Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ଶାଶ୍ୱତ ପ୍ରେମର ପବିତ୍ର ପାପ - ସୀମାଞ୍ଚଳ ରଣା


କପେ ଚା ସଙ୍ଗେ ଖବରକାଗଜ ଓ ସୁଲଗ୍ନାର ମିଠାମିଠା ଆଳାପ ଏତିକି ହିଁ ମୋ ଶୁଭାରମ୍ଭ ପ୍ରତି ସକାଳେ । ଆଜି ସୁଲଗ୍ନାର ସଜବାଜ କାହିଁକି କେଜାଣି ଖୁବ ନିଆରା ଲାଗୁଚି ଅବଶ୍ୟ ସୁଲଗ୍ନାର ଏ ସଜବାଜ କିଛି ନୂଆକଥା ନୁହେଁ,ଥରେଥରେ ଫୁଲେଇ ହୋଇ ଏମିତି ସଜ ହୁଅନ୍ତି ତ ବେଳେବେଳେ ସାତ ଆଠଦିନ ମୋତେ କଲବଲ କରିବାପାଇଁ ବାପଘରକୁ ଯିବାବେଳେ ସଜ ହୁଅନ୍ତି ।ଆଜି କିନ୍ତୁ ଅଲଗା ପ୍ରକାର ସଜବାଜ ତେବେ କି କାରଣ ପଚାରି ବୁଝିଲେ ଭଲହୁଅନ୍ତା ।

--ସୁଲଗ୍ନା ତୁମେ ଆଜି......
--ଅଧିକା ସଜ ହୋଇଛି ତ?ବାପଘରକୁ ଯାଉନି କି ଫୁଲେଇ ହଉନି ।
--ତେବେ?
--ଏଇ ଖବରକାଗଜର ମୁଖପୃଷ୍ଠାରେ ୟା ସଜ ଦେଖି ନକଲ କରୁଥିଲି ।
--କିଏ ଦେଖି ।
--ଦେଖୁନା ।
ଅପୂର୍ବ ସେ ସଂଯୋଗ,ଆଶ୍ଚର୍ୟ୍ଯ ସେ ପରିଚୟ,ଭାଗ୍ୟବାନ ଯେ ମୁଁ ତା ଫୋଟୋଟି ଏତେଦିନ ପରେ ପାଇଲି ।
--କିଏ?
--ଏଇ ଆମ ସମୟର ଲେଖିପଢି ଜାଣିନଥିବା ସୁନ୍ଦରୀ ତରୁଣୀ ଜଣକ ଆଜିର ଆଗଧାଡ଼ିର କବୟତ୍ରୀ,ଲକ୍ଷ୍ମୀପ୍ରିୟା ଗଡନାୟକ ଆଜି ସୁଧାସୁମନ ଉପାଧିରେ ଭୂଷିତ ।
--ତୁମର ପରା ସବୁ କବି,କବୟତ୍ରୀ ଙ୍କୁ କିଛି ଅଗ୍ରଗତି କରିବାର ଦେଖାଗଲେ ଶୁଭେଚ୍ଛା ପତ୍ରଟିଏ ଦେବାର ଅଭ୍ୟାସ ଅଛି?ଲେଖୁନା ପତ୍ରଟିଏ ।

ସୁଲଗ୍ନା କହିଦେଇ ଚାଲିଯିବାପରେ ସତେ ଯେମିତି ଗୋଟିଏ ମୁହୂର୍ତ୍ତ ବି ମୁଁ ବ୍ୟର୍ଥରେ ହରାଇବା ପାଇଁ ଚାହୁଁନଥିଲି ତେଣୁ ତ କାଗଜ କଲମରେ ଲେଖା ଆରମ୍ଭ କଲି ଜଣେ କବୟତ୍ରୀ ଙ୍କ ନିକଟକୁ ।ଏକ ଶୁଭେଚ୍ଛାର ପତ୍ର କାହିଁକି ନା ନିଖୋଜ ଠିକଣାଟିଏ ପାଇଗଲି ମୁଁ ଆଜିର ଖବରକାଗଜରୁ ।

*ହେ ତୁମେ..........✍🏻*
ବର୍ଷ ପରେ ବର୍ଷ ବିତିଯାଇ ପାରେ,ଅସରାଏ ଶ୍ରାବଣ ବି ସାଗରର ସମକକ୍ଷ ହୋଇପାରେ ।ବଦଳୁଥିବା ଋତୁମାନେ ନୀରବରେ ହାଇ ମାରିପାରନ୍ତି,ହେଲେ କାହିଁକି?ନୀରବରେ ସବୁକିଛି ବଦଳିଯିବାକୁ ଇଚ୍ଛା ରଖି ବଦଳି ପାରେନି ତୁମକୁ ମୋ ସ୍ମୃତି ଆଇନାରୁ ପୋଛିଦେବା ।
ପ୍ରଶ୍ନ ପରେ ପ୍ରଶ୍ନ ଅବାଞ୍ଛିତ ହୋଇ ଆନ୍ଦୋଳିତ ହୁଏ ଏ ମନ ଭିତରେ,କୁହେଳିକାର ତାମସା ଦେଖିବାକୁ ସତେ କି ସେଦିନୁ ଆଜିବି ମୋ ପିଣ୍ଡରେ ପ୍ରାଣ ଅଛି?
ମୁଁ ନିଜକୁ ପଚାରିବି ବୋଲି ଅନେକ ଥର ଚେଷ୍ଟା କରି, ତୁମେ ନଥିବାବେଳେ ବି ତୁମକୁ ପଚାରିବସେ ଲକ୍ଷ୍ମୀ । ରାତିର ଜହ୍ନ ବି ସକାଳର ସୁରୁଜର ଉପହାସରେ କକ୍ଷ ବଦଳାଇ ଦେଇ ଚାଲିଯାଏ ।ସାରା ଦୁନିଆର ଅପବାଦରେ ମୁଁ କିନ୍ତୁ ସ୍ଥାଣୁ ଶିଳାଖଣ୍ଡ ଟିଏ ପରି ଆଦରି ବସେ ନିଜ ସୌଭାଗ୍ୟର ସାମ୍ରାଜ୍ୟକୁ । ମୁଁ ଖୋଜିଛି ମୋ ପରିଚୟ ଉଚ୍ଚ ଅଟ୍ଟାଳିକାର ଚାକଚକ୍ୟ ସଜ୍ଜିତ କୋଠରୀରେ, ରତ୍ନ ଖଚିତ ପଲଙ୍କ ଉପରେ ସୁଲଗ୍ନାର ଅଙ୍ଗକୁ ଛୁଉଁଛୁଉଁ ଯେ "ମୁଁ ମଳୟ ରଞ୍ଜନ ମହାପାତ୍ର "।

