୱାଧିନର ବାର୍ତ୍ତା।
ତୋ ସଜଫୁଟା ହସରେ ଚହଲେ ହୀରକ ହୃଦୟ ତ
ତୋ ଚୋରା ଚାହାଣୀରେ କାହାଣୀ ଲେଖେ ସ୍ଥିତପ୍ରଜ୍ଞ
ବିଞ୍ଚିଦିଏ ବିଦ୍ୟୁତ୍ ତରଙ୍ଗ ଅବା
ବଜାଏ ଭୂକମ୍ପ ମୃଦଙ୍ଗ।
ତୁ କବିର ଅନ୍ନଥାଳି ତ ପାଠକର ଅର୍ଘ୍ୟଥାଳି
ତୋତେ ଯେ ବୁଝେ....
ଅକସ୍ମାତ୍ ତା ଅନ୍ତରରେ ଉଠେ ହୃତ୍ ସ୍ପନ୍ଦନ
କିବା ବୋଳା ହରିଚନ୍ଦନ
ତୁ କଳ୍ପନାର ଶ୍ରୀକ୍ଷେତ୍ରେ ନୀଳଚକ୍ର ବାନା
ସପନର ବାଲୁକାରେ ପୂତ ଗୁରୁ-ମାତୃବନ୍ଦନା
କେବେ ତୁ ସରଗରୁ ଚାନ୍ଦ ଆଣି ଧରାଉ ଶିଶୁକୁ ତ
ସପନର ରତ୍ନହାର ଆଣି ଦେଉ ପ୍ରିୟାକୁ ପିନ୍ଧେଇ
କେବେବା ତୁଳସୀମାଳ ପିନ୍ଧାଇ
ନାସ୍ତିକକୁ ଶିଖାଉ ମହାମନ୍ତ୍ର
କେବେ ବା ଶାମୁକାରୁ ମୁକ୍ତାକୁ ଆଣି
ଦେଉ ନିଃସ୍ୱକୁ ପିନ୍ଧେଇ।
ତୁ ଏକ ନିଷ୍କଳଙ୍କ ପ୍ରତିଭା
କୋମଳ ଶୀତଳ ଜହ୍ନର ଜ୍ୟୋତ୍ସ୍ନା
ଆକର୍ଷଣୀୟା ରୋମାଞ୍ଚକର ଆଭା
ତୁ ପ୍ରୀତି ପୂଜାରିଣୀ ଅନିନ୍ଦ୍ୟ ଚଞ୍ଚଳା
ତୋ ସରି ନୁହଁ ସେ ଚପଳା ତ
ତୋ ଗମନେ ସମୀର ହୁଅଇ ଧିରା।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments