Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରାତି - ଶରତ ଚନ୍ଦ୍ର ଜାଲି


ଅମାନିଆ ରାତି ଆସେ ନାଚିନାଚି
କୋଳେ ଧରି ରୂପାଜହ୍ନ
କଳାଶାଢୀ ଖଣ୍ଡେ ଦେହରେ ସଜେଇ
କରୁଛି ସେ ଅଭିମାନ ।
ଲାଗେ ଭାରି ଶୁନ୍ ଶାନ୍
ଚୁପ୍ ଚାପ୍ ଆସେ ଚୁପ୍ ଚାପ ଯାଏ
ମୁନି ପରି ସେ ମଉନ ॥

ଖୋସାରେ ଖୋସିଛି ଅନେକ କାଳରୁ
ଚିକିମିକି ତାରାଫୁଲ
ସେ ଫୁଲର ସାଥେ ବନଫୁଲ ଯେତେ
ହେବନାହିଁ ସମତୁଲ।
ନିଦମଂଜି ବୁଣି ଦେଲ
ସକଲ ପ୍ରାଣୀ ଯେ ଶାନ୍ତିରେ ଶୋଇଲେ
ରାତି ତୁମେ ବୁଲୁଥିଲ॥

ରାତି ଆଗମନ ଜାଣି ସାଧୁଜନ
ଦେଉଳେ ବଜାନ୍ତି ଘଣ୍ଟ
ସଂଜ ଅାଳତୀରେ  ଆଲୋକିତ କରି
ରାତି କି ହୁଏ ସ୍ୱାଗତ ।
ଆସେ ସେ ନକରି ମଠ
ଆସିଗଲା ପରେ ଅଦୃଶ୍ୟ ହୁଅଇ
ନଈନାଳ ରାସ୍ତାଘାଟ ॥

ଏ ରାତିରେ କେତେ ଯୋଗି,ଋଷି,ମୁନି
କରନ୍ତି ଯୋଗ ସାଧନ
ରାତି ଯେତେବେଳେ ଦିବ୍ୟରାତି ହୁଏ
ଲଭନ୍ତି ବିଭୁ ଦର୍ଶନ ।
ସହିସହି ଦୁଃଖମାନ
ଅନ୍ତିମେ ଅନନ୍ତ ସୁଖରପସରା
ଏପରା ବିଧିବିଧାନ ॥

କାଳରାତି ଯେବେ ଆସଇ ଧରାକୁ
କାଳି ଆସେ ଉଗ୍ର ହୋଇ
ସେ ରାତିରେ ଚାଲେ ଧର୍ଷଣ,ଲୁଣ୍ଠନ
ହଣାହଣି ଭାଇଭାଇ ।
ଚୋର ଚୋରୀକରି ଯାଇ
ରାତି ନପାହୁଣୁ ପହଞ୍ଚେ ସ୍ୱପୁରେ
ଆନନ୍ଦେ ଭାରିଜାଠାଇଁ ॥

କାହିଁ କେତେ ଦୂରେ ଅଛି କଳାକର
ମର୍ତ୍ତ୍ୟରେ ଅଛଇ କଇଁ
ଦୁହିଁଙ୍କ ଭିତରେ ଚାଳେ ଚୋରାପ୍ରିତୀ
ଧନ୍ୟରେ ବିଧାତା ତୁହି ।
ପ୍ରକୃତିର ଖେଳ ଏହି
ଆଣି ଦିଏ ପ୍ରିତୀ ଜ୍ୟୋତ୍ସ୍ନାଭରା ରାତି
ଭିଜୁଥାନ୍ତି ପ୍ରେମୀଦୁଇ ॥

ଲେଖକ,ଭାବୁକ,ପ୍ରେମିକ ଛାତିରେ
ସବୁରାତି ଲାଗେ ନିଆଁ
ହେଉ ଅମାବାସ୍ୟା ହେଉବା ପୂର୍ଣ୍ଣିମା
ଏକଥା ନୁହଁଇ ନୂଆ ।
ମନ ମାରୁଥାଏ ଡିଆଁ
ମନ ମାନେନାହିଁ ଅନ୍ଧାରରାତିକି
ପ୍ରେମିକା ପାଖରେ ଠିଆ ॥

ରାତିର ମହତ୍ୱ ଦିନରେ ନଥାଏ
ରାତି ଚାଲିଗଲା ପରେ
ଅନନ୍ତ,ଅସୀମ ବିଶ୍ୱବ୍ରହ୍ମାଣ୍ଡରେ
ମିଶିଯାଏ ଶୂନ୍ୟତାରେ ।
ସକାଳଟା ଆସେ ଧିରେ
ଜ୍ଞାନର ଆଲୋକ ବିଞ୍ଛେ ଦିନମଣି
ସବୁରି ହୃଦୟ ଘରେ ॥

ଶରତ ଚନ୍ଦ୍ର ଜାଲି
ପଥରା, ଖଲିକୋଟ, ଗଂଜାମ

Post a Comment

0 Comments