ଆଜିର ବାହ୍ୟ ଜଗତ ସହ ଖୁବ ପରିଚିତ ଥିବା ମଳୟ ଯେ କେବଳ ତୁମରି ସ୍ମୃତିରେ ଗୁମୁରା କପୋତ ପରି ହୃଦୟର ସ୍ପନ୍ଦନ ବନରେ ମୁଁହ ଲୁଚାଇ ନିରୋଳାରେ ଖୁବ ଜୋରରେ କାନ୍ଦିପାରେ ତାହା କେବଳ ନିଜ ମନ ବନରେ ସୀମିତ । ସେଦିନର କଥା ସବୁ ଏବେ ବି ଯଦି ମୋର ମନେପଡେ,ମାଡ଼ିଆସେ ଆଖି କୋଣେ ଅଶ୍ରୁର ଜୁଆର,ଭିଜିଯାଏ ମୋର କପୋଳ ଛୁଇଁ ଚିବୁକ ସାରା । ତୁମ ସହ ମୋର ସେଦିନ ପ୍ରଥମ ଦେଖା ପ୍ରତିମା ଅପାର ବିବାହ ବେଳକୁ।ତୁମେ ଥିଲ ପ୍ରତିମା ଅପାର ସହପାଠୀନୀ ଆଉ ମୁଁ ଥିଲି ପ୍ରତିମା ଅପାର ମାମୁ ପୁଅ ଭାଇ । କନ୍ଧମାଳରୁ ଯାଇ ସେଦିନ ଟିକରପଡ଼ା ପହଞ୍ଚିଥିଲି ଭିନ୍ନ ଏକ ଅନୁଭୂତି ସାଉଁଟିବାପାଇଁ । ପ୍ରଥମ ଥର ଟିକରପଡ଼ା ଯାଇଥିବାରୁ କେହି ପରିଚିତ ନଥିଲେ ମୋର, ପରିଚିତ କହିଲେ ପ୍ରତିମା ଅପା,ପିଉସୀ,ପିଉସା ଆଉ ତାଙ୍କ ଦୁଇ ପୁଅ ।ତୁମେ ବିବାହ ଦିନ ବାରଘଣ୍ଟ ବେଳେ ଆସି ଅପା ଘରେ ପହଞ୍ଚିଥିଲ ।ପିଉସୀଙ୍କ ନିର୍ଦେଶରେ ତୁମକୁ ଥଣ୍ଡାଜଳ ଦେବାକୁ ଯାଇ ତୁମ ସହ ପରିଚିତ ହୋଇଗଲି ଲକ୍ଷ୍ମୀ ।
କେଜାଣି କାହିଁକି ତୁମକୁ ଦେଖିବାପରେ ମୋ କିଶୋର ଜୀବନର ପ୍ରଥମ ସ୍ୱପ୍ନ ପାଇଁ ରାତିଟିଏ ଆବଶ୍ୟକ ହେଲା ତୁମକୁ ଜୀବନୀ ବୋଲି ଭାବିବାପାଇଁ ।
ବିବାହ ବେଦୀର ଗୋଟିଏ ପାର୍ଶ୍ଵରେ ତୁମେ ବସିଥାଅ ଅନ୍ୟ ପାର୍ଶ୍ଵରେ ମୁଁ ଠିଆହୋଇ ଫୋଟୋ ଉଠାଉଥାଏ,ଇସାରାରେ ତୁମର ଫୋଟୋ ଟିଏ ଉଠାଇବାକୁ ଅନୁମତି ମାଗିଲି ତୁମେ ମୁଣ୍ଡହଲାଇ ସମ୍ମତି ଜଣାଇଲ ।ଅପାର ବିବାହ ଶେଷ ହେବାବେଳକୁ ରାତି ପ୍ରାୟ 12 ହୋଇଗଲା, କନ୍ୟା ବିଦାୟ ଦେଇ କ୍ଳାନ୍ତ ପଣରେ ଶରୀରଟାକୁ ଲୋଟାଇ ଦେବାକୁ ସଭିଏଁ ଆବରି ନେଲେ ମନଇଚ୍ଛା ଶୟନ ସ୍ଥାନ ।ମୁଁ ବାରଣ୍ଡାରେ ଖଟିଆ ଉପରେ ଗଡ଼ିପଡ଼ିଥାଏ,ସକାଳ ହେବାକୁ ଆଉ ଅଳ୍ପ ସମୟ ଥାଏ ନିଦ୍ରା ଭାଙ୍ଗି ଯେବେ ତୁମକୁ ମୋ ପାଖରେ ଆବିଷ୍କାର କଲି, ମୋ କଳିଜା ପାଣି ହୋଲିଗଲା ।
ତୁମେ.....................ତୁମେ କିପରି?କେତେବେଳେ ମୋ ପାଖରେ?
ଉଁ........ନିଦ୍ରା ମିଶା ସ୍ଵରେ ତୁମେ ଅଳ୍ପକିଛି କହିବାକୁ ଯାଇ କହିଲ:-
ନିଦ ଲାଗିଲା ଆଉ କେଉଁଠି ଜାଗା ନାହିଁ କଣ କରିଥାନ୍ତି ମୁଁ ଏଇଠି ତୁମ ଖଟିଆରେ ଗଡିପଡିଲି ।କାହିଁ ତୁମରି କିଛି ଅସୁବିଧା ହେଲାକି?ଜାଗାଟା କଣ ତୁମ ନାମରେ ରେଜେଷ୍ଟ୍ରି ହୋଇଛି?ହସ ହସ ମୁଖରେ କହିଦେଲତୁମେ ।
ନା.......ଯେ......କିଏ ଦେଖିଲେ କଣ ଭାବିବେ?ନିଆଁ ପାଖରେ ଘିଅକୁ ସ୍ଥିର ରହିବା ସମ୍ଭବ ନୁହେଁ ବୋଲି ତ ଦୁନିଆ କୁହେ ଏମାନେ ତରଳି ଯାଇ ଜଳିଗଲେ ବୋଲି ।ତୁରନ୍ତ ମୁଁ ଶଯ୍ୟା ତ୍ୟାଗ କରି ଚାଲିଆସିଲି ଗାଁ ଗହୀର ପାଖରେ ଥିବା ପୋଖରୀ ଆଡେ ।ହାଲୁକା ହାଲୁକା ପବନରେ ନିଜକୁ ସ୍ପୁର୍ତି କରିବାକୁ ଯାଇ ଭାବିବସିଲି କେତେ କଥା ।

ଲକ୍ଷ୍ମୀ ତୁମେ ସତରେ କେତେ ସୁନ୍ଦର,ଆଞ୍ଜୁଳାଏ କାଚକେନ୍ଦୁ ପରି ତୁମେ କେତେ ସ୍ୱଚ୍ଛ ।ତୁମ ହୃଦୟଟା କେତେ ପଵିତ୍ର ମନର ଭାର ।ଚାଲିରେ ଗଜଗାମିନି,ଆଖିରେ ଆମାନିଆ ଆକର୍ଷଣ, ଓଠର ତରୁଣ ଅରୁଣର କିରଣ ପରି ସ୍ମିତହାସ୍ୟ।ସିଲକୀ କେଶରେ ଉନ୍ମାଦନାର ସ୍ୱାଗତ  ।ମୁଁ କାହିଁକି ଏତେ କଥା ଭାବିବସିଲି?ବୋଧେ ତୁମକୁ ମୁଁ ମୋ ଅଜାଣତରେ ମନଦେଇ ଭଲପାଇ ବସିଲି ସେଦିନ ? ହଁ ତୁମକୁ ସେଦିନ ମନେମନେ ଭଲପାଇ ବସିଲି ,ତୁମକୁ ମୁଁ ହୃଦୟର ରାଣୀ କରିବା ଉଦ୍ଧେଶ୍ୟରେ ମୋ କଳ୍ପନାର କୂଳବଧୁ କରି ବିଶ୍ୱାସର ବାର୍ତ୍ତାରେ ମୋ ମା ପାଇଁ ସୁନାନାକୀ ବୋହୁଟେ ବି ପଠାଇ ଦେଲି ।

