Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତଥାପି ମୋ ଗାଁଆ ହସୁଛି - ମିଶ୍ର ହୃଷିକେଶ


କୁଆଁ  ତାରା  ହେଲା ଦିବସ ସପନ
ସକାଳୁ କି ନିଦ ଭାଙ୍ଗୁଛି,
ଗାଁଆ ର ଗୃହିଣୀ ହୋଇ ସାହେବାଣୀ
ପୁରୁଣା କଥା କୁ ଭୁଲିଛି,
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୧//

ଆଧୁନିକତାର ଦୂର ଦିଗବଳୟେ
ଗାଁଆ ପରମ୍ପରା ହଜିଛି,
ଧରଣୀ ମାଆ ଟା ସର୍ବଂସହା ସାଜି
କେତେ ଦୁଃଖ କଷ୍ଟ ସହୁଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୨//

ନଦୀ ତୁଠ ପରେ ହଳଦୀ ଦିସୁନି
ଘାଟ ଖାଲି ଖାଲି ଲାଗୁଛି,
ମୋଡେର୍ଣ୍ଣ ଯୁଗର ବୋହୁ ଆଜିକାଲି
ବାଥ ରୁମ ଗାଧୁଆ କରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୩//

ତୁଳସୀ ଚଉରା କଅଣ ବୋଲିକି
ବୋହୁ ଯେତେବେଳେ କହୁଛି,
ମୋ ଗାଁଆ ର ବେନି ନୟନରୁ ଅଶ୍ରୁ
ଅବିରତ  ଗଡି ଯାଉଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୪//

ଗାଁ ଚାଟଶାଳୀ କୋଠା ଘର ହୋଇ
ଇଂରାଜୀ କହିବା ଶିଖୁଛି
ଖଡି ସିଲଟ କୁ ଛାଡି ଆଜି କାଲି
ପିଲାଙ୍କୁ ଟାଵଲେଟ ମିଳୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୫//

ଚଷା ପୁଅ ଯେବେ ଟଙ୍କାର ଲୋଭରେ
କୁଳ ବେଉସାକୁ ଭୁଲିଛି
ବୁଢା ବାପ ତାର ଧାନ ଚାଷ କରି
ଘରକୁ ଅଗାଡି ଆଣୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୬//

ଗାଁଆ ସେବାୟତ ସେବା କୁ ପାସୋରି
ସର୍କାରୀ ଅଫିସ ଯାଉଛି,
ସରକାରୀ ନୀତି ନିୟମ ପାଇଁକି
ବ୍ରାହ୍ମଣ କରଣ ମରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୭//

ଗାଁଆର ପୁଅଟେ ସହରକୁ ଆସି
ଚାକିରୀ ବାକିରି କରୁଛି
ଚାକିରୀ କରିଛି ବୋଲି ସେ କୁଆଡେ
ନୈତିକତା କୁ ତା ହାରିଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୮//

ଆଉ ଖରାବେଳେ ଗାଁଆ ର ମଝିରେ
ତାଆସ ଖେଳ କି ହଉଛି,
ଜୀବନ ବିକଳେ ବୁଢା ବାପା ମାଆ
ଏକାଠି ବସି  କି କାନ୍ଦୁଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୮//

ସେହି ବାପା ମାଆ କାନ୍ଦି କାନ୍ଦି ମରେ
ଫେରିବା ପୁଅକୁ ଚାହିଁଛି,
ଆଖି ଲୁହ ଆଉ ଛାତି କୋହ   ଭୁଲି
ପୁଅକୁ ଆଶିଷ ଦଉଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୯//

ଛାଡି ନିଜ ଗାଁଆ ଆସିଲି ମୁଁ କିଆଁ
ଅଶାନ୍ତି ରି ଶାନ୍ତି ଖୋଜୁଛି
ଅଧମ ମୁଁ ପରା ମିଶ୍ର ହୃଷିକେଶ
କପାଳରେ କର ତାଡୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //୧୦//

ଏଇଠି ରଖିଲି ପ୍ରିୟ ବନ୍ଧୁଗଣ
ଆଉରି ଲେଖା ତ  ଚାଲିଛି
କେତେ ଚେଷ୍ଟା କଲେ ଶୀଘ୍ର ସାରିବାକୁ
ଗାଁଆ ର କଥା କି ସରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।।    //ଆଗକୁ.......//

ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଂଜାମ

Post a Comment

0 Comments