ସେଦିନ ଥିଲା ଟିକରପଡ଼ା ରେ ମୋ ପାଇଁ ତୃତୀୟ ତଥା ଅନ୍ତିମ ଦିନ, ମୋତେ ଫେରିବାକୁ ହେବ କନ୍ଧମାଲକୁ ।ଏଣେ ପାଠପଢ଼ା ବନ୍ଦ ହୋଇଗଲାଣି ଆଗକୁ ପରୀକ୍ଷା ଅଛି,ହଁ ଫେରିବାକୁ ହେବ,ପିଉସୀ ଘର ମୋହ କୁ ତେଜି ତୁମକୁ ମଧ୍ୟ ବିଦାୟ ଦେଇ ମୋତେ ମୋ ଗାଁ କୁ ଫେରିବାକୁ ହେବ । ମୁଁ ମୋ ପୋଷାକପତ୍ର ସଜାଡିବା ବେଳେ ତୁମେ ସେ ଘରକୁ ପସିଆସିଲ, କୁଆଡେ ବାହାରିଲେ ସାର ? ତୁମର ଏ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଲି - ଯାଉଛି ଗାଁ କୁ କେବେ ପୁଣି ଦେଖାହେବ ସମୟ କହିବ ।
ହଁ ଯାଉନ କିଏ ମନାକରୁଛି ?
ପୁଣି ତୁମର ଏ ଦ୍ଵନ୍ଦ ଉକ୍ତି ମୋତେ ଅଡୁଆରେ ପକାଇଲା ।
ତୁମେ କଣ କହିବାକୁ ଚାହୁଁଛ ଲକ୍ଷ୍ମୀ?
--ନା କିଛି ନୁହେଁ ।
ତୁମେ କିଛି କହିବ?
କଣ ବା କହିବି?କହିବାକୁ ତ --ଅନେକ କିଛି ରହିଗଲା ।
ତେବେ କହିଦିଅ ।
ତୁମେ କାଳେ-----?
-ହଁ.........ତା ପରେ?
ମୁଁ ତୁମକୁ ପସନ୍ଦ କରେ ଲକ୍ଷ୍ମୀ ।
--ସ୍ବଭାବିକ କଥା ୟେ ।
ପ୍ରକୃତରେ ମୁଁ ତୁମକୁ ଭଲପାଇ ବସିଛି ଲକ୍ଷ୍ମୀ ।
ଏ ଥିଲା ଆମ ଦୁହିଁକର କିଛିକ୍ଷଣର ବାର୍ତ୍ତାଳାପ ।ଏହାପରେ ତୁମେ ଲୋଟିସାରିଥିଲ ମୋ ଛାତିରେ,ଠିକ ଛୋଟ ଛୁଆଟିଏ ପରି । ମୁଁ ବସ ପାଖକୁ ଆସିବାବେଳେ ତୁମେ ବି ଆସିଥିଲ ଆଉ ସେ ବୁଢ଼ୀ ପାନ ଦୋକାନରେ ଠିଆହୋଇ ଅପଲକ ନୟନରେ ଚାହିଁରହିଲ । ବସ ଆସିବାକୁ ଆହୁରି ପାଞ୍ଚ ମିନିଟ ବାକି ଥାଏ,ମୁଁ ଚକୋଲେଟ କିଣିବା ବାହାନାରେ ଦୋକାନ ପାଖକୁ ଆସିଲି । ଚକୋଲେଟ ଖାଇବ?ପଚାରୁ ପଚାରୁ ତୁମେ ମୁଁହ ମୋଡ଼ିଦେଲ ।
-ରାଗୁଛ କାହିଁକି ଲକ୍ଷ୍ମୀ?ମୁଁ ତ ପୁଣି ଆସିବି ସେଦିନ ଯେଉଁଦିନ ତୁମେ ହାତରେ ମେହେନ୍ଦୀ ଲଗାଇ,ପାଦରେ ଅଳତା ବୋଳି,ଓଢଣା ତଳେ ଅପେକ୍ଷାକରିଥିବ ଜୀବନର ପ୍ରଥମ ସମୟକୁ ।

-ଏତେଦିନ ଯାଏଁ ମୁଁ ବଞ୍ଚିଥିବି ତ ମଳୟ ? ତୁମେ କହିଥିଲ ।

-ଛିଃ....ଏମିତି କଥା କୁହନ୍ତିନି ପାଗଳୀ ।

ନାଇଁ ମଳୟ ତୁମକୁ କାହିଁକି କେଜାଣି ଆଜି ଛାଡିବାକୁ ଇଚ୍ଛା ହେଉନି ।ତୁମେ ଚାଲିଯିବ କେଉଁ ଅପହଞ୍ଚ ଇଲାକାକୁ,ଜାଣେନି ତୁମେ ଆଉ ଫୋନ ବି କରିବକି ନାହିଁ ?ଏଇ ଅଳ୍ପ ଦିନର ମିଠା ସ୍ମୃତିକୁ ଛାଡି ସତେ ଯେମିତି ବଞ୍ଚିପାରିବିନି ତୁମବିନା।ତୁମେ କହିଥିଲ । ବୁଝିବାକୁ ଚେଷ୍ଟାକର ଲକ୍ଷ୍ମୀ ମୁଁ ଫେରିବି ନିଶ୍ଚୟ କେବଳ ଅପେକ୍ଷାକର ସେଦିନ କୁ ।ତୁମ ହାତ କୁ ମୋ ହାତରେ ଛନ୍ଦିଦେବାପାଇଁ ନିଶ୍ଚୟ ଭିକ୍ଷା ମାଗିବି ତୁମ ପରିବାର ସହ କଥା ହୋଇ ।ଏବେ କେବଳ ମୋ ପାଠ ଆଉ ଭବିଷ୍ୟତ ଚିନ୍ତା ।ମୋ ଉତ୍ତର ଥିଲା ଏହା ।

ବସ ଆସି ଆମ ଆଳାପ କୁ ଅଟକାଇ ଦେଲା ଉଚ୍ଚା ଶବ୍ଦ ରେ ଆବାଜ ଦେଇ ।ମୁଁ ବିଦାୟ ନେଇ ଯାଉ ଯାଉ ତୁମ ହାତକୁ ଧରିଥାଏ,ମୋ ପାଦ ଆଗକୁ ବଢୁବଢୁ ତୁମଠୁ ବି ଦୂରତା କମିଯାଉଥାଏ ।ତୁମକୁ ଛାଡ଼ି ଚାଲିଆସିବା ବେଳେ ମୋ ମନ,ହୃଦୟ, ପ୍ରାଣ ସବୁକିଛି ରହିଗଲା ତୁମପାଖେ ।କେବଳ ସ୍ମୃତିବୋଲି ତୁମ ହାତର ପଟେ ଚୁମକୀଲଗା ଚୁଡି ତୁମହାତରୁ ମୁକୁଳି ମୋ ପାଖରେ ରହିଗଲା । ପରେପରେ ବିତିଗଲା ଦୁଇବର୍ଷ ।ତୁମଠୁ ଦୂରରେ ରହିବି ତୁମପାଖରେ ଥିବାପରି ମାନେହେଲା ମୋର ।ସକାଳର ସୁରୁଜ ଗୋଧୂଳି ସ୍ୱାଗତ ସମ୍ବର୍ଦ୍ଧନା କରି ଅଭିମାନରେ ପାହାଡ଼ ସନ୍ଧିରେ ମୁଁହ ଲୁଚାଇ ଅନ୍ତର୍ଦ୍ଧାନ ହୋଇଯାନ୍ତି ମିଞ୍ଜିମିଞ୍ଜି ସନ୍ଧ୍ୟାପୂର୍ବରୁ ।ତୁମକୁ କିନ୍ତୁ ମୁଁ ମୋ ଜୀବନର ପ୍ରତିଟି ମୁହୂର୍ତ୍ତରେ ଆଦରି ବସିଲି ।କେମିତିବା ଭୁଲିଥାନ୍ତି ତୁମକୁ?ତୁମେ ମୋ ଜୀବନର ପ୍ରଥମ ନାରୀ ଥିଲ ଯିଏକି ମୋ ଅଜ୍ଞାତ ହୃଦୟେ ଭରିଥିଲ ପ୍ରେମର ପହିଲି ସ୍ପନ୍ଦନ । ଛାତିତଳ ଦୁକୁଦୁକିରେ ଯଦି ବି କିଛି ଶୁଭୁଥିଲା ସେ ଶବ୍ଦ ଥିଲା ତୁମ ଆବେଗର । ପ୍ରତି ଭାବନାର ଶେଷ ନିଶ୍ୱାସ ଯେ ଚିମିନିର ଧୂଆଁପରି,ଏକ ଦୀର୍ଘଶ୍ଵାସରେ ଜାଣିବାର ହେଉଥିଲା । ଲୋକେ କୁହନ୍ତି ସବୁସ୍ଥିର ହେଲେ ମନସ୍ଥିର ନୁହେଁ। ସମୟର ପରିବର୍ତ୍ତନ ପରି ମନର ବି ପରିବର୍ତ୍ତନ ହୁଏ । ମୁଁ ବି ମୋ ମନର ପରିବର୍ତ୍ତନ କଲି ସେଦିନ,କିନ୍ତୁ ତୁମକୁ ଭୁଲିଯିବା ପାଇଁ ନୁହେଁ ।କେବଳ ବିବାହ ପୂର୍ବରୁ ତୁମକୁ ଲୁଚିଲୁଚି ଦେଖା କରିବାକୁ ।
ସମୟ ସକାଳ 10 କଲେଜ ଯିବା ବାଟରେ ଏସ,ଟି,ଡ଼ି ବୁଥ ରୁ ଡ଼ାୟିଲ କରିଥିଲି ମୋର ଅତି ଆପଣାର ନମ୍ବର ପାଞ୍ଚଶହ ପଞ୍ଚାବନ ସାତଶହ ନଅ ଯାହା ତୁମ ଘରର ଲ୍ୟାଣ୍ଡଲାଇନ ନମ୍ବର ।ଫୋନର ଗୋଟାଏ ରିଙ୍ଗ ରେ ତୁମର ମଧୁର ସ୍ୱରରେ ବିମୋହିତ ହୋଇ ଅନ୍ତର ସାଇତା ଅଭିଳାଷ କୁ କହିବସିଲି - ମୁଁ ଆସୁଛି ଲକ୍ଷ୍ମୀ  । ଅପେକ୍ଷା କେବଳ ସେ ମୁହୂର୍ତ୍ତକୁ । ତୁମେ କହିଥିଲ । ସେଦିନର ରାତି କେମିତି ବିତିଲା କହିହେବନାହିଁ ଆଉ କେବଳ ଅପେକ୍ଷା ଅପେକ୍ଷା ।ସକାଳ ହେବ ଗାଁ ବସରେ ବସି ପହଞ୍ଚିବି ତୁମ ଗାଁ ରୁ ଖୁବ ଦୂରରେ ଥିବା ଛୋଟ ସହରକୁ ।

ପରଦିନ ସକାଳ ସାତରୁ ବସ ରେ ବସି ପହଞ୍ଚିଥିଲି ଦଶପଲ୍ଲାରେ ସେଠାରୁ ଚାଲିଚାଲି ମାମୁଁଙ୍କ ଗାଁ ରାଉତପଡ଼ା ପହଞ୍ଚି ତୁମ ଗାଁ କୁ ପହଞ୍ଚିବା ଚିନ୍ତାରେ ରାତି ଆଠ ଟା ବାଜିଗଲା ।ତୁମେ କେବଳ ଅପେକ୍ଷାରେ ବ୍ୟସ୍ତ ହେଉଥିଲ ବୋଧେ ? ଶେଷରେ ନିଷ୍ପତି ହେଲା ମହାନଦୀ ପାର ହୋଇ ପହଞ୍ଚିବି ତୁମପାଖରେ ।ମୁଁ ତ ନଦୀ ପହଁରି ପାରେନି କେମିତି ବା ଯିବି ଏ ପୁଣ୍ୟତୋୟା ମହାନଦୀ କୁ ପାର ହୋଇ?ହଁ ତୁମ ଗାଁ କନ୍ଧମାଳ ରୁ ପ୍ରାୟ ତିନିସହ କିଲୋମିଟର ।ଯିବାପାଇଁ ଦୁଇଟି ରାସ୍ତା ଏକରେ କିଆକଟା ଦେଇ ଅନୁଗୁଳ ନଚେତ ମହାନଦୀ ପାର ହୋଇ ଟିକରପଡ଼ା ।ମୋତେ କିନ୍ତୁ ସୁବିଧା ଥିଲା ନଦୀ ପାର ରାସ୍ତାଟି,କାହିଁକି ନା ଏହା ଥିଲା ଅଳ୍ପଦୁର ।ନିଷ୍ପତ୍ତି ନେଲି  ରାଉତପଡ଼ା କେଉଟ ସାହିର ସୁଦେଇ ଧୀବର ସହ ଡଙ୍ଗା ନେଇ ରାତି ରାତି ତୁମ ଗାଁ କୁ ପହଞ୍ଚିବି ସେୟା ହିଁ ହେଲା । ଡ଼ଙ୍ଗା ନେଇ ସୁଦେଇ ଧୀବର ସହ ବାହାରିଲି ରାଉତପଡ଼ାରୁ ଟିକରପଡ଼ା ଅଭିମୁଖେ ।କୂଳରୁ ଡ଼ଙ୍ଗା ମେଲିଲା ସୁଦେଇ ମୁଣ୍ଡରେ ଏଭାରେଡି ର ତିନିଗୁଳିଆ ଟର୍ଚ୍ଚ ।ସାତକୋଶିଆର ପବନ ବେଳେବେଳେ ଶାନ୍ତ ବେକେବେଳେ ଉଗ୍ର ।ଅଭିଜ୍ଞତା ପାଇଁ ଡଙ୍ଗା କିନ୍ତୁ ନୀରବରେ ଆଗେଇ ଚାଲିଛି ଟିକରପଡ଼ା ଅଭିମୁଖେ ।ନିର୍ଜନ ରାତି କେହି କୁଆଡେ ଦେଖାଯାଉନାହାନ୍ତି ।କିଏ ବା କାହିଁକି ଦିଶିବ ଏ ଯେ ସ୍ଥଳଭାଗ ନୁଁହ,ଅଗାଧ ଜଳରାଶି ।ଖୁବ ମନୋରମ କିନ୍ତୁ ଏ ସାତକୋଶିଆର ପରିପାର୍ଶ୍ଵ ।ସମୟ ଦେଖିଲି ରାତି ଚାରିଟା ହେଲାଣି,ସୁଦେଇ କୁ ପଚାରିଲି ନିଦ ଲାଗୁନି କି ଭାଇ?
ନାଇଁ ଆଜ୍ଞା ଏମିତିରେ ତ ଆମେ ରାତିସାରା ମଧ୍ୟ ମାଛ ଧରି ସମୟ ବିତାଇଦେଉ ।ଆପଣଙ୍କୁ ନିଦ ଲାଗୁଥିଲେ ଶୋଇପଡନ୍ତୁ ।ଆଉ ଘଣ୍ଟାଏ ଲାଗିବ ଟିକରପଡ଼ା ।ସୁଦେଇ କହିଲା ।

ମୋତେ ବା କୋଉ ନିଦ ଲାଗୁଛି ଯେ ନଦୀ ଉପରେ ଯାତ୍ରା କରି ।ଶୁଣିଛି ଅନେକ ଥର ଶୌଚ ହେବାକୁ ଆସି କୁମ୍ଭୀର ହାବୁଡ଼ରେ ପଡି ନିଜର ଜୀବନ ଦେଇଛନ୍ତି ପାଖାପାଖି ଅଞ୍ଚଳର ଲୋକମାନଙ୍କ ମଧ୍ୟରୁ କିଛି । ଭୟରେ ନିଦ କୁଆଡେ ଲାଗିବ ?କେବଳ ଅପେକ୍ଷା କେବେ ଟିକରପଡ଼ା । ସିନ୍ଦୁରା ଫାଟି ଆସୁଛି ଦିବାକର ପୂର୍ବରୁ ଉଦୟ ହେବାକୁ ଯାଇ ଆମ ପିଠିକୁ ଆଦରି ନେଲେଣି ଦୂରରୁ ଦିଶୁଛି ଟିକରପଡ଼ା ପର୍ଯ୍ୟଟନ ସ୍ଥଳୀରେ ଥିବା ଟାୱାରଟି ।ମନରେ ଆନନ୍ଦର ଆବେଗ,ଓଠରେ ବିଷାଦ ତେଜି ଖୁସିର ସ୍ମିତହାସ୍ୟ ଯେ ମୋ ପ୍ରିୟାର ଘର ଆଉ ଅଳ୍ପ ଦୂର ।ଶେଷରେ ଡ଼ଙ୍ଗା ଲାଗିଲା ଟିକରପଡ଼ା ଘାଟରେ  ।ସକାଳ ହୋଇଯାଇଥିବାରୁ କିଛି ବ୍ୟକ୍ତି ଗାଧୋଇ ଆସିଥାନ୍ତି ନଦୀକୁ ।ଗାଁ ମାଇପେ ଡ଼ଙ୍ଗାକୁ ଦେଖୁଦେଖୁ ନିଜ ବସ୍ତ୍ରକୁ ସଜାଡି ନେଲେ ନଦୀ ଜଳରେ ଥାଇ ।ଏ ଗାଁ କୁ ଏତେ ସକାଳୁ କେହି ଡ଼ଙ୍ଗାରେ ଆସନ୍ତିନି ତେଣୁ କିଛି ନୂଆ ଭାବି ସଭିଏଁ ଚାହିଁଥାନ୍ତି ।ଡ଼ଙ୍ଗାରୁ ଓଲହେଇ ସୁଦେଇ କୁ ଦୁଇହଜାର ଟଙ୍କା ଦେଇ ବିଦାୟ ଦେଲି,ଯିବା ପୂର୍ବରୁ ସୁଦେଇ ପଚାରିଲା ଏଠି କଣ ଚାକିରୀ କରିବାକୁ ଆସିଲେ କି ଆଜ୍ଞା । ଆରେ ନାଁ ନାଁ ଏମିତି କିଛି ଅନ୍ୱେଷଣ ରେ ଆସିଛି ।ସୁଦେଇର ଗାଉଁଲି ମନ ମୋର ର ଜଟିଳ ଭାଷା କୁ ସତେ ଯେମିତି ଜୁ ନଥିଲା । ସୁଦେଇ ଚାଲିଗଲାଣି ପୂରୁବ ଦିଗ ଆଡକୁ ।କେବଳ ଡ଼ଙ୍ଗାଟି ଦିଶୁଛି ଅଳ୍ପଅଳ୍ପ ମୁଁ ବି ତୁମ ଉଆସ ଅଭିମୁଖେ ଯାତ୍ରା ଆରମ୍ଭ କଲି ।

ମନେପଡ଼ିଲା ହଠାତ ଯେ ତୁମେ ସେଦିନ କେବଳ ଅତିଥି ହୋଇ ଆସିଥିଲା ଟିକରପଡ଼ା ।କାହିଁକିନା ପ୍ରତିମା ଅପା ଥିଲା ତୁମର ସହପାଠୀନୀ,ତେବେ ତ ମୁଁ ମୋ ପ୍ରିୟାର ଗାଁ ଦେଖିନି କେମିତି ଯିବି?କିଏ ଦେଖାଇବ ମୋତେ ସେ ପଥ?ନା ଆଜି ରାତିକ ଅପା ଘରେ ରହିଯିବି ବରଂ କାଲି ସକାଳୁ ସୁନିଆକୁ ନେଇ ତୁମ ଘରକୁ ଯିବି ।ଏଇଆ ଚିନ୍ତାକରି ସେଦିନ ଅପାଘରେ ରହିବା ପରେ ସକାଳୁ ସୁନିଆ ସହ ପହଞ୍ଚିଲି ତୁମ ଗାଁ କୁ । ଅପାକୁ ପଦେ ମିଛ କହିଦେଇ ଆସିଲି ଯେ ମୁଁ ଅନୁଗୁଳୁ ଯାଉଛି,କିନ୍ତୁ ମୁଁ ଆସିଥିଲି ତୁମ ଗାଁ କୁ କେବଳ ତୁମକୁ ଦେଖିବା ପାଇଁ ।ସେଦିନ ତୁମ ଗାଁ କୁ ପହଞ୍ଚି ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା ମୋର ।ତୁମ ଗାଁ ର ପୋଖରୀ,ଶିବ ମନ୍ଦିର,ବାଟରେ ସାତକୋଶିଆ ଅଭୟାରଣ୍ୟ ଖୁବ ମନ ମୋହିଥିଲା ମୋର । ତୁମ ଘର ଲୋକଙ୍କ ସହ ସେଦିନ ପରିଚୟ ହେବାପରେ ସତେ ଯେମିତି ମିଳିଯାଇଥିଲେ ମୋତେ ମୋ ନୂତନ ଆତ୍ମୀୟ,କିନ୍ତୁ କିଏ ବା ଜାଣିଥିଲା ଯେ ତୁମର ମୁଁ ସେଇ ପ୍ରିୟ ପୁରୁଷ ବୋଲି?କେବଳ ତୁମେ ହିଁ ଜାଣିଥିଲ ଯେ ମୁଁ ତୁମ ଜୀବନ ଆଉ ତୁମେ ମୋ ସ୍ପନ୍ଦନ ।ସେଦିନ ରାତିରେ ଗାଁ ପୋଖରୀ ପାବଛ ଉପରେ ତୁମେ ମୋ କୋଳରେ ମଥା ରଖି ଦେଖିଥିଲ ଅନେକ ସ୍ୱପ୍ନ ସବୁ ।ଆମ ପ୍ରୀତି ଆଉ ପ୍ରତୀକ କଥା ମଧ୍ୟ ।କେଜାଣି କାହିଁକି ଏତେ ନିଜର ଲାଗୁଥିଲ ସେ ରାତିରେ ଯେ ମୁଁ ଆକାଶର ଜହ୍ନକୁ ଅଣଦେଖା କରି କେବଳ ଦେଖୁଥିଲି ତୁମରି ମୁଁହକୁ ।

--ଏ ଲକ୍ଷ୍ମୀ ଚାଲନା ଆଜି ଆମେ ଭିକ୍ଷା ମାଗିବା ଆମ ପ୍ରେମର ମୁଠାମୁଠା ସ୍ୱପ୍ନ ପାଇଁ ।
--କାହାକୁ ମଳୟ?
--ଏଇ ତୁମ ବାପା ମା ଙ୍କୁ(ସ୍ମିତହାସ୍ୟ ଦେଇ)
--ପାଗଳ ନା କଣ ତୁମେ ଏବେ ଘରେ କହିବା ଅର୍ଥ ଶାଣଦିଆ ତରବାରି ରେ ଯୁଗଳ ବେକକୁ ଥୋଇବା ।
--ହଁ ଲକ୍ଷ୍ମୀ ମୁଁ ପାଗଳ କେବଳ ତୁମପାଇଁ,ତୁମକୁ ମୋ ଜୀବନରେ ପ୍ରତି ସଞ୍ଜ ଆଉ ସକାଳେ ପାଖରେ ପାଇବା ପାଇଁ ।
--ଏଇତ ତୁମେ ମୋ ପାଖରେ ମଳୟ ।
--ନାରେ ପାଗଳୀ ଏମିତି କେତେଥର ତୁମ ପାଖକୁ ଆସି ଦେଖା କରି ଅର୍ଦ୍ଧ ଅବଶୋଷ ହୋଇ ଫେରିଯିବି ।ବରଂ ଭଲ ହେବ ତୁମେ ମୋ ପାଖକୁ ସାରା ଜୀବନ ଚାଲିଆସ ।
--ହଁ ଆସିବି ମଳୟ ତୁମେ କେବଳ ଅପେକ୍ଷ।କର ତୁମ ମନର ଭାଷା ଏଇତ ଏବେ ପଢ଼ିଲି ।ମୋତେ ବି ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଦିଅ ।
--କେଉଁ ପରୀକ୍ଷା ଲକ୍ଷ୍ମୀ?
--ଏଇ ବାପା ମା ଭାଇଙ୍କୁ ମନକଥା କହିବା ।
--ତୁମର ମନେଅଛି ଲକ୍ଷ୍ମୀ?ଏ ଥିଲା ଦ୍ବିତୀୟ ଦେଖାର ଶେଷ ରାତ୍ରିର ଜହ୍ନ କୁ ସାକ୍ଷୀ ରଖି କିଛି ଆଳାପ ଆମରି ।

ସେଦିନ ରାତି ବିତିଗଲା କେବଳ ଏକାନ୍ତରେ ଏକାନ୍ତରେ କଡ଼ଲେଉଟାଇ । ତୁମ ମୋ ଭିତରେ କଣ୍ଟକିତ ଥିଲା ଏକ ମାଟି କାନ୍ଥ ତୁମେ ସେପଟେ ମୁଁ ଏପଟେ କେବଳ ରାତି ଉଜାଗର ବ୍ୟତୀତ ଅନ୍ୟକିଛି  ଉପାୟ ନଥିଲା ଆମର ।ତାପରଦିନ ସକାଳୁ ସକାଳୁ କପେ ଚା ଦେବାକୁ ଆସି ତୁମେ ମୋ ବାହୁରେ ଛନ୍ଦି ହୋଇଗଲ ।ସେଦିନ ତୁମେ ଗାଧୋଇ ସାରି ଏମିତି ସଜ ହୋଇଥିଲ ଲାଗୁଥିଲ ସତରେ ଲକ୍ଷ୍ମୀ ପରି ।ଅଗ୍ନିରେ ପତଙ୍ଗ ଝାସ ପରି ତୁମ ରୂପଲାବଣ୍ୟରେ ଝାସ ଦେବାକୁ ଯାଇ,ତୁମ ଗୋଲାପୀ ଅଧରକୁ ମୁଁ ଚୁମ୍ବି ସାରିଥାଏ ଦୀର୍ଘ ଅପେକ୍ଷାର ମଧୁ ଚୁମ୍ବନ ।
--ଏ ଲକ୍ଷ୍ମୀ?
--ଉଁ...ଉ...ଛାଡ଼ ମୋତେ ବୋଉ ଦେଖିଲେ ବଳୀ ପଡ଼ିଯିବା ।
--ବୋଉ ମାନେ ମୋ ଶାଶୁ ତ?ଦେଖନ୍ତୁ ଏୟା ଭାବିବେ ଯେ ଆଉ ଜ୍ବାଇଁ ଖୋଜିବା ଆବଶ୍ୟକ ନାହିଁ ।(ପୁଣି ଅଧର ଚୁମ୍ବି ଦେଇ)
--ଏ ଦୁଷ୍ଟ ଛାଡ ମୁଁ ଯାଏ ତୁମପାଇଁ ପୁଣି ରୋଷେଇ କରିବି ।
(ତୁମେ ଚାଲିଗଲା ପରେ କଳ୍ପନା ସହ ଏକାନ୍ତରେ ମଜ୍ଜି ଲେଖିଥିଲି ଏକ କବିତା)
ସେ କବିତା ଟି ଏବେ ବି ତୁମ ଡାଇରିର ଛପନ ପୃଷ୍ଠାରେ ଥିବ ଲକ୍ଷ୍ମୀ)

ତୁମେ ରାତିର ଶେଯରେ ଯେତିକି ନୁଁହ,
ସେତିକି ପ୍ରତ୍ୟୁଷେ ସୁନ୍ଦରୀ ।
ତୁମେ ପହିଲି ବ୍ୟତୀତ ବାରମ୍ବାର ଲାଗ,
ସରଗର ଅପସରି ।
ତୁମେ ଲକ୍ଷ୍ମୀ ମୋର,
ତୁମେ ରାଜଜେମା,
ତୁମେ ବି ଅଳସୀ ନଈ ।
ତୁମ ପ୍ରେମ ଦିନେ ପାଗଳ କରିବ,
ବଞ୍ଚି ମୁଁ ପାରିବି ନାହିଁ ।
ଏତିକି ଲେଖିଦେଇ ମୁଁ ଗାଧୋଇବା କୁ ଚାଲିଯାଇଥିଲି ମୋ ଆସିବା ଭିତରେ ତୁମେ କବିତା ପଢି ମୋ ଭିତରେ ଥିବା କବି ପଣ କୁ ସେଦିନ ଆବିଷ୍କାର କରିଥିଲ ।କାହିଁକିନା ତୁମେ ବି ଥିଲ ଗଡନାୟକ ପରିବାର ର ଅଣନାତୁଣୀ ଲକ୍ଷ୍ମୀପ୍ରୀୟା ଗଡନାୟକ ।
ସେସିନ ତୁମକୁ ବିଦାୟ ଦେଇ ପୁଣି ମୋ ଗାଁକୁ ଫେରିଆସିଲି ।ଟିକରପଡ଼ାରୁ କନ୍ଧମାଳ ଆସିବା ବାଟରେ କେବଳ ତୁମ ଚେହେରା ଆଉ ତୁମ କଥା ହିଁ ମୋ ସାରାଂଶ ଥିଲା । ସେଠୁ ଆସିବା ପରେ ଦୁଇବର୍ଷ ପର୍ଯ୍ୟନ୍ତ ତୁମସହ ଆଉ ଦେଖା ହୋଇନଥିଲା,ତେଣୁ ତୁମେ ବି ବ୍ୟସ୍ତ ହେଉଥିଲ ।ବଢ଼ିଲା ଝିଅ ଯାହା ନଈବଢ଼ି ମଧ୍ୟ ତାହା ।ଘରେ ଏଥର ତୁମ ବିବାହ ପାଇଁ ଚିନ୍ତା କରିବା ଆରମ୍ଭ କରିଦେଇଥିଲେ କିନ୍ତୁ ବଡ଼ଭାଇ ବାହା ହୋଇନଥିବାରୁ ତୁମ ବିବାହ ବିଳମ୍ବ ହେଉଥାଏ ।ତୁମେ ଦୀର୍ଘ ଦୁଇବର୍ଷ ପରେ ବାଧ୍ୟ କରିଥିଲ ଆମର ପୁନର୍ବାର ସାକ୍ଷାତ ପାଇଁ  ।

ମୁଁ ଏକ ପୂଜା ଫୁଲ ମଳୟ, ମୋତେ ସ୍ୱାମୀ ରୂପକ ଦେବତା ଙ୍କ ନିକଟରେ ବାସୀ ହେବାକୁ ହେବ ।ତୁମେ ତ ମୋ ସ୍ୱପ୍ନ ଆଉ ବାସ୍ତବ ଦୁନିଆର ଦେବତା ମୁଁ ଚାହେଁ ତୁମ ଚରଣରେ ପୂଜାଲାଗି ତୁମରି ବାହୁରେ ଶେଷଥର ପାଇଁ ମଥା ରଖି ଚିରଦିନ ପାଇଁ ବାସୀ ହୋଇଯିବି ।
ମୁଁ ଏକ ପୂର୍ଵ ପ୍ରସ୍ତୁତ ପୂଜା ଭୋଗ ଟିଏ ।ମନ ମନ୍ଦିର ଦେବତା ନିକଟରେ ଅଇଁଠା ହେବା ହିଁ ଯଥାର୍ଥତା ।ତୁମେ ତ ମୋ ଭଗବାନ ତୁମେ ହିଁ ମୋତେ ଭୋଗକରିବ ।ସଂସାରର ନିୟମରେ ବାନ୍ଧି ହୋଇ ।ତେବେ ଆଉ ଡେରି କାହିଁକି ମଳୟ ତୁମେ ଆସ ମୋତେ ପରଘରି ହେବାର ସୁଯୋଗ ଦେବ ।ସେଦିନ ତୁମର ଏକଥା ଫୋନରେ ଶୁଣିବାପରେ ମୁଁ ନିଷ୍ପତି ନେଇଥିଲି ଏଥର ଯେମିତି ହେଉ ତୁମ ବାପା ମାଁ ଙ୍କ ଆଗେ ମୋ ପ୍ରେମର ବିଜୟ ଭିକ୍ଷା ମାଗିବି ।
ପୁଣି ବାହାରିଲି କନ୍ଧମାଳ ରୁ ଟିକରପଡ଼ା ଏଥର କିନ୍ତୁ ରାସ୍ତା ମୁକ୍ତ ଥିଲା ମୋ ପାଇଁ ।କାହିଁକିନା ମହାନଦୀ ଉପରେ ସିଧାମଳା ସେତୁର ମୁଣ୍ଡଟେକି ଠିଆ ହୋଇ ସାରିଥିଲା ।ଏଥର କନ୍ଧମାଳରୁ ନରସିଂହପୁର ପହଞ୍ଚିବା ପରେ ସାତକୋଶିଆ ଜଙ୍ଗଲ ଦେଇ ମୁଁ ସିଧାସଳଖ ପହଞ୍ଚିଥିଲି ଟିକରପଡ଼ା ।ଅପା ଘରକୁ ନଯାଇ ତୁମ ଘରକୁ ପହଞ୍ଚିଗଲି ଏକା ଏକା ତୁମ ପାଖରେ ପହଞ୍ଚିବା ପରେ ଭୟ ଲାଗୁଥାଏ ଯେ ତୁମପରିବାର ଲୋକଙ୍କୁ କଣ କହି ଜଣାଇବି ମୋ ଆସିବାର ଅଭିପ୍ରାୟ?କଳଙ୍କିତ ପ୍ରେମର ବିଜୟ ପାଇଁ ବୋଧେ ସେଦିନ ବିବାହ ଉତ୍ସବରେ ଯୋଗଦେବା ପାଇଁ ତୁମ ପରିବାରରୁ ସଭିଏଁ ଅନୁଗୋଳ ଚାଲିଯାଇଥିଲେ । ତୁମକୁ ଏକା ଦେଖି ରହିବାର ଆଶା ଅପେକ୍ଷା ନରହିବାର ବିଶ୍ୱାସ ଅଧିକା ଥିଲା ମୋ ପାଖେ ।ତୁମେ କିନ୍ତୁ ମୋତେ ବୁଝାଇଦେଇଥିଲ ଯେ ମୁଁ ରହିବା ଜରୁରୀ ଅଟେ । ତୁମକଥା ମାନି ମୁଁ ସେଦିନ ରହିବାର ନିଷ୍ପତ୍ତି ନେଲି ।ସଞ୍ଜବେଳେ ତୁମ ହାତ ତିଆରି ଦୋଷା ଖାଇବା ପରେ ଏକାଥାଳିରେ ରାତ୍ରିଭୋଜନ କରିଥିଲେ ଆମେ । ତୁମର ମନେଥିବ ବୋଧେ ? ସେଦିନ ତୁମେ ବେସିକିଛି କଥା କହିନଥିଲ କେବଳ ମୋ କୋଳରେ ମଥାରଖି ତାସ୍ ର ଘର ଧାରାବାହିକ ଦେଖି ନିଦ୍ରାଦେବୀ କୁ ସ୍ୱାଗତ କରୁଥିଲ ।

--ଲକ୍ଷ୍ମୀ ଶୋଇପଡିଲ କି ?
--ହଁ...କାହିଁକି କେଜାଣି ଆଜି ଖୁବ ନିଦ ଲାଗୁଛି?ତୁମ କୋଳ ମୋତେ ସ୍ୱର୍ଗୀୟ ସୁଖ ଦେଉଛି ମଳୟ ।ମୁଁ ଗୋଟେ ପ୍ରହର ନିଦ ଭାଙ୍ଗିଦିଏ ।ତୁମେ କହିଥିଲ ।
--ମଳୟ ଆମେ ଏବେ କେଉଁଠି?
--ଗୋପନରାତିର ଚୋରାପୀରତିରେ ଲକ୍ଷ୍ମୀ ।
--ରାତି ତ ଗୋପନ,ପ୍ରୀତି କିପରି ଚୋରା କହିବ।
--ଏଇତ ତୁମେ ମୋ ବାହୁରେ  ଝୁଲି ପଡିଛ।
--ୟାକୁ କଣ ଚୋରାପୀରତି କୁହନ୍ତି?ତେବେ ଗୋପଦାଣ୍ଡ କଦମ୍ବ ବନ,ଉଜାଣି ଯମୁନା, ଏସବୁ କଣ ମଳୟ?
-ଚୋରାପୀରତି ବି ପାପ ହୁଏ ଲକ୍ଷ୍ମୀ।
--ମୁଁ ସେ ପାପର ବୋଝରେ କାଳଙ୍କିନି ହେବାକୁ ଚାହେଁ ମଳୟ।
--ତୁମେ ସହି ପାରିବ ଏ ଦୁନିଆ ଅପବାଦ ?
--ତୁମେ ତେବେ କଣ ଚାହଁ ଲକ୍ଷ୍ମୀ?
--ଆମ ବିବାହ କଥା ମୁଁ ଘରେ କହିଲି ମଳୟ।ବାପାଙ୍କୁ କହିବାର ସାହସ ନାହିଁ ବୋଲି ବୋଉ ମାଧ୍ୟମରେ କହିଲି,ହେଲେ.........
--ହେଲେ..... କଣ ହେଲା?ରାଜି ହେଲେ ନା ମନାକଲେ? 
--ମନାକଲେ
--ତେବେ କଣ କରିବା କୁହ?ମୁଁ ଏବେ କହିଲେ ତୁମକୁ ନେଇଯିବି ସେ ମହୁଲ ବନ ଆଉ ଶିଆଳି ଲତା ଓ ଶାଳବନର ଆଭ୍ୟନ୍ତରୀଣ ଅଂଚଳକୁ ।ତୁମେ ରାଜିତ?
--ନା ମଳୟ....
--କଣ ତେବେ କୁହ?
--ମୁଁ ଯଦି କୁମାରୀ ମାତୃତ୍ୱ ଲଭିପାରିବି ଆମ ବିବାହ ବୋଧେ ସମ୍ପୁର୍ଣ୍ଣ ।
--ଏ ଲକ୍ଷ୍ମୀ ତୁମ ମୁଣ୍ଡ ଠିକ ଅଛି ତ?କଣ କହୁଛ ତୁମେ ଜାଣିପାରୁଛ ।ଆମେ ଆମ ଜୀବନର ଶାନ୍ତି ଆଉ ପ୍ରେମର ବିଜୟ ପାଇଁ ଏତେବଡ଼ ପଦକ୍ଷେପ ନେବା?ଏ ଦୁନିଆ କଣ କହିବ?ଏ ସମାଜ କଣ କହିବ?

ମୁଁ କିଛି ବି ଶୁଣିବିନି, ମୁଁ କିଛି ବି ବୁଝିବିନି ।ମୋତେ କେବଳ ତୁମେ ଦରକାର କହି ମୋ ଛାତି ଉପରେ ତୁମେ ମଥାରଖି କାବୁ କରିଥିଲ ମୋ ନରମ ଓଠରେ ଗରମ ଚୁମ୍ବନ ଦେଈ । ସେ ରାତି ମୁଁ ଭୁଲିନି ଲକ୍ଷ୍ମୀ ତୁମେ ସେଦିନ ଲକ୍ଷ୍ମୀପ୍ରିୟାରୁ ରତିପ୍ରିୟା ସାଜିଥିଲ ।ଖୋଲିଦେଇଥିଲ ଗଭାରୁ ଗଜରା,ପାଦରୁ ପାଉଁଜି,କାନରୁ ଝରାଫୁଲ ଆଉ....... ତୁମ ସ୍ୱର୍ଣ୍ଣତନୁରୁ ଲଜ୍ଜାର ଆବରଣ ।
ଅନ୍ଧାର ରାତିରେ କେବଳ ତୁମେ ମୁଁ ଆଉ ପଵିତ୍ରପାପ ।
ରାତିର ଶେଷ ପ୍ରହର ନିଦ ଭାଙ୍ଗି ମୋତେ ଉଠାଇଲ ।

--ଉଠ ମଳୟ।ରାତି ପାହିବା ଆଗରୁ ତୁମେ ଚାଲିଯାଅ ।
ଏ ସକାଳ ସୁରୁଜଟା ଆମକୁ ଖୁବ ଉପହାସ କରିବ ।ନିନ୍ଦା ନାଗରାରେ ଗାଁ ଦାଣ୍ଡ ଚହଳ ପଡ଼ିବ ।ଏ ଗଡନାୟକ ପରିବାର କଳଙ୍କିନି ତା ପରିବାର ର ନାଁ ରାସ୍ତାରେ ବିକିପାରିବନି ।
--ତୁମେ ଚାଲିଯାଅ ମଳୟ ।
--ତୁମେ ସିନା କହିଦେଲ ତା ପରେବି କାହିଁକି ମୋତେ ଜାବୁଡି ଧରିଛ ଲକ୍ଷ୍ମୀ?
--ଜାଣେନି ମଳୟ ।
--ତେବେ କଣ ଆମ ପ୍ରେମ ଏକ......
---ନା ସେମିତି କୁହନି ଆମ ପ୍ରେମ ଶାଶ୍ୱତ ।
---ଠିକ ଅଛି ଲକ୍ଷ୍ମୀ ମୁଁ ଯାଉଛି କିନ୍ତୁ ତୁମେ ଯେମିତି ମୋତେ ଠକି ନଦିଅ ।
--ନା ତୁମେ କେବଳ ମୋର ଏ ଲକ୍ଷ୍ମୀ କଥା ଦେଉଛି ଯେମିତି ହେଲେ ବି ମୁଁ ତୁମର ହେବି ସିନ୍ଦୁର ପିନ୍ଧି ।
ଏଇଥିଲା ଆମର ଶେଷ ସାକ୍ଷାତର ଶେଷ ଆଳାପ।
ସେଦିନ ମୁଁ ଚାଲିଆସିବା ପରେ କିଛିଦିନ ତୁମେ ବି ଠିକ ଥିଲ ମୁଁ ବି ଠିକ ।ତୁମେ ଫୋନ ବି କରୁଥିଲ ।ଆସ୍ତେ ଆସ୍ତେ ତୁମ ବ୍ୟବହାର ଏବଂ କଥାବାର୍ତ୍ତା ରେ ପରିବର୍ତ୍ତନ ହେବା ସହ ତୁମେ ବି ନିଖୋଜ ହୋଇଗଲ । ମୁଁ ବି ଖୋଜିଛି ତୁମକୁ ତୁମ ଗାଁ ଅପାଘର ଗାଁ ସାରା ଦୁନିଆରେ ଖୋଜିଛି କିନ୍ତୁ ପାଇନି ।ତୁମେ ହଜିଗଲ କେଉଁ ଏକ ଦୁନିଆରେ ମୁଁ ବି ଆସ୍ତେ ଆସ୍ତେ ତୁମକୁ ଭୁଲିବା ପାଇଁ ଚେଷ୍ଟା କରିଛି, ଏଥି ପାଇଁ ମୋତେ ସହାୟ ହୋଇଛି ସୁଲଗ୍ନାର କୋମଳ ଦେହ ଆଉ ଗୋଲାପୀ ଓଠର କଥା ।ଆଜି ଅନେକବର୍ଷ ପରେ ପ୍ରଥମଥର ପାଇଁ ଖବରକାଗଜରେ ତୁମ କଥା ଲେଖାଥିଲା ଯେ ରାଉରକେଲାର ପ୍ରତିଷ୍ଠିତ କବୟତ୍ରୀ ଲକ୍ଷ୍ମୀପ୍ରିୟା ଗଡନାୟକ ସୁଧାସୁମନ ଉପାଧି ପାଇଲେ ।
ଖବରକାଗଜର ମୁଖପୃଷ୍ଠାରେ   ତୁମ ବିଷୟରେ ବିସ୍ତୃତ ଵିଵରଣୀ ଏବଂ ତଳେ ଯୋଗାଯୋଗ ଠିକଣା:-
ଲକ୍ଷ୍ମୀପ୍ରିୟା ଗଡନାୟକ
ସି.ଭି.୪/୭,ରାଉରକେଲା ।

ସତରେ ତୁମ ଠିକଣା ପାଇ ଖୁସିଲାଗିଲା ତୁମେ ସୁଧାସୁମନ ଉପାଧି ପାଇଛ ବୋଲି ନୁଁହ ।ସେଇ ବିଗତ ଦିନରୁ ଗୋଟାଏ ଆନ୍ଦୋଳିତ ପ୍ରଶ୍ନ "ତୁମେ ଏମିତି କାହିଁକି କଲ?" ପଚାରିବା ପାଇଁ ।

ରାତି ବି ଅନେକ ହେଲାଣି ସୁଲଗ୍ନାର ଡ଼ାକରା ଆସିଲାଣି ;-ହେଇଟି ସେ କାଗଜ କଲମ ବନ୍ଦ କରି ଖାଇବ ଆସ।ରୁକ୍ଷ ସ୍ୱର କି ଚଢ଼ାଗଳା ନୁହେଁ ୟେ ବି ଗୋଟେ ଭଲପାଇବା ମୋ ପ୍ରତି ସୁଲଗ୍ନାର ।ତୁମକୁ ଭୁଲିଯିବା ପାଇଁ ମନକୁ କଥା ଦେଲାପରେ,ମୋ ଜୀବନର ସୁଖ ଦୁଃଖର ସାଥି କେବଳ ସୁଲଗ୍ନା । ତୁମେ ତ ବୁଝି ବି ବୁଝିପାରିଲନି ମୋ ମନର କଥାକୁ,ମୁଁ ଦେହ କୋଣାର୍କରେ କେବେବି ଖୋଜିନଥିଲି ନଗ୍ନ ଶିଳାର ଆକର୍ଷଣ ।ଖୋଜିଥିଲି ଦୂର ସମୀପରେ ରୂପ ଗୁଣର ମାଧୁର୍ଯ୍ୟତା, ଖୋଜିଥିଲି ମୋ ମୋ ଶାଗପଖାଳ ଜୀବନରେ ତୁମରି ସହଯୋଗ ଆଉ ମୋ ମା ପ୍ରତି ତୁମର ଅନାବିଳ ସ୍ନେହ । ତୁମେ କିନ୍ତୁ ଦେଇପାରିଲନି ସେ ସବୁ,ବରଂ ଲୁଟିନେଲ ମୋ ପୁରୁଷପଣର ପବିତ୍ରତା ଆଉ ମୋତେ କରିଦେଲ ପବିତ୍ରପାପୀ ।ଠିକଣା ଯଦି ଠିକଥାଏ ତୁମେ ଯଦି ସେଇ ଲକ୍ଷ୍ମୀପ୍ରିୟା ଗଡନାୟକ ହୋଇଥାଅ ତେବେ ତ ନିଶ୍ଚିତ ଏ ପତ୍ର ତୁମେ ପାଇବ । ଆଶାଅଛି ପ୍ରତିପତ୍ର ପାଇପାରିବିନି ମୁଁ,କାହିଁକି ନା ଏ ଚିଠି ଉପରୁ ହୁଏତ ମୋ ଆଖିର କେଇବୁନ୍ଦା ଅଶ୍ରୁ ଶୁଖିଯାଇଥିବ,କିନ୍ତୁ ବତୁରା ଅବଶୋଷ ସବୁ ତାଜାତାଜା ଥିବ ଆଉ ତୁମେ ବି କଲମ ଧରୁଧରୁ କେବଳ ସାଦା କାଗଜ ଉପରେ ଅଶାନ୍ତ ଅଶ୍ରୁକୁ ନିଗାଡୁ ନିଗାଡୁ ପଦେ ଲେଖୁଥିବ ମୋତେ କ୍ଷମାକର ମଳୟ ।

ସୀମାଞ୍ଚଳ ରଣା
ବାଲିଗୁଡା, କନ୍ଧମାଳ

Post a Comment

0 Comments